Unknown

 

 

 

 

 

 

 

 

 

 

 

ଗୋସେଇଁ ଘାଟ

ଶ୍ରୀ ରମେଶ ଚନ୍ଦ୍ର ମିଶ୍ର

 

ଗୋସେଇଁ ଘାଟ

 

ନଈଭିତରୁ ସେମାନେ ଗୋଟାଏ ମଣିଷ ନୁହେଁ, ଗୋଟାଏ ଦୁର୍ନାମକୁ ଉଠାଇ ଆଣିଥିଲେ । ଡିବି ଆଲୁଅରେ ସେଇ କପିଳ ନାମଧାରୀ ଦୁର୍ନାମଟାକୁ ଦେଖୁ ଦେଖୁ ପ୍ରାଣ ଭିତରଟା ଯେମିତି କେମିତି ହୋଇଉଠିଲା । ହୃଦୟର ଗଭୀରତମ ସ୍ଥଳରେ କ’ଣ ଗୋଟାଏ ଯେମିତି ରହିଚି ! ଅସ୍ଥିର ଆବେଗରେ ସେଇଟା । ଯେମିତି ଝଙ୍କାର ତୋଳି ଭାସୁଛି, ସୁଲେଇ ବୁଝିପାରୁନି । କେବଳ ମନେହେଉଚି, ଗୋଡ଼ ହାତ ସର୍ବାଙ୍ଗ କାହିଁକି କେଜାଣି ଥରିଉଠୁଚି ।

 

ଏତେଦିନ ଯାଏ କପିଳ ସମ୍ବନ୍ଧରେ ତା’ ମନରେ କ’ଣ ଥିଲା ? ବିରାଗ, ବିଦ୍ୱେଷ, ବିତୃଷ୍ଣା । ଯାହାକୁ ଘରକୁ ଆଣି କେବଳ ଲୋକ ଅପବାଦ ଶୁଣିବାକୁ ହେଉଚି, ତା’ ପାଇଁ ଆଉ କ’ଣ ବା ମନେ ହୁଅନ୍ତା ! କିନ୍ତୁ ଆଜି ଏ ମୁହୂର୍ତ୍ତରେ ? ନିଜର ମନୋଭବ ବୁଝିବାକୁ ସୁଲେଇ ଚେଷ୍ଟାକଲା-। ପାରିଲାନି, ମନଟା ଯେମିତି ଦୁର୍ବୋଧ ଗୋଟାଏ ରହସ୍ୟ ହୋଇଯାଇଛି । ଅଦ୍ଭୁତ ଏ ଜୀବନ ନଦୀ–ରହସ୍ୟମୟ ଏହାର ପ୍ରତ୍ୟେକ ଘାଟ–

Image

 

କିଏ ଯାଉଚି ?

 

କେଉଟ ଘର ଝିଅ ସୁଲେଇ ।

 

କୁଆଡ଼େ ଯାଉଚି ?

 

ନଈକି ।

 

ଖଇରିଆ ରଙ୍ଗର ଛକକଟା ସାରୁପତ୍ରିଆ କସ୍ତା ଖଣ୍ଡେ ପିନ୍ଧିଚି । କସ୍ତାଖଣ୍ଡକ ସୁଲେଇ ଦେହକୁ ଭାରି ମାନୁଚି ।

 

କେଡ଼େ ସୁନ୍ଦର ଦେଖା ନ ଯାଉଚି ?

 

ପହଲି ବୁଢ଼ା ଏଇଲେ ଯଦି ସୁଲେଇ କି ଦେଖନ୍ତା !

 

ବୁଢ଼ା ଏ ଅଞ୍ଚଳର ଖଣ୍ଡେ ରସିକ ଚୂଡ଼ାମଣି । ସୁଲେଇକି ଦେଖୁ ଦେଖୁ ତା’ର କୋରଡ଼ିଆ ଅପୂର୍ବ ଆଖି ଦୁଇଟା ଚକ୍‌ ଚକ୍‌ ହେଇଉଠେ । କଇଁଛ ଖୋଳରୁ ମୁହଁ କାଢ଼ିଲା ଭଳି ସେ ତା’ର ଲମ୍ବା ବେକଟା ସେରପେଟେଇ ଦିଏ, ସତେ ଯେମିତି ବୁଢ଼ାର ଆଖି ଦୁଇଟାରୁ ଜୀବନ ଛାଡ଼ିଯାଇଚି । ଡିମା ଡିମା ଆଖିରେ ପଲକ ପଡ଼େନି । ମନର ଜିଭଟା ନାଳେଇ ଉଠେ ।

 

କାଖରେ ଚିକ୍‌କଣ କଳା ମାଠିଆଟାଏ ।

 

ସୁଲେଇ ରୂପଟା କେମିତି ?

 

ରୂପ ନାହିଁ ଆଉ କ’ଣ–ଅଛି । ତା’ର ରୂପ ଯେମିତି ସୁନ୍ଦର, ତା’ଠାରୁ ଅନେକ ବେଶି ଦାଢ଼ୁଆ; ଚମକେଇ ଦେଲାଭଳି ରୂପଖଣ୍ଡେ ।

 

ମାଜିଦେଲା କଂସା ଭଳି ରଙ୍ଗ । ଦାଉ ଦାଉ ହୋଇ ଝଟକି ଉଠୁଚି । ବାଆଁପଟ ଗାଲ ଉପରେ ଗୋଟାଏ ଛୋଟ କଳାଜାଇ । ଫାଳିକିଆ ଟୁଇଁ ପୋଟଳ ଭଳି ଆଖି । ଅନ୍ଧାରରେବି ଡୋଳା ଯୋଡ଼ାକ ଜକ ଜକ ହୁଏ । ରୂପ ରଙ୍ଗକୁ ମିଶେଇ ଡଉଲ ଦେହ ଖଣ୍ଡେ ପାଇଚି । ଯାହାକୁ କହନ୍ତି ଆଖି ଖସିପଡ଼ୁଚି । କେମିତି ଢଳି ଢଳିକା ଚାଲି । ତାଳ ଦେଲେ ସମାନ ପଡ଼ିବ ।

 

ପୁରଷ୍ଟିଆ ଦିହ । ଖାଲି ପୁରଷ୍ଟିଆ ନୁହେଁ–ସେ ଦେହରେ କେମିତି ଗୋଟାଏ ଆଦିମତା ମିଶି ରହିଚି ।

 

କାହା ଆଖି ତା’ଠି ନ ଲାଖିଚି–ଏମିତି ନାଇଁ । ଚାହିଁ ଦେଲାମାତ୍ରେ ସମସ୍ତଙ୍କ ଛାତି ଭିତରଟା ଧଡ଼କି ଉଠିଚି ।

 

ରୂପ ତ ଯାହା–ଦିମାକ ତା’ର ଦିଗୁଣ । ସମସ୍ତେ ତା’ ଆଡ଼େ ନଜର ପକାନ୍ତି, ଏଇ ଦିମାକରେ ସେ ଫୁଲି ଫୁଲି ଚାଲେ । ଚାଲିଟା ମନ୍ଦ ନୁହେଁ । ଫୁଲେଇ ଚାଲିରେ ବୁକୁଟା ଆହୁରି ଫୁଲୁକା ମନେହୁଏ । ଯେମିତି ସେଥିକି ଦି’ସରିଆ ଦଉଡ଼ି ପାରିନି । ଯାହା କହ–ନିଖୁଣିଲା ଝିଅ ଖଣ୍ଡେ ହେଇଚି ସୁଲେଇ ।

 

କାଲି ଏପଟେ ଭଲ କରି ଅସରାଏ ଝଡ଼ ବରଷା ହେଇ ଯାଇଚି ।

 

ଏଇଟା କାର୍ତ୍ତିକ ମାସ । ୟାଭିତରେ ଏମିତି ଅଚାନକ ବର୍ଷା ଛେଚିବ ବୋଲି କେହି ଆଶା କରି ନଥିଲା । କ’ଣ ହେଲା କେଜାଣି–କିଛି କୁଆଡ଼େ ନଥିଲା, କଳାଘୁମର ମେଘ ଘୋଡ଼ି ଆସିଲା । ପଛେ ପଛେ ସୁ ସୁ କରି ମାଡ଼ିଆସିଲା ବାଉଳା ପବନ ।

 

ଆକାଶ ଆଉ ନଈ–ଦୁହିଁକି ଦୁହେଁ ଯେମିତି ମାତିଉଠିଲେ ।

 

ଆଜିକାଲି ଉତ୍ତରପଟୁ ପବନ ପିଟୁଚି । ଖିଲି ଖିଲି ହେଇ ଦକ୍ଷିଣ ଆଡ଼କୁ ଧପାଲେ ।

 

ଅନ୍ୟ ଦିନମାନଙ୍କରେ ଆକାଶ ଛାତିରେ ଯୋଉ ଖଣ୍ଡ ଖଣ୍ଡିଆ ମେଘ କୋଉଠି କେମିତି ପାଏ, ଉତ୍ତରା ପବନ ସେଗୁଡ଼ାଙ୍କୁ ଦକ୍ଷିଣଆଡ଼େ ଠେଲି ଠେଲି ନେଇଯାଏ । କଅଁଳା ବାଛୁରୀଗୁଡ଼ାଙ୍କୁ ମନେଇଲା ଗଉଡ଼ ଯେମିତି ଅଡ଼େଇ ନେଉଚି । ଦକ୍ଷିଣ ପଟର ଯେଉଁଠି ସମୁଦ୍ରକୁ ଆଖି ପାଏନି–ସେଇ ସନ୍ଧି ଆଡ଼କୁ ମେଘଗୁଡ଼ା ତଡ଼ି ହେଇଯାଆନ୍ତି ।

 

କିନ୍ତୁ, କାଲି କ’ଣ ଯେ ହେଲା ।

 

ଉତ୍ତରା ପବନଟା ଦକ୍ଷିଣ ମୁହାଁ ଧଇଲା । ଦିନ କାଳ ନ ମାନି ଓଲଟା ଗତି ହେଲା । ସେତେବେଳେ ସିନା ଟୁକୁରା ଟୁକୁରା ମେଘ ତଡ଼ି ନେଉଥିଲା, କାଲି ତଡ଼ି ଆଣିଲା ଦକ୍ଷିଣ ଆଡ଼ୁ କଳା ଘୁମରିଆ ବଡ଼ ବଡ଼ ମେଘଖଣ୍ଡମାନ । ଦିହକୁ ଦିହ ଖୁନ୍ଦି ହେଇ ବଣୁଆ ହାତୀ ସଲଟଣ ପରି ମେଘଗୁଡ଼ା ମାଡ଼ି ଆସିଲା ।

 

ଖରା ନ ବୁଡ଼ୁଣୁ ବସୁଧାକୁ ଅନ୍ଧାରରେ ଛାଇଦେଲା । ଖାଲି କ’ଣ ସେତିକି ? ବିଜୁଳି ଘଡ଼ଘଡ଼ି ଆରମ୍ଭ କରିଦେଲେ ତାମସା । ସାଙ୍ଗକୁ ପବନ ବାପୁଡ଼ା ବାୟା ବିଲୁଆ ପରି ଏପଟ ସେପଟ ଭଉଁରୀ କାଟିଲା ।

 

ସନ୍ଧ୍ୟା ଲାଗି ଆସିଲାବେଳକୁ କଚାଡ଼ିଲା ବର୍ଷା ।

 

ରାତିସାରା ନଈଟା ଗର୍ଜୁଚି । ତା’ର ଗହିରୀଆ ପେଟ ଭିତରୁ ଯେମିତି ଗୁମ୍‌ଗୁମିଆ ରଡ଼ିଟାଏ ବାହାରି ଆସୁଥିଲା ।

 

ଖାଲି କ’ଣ ନଈ, ଆକାଶଟାବି ଦୁଲୁକି ଉଠୁଥାଏ । ମେଘଡ଼ମ୍ବରୁ ଘିଡ଼ି ଘିଡ଼ି ଶବ୍ଦ କରି ଛାତି ପିଟୁଥାଏ । ବିଜୁଳି ରହି ରହି ଦାନ୍ତ ନିକୁଟିବାରେ ଲାଗିଥାଏ ।

 

ନଈ ଆଉ ଆକାଶ ଯେମିତି ପାଗଳ ହେଇଯାଇଚନ୍ତି । ନଖିପଡ଼ା ଉପରେ କିଏ କେତେ ଅଦଉତି କରିପାରେ–ତା’ରି ଗୋଟାଏ ଟଣାଓଟରା ଲାଗିଚି ଯେମିତି ।

 

ଆଖି କାନବୁଜା ବର୍ଷା ଛେଚାକୁ–ନଈଟାର କ’ଣ ହେଲା କେଜାଣି, ସେ ବି ଦୁଇକୂଳ ଧରି ଫୁଲିଉଠିଲା ।

 

ରାତିସାରା ମେଘକୁ ବିରାମ ନାହିଁ କି ନଈକି ବିରାମ ନାହିଁ । ପାହାନ୍ତା ଆଡ଼କୁ ଆକାଶ ମନ ଥଣ୍ଡା ଧରିଲା । ନଈବି ଟିକିଏ ଥୟ ପଡ଼ିଲା ।

 

ଅଣ୍ଟା ଦୋହଲେଇ ବୁଲେଇ ଚାଲିଚି ।

 

ରାତିର ଝଡ଼ି ତୋଫାନ ନଖିପଡ଼ାଟାକୁ ଏକାବେଳେ ଯାହାନେଇ ତା’ କରି ପକେଇଚି ।

 

ରାସ୍ତା କଡ଼ରେ ଯେତେକ ଉଚ୍ଚ ତାଳୁଆ ଗଛ ଥିଲେ, ପବନ ସମସ୍ତଙ୍କ ବେକ ମୋଡ଼ିଦେଇଚି ।

 

ବାଟ ଘାଟର ଅବସ୍ଥା କ’ଣ ହେଇଚି !

 

ଆମ୍ବ–ସଜନା–ଅମୃତଭଣ୍ଡାର ଡାଙ୍ଗମିଶା ଦରପାଚିଲା ପତ୍ର, ଚାରିଆଡ଼େ ଖେଳେଇ ହେଇଯାଇଚି । କାଲିର ଝଡ଼ିରେ ଯେତେ ଯେଉଁଠି ଛପର–ନଡ଼ା–କୁଟା ବାଉଁଶକଣି ଥିଲା, ସବୁ ଉଡ଼େଇ ଆଣି ବାଟଘାଟରେ ପକେଇ ଦେଇଚି ।

 

ନଖିପଡ଼ାର ସବୁ ବାଟ ସମାନ ନୁହେଁ । ଗାଁ ଭିତରଟା ମାଟି ରାସ୍ତା–ଆଉ କେତେଟା କରକଚା ବନ୍ଧା ରାସ୍ତା । କାଲି ବର୍ଷାରେ କି କରକଚା, କି ମାଟି ସବୁ ଦଲ୍‌ ଦଲ୍‌ ହେଇଯାଇଚି ।

 

ସୁଲେଇର କୁଆଡ଼ିକି ନଜର ନାହିଁ ।

 

ଦଲ୍‌ ଦଲ୍‌ କାଦୁଅ–କରକଚା ମାଡ଼ି, ଡାଳପତ୍ର, କୁଟା ଗଦା ଡେଇଁ ସୁଲେଇ ଆସି ଗୋସେଇଁ ଘାଟରେ ଉଠିଲା ।

 

ଏବେବି ଭଲ କରି ସକାଳ ହେଇନି ।

 

କାଇଁ–ସୂର୍ଯ୍ୟର ଚିହ୍ନବର୍ଣ୍ଣ ତ ଏଯାଏଁ ଦେଖାଯାଉନି ।

 

କାଲିକାର ଜେର ଆଜିଯାଏ କଟିନି । ଆକାଶରେ ଖଣ୍ଡଖଣ୍ଡିଆ ମେଘ ଏଯାଏବି ଲାଗିରହିଚି ।

 

ଆଶ୍ଚର୍ଯ୍ୟ ! ନଈଟାକୁ ଆଜି ଆଉ ଚିହ୍ନି ହେଉନି ।

 

କାର୍ତ୍ତିକ ମାସରେ ନଈ ପେଟଟା ଖେଙ୍କିଯାଏ । ଠିକ୍‌ ମଝି ଆଡ଼କୁ ଗୋଟାଏ ଚଡ଼ା ମୁଣ୍ଡ ଟେକି ଉଠେ । ଦୁଇପଟୁ ଅନେକ ପାଣି କମିଯାଏ । ଶର ଆଉ କାଶତଣ୍ଡି ବଣ ଦେଖାଦିଏ । କାଦୁଅଘଣ୍ଟା ଚଡ଼େଇଗୁଡ଼ା ପଟପଟିଆ କାଦୁଅରେ ଆଣ୍ଠୁ ଯାଏ ବୁଡ଼େଇ ମୁନିଆ ଥଣ୍ଟଗୁଡ଼ାରେ ଉଖାରି ଉଖାରି କ’ଣ ଯେମିତି ଖୋଜି ମରୁଛନ୍ତି ।

 

ବର୍ଷକରେ ଥରଟିଏ ପାଟଳି ନଈରେ ଫେଣ ଦେଖାଯାଏ, ଏଇଥରକ ପାଇଁ ସେ ଯୌବନ ଲାଭ କରେ ! ସେଇ ବର୍ଷାଦିନେ । ସେତେବେଳେ ଦୁଇକୂଳ ଧରି ନଈଟା ଧାଇଁବାରେ ଲାଗେ ।

 

ବର୍ଷାଦିନରେ ସେ ଉତ୍ତେଜନାଟା ଶୀତ ଆରମ୍ଭବେଳକୁ ଆଉ ନଥାଏ । ବର୍ଷାଦିନେ ଯେଉଁ ପାଟଳ ଦ୍ରୁତବହ, ଖରଧାର, ଶୀତ ଆରମ୍ଭରେ ସେଇଟା ସ୍ଥିର, ମନ୍ଥର, କ୍ଳାନ୍ତଗତି । ସେତେବେଳେ ନଈଟା ଝିର୍‌ ଝିର୍‌ ହେଇ ବୋହିଯାଏ । ସେତେବେଳେ ଫେଣର ଚିହ୍ନ ନଥାଏ, କାଚକେନ୍ଦୁ ଭଳି ପାଣି । ଚାହିଁଦେଲେ ମୁହଁ ଦେଖାଯାଏ ।

 

କାଲି ସକାଳେବି ଶୀତ ଆରମ୍ଭର ସ୍ରୋତହୀନ ନଈଟାକୁ ସୁଲେଇ ଦେଖିଯାଇଥିଲା ।

 

କିନ୍ତୁ ଆଜି ?

 

ଝଡ଼ି ତୋଫାନର କାରସାଦିରେ ରାତାରାତି ନଈର ରୂପରଙ୍ଗ ବଦଳିଯାଇଚି । ପହିଲି କାର୍ତ୍ତିକର ପାଟଳ କି ଗୋଟାଏ କୁହୁକରେ ଯେମିତି ପାଟଳ ହେଇଯାଉଚି ।

 

କାଲି ରାତିରେ ଘୁ ଘୁ ହେଇ ବଢ଼ି ପାଣି ମାଡ଼ିଆସିଲା । ଦୁଇକୂଳ ଚାଟି ଚାଟି ଫେଣୁଆ ଧାରଟା ମାଡ଼ି ଚାଲିଚି । ସୁଦ୍‌ ଗୋଳିଆ ପାଣି ।

 

ଶର–କାଶତଣ୍ଡି–ବେଣାବୁଦାଗୁଡ଼ାକର ଚିହ୍ନବର୍ଣ୍ଣ ନାହିଁ କୋଉତଳେ ଯାଇ ବୁଡ଼ି ରହିଚି । କାର୍ତ୍ତିକ ପଶନ୍ତି ଯୋଉ ଚଡ଼ା ମୁଣ୍ଡ ଟେକୁଥାଏ–ସେଇଟା କେତେତଳେ, କ’ଣ ତା’ର ଠିକଣା ଅଛି । ଅଦିନିଆ ଯୌବନରେ ନଈ ଛାତିଟା ଫୁଲିଉଠିଚି ।

 

ଗୋସେଇଁ ଘାଟର ଉପର ପାହାଚରେ ସୁଲେଇ ଠିଆ ହୋଇଚି, ନଈଟା ଆଡ଼େ ଚାହିଁଚି-

 

ଭଉଁରୀ କାଟି କାଟି ପଟୁ ମିଶା ପାଣି ବୋହିଯାଉଚି ।

 

ନଈ ଆଡ଼େ ଚାହିଁ ବୋଧହୁଏ ସୁଲେଇ ଭାବୁଚି, ପାଟଳ ନଈଟାତ ତା’ରି ଭଳିଆ ଯୁବତୀ ।

 

‘ସୁଲେଇ–ସୁଲେଇ–’

 

କିଏ ଯେମିତି ଡାକିଲା ।

 

ଚମକି ପଡ଼ିଲା ସୁଲେଇ । ବଲ ବଲ କରି ଏପଟ ସେପଟ ଚାହିଁବାରେ ଲାଗିଲା ।

 

‘ଏଇଠି ଲୋ–’

 

ତୁଣ୍ଡରୁ ବାରି ହେଲା, କୁନ୍ତେଇ ଭାଉଜ ।

 

ସୁଲେଇ ଗୋସେଇଁ ଘାଟର ଉପର ପାହାଚରେ ଠିଆ ହୋଇଥିଲା । ଏକାବେଳେ ତଳ ପାହାଚରେ, ଯୋଉଠି ନଈ ପାଣି ପିଟି ହେଉଚି, କୁନ୍ତେଇ ସେଇଠି ବସିଚି ।

 

ତର ତର ହୋଇ ପାହାଚଗୁଡ଼ା ପାର ହେଇ ସୁଲେଇ ତଳକୁ ଓହ୍ଲେଇ ଆସିଲା । କହିଲା, ‘ହଇଲୋ ଭାଉଜ–

 

କ’ଣ କହୁଚୁ ?’

 

‘ରାତି ଥାଉ ଥାଉ ନଈକୁ ଆସିଚୁ !

 

‘ହଁ ଲୋ–ହଁ ।’

 

ସୁଲେଇ ଗାଲରେ ଗୋଟାଏ ଟିପ ଟିପିଦେଲା କୁନ୍ତେଇ । ତା’ପରେ ନିଜ ଓଠଟାକୁ ମୋଡ଼ିଦେଇ ଅଦ୍ଭୁତ ରହସ୍ୟମୟ ଗଳାରେ ହସିଉଠିଲା, ‘ରାତି ଥାଉ ଥାଉ କାହିଁକି ନଈ ଘାଟକୁ ଆସେ, ତୁ ତ ସବୁ ଜାଣିଚୁ–

 

‘ନାଇଁ ତ ।’

 

‘‘ନୁହେଁ ଆଉ କ’ଣ ।’

 

ଖୁଲୁ ଖୁଲୁ ହେଇ କୁନ୍ତେଇ ହସିଉଠିଲା । ହଠାତ୍‌ ହସଟା ବନ୍ଦ କରି ଦେଲା । କହିଲା, ‘ନିଆଁ ଲିଭେଇବାକୁ ଆସେ । ଭାରି ଜଳେଲୋ ସୁଲେଇ ! ରାତିସାରା ସେ ଜ୍ୱାଳାରେ ଜଳେ, ପୋଡ଼େ, ଦିହସାରା ହୁତାଶନ ଚରିଯାଏ, ସେଇଆକୁ ଲିଭେଇବାକୁ ଆସେ ।’

 

ସୁଲେଇ କିଛି କହିଲାନି ।

 

ସେତେବେଳକୁ ସକାଳ ହୋଇଗଲାଣି ।

 

ଆଜି ପୁଣି ଉତ୍ତରା ପବନ ଦଉଚି ।

 

ନଖିପଡ଼ା ତାଳୁ ଉପରେ ଯୋଉ ଖଣ୍ଡ ଖଣ୍ଡିଆ ମେଘଗୁଡ଼ାକ ଲାଗିଥିଲା, ଉତ୍ତରା ପବନ ସେ ଦକ୍ଷିଣ ଆଡ଼େ ଠେଲି ଠେଲି ନେଉଚି । ଝଟ ଝଟିଆ ନୀଳ ଆକାଶଟା ପୁଣି ଦେଖାଦେଇଚି ।

 

ସକାଳର କଅଁଳ ଖରା ନଈର ଗୋଳିଆ ପାଣିରେ ଦୋଳି ଖେଳୁଚି ।

 

କୁନ୍ତେଇ ଡାକିଲା, ‘ସୁଲେଇ–’

 

‘କ’ଣ କିଲୋ ଭାଉଜ ?’

 

‘ମୁଣ୍ଡ–ପିଠି ଟିକିଏ ଘସି ଦେଲୁ । ସେ ଗାମୁଛାରେ ଇଠା ଫଳ ଅଛି ।’

 

କୁନ୍ତେଇ ପିଠି ବୁଲେଇ ବସିଲା । ଗାମୁଛା ପୁଟୁଳାରୁ ଇଠା ଫଳ କାଢ଼ି ସୁଲେଇ କୁନ୍ତେଇର ପିଠି ଆଉ ମୁଣ୍ଡରେ ଲଗେଇଦେଲା ।

 

ଆରାମରେ କୁନ୍ତେଇ ମୁହଁରୁ ଗୋଟାଏ ଶବ୍ଦ ବାହାରିପଡ଼ିଲା ‘ଆହା–ହା !’

 

ବଡ଼ ମାଠିମୁଠି ସୁଲେଇ ପିଠି ଘସି ଦେଉଚି ।

 

କୁନ୍ତେଇ କହିଲା, ‘ତୋ ହାତ ଦି’ଟା କି ଥଣ୍ଡା ଲୋ ସୁଲେଇ ସବୁ ଜ୍ୱାଳା ଥଣ୍ଡା ପଡ଼ିଯାଉଚି । ଦେ, ଦେ ଭଉଣୀ ମୋ ଦେହର ସବୁ ଜଳାପୋଡ଼ା ଲିଭେଇଦେ । ଭଲ କରି ଟିକିଏ ଦଳାଦଳି କରିଦେ ।

 

ବେଳ ବଢ଼ିବାରେ ଲାଗିଚି ।

 

ଖରା ତେଜବି ବଢ଼ୁଚି ।

 

ଉତ୍ତରା ପବନ ପିଟୁଚି । ଏଇଲେ କୋଉଠି ଆଉ ମେଘର ଦେଖା ନାହିଁ । ଆକାଶକୁ ଚାହିଁଲେ ମନେ ହେଉନି ଯେ, କାଲି ଏଆଡ଼େ ଝଡ଼ି ତୋଫାନ ହୋଇଯାଇଛି । ନଈଆଡ଼େ ଚାହିଁଲେ ଜାଣିହେଉନି ଯେ, କାଲି ଏଇଟା ଶାନ୍ତ–ସରଳ ଥିଲା ବୋଲି ।

 

ନଈର ପେଟଟା ଆଜି ପାଣିରେ ଉବୁକୋଉଚି ।

 

ହଠାତ୍‌ କୁନ୍ତେଇ ପାଟି କରି ଉଠିଲା, ‘ଆଲୋ ମୋ ମାଆଲୋ–’

 

ସୁଲେଇ ଚମକିପଡ଼ିଲା । ପଚାରିଲା, ‘କ’ଣ ହେଲା ଲୋ ଭାଉଜ–’

 

‘ହେଇ–ହେଇ ଦେଖ୍‌’

 

ଚାରିଆଡ଼େ ନଜର ପକେଇ ସୁଲେଇ ଦେଖିବାରେ ଲାଗିଲା । କିଛି ତା’ ନଜରରେ ପଡ଼ିଲାନି ।

 

ସେମିତି ବଡ଼ ପାଟିରେ କୁନ୍ତେଇ କହିଲା, ‘ଆଖି ଥାଉଁ ଥାଉଁ ତ ଅନ୍ଧ । ହେଇ ଦେଖ ଲୋ ଟୋକି । ଆଖି କ’ଣ ପୋଡ଼ିଜଳି ଯାଇଚି ?’

 

ଡାହାଣ ପଟେ ନଈ ଭିତରକୁ କୁନ୍ତେଇ ହାତ ବଢ଼େଇ ଦେଲା । ତା’ରି ପାଖକୁ କାଲି ଚଡ଼ାର ବାଲି ଦେଖାଯାଉଥିଲା । କ’ଣ ଗୋଟାଏ ଯେମିତି ଭାସି ଆସୁଚି ।

 

ସୁଲେଇ ବିସ୍ମୟ ହୋଇ ପଚାରିଲା, ସେଇଟା କ’ଣ ଲୋ ଭାଉଜ ?

 

‘କେଜାଣି, ଠିକ୍‌ ଜାଣିହେଉନି ।’

 

କପାଳ ଉପରେ ହାତ ରଖି କୁନ୍ତେଇ ନିଠେଇ ନିଠେଇ ଚାହିଁଲା ଅନେକ ସମୟ ପରେ କହିଲା, ‘ଗୋଟାଏ ମଣିଷ ଭଳି ଜଣାପଡ଼ୁଚି ।

 

‘ମଝି ନଈଟାକୁ ମଣିଷ କୁଆଡ଼ୁ ଆସିବ ଲୋ ? କି କଥା ଯେ ତୁ କହୁ ଭାଉଜ !’

 

କୁନ୍ତେଇ କହିଲା, ‘ହଁ ଲୋ, ମଣିଷଟାଏ ପରା । ହେଇ ଦେଖୁନୁ । ପିଠି ବାଳ ଦେଖାଯାଉଛି–ମଣିଷଟାଏ ମ ।’

 

ସୁଲେଇ ଆଉ କିଛି କହିଲାନି । ଏକ ଦୁଷ୍ଟରେ ଚାହିଁ ରହିଲା ।

 

ହଠାତ୍‌ କୁନ୍ତେଇ ବ୍ୟସ୍ତ ହୋଇପଡ଼ିଲା । ସୁଲେଇର ହାତଟା ଧରି ଟାଣିବାରେ ଲାଗିଲା-। କହିଲା, ‘ଚାଲୁନୁ–’

 

‘କୁଆଡ଼େ ?’

 

‘ନଈ ଭିତରକୁ ।’

 

‘ନାଇଁ ନାଇଁ, ମୁଁ ଯିବିନି ।’

 

ଟାଣିଓଟାରି ହେଇ ସୁଲେଇ ନିଜର ହାତଟା କୁନ୍ତେଇ ମୁଠାରୁ ଖସେଇ ନେଲା । ବିସ୍ମିତ ହେଇ କୁନ୍ତେଇ ପଚାରିଲା, ‘କାହିଁକି ଯିବୁନି ?’

 

‘ଡର ଲାଗୁଚି ।’

 

‘ଡର ଲାଗୁଚି ?’

 

ଆଖି ତରାଟି କୁନ୍ତେଇ ଓଠ ଲେଭାଡ଼ି ଦେଲା, ‘ଦେମ, କେତେ ଛଇ କାଢ଼ୁଚୁ । ଲୋକଟା ଆଗକୁ ଚାଲିଯିବ ଯେ । ଆ–’

 

‘ନାଇଁ ।’

 

‘ନାଇଁ କ’ଣ ଲୋ ଟୋକି ? ଅନ୍ୟ ଦିନେ ତ ନଈଟାକୁ ଦି’ଖଣ୍ଡ କରିଦେଉ, ଆଜି ଏତେ ପେଖେନା କାହିଁକି !’

 

‘ମୁର୍ଦ୍ଦାର କି କ’ଣ ! ମଶାଣୀରୁ ଭାସି ଆସିଥିବ ।’

 

‘ଚାଲୁନୁ ଦେଖିବା’ ମୁର୍ଦ୍ଦାର ହେଇଥିଲେ–ଆସିବାଭାରି ।’

 

ସୁଲେଇକୁ ଆଉ କିଛି କହିବାକୁ ନ ଦେଇ ପାଣି ଭିତରକୁ ଟାଣିନେଲା । ଗୋଡ଼ ଲାଗିଲାଯାଏ ଭୁସ୍‌ ଭୁସ୍‌ ଆଗେଇ ଗଲେ । ତା’ପରେ ଠିଆ ପହଁରା ।

 

ଫେଣ ବଜବଜ ଗୋଳିଆ ପାଣି, ତୋଡ଼ଟା ଜବର ହେଇଚି ।

 

ଠିଆ ପହଁରା ଦେଇ ଦେଇ ନଣନ୍ଦ ଭାଉଜ ଆଗେଇ ଚାଲିଚନ୍ତି ।

 

ଗୋସେଇଁ ଘାଟଠାରୁ କୁନ୍ତେଇ ଯାହା ଦେଖିଥିଲା, ଠିକ୍‌ ସେଇଆ ସତକୁ ସତ ଗୋଟାଏ ମଣିଷ ଭାସିଆସୁଚି ।

 

ମଣିଷଟା ଓଲଟିପଡ଼ିଚି, ଗୋଡ଼ ହାତଗୁଡ଼ା ପାଣିରେ ବୁଡ଼ି ଯାଇଚି । ଦିହସାରା ଗୋଳିଆ ପାଣିର କଷ ବସିଚି । ଯାଗାଏ ଯାଗାଏ ଭୁରୁଭୁରା ଫେଣ । ଖଣ୍ଡେ ଖତରା ପଟା ଉପରେ ପେଟେଇ ପଡ଼ିଚି । ପଛ ତାଳୁ ଆଉ ପିଠିଟା ସେଥିପାଇଁ ପୂରା ପାଣି ଉପରକୁ ଦେଖାଯାଉଚି ।

 

‘ଏ ମୋ ମାଆଲୋ–’

 

ପହଁରା ରୋକିନେଲା ସୁଲେଇ । ଛାନିଆ ହେଲା ଭଳି କହିଲା, ଆଲୋ ଭାଉଜ, ଯାଆନା ଲୋ– ମୁର୍ଦ୍ଦାରଟାଏ–’

 

କୁନ୍ତେଇ ଏତେ ସହଜରେ ଛାନିଆ ହବାର ଝିଅ ନୁହେଁ । ତାକୁ ଡରଭୟ କିଛି ନାହିଁ, ସେ ପୂର୍ବପରି ପହଁରା ମାରି ଚାଲିଚି । ତା’ ଭିତରେ ଗୋଟାଏ ଅଦ୍ଭୁତ ପୁରୁଷର ଦମ୍ଭ ରହିଚି । ମୁହଁ ବୁଲେଇ ସବୁ ଆଡ଼କୁ ଚାହିଁଲା । ନା– ଆଖ ପାଖରେ କୌଣସି ଲୋକ ଦେଖାଯାଉନି ।

 

ନଈକୂଳର ସେପଟଟା ମଶାଣୀ । ମଶାଣୀ ସେପାଖ ତାଳବଣିଆକୁ କୁଦଟା ଦେଖାଯାଉଚି । କୁଦର ଶେଷ ଆଡ଼କୁ ବଖରାଏ ଟୁଙ୍ଗୀଘର । ସେ ଟୁଙ୍ଗୀଟା ପହଲି ବୁଢ଼ାର ଚାହା ଦୋକାନ ।

 

ବେକ ଭାଙ୍ଗି ସେଆଡ଼େ ଅନେକ ସମୟ କୁନ୍ତେଇ ଚାହିଁଲା, କିନ୍ତୁ ନା, ଏଯାଏ ପହଲି ବୁଢ଼ାର ଦୋକାନ ଖୋଲିନି ।

 

ଡାକ ପକେଇଲେ କାହାରି ଗୋଟାଏ ଦେଖା ମିଳିବ, ସେ ସମ୍ଭାବନା ନାହିଁ, ଏଡ଼େସକାଳୁ କାହାର ଗରଜ ପଡ଼ିଚି–ନଈଆଡ଼େ ଆସିବ ।

 

ନିରାଶ ହେଇ କୁନ୍ତେଇ ମୁହଁ ବୁଲେଇଲା । କିଛି ଲାଭ ନାଇଁ । ଏଣେ ଲୋକଟା ପାଖେଇ ଆସୁଚି ।

 

ମନଟାକୁ ଆଣ୍ଟ କଲା କୁନ୍ତେଇ । ମଲାତ ଗଲା–ଖାଇ ଯାଉଚି ନା କ’ଣ, କେତେଟା ସେରପେଟା ମାରି ଝାମ୍ପିପଡ଼ିଲା ଭାସି ଆସୁଥିବା ଲୋକଟା ପାଖକୁ । ଖୁବ୍‌ ଜୋର୍‌ରେ ଜାବୁଡ଼ି ଧରିଲା ।

 

ନାଇଁ ତ, ଲୋକଟା ମୁର୍ଦ୍ଦାର ଭଳି ଜଣାପଡ଼ୁନି । ଦିହଟା ପାଣିରେ ବତୁରି ବତୁରି କେନ୍ଦା ପଡ଼ିଯାଇଚି । ହେଲେ ଜିଅନ୍ତା ଦିହର ହୁରୁମା ଟିକକ ବାରି ହଉଚି ।

 

କୁନ୍ତେଇ ମନକୁ ମନ କହି ପକେଇଲା, ମରିନି ତା’ ହେଲେ ଲୋକଟା–ବଞ୍ଚିଚି ।

 

ସୁଲେଇ ପାଞ୍ଚ ଛଅହାତ ଦୂରରେ ଟାହାଲ ମାରୁଥିଲା । ଭୟରେ ତା’ର ଆଖି ଦୁଇଟା ଟିକିଏ ବଡ଼ ହେଇଯାଉଥିଲା । ଏବେବି ତା’ର ସେଇ ଅବସ୍ଥା ରହିଚି । କୁନ୍ତେଇର ଧୀର ଉଚ୍ଚାରଣ କଥାଟା ସେ ଶୁଣିପାରିଚି । ଶୁଣିବା ସଙ୍ଗେ ସଙ୍ଗେ ଚମକିପଡ଼ିଚି ।

 

ଡରିଲା ଗଳାରେ ପଚାରିଲା, ‘କ’ଣ କହୁଚୁ ଲୋ ଭାଉଜ ?’

 

‘ଚଞ୍ଚଳ ପାଖକୁ ଆ । ଲୋକଟା ମରିନି ଲୋ–ବଞ୍ଚିଚି ।’

 

ସୁଲେଇ ଏଥର କୁନ୍ତେଇ ପାଖକୁ ସେରପେଟି ଗଲା । କହିଲା, ଏଇଟାକୁ ନେଇ କ’ଣ କରିବୁ ଯେ ?’

 

‘କରିବି ଆଉ କ’ଣ ? ଜିଅନ୍ତା ମଣିଷଟା କେମିତି ନଈତୋଡ଼ରେ ଭାସିଆସିଚି । ପେଟତଳେ ଖଣ୍ଡେ ଖତରା ପଟା ଦେଖୁଚୁ ନା–ଡଙ୍ଗା ବୁଡ଼ି ବୋଧହୁଏ, କାଳେ ବଞ୍ଚିଯିବ !’

 

‘ଏ ପୁଣି ବଞ୍ଚିବ–କେଜାଣି, କେତେ ପାଣି ପେଟରେ ପଶିବଣି ଠିକଣା ନାହିଁ । ତୁ ଖାଲି ମିଛରେ ହୋବ ଧରୁଛୁ ସିନା ।

 

‘ଧରୁଚି ତ, ନ ବଞ୍ଚିଲେ ଆମକୁ ତ ହାଣ୍ଡି ବଦଳେଇବାକୁ ପଡ଼ୁନି–ଭାବିବାର କ’ଣ ଅଛି, କାଳେ ବଞ୍ଚିଯିବ !’

 

‘ଏଇଲେ ଏଇଟାକୁ କ’ଣ କରିବୁ ଯେ ?’

 

କୁନ୍ତେଇ ହେଉଚି ସେଇ ଜାତିର ମଣିଷ, ଯେଉଁମାନେ କି ଆଖି ପିଛୁଳାକେ ସିଦ୍ଧାନ୍ତରେ ପହଞ୍ଚିଯାଆନ୍ତି । ଦୃଢ଼, ସ୍ଥିର ଗଳାରେ ସେ କହିଲା, ‘ଧରିଚି ତ–ପରୀକ୍ଷା କରି ଦେଖେଁ–ଗୋଟାଏ ମଣିଷର ଜୀବନ ବଞ୍ଚେଇବା କ’ଣ କମ୍‌ କଥା !’

 

ଅଧିକ ସମୟ ଟାହାଲ ମାରି ଗୋଟାଏ ଯାଗାରେ ଲୋକଟାକୁ ଧରି ହେଉନି । ସ୍ଥିର ନଈ ହେଇଥିଲେ କଥା ନଥିଲା । ବଢ଼ନ୍ତା–ପୁଣି ସୁଅ ଧରା ନଈ । ବିନା ଠୋବରେ ବେଶି ସମୟ ଠେକିବା ସହଜ ନୁହେଁ ।

 

ବ୍ୟସ୍ତ ହେଇ କୁନ୍ତେଇ କହିଲା, ‘ଚାହିଁଚୁ କ’ଣବା, ଧରୁନୁ ଗୋଡ଼ ଆଡ଼ଟା ଘାଟ ଆଡ଼େ ପେଲି ନେବା । ପଟା ଉପରେ ତ ଅଛି–କୋଉ କାନ୍ଧେଇବାକୁ ପଡ଼ୁଚି । ଆ, ଧର ।’

 

ସୁଲେଇ ଗୋଡ଼ ପଟଟା ଧରି ଠେଲିବାରେ ଲାଗିଲା ।

 

ଚବର ଚବର ସୁଅ ପିଟୁଚି । ପାଣି ଭିତରେ ପହଁରା ଆଉ ଠେଲା । ନଣନ୍ଦ ଭାଉଜ ଦୁହେଁ ଧଇଁସଇଁ ହେଉଥିଲେ । କୁନ୍ତେଇ କହିଲା, ‘କି ଭାରି ହେଇଚି ଲୋ ମାଆ–କମ୍‌ ଗଣ୍ଡି କମେଇଚି, ବିଲୁଆ ପରା ଛଅମାସ ଝୁଣିବେ ।’

 

କହୁ କହୁ କୁନ୍ତେଇ ହସି ପକେଇଲା ।

 

ସୁଲେଇ ମୁହଁରେ କୌଣସି କଥା ନାହିଁ ।

 

ଗୋଡ଼ ପାହାନ୍ତା ଯାଏ ଠେଲିଆଣି ନଣନ୍ଦ ଭାଉଜ ଦମ୍ ମାରିଲେ । ସେମାନଙ୍କଠାରୁ ଅଣଚାଷ ବାହାରୁଚି । ସବୁ ପବନ ନାକର ଛୋଟ ରାସ୍ତା ଦେଇ ଆସିପାରୁନି । ପାଟି ମେଲାଇ ଦୁହେଁ ଫୁ ଫୁ କରିବାରେ ଲାଗିଲେ ।

 

କୁନ୍ତେଇର ଏ ଉଦ୍ୟମ ପଛରେ ରହିଚି–ଲୋକଟା ବଞ୍ଚିବ, ଅଧିକ ସମୟ ତାକୁ ଆଉ ପାଣିରେ ପକେଇ ରଖିବା ଅର୍ଥ, ପଣ୍ଡ ପରିଶ୍ରମ । ସେ କହିଲା, ‘ ଆଉ କେତେ ଖୋଜ ଧର, ଲୋକଟାକୁ ପାହାଚ ଉପରକୁ ଉଠେଇଦବା ।’

 

ସେଇୟା ହେଲା, ଧରାଧରି କରି ଲୋକଟାକୁ ସାଇବ ଘାଟର ପାହାଚ ଉପରକୁ ଉଠେଇଲେ । ପାଣିରେ ବତୁରି ବତୁରି ଦେହଟା କେନ୍ଦା ଧରିଯାଇଛି–ଗୋଡ଼ ହାତ କିନ୍ତୁ କାଠ ପାଲଟି ଯାଇନି । ଏତିକି ଯାହା ଆଶା ।

 

ପୂର୍ବ-ପଶ୍ଚିମ, ଉତ୍ତର-ଦକ୍ଷିଣ, ଯୁଆଡ଼େ ଚାହିଁବ, ଆକାଶଟା ଧନୁଭଳି ବାଙ୍କିଯାଇଚି । ନଖିପଡ଼ା ଆକାଶରେ ଆଉ କୋଉଠି ହେଲେ ଚେନାଏ ମେଘ ନାହିଁ ।

ସୂର୍ଯ୍ୟ ପୂର୍ବପଟ ଆକାଶ ଛାତିକି ଅନେକ ବାଟ ଉଠିଆସିଲାଣି ଖରାତେଜ ବଢ଼ୁଚି । ପାଟଳ ନଈର ଛୋଟ ଛୋଟ ଗୋଳିଆ ଢେଉଗୁଡ଼ାକ ଚକ୍‌ ଚକ୍‌ ହେଉଚି ।

 

ନଈ ବନ୍ଧ ଉପରର ଡେଙ୍ଗା ଡେଙ୍ଗା ଗଛଗୁଡ଼ା, ଉତ୍ତରା ପବନର କୁତୁ କୁତୁରେ ତା’ର ଡାଳପତର ଯେମିତି କୁରୁଳି ଉଠୁଚି ।

 

ପାଣିଚିଆ ଖରାରେ ପାଣି ବତୁରା ପତ୍ରଗୁଡ଼ାବି ସଫାସୁତୁରା ଦିଶୁଚି ।

 

ସୁଲେଇ ପଚାରିଲା, ‘ଏଥର କ’ଣ କରିବୁ ଭାଉଜ ?’

 

ଦେଖ କ’ଣ କରୁଚି ।

 

କୁନ୍ତେଇ ଆଉ କିଛି କହିଲାନି ।

 

କେନ୍ଦା ଧରି ଯାଇଥିବା ଲୋକଟା ଘାଟ ପାହାଚ ଉପରେ ପଡ଼ିଚି । ତା’ରି ସାଙ୍ଗେ ଲାଗିଗଲା । ଦୁଇ କଡ଼େ ଦୁଇ ଗୋଡ଼ ଫରକେଟେଇ ଦି’ ଲେଡ଼ିରେ ଗୋଡ଼ଠୁ ତଣ୍ଟିଯାଏ ଚିପି ଦେଇଗଲା ।

 

ଚିପାକେ ଗଳଗଳ ହେଇ ପାଣି ମୁହଁ ବାଟେ ବାହାରି ଆସୁଥାଏ । ଦି’ଚାରି ଲେଡ଼ା ଚିପି କୁନ୍ତେଇ କହିଲା । ‘ତେରେସ୍ତା ସନ ଏମିତି ଚିପି ଚିପି ଦନେଇ ମାଆକୁ ବଞ୍ଚେଇଥିଲି ତୋର ମନେ ଅଛିନା ।’

 

କହୁ କହୁ କୁନ୍ତେଇ କୁରୁ କୁରୁ ହେଇ ହସିଉଠିଲା । ହସର ଲହଡ଼ି ତା’ର ଦେହସାରା ଦେଖାଦେଲା ।

 

କୁନ୍ତେଇର ହସଟା ଅଲଗା ଧରଣର, ଅଳପ ହସିଲେବି ଦିହଟା ଚହଲିଉଠେ ।

 

ଗଳଗଳ ହୋଇ ପାଣିଗୁଡ଼ା ବାହାରି ପଡ଼ିବାରୁ ଲୋକଟା ଫୁଲି ଉଠିଲା ପରି ମନେହେଲା । ଗଜା ଭେଣ୍ଡିଆ ଟୋକାଟା । ଚମ୍ପା ପାଖୁଡ଼ା ପରି ଦିହ । ଏତେ ଚଉଡ଼ା ଛାତି, ପିଠିରୁ ପୂରା ଅନୁମାନ କରିଦେଉଚି, ବଳି ଦେଲାପରି ଦେହ । କଥାରେ ଯାହା କହନ୍ତି, ପର୍ବତ ଟାଳିବା ବପୁ । କାଖ ସନ୍ଧିରେ ହାତ ଗଳେଇ ଲୋକଟାକୁ କୁନ୍ତେଇ ଚିତେଇ ଦେଲା ।

 

କି ରୂପ ସତେ ଟୋକାଟାର ! ଖଣ୍ଡାଭଳି ନାକ, ଭୁରୁ ଦି’ଟା ଧନୁଭଳି ମୋଡ଼ି ହୋଇଯାଇଚି । ମୁଣ୍ଡସାରା ଢେଉଭଙ୍ଗା ମୁଚୁକା ବାଳ ।

 

ମୁଗ୍‌ଧ ଦୃଷ୍ଟିରେ ସୁଲେଇ ଚାହିଁ ରହିଚି । ପାଟି ଫିଟୋଉନି ।

 

କୁନ୍ତେଇର ଆଖି ଯୋଡ଼ାକ ମାଛ କାତି ଭଳି ଚକ୍‌ ଚକ୍‌ ହେଉଚି । ଲୋଭେଇଲା ଆଖିରେ ସେ ଚାହିଁ ରହିଥାଏ । ଫୁସ୍‌ ଫୁସ୍‌ ହେଇ, ନ ଶୁଣିଲା ପରି କହିଲା, ‘ମୋ ମାଆ ଲୋ, ଟୋକାଟାର କି ରୂପ ହେଇଚି ! ଦିହ ଆଉ ରଙ୍ଗ ଦେଖିଲେ କୋଉ ମାଇପି ଝିଅ ଦମ୍ଭ ଧରିବେ ?’

 

କୁନ୍ତେଇ ମନକୁ ମନ କହୁଥିଲା । ସୁଲେଇ ଶୁଣିପାରିନି ।

 

ସୁଲେଇ କିଛି କହୁନି । ସେ ଖାଲି ଚାହିଁ ରହିଚି ।

 

ଏଥର କୁନ୍ତେଇ ନିଜର ଲୁଗା କାନିଟା ଚିପୁଡ଼ି, ଭଲ କରି ଟୋକାଟାକୁ ପୋଛିପାଛି ଦେଲା ।

 

ଏଯାଏ ଲୋକଟାର ହୋସ ଆସିନି ।

 

ତାଳୁଟାକୁ ରଗଡ଼ି ପୋଛି ପୋଛି କୁନ୍ତେଇ କହିଲା । ‘‘ଆହାଃ ପାଣି ମାଡ଼ରେ ଏକାବେଳେ ଆଲଜିଆ ହେଇପଡ଼ିଚି । କେତେବେଳୁ ପାଣିରେ ପଡ଼ିଲାଣି କେଜାଣି । ବଢ଼ନ୍ତା ନଈରେ ଡଙ୍ଗା ଭାଙ୍ଗିଚି । ଦନ୍ତରା ଡଙ୍ଗା ଆଇତେଇ ପାରିଲାନି କି କ’ଣ ।’

 

ନିଃଶ୍ୱାସ ଗତି ଧରିଲାଣି । ଛାତିଟା ଅଳପ ଅଳପ ପଡ଼ୁଚି ଉଠୁଚି । ନିର୍ଜୀବା ଦିହଟାରେ ଚାଉଁକା ପଶିଲାଣି ।

 

ଯାହାହେଉ, ଏତେ ପରିଶ୍ରମ ଅକାରଣ ହେଇନି । ଆପେ ଆପେ ଆଉ ଝଲକାଏ ପାଣି ପାଟି ବାଟେ ବାହାରି ଆସିଲା । ଓଠଟା ଏଥର ଥରିଉଠିଲା । ଖରାତେଜ ଲାଗି ଦେହର କେନ୍ଦାଗୁଡ଼ା ଧୀରେ ଧୀରେ ଲିଭି ଯାଉଚି ।

 

କିଛି ସମୟ ପରେ ଲୋକଟା ଆଖି ମେଲାଇ ଚାହିଁଲା । ନିସ୍ତେଜିଆ ଚାହାଣୀ, ବାଘ ଆଖି ପରି ଲାଲ ଟକଟକ । ପୋଷେ ରକ୍ତ ଯେମିତି ଡୋଗଳା ଉପରେ ଚିରି ଯାଇନି । କିଛି ଦେଖିପାରୁନି । କିଛି ବୁଝିପାରୁନି । କେବଳ ଜଳ ଜଳ ଚାହୁଁଛି ।

 

କୁନ୍ତେଇ ହାମୁଡ଼େଇ ପଡ଼ିଲା । ଛାତିଟା ତା’ର କୁଣ୍ଢେମୋଟ ହେଇଯାଇଚି । ଯମଦୁଆରୁ ସେ ଟୋକାଟାର ଜୀବନ ଛଡ଼େଇ ଆଣିଚି । ମନ ଭିତରେ ଗୋଟାଏ ପୁରୁଷକାରର ବିଜୟଉଲ୍ଲାସ ଉଙ୍କେଇ ଉଠୁଚି ।

 

ଡାକିଲା, ‘ହୋ–କ’ଣ ହୋସ୍‌ ଫେରିଲା ?’

 

ଲୋକଟା ଜବାବ୍‌ ଦେଲାନି ।

 

ତର ସହୁନି କୁନ୍ତେଇର, ଲୋକଟା ମୁହଁରୁ କଥାପଦେ ଶୁଣିଲେ ଯେମିତି ତା’ର ଶ୍ରମ ସାର୍ଥକ ହେବ । ଆଣ୍ଠୁ ଢିରା ଦେଇ ତାକୁ ଅଧା ଟେକିଦେଲା । ଏଥର ଲୋକଟା ପୁଣି ଆଖି ବୁଜିଦେଲା । କୁନ୍ତେଇର ଆଣ୍ଠୁ ଉପରକୁ ମୁଣ୍ଡଟା ଢଳିପଡ଼ିଲା ।

 

ଆଶାର ବନ୍ଧ ଭୁଷୁଡ଼ି ପଡ଼ିବା ଆଶଙ୍କା ଦେଖାଦେଲା । ସାମାନ୍ୟ ଶୀତେଇ ଉଠିଲା କୁନ୍ତେଇ । ଲୋକଟା ପୁଣି ଆଖି ବୁଜିଦେଲା ଯେ କ’ଣ ହେଲା ? ଏ ଆଖି ଆଉ ଖୋଲିବ ତ ?

 

ପାଣି ଭିତରେ ଗୋଡ଼ ଦୁଇଟା ବୁଡ଼େଇ ସୁଲେଇ ଗୋସେଇଁ ଘାଟର ଗୋଟାଏ କଡ଼କୁ ବସି ରହିଚି । ତା’ ମୁହଁରେ କଥା ନାହିଁ । ଅପଲକ ଦୃଷ୍ଟିରେ ସେ ତା’ ଭାଉଜର କାର୍ଯ୍ୟକଳାପ ଦେଖିଯାଉଚି ।

 

ଅନେକ ସମୟ କଟିଗଲା ।

 

ଗୋଳିଆ ପାଣିର ଢେଉଗୁଡ଼ା ଆହୁରି ଚକ୍‌ ଚକ୍‌ ହେଉଚି । ହଠାତ୍ ପବନଟା ଗତି ବନ୍ଦ କରି ଦେଇଚି । ନଈକୂଳର ଗଛଗୁଡ଼ା ନିଶ୍ଚଳ ହୋଇ ଠିଆ ହେଇଚନ୍ତି । ଦୁଇଟା ଭଦଭଦଳିଆ ଟାଇଁ ଟାଇଁ ଚିରା ମାରି ନଈ ସେପଟକୁ ଉଡ଼ି ଯାଉଚନ୍ତି । ଶୁଭ ସୂଚନାର ଉଡ଼ନ୍ତା ଜୀବ । ରଙ୍ଗିଆ ପକ୍ଷୀଗୁଡ଼ା ଫରକେଟେଇ ଯାଇଚି ।

 

ଆଖି ବନ୍ଦ ଥିଲେବି ଲୋକଟା ବଡ଼ ବଡ଼ ନିଃଶ୍ୱାସ ଧରୁଥିଲା । କିଛି ସମୟ ପରେ ଫା କରି ଶବ୍ଦଟାଏ କଲା, ତା’ପରେ ଆପେ ଆପେ ବେକଟାକୁ ଟେକିବାକୁ ଚେଷ୍ଟା କଲା । ସେ ଡଙ୍ଗା ହାତ ଦୁଇଟା ପାହାଚ ଉପରେ ଭରା ଦେଇଥାଏ ।

 

ଏଡ଼େ ବଡ଼ ଦେହଟାକୁ କୁନ୍ତେଇ ଆଉ କେତେବେଳ ଆଣ୍ଠୁ ଠେସାରେ ଧରି ରଖିବ ! ଗୋଟାଏ ଟାଣରେ ଉପର ପାହାଚ ଦେହକୁ ଆଉଜେଇ ଦେଲା । ଏଥର ଲୋକଟା ପୁଣି ଆଖି ଫିଟାଇ ଚାହିଁଲା । କେମିତି ଗୋଟାଏ ଶୂନ୍ୟ ହାଲିଆ ଚାହାଣୀ । ରକ୍ତିଆ ଆଖି ଦୁଇଟା ଟିକିଏ ଫିକା ଦେଖାଯାଉଚି ।

 

ଫିକାଧରି ଯାଇଥିବା କୁନ୍ତେଇ ମୁହଁରେବି ସ୍ୱାଭାବିକତା ଫେରିଆସିଲା ।

 

ଗୋସେଇଁ ଘାଟର ପାହାଚକୁ ଭରାଦେଇ ଲୋକଟା ବସିଚି । ଆଖି ଖୋଲିଚି ସତ, ହେଲେ ଅଳସିଆ ଭାବ । ଆଖି ପତାଗୁଡ଼ାକ ନଇଁ ନଇଁ ପଡ଼ୁଚି ଯେମିତି ।

 

କୁନ୍ତେଇ ପଚାରିଲା, ‘କ’ଣ ଟିକିଏ ଭଲ ଲାଗୁଚି ?’

 

ଟୋକାଟା କୌଣସି ଉତ୍ତର ଦେଲାନି, ଅନେକ ସମୟ ଯାଏ ଅଳସ ରକ୍ତିଆ ଆଖି ଖୋଲି ଚାହିଁ ରହିଲା । ପୁଣି ଛାଏଁ ଛାଏଁ ପତା ଦୁଇଟା ବୁଜି ହୋଇଗଲା ।

 

କୁନ୍ତେଇ ଆଉ ଟିକିଏ ପାଖକୁ ଲାଗି ଆସିଲା ।

 

ଲୋକଟା ଏଥର ଆଖି ଖୋଲିଲା । ଗୁଁ ଗୁଁ ହେଇ କ’ଣ ଗୁଡ଼ାଏ କହିଲା, କିଛି ବୁଝିହେଲାନି ତା’ କଥାରୁ ।

 

କୁନ୍ତେଇ ଛାଡ଼ିବା ଝିଅ ନୁହେଁ, ଟୋକାଟା ମୁହଁରୁ ସେ ନିଶ୍ଚୟ କଥା ବାହାରକରିବ, ତା’ର କାନ୍ଧଟାକୁ ଟିକିଏ ଝାଙ୍କିଦେଇ ପଚାରିଲା, ‘କ’ଣ କହୁଚ ?’

 

ଖୁବ୍ ଧୀର, ନିସ୍ତେଜିଆ, ଅସ୍ପଷ୍ଟ ସ୍ୱରରେ ଲୋକଟା ପଚାରିଲା, ‘ଏଇଟା କୋଉ ଯାଗା-?’

 

‘ନଖିପଡ଼ା ।’

 

ଭୁଟୁ ଭୁଟୁ ହେଇ ଟୋକାଟା ଦୁଇଥର ଗାଁର ନାଆଁ କହିଲା । ତା’ପରେ, ନିଶାଜୋର୍‌ରେ ଲୋକ ଯେମିତି ବୋକା ପାଲଟିଯାଏ, ଠିକ୍‌ ସେଇଭଳି ସେ ବସିରହିଲା ।

 

ପୂର୍ବପରି ସୁଲେଇ ଗୋଡ଼ ଯୋଡ଼ାକ ପାଣି ଭିତରେ ବୁଡ଼େଇ ଗୋସେଇଁ ଘାଟର ଗୋଟାଏ କଡ଼କୁ ବସିଚି । ଉଁ–କି-ଚୁଁ ହେଉନି । ଅପଲକ ଦୃଷ୍ଟିରେ କେବଳ କୁନ୍ତେଇ ଆଉ ଟୋକାଟାର ଗତିବିଧି ଦେଖୁଚି ।

 

ଗୋସେଇଁ ଘାଟରେ ଗହଳୀ ଜମିଲାଣି ।

 

ପୁନାମାଆ ବୁଢ଼ୀ ଆସିଚି, ସାମଲ ଘର ବଡ଼ବୋହୂ ଆସିଚି । ଫୁଲ, ପାରି, ବାସନ୍ତୀ ଆସିଚନ୍ତି, କିଏ ଗାଧୋଇବ, କିଏ ପାଣି ନେଇଯିବ ।

 

ଘାଟରେ ଆଉ ଯାଗା ନାହିଁ ।

 

ସମସ୍ତେ କାବା କାଠ ହେଇ ଦେଖୁଛନ୍ତି । କୁନ୍ତେଇ ଆଉ ସୁଲେଇ ନଖିପଡ଼ାର ଦୁଇଟା ଭୁଆସୁଣୀ ଗୋରା ତକ ତକ ଗୋଟାଏ ଅଚିହ୍ନା ଟୋକା ସାଙ୍ଗେ ଗୋସେଇଁ ଘାଟର ଶେଷ ପାହାଚରେ କାରଖାନ ଲଗେଇଚନ୍ତି ।

 

କାଖରୁ ଗରାଟା ଓହ୍ଲାଇ ଦେଇ ପୁନାମାଆ ବୁଢ଼ୀ ତର ତର ହେଇ ତଳକୁ ଚାଲିଆସିଲା-। ପଚାରିଲା, ‘ହଇଲୋ ଟୋକିଏ, ଏ ଚନ୍ଦ୍ରଉଦିଆ କିଏ କିଲୋ ?’

 

ଟୋକାଟାର ସଫା ଚମଡ଼ା । ସେଇଥିପାଇଁ ବୋଧହୁଏ ବୁଢ଼ୀ ‘ଚନ୍ଦ୍ରଉଦିଆ’ ବୋଲି କହିଲା ।

 

କୁନ୍ତେଇ ଜବାବ୍‌ ଦେଲା, ‘ଦେଖୁଚ ପରା ମାଉସୀ ‘ମଣିଷଟାଏ ।’

 

‘କେତେ ଫବେଇ ହଉଚୁ ମ କହୁନୁ ସତ କଥାଟା ! ଏ ଲୋକଟା କିଏ ?

 

ଗୋଟାଏ ବିଚିତ୍ର ହସ ହସିଲା କୁନ୍ତେଇ । କହିଲା, ‘ଇଏ ଲୋକ ନୁହେଁ ମାଉସୀ, ସରଗର ଦେବତା ।’

 

‘ମରୁନୁ ଲୋ ଟୋକି !’

 

ଯେଉଁ ହସଟା ଚିପିଦେଇ ବାହାରୁଥିଲା, ଏଇଥର ସେଇଟା ଖୋଲା ଖୋଲି ଉଛୁଳି ଉଠିଲା । ଖୁଲୁ ଖୁଲୁ ହେଇ କୁନ୍ତେଇ ହସି ଉଠିଲା ।

 

ଚିଡ଼ିଲା ଭଳି ଏଥର ବୁଢ଼ୀ କହିଲା, ‘ମରଣ ନାହିଁ–ଖାଲି ହସି ମରୁଚି ।’

 

‘ମିଛଟାରେ କ’ଣ ହସୁଚୁ ମାଉସୀ ! ତମ କଥା ଶୁଣି ହସ ପରା ଠେଲିହେଇ ଆସୁଚି ।’

 

କହୁ କହୁ କୁନ୍ତେଇ ପୁଣି ହସିଲା ।

 

‘ହଉ–ହଉ ହେଲା । ଦାନ୍ତ ଲେଫେଡ଼ା ବନ୍ଦକର । ତୋ ହସ ଦେଖିଲେ ମୋର ଦିହ ଖାଲି ଜଳିଯାଉଚି ।’

 

ବୁଢ଼ୀ ବ୍ୟସ୍ତ ହୋଇଉଠିଲା । ପୁଣି ପଚାରିଲା, ‘ସତ କହିଲୁ, ଏ ଲୋକଟାକୁ କୋଉଠୁ ପାଇଲ ।’

 

‘କାହାକୁ ? ତମର ଏଇ ଚନ୍ଦ୍ରଉଦିଆକୁ ?’

 

‘ହଁ ଲୋ ଟୋକି, ହଁ ।’

 

‘ନଈରୁ ପରା ମାଉସୀ–’

 

‘ପୁଣି ଫବେଇ ହେଲୁ ?’

 

ବୁଢ଼ୀ ଖିଙ୍କାରି ହେଲା ।

 

କୁନ୍ତେଇ ପୁନାମାଆ ବୁଢ଼ୀର ଗୋଟାଏ ହାତଧରି କହିଲା, ‘ରାଣ ଅଛି ମାଉସୀ, ମିଛ କହୁନି ମ । ତମ ଦିହ ଛୁଇଁ କହୁଚି, ବିଶ୍ୱାସ କର ତମର ଚନ୍ଦ୍ରଉଦିଆକୁ ନଈରୁ ପାଇଚି ।’

 

‘କୋଉଠୁ ଲୋ ?’

 

‘ହେଇମ–ସେଇଠୁ ।’

 

ନଈ ମଝିକି ହାତଠାରି କୁନ୍ତେଇ ଦେଖେଇଦେଲା ।

 

ଏଥର କେବଳ ପୁନାମାଆ ବୁଢ଼ୀ ନୁହେଁ, ଚାରିପାଖରୁ ଫୁଲ, ପାରି, ବାସନ୍ତୀ ପ୍ରଭୃତି ଘେରିଗଲେ ।

 

‘ଲୋକଟାର ନାଆଁ କ’ଣ ଲୋ ?’

 

‘ଘର କୋଉଠି ?’

 

‘ଏଠିକି ଆସିଲା କେମିତି ?

 

କୁନ୍ତେଇ କହିଲା, ‘କେଜାଣି ! ଅଜ୍ଞାନ ହେଇ ନଈରେ ଭାସି ଯାଉଥିଲା । ବହୁତ କଷ୍ଟରେ ସୁଲେଇ ଆଉ ମୁଁ ତାକୁ ପାଣିରୁ ଉଠେଇଲୁ । ଏଇ ଟିକିଏ ହେଲା ପରା ହୋମ୍‌ ହେଇଚି ।’

 

ଟିକିଏ ରହିଯାଇ ପୁଣି କହିଲା, ‘ଭାଗ୍ୟ ଭଲ, ଆଉ କିଛି ସମୟ ପାଣିରେ ରହିଥିଲେ ଲୋକଟା ମରିଯାଇ ଥାଆନ୍ତା । ଯାହାହେଉ, ତୁଣ୍ଡ ଫିଟେଇଲାଣି ।

 

ବୁଢ଼ୀ ପଚାରିଲା, ‘କ’ଣ କହୁଚି ?’

 

‘ଯାଗାର ନାଆଁ ପଚାରୁଥିଲା ।’

 

ପୁଣି କିଛି ସମୟ କଟିଗଲା ।

 

ପାହାଚ ଉପରେ ଭରାଦେଇ ଲୋକଟା ସେମିତି ପଡ଼ିରହିଚି । ପୁନାମାଆ ବୁଢ଼ୀ, କୁନ୍ତେଇ, ଫୁଲ, ପାରି ବାସନ୍ତୀ, ଏମାନେ ଯେ ଏତେକଥା କହୁଛନ୍ତି, କିଛି ଯେମିତି ତା’ କାନରେ ପଶୁନି । ସେ କିଛି ଶୁଣୁନି ।

 

ହଠାତ୍‌ ପୁନାମାଆ ବୁଢ଼ୀର ନଜର ପଡ଼ିଲା । ସାଙ୍ଗେ ସାଙ୍ଗେ ପାଟିକରି ଉଠିଲା, ଆଲୋ ଟୋକାଟା କାତଲଗା ହେଇ ପଡ଼ିଚି ଲୋ ଚଞ୍ଚଳ ଘରକୁ ନେଇଯା ।

 

କୁନ୍ତେଇ ଲୋକଟାର କାନ୍ଧ ଧରି ଝୁଙ୍କେଇ ଦେଲା । କହିଲା, ‘କ’ଣ ଶୁଭୁଚି–’

 

‘ଉଁ–’

 

‘ଚାଲିଯାଇ ପାରିବ ?’

 

ଲୋକଟା ଏପଟକୁ ସେପଟକୁ ମୁଣ୍ଡ ହଲେଇଲା । ସେଥିରୁ ହଁ କି ନାଇଁ, କିଛି ବୁଝିହେଲାନି ।

 

ପୁନାମାଆ ବୁଢ଼ୀ ପଚାରିଲା, ‘ହଇ ଲୋ, ତାକୁ ନେଇ କୋଉଠି ରଖିବୁ ।

 

କୁନ୍ତେଇ କହିଲା,’ଏଇଲେ ଆମ ଘରକୁ ନେଇଯିବି । ଦିନାକେତେ ଆମ ଘରେ ରହିବ-। ମରୁ ମରୁ ତ ବଞ୍ଚିଚି–ଟିକିଏ ପାରିଗଲେ, ତା’ ବାଟ ସିଏ ଦେଖିବ ।’

 

ପୁନାମାଆ ବୁଢ଼ୀ ଧୀରେ ଧୀରେ କହିଲା, ‘ଏଗୁରାଙ୍କର କି ବହପ ଲୋ ମାଆ !’

 

ତା’ପରେ ଗୋଟାଏ ହାତ ଧରିଲା ସୁଲେଇ, ଆଉ ଗୋଟାଏ ହାତ ଧରିଲା କୁନ୍ତେଇ, ପଛପାଖରୁ ପୁନାମାଆ ବୁଢ଼ୀ ନିଜର ଶିରା ଟଣା ହାଡ଼ୁଆ ପାପୁଲି ଭରା ଦେଇଥାଏ ।

 

ସୁଲେଇ, କୁନ୍ତେଇ, ପୁନାମାଆ ବୁଢ଼ୀ ଉପରେ ସାରା ଦିହଟା ଢିରା ଦେଇ ଦେଇ ପାହାଚ ପରେ ପାହାଚ ଉଠି, ଗୋସେଇଁ ଘାଟ ବନ୍ଧ ଉପରକୁ ଉଠିଲା ଲୋକଟା ।’

 

ଫୁଲ, ପାରି, ବାସନ୍ତୀ ଚାରିକଡ଼େ ଲସରପସର ହେଉଥାଆନ୍ତି ।

 

ନଈକୂଳ ରାସ୍ତା ଛାଡ଼ି ସମସ୍ତେ ଗାଁ ଭିତର ରାସ୍ତାକୁ ଉଠିଲେ । ତିନିଟା ମାଇପିଲୋକ ଧରାଧରି କରି ଆଣୁଚନ୍ତି । ଲୋକଟା ମାତାଲଙ୍କ ଭଳି ଢଳି ଢଳି ଚାଲିଚି ।

 

ରାତିର ଛେଚାକୁଟା ବରଷାରେ ବାଟଘାଟ କାଦୁଅ ପଚ ପଚ, ଖସଡ଼ା । ଖସଡ଼ାବାଟରେ ଗୋଡ଼ ଚିପି ଚାଲିବା କାଠିକର ହେଇପଡ଼ୁଚି ।

 

ବଙ୍କା ଟେହେଣା ଛୋଟବଡ଼ ରାସ୍ତା ପାର ହୋଇ ଗାଁ କଡ଼ର ଟାଙ୍ଗି ଉପରକୁ ପୁନାମାଆ ବୁଢ଼ୀ ପ୍ରଭୃତି ଉଠିଗଲେ । ଆବୁଡ଼ା ଖାବୁଡ଼ା ଟାଙ୍ଗି । କୋଉଠି କେମିତି ପୁଚାଏ ପୁଚାଏ ଛୋଟବୁଦା, ଘାସବଣିଆ ଭିତରେ ଛପୁରା ଛପୁରା କାଦୁଅମିଶା ପାଣି ଜମିଯାଇଚି । ଖରାତେଜକୁ ଝକ୍‌ ଝକ୍‌ ଦିଶୁଚି ।

 

ଟାଙ୍ଗି ଉପରକୁ ଉଠିଲାବେଳକୁ ଗୋଟାଏ ବଡ଼ କୁଦ ଦେଖାଯାଉଚି । ଦୂରରୁ ସେଇଟା ସେମିତି ଦେଖାଯାଏ ।

 

ଅସଲ କୁଦ ନୁହେଁ । ନୁଆଁଣିଆ ଘର ଦି’ବଖରା । କଞ୍ଚାଇଟା ଆଉ ଢିମା ପଥରର ସନ୍ଧାମରା ଘର ।

 

ବଡ଼ ଖତଗଦାଟା ପାଖଦେଇ ଯେଉଁ ଡଗରିଆ ରାସ୍ତାଟା ଅଛି, ସେଇ ରାସ୍ତାଦେଇ ଏଘର ପାଖେ ସମସ୍ତେ ପହଞ୍ଚିଲେ ।

 

କୋଉ ଘରରେ ଲେଖା ? କୋଉ ପୁରୁଷର କିଛି ଠିକଣା ନାହିଁ, ଯେତେ ଲିପାପୋଛା କଲେବି ଅଭେଳାଙ୍କଭଳି ଠିଆ ହେଇଚି । ବାହାର ପଟର ଇଟାଗୁଡ଼ା ଲୁଣିଧରି ଗଲାଣି । ଛପରକୁ ନଡ଼ା କୁଳେଇନି ବୋଲି ଯାଗାଏ ଯାଗାଏ ତାଳବରଡ଼ା ଖୁଞ୍ଚା ମରା ହେଇଚି । ଖରା ପାଣି ମାଡ଼ ଖାଇ ଖାଇ ସେଗୁଡ଼ାକବି ଖତରା ଧରିଗଲାଣି ।

 

ବଖରାଏ ଘର ଟିକିଏ ଚଳିଲା ଭଳି । ଆଉ ବଖରାରେ ଯାଗାଏ ଯାଗାଏ କାନ୍ଥ ଭୁଷୁଡ଼ି ପଡ଼ିଲାଣି । ମେଲା ଯାଗାଗୁଡ଼ାକରେ କେରପଲ୍‌, କିରାସିନୀ ପଟା ଠେସଦିଆ ହେଇଚି । କବାଟ ତ ନାହିଁ ଖଣ୍ଡେ ବାଉଁଶତାଟି ତା’ କାମ ଚଳୋଉଚି ।

 

ଘର ଆଗକୁ ଖଣ୍ଡେ ଓସାରିଆ ବାରଣ୍ଡା । ମୁହଁ ବନ୍ଧା ହୋଇଥିବା ଡିମାଗୁଡ଼ାକରେ ଶିଉଳୀ ବସିଗଲାଣି । ସେପଟ କଡ଼କୁ ବଡ଼ ପାଉଁଶ ଗଦାଟାଏ । ପାଉଁଶ ଗଦା ପାଖକୁ ଲାଗି ଦି’ଟା ଫଳନ୍ତି ଅମୃତଭଣ୍ଡା ଗଛ । ପଛ ଆଡ଼କୁ ସଜନା, ଗଛଟାଏ । ଗଛଟାର ଅବସ୍ଥାବି ତେହିଁକି ବଳି । ପତରଗୁଡ଼ା ପାଚୁଣ୍ଡିଆ ପଡ଼ି ଖସି ପଡ଼ୁଚି, ଛୋଟବଡ଼ ଅସୁମାରି ଡାଙ୍ଗ ଉପରକୁ ହାତ ବଢ଼େଇଲା ଭଳି ରହିଚି ।

 

ସଜନାଗଛ ପାଖରୁ ଲାଗି ଗୋଟାଏ ବରକୋଳି ଗଛ । ଡେମ୍ଫଟାଣ ବୋଲି ଗଛଟା ଝାମ୍ପୁରା ହେଇ ଠିଆ ହେଇଚି । ନୂଆନୂଆ କୋଳି ଗୋଟାଏ ଗୋଟାଏ କୋଉଠି କେମିତି ଗଜୁରୁଚି-। ଗଛଟା ଝୁଲି ପଡ଼ିଥିବାରୁ ସେପଟ ବଖରାର ଅଧେ ଚାଳି ଆଉ ବାଉଁଶ ଖୁଣ୍ଟାଟା ପୂରା ଦେଖାଯାଉନି ।

 

ଲିପାପୋଛା ବାରଣ୍ଡା ।

 

ବାରଣ୍ଡାରେ ବସି ବଡ଼ ବଡ଼ ତାଗ ଦେଇ ବାବନା ମାଆ କନ୍ଥା ସିଲେଇ କରୁଥିଲା । ଏ ବୟସରେବି ତା’ ଆଖିର ତେଜ ମଉଲିନି ।

 

ମୁଣ୍ଡ ଉପରେ ଫୁରୁ ଫୁରୁ ଝୋଟଭଳି କେରାଏ ବାଳ । ମଝିରେ ମଝିରେ ସିଲେଇ ବନ୍ଦ କରି ମୁଣ୍ଡଟାକୁ ଖୁପୁରୁ ଖୁପୁରୁ କରି କୁଣ୍ଡଉଚି ଅଣ୍ଡାଳି ଅଣ୍ଡାଳି ଓଟାରି ଆଣୁଚି ଉକୁଣି କି ନିଖଟାଏ । ନଖ ଉପରେ ନଖ ମାଡ଼ି ଟୁପ୍‌କରି ଫୁଟେଇ ଦଉଚି ।

 

କନ୍ଥା ସିଲେଇ କଲା ବେଳକୁ ପିଠିଟା ଢୋଲ ଭଳି ବଙ୍କା ହେଇଯାଉଚି । ଆଗପଟକୁ ସେ ଝୁଙ୍କି ପଡ଼ିଥିଲା । ଗୁଜୁରୁ ଗାଜର ଶୁଣି ମୁହଁ ଉଠେଇ ସିଧାହେଇ ବସିଲା । ଛୁଞ୍ଚିଟାକୁ କନ୍ଥା ଦେହରେ ମାଡ଼ିଦେଲା ।

 

ଜୁଳୁ ଜୁଳୁ ଆଖି ତରାଟି ବାବନା ମାଆ ଚାହିଁ ରହିଲା । ଦେଖିଲା ସୁଲେଇ, କୁନ୍ତେଇ ଗୋଟାଏ ଗୋରା ତକ ତକ ଭେଣ୍ଡିଆ ଟୋକାକୁ ଧରି ଆସୁଛନ୍ତି । ତାଙ୍କ ପଛେ ପଛେ ସାଇର ମାଇପିଝିଅଗୁଡ଼ା ଲସର ପସର ହେଉଚନ୍ତି । ମନ ଯେମିତି ସମସ୍ତଙ୍କର ଆନନ୍ଦରେ ଉଛୁଳି ପଡ଼ୁଚି । ସେମାନଙ୍କ ମୁହଁର କିରି କିରିଆ ହସରୁ ବାବନା ମାଆ ଠଉର କରୁଚି । ମୂଳଘଟଣାଟା କ’ଣ ଜାଣିବାପାଇଁ ବୁଢ଼ୀ ଆଖିରେ ପ୍ରଶ୍ନବାଚକ ଫୁଟିଉଠିଚି ।

 

ସେ ଆଶ୍ଚର୍ଯ୍ୟ ହେଇ ଚାହିଁ ରହିଚି ।

 

କୁନ୍ତେଇ ପାଖକୁ ଲାଗିଆସି ତା’ର ଗୋଟାଏ ହାତ ଧରିଲା । ଡାକିଲା, ‘ଶୁଭୁଚି ମାଆ–’

 

‘କ’ଣ କହୁଚୁ ?’

 

ସେମିତି ଆଶ୍ଚର୍ଯ୍ୟ ହେଇ ବାବନା ମାଆ ପଚାରିଲା, ଘଟଣାଟା କ’ଣ ଜାଣିବାପାଇଁ ତା’ ମନଟା ଛଟପଟ ହେଉଥିଲା ।

 

‘ଦେଖୁଚୁଟି ।’

 

‘ଦେଖୁଚିତ । ଘଟଣାଟା କ’ଣ ବୋହୂ ?’

 

‘କୋଉ କଥା ପଚାରୁଚ ?’

 

‘ଏ ଲୋକଟା କଥା ।’

 

‘ନଈରେ ଭାସି ଯାଉଥିଲା । ସୁଲେଇ ଆଉ ମୁଁ ତାକୁ ପାଣିରୁ ଛାଣି ଆଣି ବଞ୍ଚେଇଚୁ ।’

 

‘ଭଲ କରିଚୁ ।’

 

‘ସେ ଏଇଠି ରହିବ !’

 

‘ରହୁ ।’

 

‘ବାବନା ମାଆ ଓଠ ଚଉଡ଼େଇଲା । ଅକାଳିଆ ହସ । ଶବ୍ଦ ନାହିଁ । ଦାନ୍ତହୀନ ମାଢ଼ିଦି’ଟା ଖାଲି ଫରଚେଇ ଯାଇଚି ।

 

ପୁଣି କହିଲା, ‘ଭଲ କଲୁ ବୋହୂ ଭଲ କଲୁ । ମଣିଷ ଜୀବନର ଭାଉ ବିଧାତା ପୁରୁଷ କଳନା କରିପାରେନି ।’

 

କହିଦେଇ ବାବନା ମାଆ ପୁଣି କନ୍ଥା ସିଲେଇଲେ ମନ ଦେଇ । ଛୁଞ୍ଚିରେ ଆଉ ଖଣ୍ଡେ ସୂତା ଗଳେଇ ତାଗ ମାରିବାରେ ଲାଗିଲା । କୁନ୍ତେଇ ଆଉ ସୁଲେଇ ଯୋଉ ଲୋକଟାକୁ ଆଣିଚନ୍ତି, ତା’ ବିଷୟରେ କିଛି ଜାଣିବାର ଆଗ୍ରହ ତା’ର ନାଇଁ । ସେସବୁ ବିଚାର କରିବା ଅବସ୍ଥା ତା’ର ନାଇଁ-। କୌଣସି ଘଟଣାରେ ଆଗ୍ରହ ପ୍ରକାଶ କରିବା ତା’ ଜାତକରୁ ଯେମିତି ଲିଭି ଯାଇଚି । ଯେତେଦିନ ଗୋଡ଼ ହାତ ଚଳୁଛି କୌଣସି ପ୍ରକାର ଘୋସାରି ହେଲେ ଗଲା ।

 

କଥାରେ କହିଚି–ତୁଣ୍ଡ ବାଇଦ । କଥାଟା ପ୍ରଘଟ ହେବାରେ ଲାଗିଲା ।

 

ପହଲି ବୁଢ଼ା ଦୋକାନରୁ ଆରମ୍ଭ କରି ନଣ୍ଡାବାଦା ମଠ ପର୍ଯ୍ୟନ୍ତ–ନଖିପଡ଼ା ଗାଁସାରା ସମସ୍ତେ ଜାଣିଲେ । କେଉଟଘର ଝିଅ ସୁଲେଇ ଆଉ ବୋହୂ କୁନ୍ତେଇ ନଈମଝିରେ ଗୋରା ତକତକ ଜୁଆନ ଭେଣ୍ଡିଆଟାଏ ଛାଣି ଆଣିଛନ୍ତି ।

 

ପୃଥିବୀର ହାଇ ହୁଲରରୁ ନଖିପଡ଼ାଟା ସଦାବେଳେ ଦୂରେଇ ରହିଚି । ଅନେକଟା ଶାନ୍ତ ଆଉ ନିର୍ବିରୋଧ । କିନ୍ତୁ ମଝିରେ ମଝିରେ ଦି’ ଚାରିଟା ଘଟଣା ଘଟିଯାଏ, ଯେଉଁଥିରେ କି ଗାଁଟା ଟିକିଏ ଏପଟ ସେପଟ ଦୋହଲି ଯିବାର ଜଣାପଡ଼େ ।

 

ବେଳ ବୁଡ଼ି ଆସୁଚି ।

 

କାଲି ଭଳିଆ ମେଘର ଆଡ଼ମ୍ୱର ଆଜି ଆଉ ନାହିଁ, ତା’ ବଦଳରେ ଆକାଶଟା ହରରଙ୍ଗିଆ ଦେଖାଯାଉଚି । ପରିଷ୍କାର ଛାତି ।

 

ଭାରି ଲୋଭିଲା ଜଣାପଡ଼ୁଚି ।

 

ସୁଲୁ ସୁଲୁ ହେଇ ଉତ୍ତରା ପବନ ଦକ୍ଷିଣକୁ ମାଡ଼ି ଚାଲିଚି । ପବନର କୁତୁକୁତୁ ସମ୍ଭାଳି ନ ପାରି ଗଛର ପାଚୁଣ୍ଡିଆ ପତରଗୁଡ଼ା ଖସିପଡ଼ୁଚି । କାଲିକାର ଅଧାଶୁଖିଲା କାଦୁଅରେ ଲାଖିଯାଉଚି-

 

ବଡ଼ ପାଉଁଶ ଗଦାଟା ପାଖେ ଝଣର ଝଣର ଶବ୍ଦ ଶୁଣାଗଲା ।

 

ଚୁମୁଟା ଆଗର କଡ଼ାଗୁଡ଼ା ବାଜୁଚି ।

 

ସୁଲେଇ ଆଉ କୁନ୍ତେଇ ବାରଣ୍ଡା ଉପରେ ବସିଥିଲେ ।

 

କୁନ୍ତେଇ ପଚାରିଲା, ‘କିଏ ସେ ?’

 

‘ମୁଁ ରେ ମାଆ ?’

 

ତୁଣ୍ଡ ବାରିହେଲା, ମଠର ବାବାଜି ନଣ୍ଡାବାବା ।

 

ଏଥର ଖୁବ୍‌ ଥଣ୍ଡା ଆଉ ଆଦରିଆ ସ୍ୱର ବାହାରିଲା କୁନ୍ତେଇ ଗଳାରୁ । କହିଲା, କିଏ, ନଣ୍ଡାବାବା କି ?’

 

-’ହଁଲୋ ମାଆ–’

 

‘ଆସ–ଆସ–’ ।

 

ବାହାର ମେଲାରେ ଦେଖାଗଲା ଗୋଟିଏ ଦୀର୍ଘକାୟ ପୁରୁଷ । ବୟସ ବଳେଇ ପଡ଼ିଲେବି ମେରୁଦଣ୍ଡ ନଇଁ ପଡ଼ିନି । ଦିହଟା ଦିନେ ଜଳୁଥିଲା, କିନ୍ତୁ ଖରା ବରଷାରେ ବୁଲି ବୁଲି ତମ୍ୱାଳିଆ ଧରିଗଲାଣି ।

 

ଚିଲା ଝାମ୍ଫୁରା ବାଳ । ଦାଢ଼ି ନିଶବି ତଦ୍ରୂପ ।

 

ରେଗେଡ଼ା କାଣ୍ଟିଆର ଲମ୍ୱା କୁରୁତା ଖଣ୍ଡେ । ବେକରେ ଦିସରା ରୁଦ୍ରାକ୍ଷ ମାଳ । କାନରେ ହାତୀ ଦାନ୍ତର ଦି’ଟା ବଳା ହଲୁଚି । ଗୋଡ଼ରେ ପଣସ କାଠର କଠଉ ହଳେ । ପାକୁଆ ଧରିଲାଣି ।

 

କୁନ୍ତେଇ କହିଲା, ‘କ’ଣ ପାଉଁଶ ଗଦାଟା ପାଖେ ଠିଆ ହେଇଥିବ ବାବା ?’

 

‘ନାଇଁରେ ମାଆ, ଯାଉଚି ।’

 

ଅନେକଗୁଡ଼ାଏ ବାଟ ଚାଲି ଚାଲି ଆସିଚନ୍ତି । କପାଳରୁ ଝାଳ ଗଳି ପଡ଼ୁଚି । ଆଙ୍ଗୁଠି ବଙ୍କା କରି କପାଳ ଉପରୁ ନଣ୍ଡାବାବା ଝାଳଗୁଡ଼ା ନିଗାଡ଼ି ଆଣିଲେ ।

 

ବାରଣ୍ଡା ଉପରେ ଖଣ୍ଡେ ଛିଣ୍ଡା ମସିଣା କୁନ୍ତେଇ ପାରି ଦେଇଚି, ବାବା ତା’ ଉପରେ ବସିଲେ ।

 

କୁନ୍ତେଇ କହିଲା, ଅନେକ ଦିନ ପରେ ଏ ଆଡ଼େ ଗଡ଼ିପଡ଼ିଲ ବାବା ।’

 

ଏ ଅଞ୍ଚଳ ମାଇପି ମରଦ–ସମସ୍ତେ ଅତି ଆପଣାର ଭଳି ପଚାରନ୍ତି ।

 

ନଣ୍ଡାବାବା ଏ ନଖିପୁରରେ ଦଶ ଊଣା ଦି’କୋଡ଼ି ବରଷ ଥାକି ଯାଇଛନ୍ତି । ମଥୁରା ମଠରେ ରହନ୍ତି । ଦଶ ବାର କୋଶ ଧରି ଯେତେ ଗାଁ ଗଣ୍ଡା ଅଛି, ଯେତେ ମଣିଷ ଅଛନ୍ତି, ସେ ସମସ୍ତଙ୍କ ସାଙ୍ଗେ ତାଙ୍କର ମନମିଳେ । ସବୁରି ଘରକୁ ତାଙ୍କର ଗତି ଅବାରଣ । ତାଙ୍କ ପାଇଁ ସମସ୍ତଙ୍କ ଦୁଆର ଖୋଲା । ମଣିଷଗୁଡ଼ାକ ନଣ୍ଡାବାବାଙ୍କ ପାଇଁ କେବଳ ଘରର ଦୁଆର ନୁହେଁ, ମନର ଦୁଆରବି ମୁକୁଳା କରି ଦେଇଚନ୍ତି ।

 

କୋଉ ଜମିରେ କି ଧାନର ବିହନ ବୁଣିଲେ ଫସଲ ଭଲ ଅମଳ ହେବ, କୋଉ ପିଲା ହାତରେ ଝିଅ ପଡ଼ିଲେ ଦାନା କନାର ଅଭାବ ରହିବନି, ଦୁଃଖ ସୁଖ ହାନିଲାଭ ସବୁବେଳେ ଲୋକଗୁଡ଼ା ନଣ୍ଡାବାବାଙ୍କୁ ଚାହିଁ ବସି ଥାଆନ୍ତି । ତାଙ୍କୁ ଛାଡ଼ି ଲୋକଗୁଡ଼ା ଯେମିତି କୁଟାଖଣ୍ଡକବି ଦି’ଖଣ୍ଡ କରିବେନି ।

 

ଆଗେ ଆସିଲାବେଳେ ନଣ୍ଡାବାବା ଖଣ୍ଡି ଖଣ୍ଡିଆ ହିନ୍ଦି କହୁଥିଲେ, ଆଜିକାଲି ଗାଉଁଲୀ କଥାରେ ଦୋରସ୍ତ ହେଇଗଲେଣି । ତିରିଶବର୍ଷ କାଳ ଏ ଅଞ୍ଚଳର ଦୁଃଖସୁଖରେ ସେ ଭାଗୀଦାର ହେଇପଡ଼ିଚନ୍ତି । ଯେମିତି ସେ ବାହାରର କେହି ନୁହେଁ ଏଇ ନଖିପଡ଼ାର ଜଣେ ।

 

କୁନ୍ତେଇ ପଚାରିଲା, ‘କ’ଣ ଏମିତି ତୁନି ପଡ଼ିଲ ମ ? ଏତେଦିନ ହେଲା ଏ ଆଡ଼େ ଆସୁନଥିଲ କାହିଁକି ?

 

ଆସିବି କେମିତି ଲୋ ମାଆ ? ଗାଁ ଭିତରେ ପରା ହଇଜା ଲାଗିଛି ! ସେମାନଙ୍କୁ ଦେଖାଶୁଣାରେ ସମୟ ଅଣ୍ଟୁନି । ଏ ଆଡ଼େ ଆସିବାକୁ କ’ଣ ଫୁରସତ୍‌ ପାଉଛି । ଓଷଦପତ୍ର ଯୋଗାଡ଼ କରୁ କରୁ ଦିନ ଶେଷ ।’

 

ତା’ପରେ ଏ ଆଡ଼ୁ ଦି’ଚାରି ପଦ କଥା ପଡ଼ିଲା ।

 

ନଣ୍ଡାବାବା ପଚାରିଲେ, ‘ତୋ ଶାଶୁ କୋଉଠି ଲୋ ମାଆ ? ଘରେ ତ ତା’ର କାଇଁ ଦେଖା ନାଇଁ ।’

 

ଶାଶୁ ବାରିପଟକୁ ଯାଇଛନ୍ତି । ଗୋବର ଗୋଟେଇବାକୁ ।’

 

ଏଥର ନଣ୍ଡାବାବା ସୁଲେଇ ଆଡ଼େ ନଜର ଦେଲେ । କହିଲେ, ‘କିଲୋ ସୁଲେଇ ମୁହଁଟା ହାଣ୍ଡିକରି ବସିଚୁ କାହିଁକି ? କଥାବାର୍ତ୍ତା କରୁନୁ ତ ?’

 

ସୁଲେଇ ଅଳପ ହସିଲା । କହିଲା, ‘କି କଥାବାର୍ତ୍ତା କରିବି ?’

 

‘ଦେ ଦେଖ–ସେ କଥାବି ମୁଁ କହିବି ନା କ’ଣ ?’

 

କହିଦେଇ ନଣ୍ଡାବାବା କୁନ୍ତେଇ ଆଡ଼େ ମୁହଁ ବୁଲେଇଲେ ପଚାରିଲେ, ‘କ’ଣ ଲୋ ମାଆ, ସୁଲେଇ କ’ଣ ଆଜିକାଲି ଏମିତି ମୁହଁ ହାଣ୍ଡି କରି ବସୁଚି ନା କ’ଣ ?’

 

କୁନ୍ତେଇ କ’ଣ ବୁଝିଲା, ସେଇ ଜାଣେ । ମୁହଁଟାକୁ ଟିକିଏ ଫୁଲେଇ ଦେଇ କହିଲା, ‘ହଁ, ଆଜିକାଲି ସେ ଯେମିତି ହେଉଚି–’

 

‘ବୁଝିଲି–’

 

କୁନ୍ତେଇ ଟିକିଏ ସଜାଡ଼ି ହେଇ ବସିଲା । କଣେଇ କରି ସୁଲେଇ ଆଡ଼େ ଥରେ ଚାହିଁଲା-। ପଚାରିଲା, ‘କ’ଣ ବୁଝିଲ, ବାବା ?

 

‘ସୁଲେଇକି ହାତକୁ ଦି’ହାତ କରିଦେବାକୁ ହେବ । ସେଇ ଭାବନା ତାକୁ ଘାରୁଚି ।’

 

ଓଠ ଲେଫାଡ଼ି ଦେଇ ସୁଲେଇ ଖୁବ୍‌ ଜୋରରେ କୁନ୍ତେଇ ହାତକୁ ଚିମୁଟି ଦେଲା । ତା’ପରେ ମୁହଁଟା ତଳକୁ ପୋତି ବସିଲା । କି କଥା କହୁଚି ନଣ୍ଡାବାବାଟା ! ଲାଜରେ ତା’ର ଧୋବ ଫରଫର ମୁହଁଟା ଲାଲ୍‌ ପଡ଼ିଯାଇ ଥାଏ ।

 

ଦୁଇ ହାତରେ ସୁଲେଇକୁ ଧରି କୁନ୍ତେଇ ପରସ୍ତେ ଝାଙ୍କି ଦେଲା । ନାହୁଲେଇ ହେଇ କହିଲା, ‘ଆହା ଲୋ ମୋ ଲାଜକୁଳି ଲତା ।’

 

କୁନ୍ତେଇର କହିବା ଭଙ୍ଗୀରେ ଖୁବ୍‌ ସହଜ ଆଉ ଖୋଲା ଗଳାରେ ନଣ୍ଡାବାବା ବଡ଼ପାଟିରେ ହସିଉଠିଲେ । ଏଇଟା ହେଉଚି ସେଇ ଧରଣର ହସ, ଯାହା ବାଜିବାମାତ୍ରେ ମନର ଦୁଆରଗୁଡ଼ା ଖୋଲିଯାଏ । ଏଇ ହସ ମାଧ୍ୟମରେ ଅନ୍ତରର ଗଭୀରତମ ସ୍ଥାନରୁ ଅତି କଅଁଳ ଅତି ସରଳତାର ଗୋଟାଏ ଜୀବନ ଦେଖାଯାଏ ।

 

ଅନେକ କଥାର ମୋଡ଼ ଧରି ଧରି ନଣ୍ଡାବାବା ଅସଲ କଥା ଉପରକୁ ଆସିଲେ । କହିଲେ, ‘ହଇ ଲୋ ମାଆ, ଗୋଟିଏ କଥା ଶୁଣିଲି–’

 

‘କ’ଣ ଶୁଣିଲ ?’

 

‘ଶୁଣିଲି ସୁଲେଇ ଆଉ ତୁ ନଈରେ ଭାସିଯାଉଥିବା ଗୋଟାଏ ଲୋକକୁ ଆଣିଚ ।’

 

‘କିଏ କହିଲା ?’

 

‘ପହଲି ବୁଢ଼ା ।’

 

ନଣ୍ଡାବାବା କହି ଚାଲିଲେ, ‘ପଦନପୁରରୁ ନଈ ବନ୍ଧ ଦେଇ ଫେରୁଥିଲି । ପହଲି ବୁଢ଼ା ମତେ ଡାକି କଥାଟା କହିଲା ।’

 

କୁନ୍ତେଇ କହିଲା, ‘ୟାଭିତରେ କଥାଟା ଚାରି ଆଡ଼େ ଖେଳିଗଲାଣି ?

 

ନଣ୍ଡାବାବା କହିଲେ, ‘ଆଲୋ ମାଆ, ତୁଣ୍ଡ ବାଇଦପରା !’

 

ତା’ପରେ ଚୁପ୍‍ଚାପ । ପୁଣି ପଚାରିଲେ, ‘କ’ଣ ମାଆ ସତ କଥା ?’

 

‘ହଁ ବାବା ସତ, ନିରାଟ ସତ ।’

 

‘କୋଉଠି ସେ ଲୋକ ।’

 

‘ସେଇ ଆର ବଖରାରେ ଅଛି । ବାଢ଼ି ଦେଲାମାତ୍ରେ କଂସାଏ ଗିଳି ଚାରିକାତ ମେଲାଇ ପଡ଼ିଚି । ମାଆ ଲୋ କି ନିଦ ଶୋଇଚି ଲୋକଟା ।’

 

‘ତାକୁ ଟିକିଏ ଡାକିଲୁ, ଦି’ପଦ କଥାବାର୍ତ୍ତା କରେଁ । ଏଇ ଗାଁ ଏଇ ଘରେ ସେ ଯେତେବେଳେ ଜୀବନ ପାଇଚି, ଆଶ୍ରା ପାଇଚି, ସେତେବେଳେ ବୁଝିବାକୁ ହେବ, ସେ ଆମରି ଭିତରୁ ଜଣେ । ଟିକିଏ ଚିହ୍ନା ପରିଚୟ ହେବା ଦରକାର । ପହଲି ବୁଢ଼ା କଥା ତ ମୁଁ ବିଶ୍ୱାସ କରିନି । ଡାକ ମାଆ, ଡାକ ତାକୁ ।’

 

‘ଡାକୁଚି–’

 

ବସିବା ଯାଗାରୁ କୁନ୍ତେଇ ଉଠିଗଲା ।

 

କାନ୍ଥ ଦେହରେ ଗୋଟିଏ ଖୋଲା ଅଂଶ । ଏଇ ଖୋଲା ଅଂଶଟା ଏ ଘରର ଦୁଆର ଆଉ ଝରକା କାମ ଚଳାଏ । ମେଲା ଯାଗାଟାରେ କୋଚଟ ଧରା, ଦରଫଟା କେରପାଲୁ ଖଣ୍ଡେ ଝୁଲୁଚି । ତାକୁଇ ଘରର କବାଟ ବୋଲି ଧରିବାକୁ ହେବ ।

 

କେରପାଲୁ ଖଣ୍ଡକ ଆଡ଼େଇ କୁନ୍ତେଇ ଡାକ ଛାଡ଼ିଲା, ହଇ ୟେ ଏଥର ଉଠିବଟି ଅନେକବେଳୁ ଶୋଇଲଣି । ଉଠିପଡ଼ି, ବେଳ ବୁଡ଼ିଲାଣି ।’

 

ଅନେକ ଡକାଡ଼କି କରିବାରୁ ଲୋକଟା ଉଠିଲା । ତା’ପରେ କେରପାଲୁ ଖଣ୍ଡକ ଆଡ଼େଇ ଦେଇ ଟଳି ଟଳି ବାହାରକୁ ଆସିଲା ।

 

ସଜଛଡ଼ା ନିଦଟା ଆଖିରେ ଲାଗି ରହିଥିଲା । ଆଖି ଦୁଇଟା ନିଶାଖିଆ ଆଖି ପରି ଦେଖାଯାଉଚି । ଓଠ କଡ଼ଠାରୁ ଗାଲ ଉପର ଦେଇ କାନମୂଳ ଯାଏ ଗୋଟିଏ ଦାଗ ବସିଯାଇଚି, ଛିଣ୍ଡା ଚଟେଇ ଧାରଟା ବସିଯାଇଚି ।

 

ଆଖି ଦୁଇଟା ମକଚୁ ମକଚୁ କହିଲା, ‘ମତେ ଡାକୁଥିଲେ ?’

 

‘ହଁ, କେତେବେଳୁ ଡାକୁଚି ପରା । ତମକୁ ଅନେଇ ନଣ୍ଡାବାବା ବସିଚନ୍ତି, କ’ଣ କଥାବାର୍ତ୍ତା ହେବେ ।’

 

‘ନଣ୍ଡାବାବା କିଏ ?’

 

ଲୋକଟା ଆଖିରୁ ନିଦ ଛାଡ଼ି ଆସୁଥିଲା ।

 

କୁନ୍ତେଇ କହିଲା, ‘ହେଇ ଦେଖୁନ, ସେଠି ପିଣ୍ଡା ଉପରେ ବସିଚନ୍ତି । ଚାଲ ଚାଲ, ନଣ୍ଡାବାବାଙ୍କ ପାଖକୁ ଚାଲିଲ ।’

 

ଲୋକଟା ନେଇ କୁନ୍ତେଇ ଆଗେଇଆସିଲା । ଆଉ ଖଣ୍ଡେ ଖଜୁରୀ ପଟି କାଢ଼ି ପକେଇ ଲୋକଟାକୁ ନଣ୍ଡାବାବାଙ୍କ ମୁହାଁମୁହିଁ ବସେଇ ଦେଲା ।

 

ନଣ୍ଡାବାବା କହିଲେ, ‘ ଅନେକ ଦିନ ପରେ ନଖିପଡ଼ାକୁ ଜଣେ ନୂଆ ଲୋକ ଆସିଲା । ସାତବର୍ଷତଳେ ଆସିଥିଲା ପହଲି ବୁଢ଼ା । ଆଜି ତମେ ଆସିଲ । ୟାଭିତରେ ତ ଆଉ କେହି ଆସିନଥିଲେ !’

 

ଟିକିଏ ରହି ପୁଣି କହିଲେ, ‘ତମେ ଆମରି ଭିତରୁ ଜଣେ, ଆପଣାର କହିବାକୁ ହେବ ।’

 

‘ଆପଣାର ।’

 

ଲୋକଟା ଗୋଟିଏ ଅସ୍ପଷ୍ଟ ଉଚ୍ଚାରଣ କରି ଆଶ୍ଚର୍ଯ୍ୟ ହେଇଗଲା ।

 

‘ହଁ ହଁ, ଆପଣାର ।’

 

ଖୁସି ହୋଇଯାଇ ନଣ୍ଡାବାବା ପଚାରିଲେ, ‘ତମ ନାଆଁ କ’ଣ ବାବୁ ?’

 

‘କପିଳ ।’

 

‘ପୂରା ନାଆଁ କ’ଣ ?’

 

‘ପୂରା ନାଆଁ ।’

 

‘ହଁ, କପିଳ କ’ଣ ? ଦାସ ? ମହାପାତ୍ର ? ବେହେରା ? କ’ଣ ବୋଲାଅ ?’

 

କପିଳ କିଛି ସମୟ ପାଇଁ କ’ଣ ଯେମିତି ଭାବିଲା । ତା’ପରେ କହିଲା ‘ସେସବୁ କଥା ମତେ ଜଣା ନାହିଁ । ବାପା ମାଆ ଜାଣିଥିବେ ।’

 

‘ତମ ବାପା ମାଆ କୋଉଠି ରହନ୍ତି ?’

 

‘ମାଆ ବାପା କ’ଣ ଆଉ ଅଛନ୍ତି ! ମୁଁ ମାଆ ପେଟରେ ଥିଲାବେଳୁ ବାପା ଝାଡ଼ାବାନ୍ତିରେ ମରିଚି ! ଜନ୍ମ ହେବାପରେ ମାଆ ମଲା । କେହି କୋଉଠି ଆଉ ମୋର ନାହିଁ ।’

 

କପିଳ ବଡ଼ପାଟିରେ ହସିବାରେ ଲାଗିଲା, ପୁଣି କହିଲା, ‘କପିଳ ବୋଲି ଡାକନ୍ତି । ସେତିକି ମତେ ଜଣା, ଦାସ କି ମହାପାତ୍ର, ସେସବୁ କଥା ମୁଁ କହିପାରିବିନି ।’

 

କୁନ୍ତେଇ ଗୋଟାଏ କଡ଼କୁ ବସିଥିଲା । ଏଥର ସେ ମୁହଁ ମୋଡ଼ିଲା । ଖୁବ୍‌ ଧୀରେ ଅଥଚ ଓଜନିଆ ଗଳାରେ କହିଲା, ‘ମଣିଷ ଆଉ କୋଉଦିନ ଏସବୁ ଜାଣିବ ମ ।

 

ନଣ୍ଡାବାବା ଡାକିଲେ, ‘ଆଚ୍ଛା ବାବା କପିଳ,–

 

‘କ’ଣ କହୁଛନ୍ତି ?

 

‘ବାପାମାଆ ସିନା ନାହିଁ, ବଂଶରେ ଆଉ ତ କେହି ଥିବେ–ମାନେ ବନ୍ଧୁବାନ୍ଧବ–’

 

‘କେହି ନାହାଁନ୍ତି–କେହି ନାହିଁ । ସବୁ ମୂଳପୋଛ ।’

 

କୁନ୍ତେଇ ସାମାନ୍ୟ ଶୁଣେଇ କହିଲା, ‘ଭାରିଯାତ ଥିବ ?’

 

‘ଯାହାର ଠିକ୍‌–ଠିକଣା ନାହିଁ, ଚୁଲିଚାଳ ନାହିଁ, ତା’ର ଭାରିଯା ଆସିବ କୁଆଡ଼ୁ ।’

 

ଗୋଟାଏ ଅଦ୍ଭୁତ ଶବ୍ଦ କରି କପିଳ ହସିଉଠିଲା ।

 

କୁନ୍ତେଇ କେମିତି ଟିକିଏ ବିରକ୍ତ ହୋଇଉଠିଲା । କହିଲା, ‘କି ହସ ଲୋ ମାଆ । ବାପା-ମାଆ କୁଳ କୁଟୁମ୍ୱ ସଭିଁଙ୍କୁ ଖାଇ ଫେର୍‌ ହସ ହେଉଛି ।’

 

ନଣ୍ଡାବାବା ପଚାରିଲେ, ‘ତମ ଘର କୋଉଠି ?’

 

‘ଘରଦ୍ୱାର ମୋର କିଛି ନାହିଁ ।

 

ଏଥର ନଣ୍ଡାବାବା ଆଶ୍ଚର୍ଯ୍ୟ ହୋଇଗଲେ । ଏଇ ନଖିପୁରରେ ତାଙ୍କର ଅନେକ ଦିନ କଟିଲାଣି । ଜୀବନରେ ସେ ଅନେକ ଦେଖିଛନ୍ତି, ଅନେକ ଶୁଣିଛନ୍ତି, କିନ୍ତୁ କପିଳ ଭଳି ଏମିତି ମଣିଷ କୋଉଦିନ ଦେଖି ନଥିଲେ । ଧୀରେ ଧୀରେ ପଚାରିଲେ, ‘ଘରଦ୍ୱାର ତ ନାହିଁ–ରହୁଥିଲ କୋଉଠି ?’

 

ପୁଣି ବଡ଼ ପାଟିରେ କପିଳ ହସିଉଠିଲା ।

 

ସେ ହସରେ ଯେମିତି ଫାଟିପଡ଼ୁଚି । ‘ଘରଦ୍ୱାର ନାହିଁ ତ ରହୁଥିଲ କୋଉଠି ?’ ଏମିତି ଗୋଟାଏ ହସିଲା କଥା, କୌତୁକିଆ କଥା ଜୀବନସାରା ସେ ଶୁଣି ନଥିଲା ।

 

ନଣ୍ଡାବାବା ଟିକିଏ ବିବ୍ରତ ହୋଇପଡ଼ିଲେ । କହିଲେ, ‘ହସୁଚ କାହିଁକି ? ହସିବା କଥା କ’ଣ ଅଛି ?’

 

ହସିବା କଥା କହିଲେ କିଏ ନ ହସିବ ଯେ ?’

 

ତା’ ମୁହଁର ହସ ଯେମିତି ବନ୍ଦ ହେବନି । ହସି ହସି କହିଲା- ‘ରହିବା ପାଇଁ କ’ଣ ଚିନ୍ତା ଅଛି । କି କଥା ତମେ କହୁଚ, ଏ ପୃଥିବୀରେ କେତେ ଯାଗା ପଡ଼ିଚି–କେତେ ଘର ପଡ଼ିଚି ।’

 

ଏଥର ଆଉ ନଣ୍ଡାବାବା କିଛି କହିଲେନି ।

 

କପିଳ କହି ଚାଲିଥାଏ, ‘ଦୁନିଆଁରେ ଏତେ ଘରଦ୍ୱାର ଥାଉ ଥାଉ ରହିବାର ଚିନ୍ତା କ’ଣ ଅଛି !’

 

ତା’ର କହିବାଟା ଯେମିତି କାହାରି ପକ୍ଷେ ବୋଧଗମ୍ୟ ହେଉନି, ତଥାପି ସେ କହି ଚାଲିଚି, ‘ଜନ୍ମ ହେଲା ଦିନୁ ପର ଘରେ, ପର ଦୁଆରେ ଏତକ ଜୀବନ କଟିଲାଣି ।’

 

‘କ’ଣ ହେଲା !’

 

ନଣ୍ଡାବାବା ବିସ୍ମୟ ପ୍ରକାଶ କଲେ ।

 

‘ନିରାଟ ସତ କଥା କହୁଚି ।’

 

ମୁହୂର୍ତ୍ତକ ପାଇଁ କପିଳ ଭାବନାରେ ବୁଡ଼ିଗଲା । ତା’ର ଆଖି ଦୁଇଟା ଆଗର ପାଉଁଶ ଗଦା, ଅମୃତ ଭଣ୍ଡା ଗଛ, ଦୂରର ଟାଙ୍ଗି, ଘାସୁଆ ପଡ଼ିଆ ପାର ହୋଇ ଆକାଶଟା ବାଙ୍କ ଥିବାଯାଏ ଆଗେଇ ଗଲା । ଖୁବ୍‌ ଦୂରରେ ହୁଏତ କେଉଁଠି ଗୋଟାଏ କ’ଣ ଦେଖିପାରୁଚି । ବୋଧହୁଏ ବିଗତକୁ ରୂପ ଦେବାର ଚେଷ୍ଟା କରୁଚି ।

 

ମୁହଁରୁ ହଠାତ୍‌ ହସଟା ମରିଗଲେ ମଧ୍ୟ କଥା ମରି ନଥିଲା । ତା’ କଥାରୁ ଜଣାପଡ଼ୁଥିଲା, ଦୁନିଆର ସବୁଯାଗା ତା’ର ନିଜସ୍ୱ । ଦଲିଲ ଦସ୍ତାବିଜରେ ତା’ର ନିଜସ୍ୱ ବୋଲି କିଛି ଅଛି କି ନାଇଁ ସେ ଜାଣେନି । ତେବେ ସେଥିପାଇଁ ତା’ର ଦୁଃଖ ନାହିଁ, କ୍ଷୋଭ ନାହିଁ ।

 

ଜନ୍ମବେଳୁ ସେ ଯାହାକୁ ପାଇଚି ଯୋଉଠି ରହି, ସେଇ ତା’ର କୁଟୁମ୍ୱ-ଭାଇ-ବନ୍ଧୁ ବିରାଦର । ଜାତି ନାହିଁ, ଅଜାତି ନାହିଁ । ଅନେକ ଦୁଆରେ ସେ ମୁଣ୍ଡ ଗୁଞ୍ଜୁଚି । କୋଉଠି ମାସେ, କୋଉଠି ଅତି ବଡ଼ ବର୍ଷେ ଥାକିଗଲା ଭଳି ମନ ତା’ର ନୁହେଁ । କୋଉଠି ସେ ରହିପାରିନି । ତାକୁ ଆଗୁଳିଲା ଭଳି ବନ୍ଧ ସେ ଅନେକ ଡେଇଁଚି । ଅନେକ ମମତାର ଫାଶ ଲାଗିଚି । ହେଲେ, ସେଇ ମାସେ କି ବରଷେ । ଆଜି ଦିହଟା ସିନା ତା’ର ନଈରେ ଭାସୁଥିଲା କିନ୍ତୁ ମନଟା ଅନେକ ସମୟରେ ଭାସେ । କେତେବେଳେ କୋଉ ସୁଅ ଧରି ଚାଲେ, ତା’ର କିଛି ଠିକ୍‌ ଠିକଣା ନାହିଁ ।

 

କପିଳ ଗୋଟାଏ ଅଲଗା ଧାତୁର ପିଲା । ପଛ ଗୋଟାଏ ଜିନିଷ, ତାକୁ ସେ କୋଉଦିନ ଫେରିଚାହିଁନି । ଭୁଲ୍‍ରେବି ମୁହଁ ବୁଲେଇନି ।

 

ବୁଲି ବୁଲି, ଅନ୍ୟଘରେ ରହି ରହି କପିଳ ଗୋଟିଏ ସାର ସତ୍ୟତା ଖୋଜି ପାଇଚି । ପୃଥିବୀର ସବୁ ଘରତ ନିଜର ଘର । ପୃଥିବୀର ସବୁ ମଣିଷ ସୁଜ୍ଞାନୀ, ସୁଧୀର । ତା’ ଯଦି ନ ହେଇଥାଆନ୍ତା, ତା’ ହେଲେ ଜନ୍ମବେଳୁ ଆଜିଯାଏ ସେ ଆଶ୍ରୟ ପାଇଥାଆନ୍ତା କେମିତି ?

 

କପିଳ କହି ଚାଲିଚି, ‘ଯେତେବେଳେ ଅଜ୍ଞାନ ଥିଲି, ସେତେବେଳର କଥା କହିପାରିବିନି-। ଯେମିତି କାନ ହେଲା, ଆଖି ଫିଟିଲା, ଡେଣା ଗଜୁରିଲା ସେତେବେଳକୁ ମୁଁ ବଡ଼ପୁଟରେ ଥିଲି, ତା’ପରେ ମୋତିପୁର, ମାଳତିପେଣ୍ଠ, ଗଣ୍ଡେଇ ପଡ଼ା । ସେଠୁ ଆସିଲି ଠେଙ୍ଗାପଧା । ତା’ପରେ ନରିପାଟଣା, ଶୁଆଖାଇ, ଶରଣପୁର ହେଇ ବଡ଼ ଗାଁ ଆସିଲି । ସେଠାରେ ପାଞ୍ଚମାସ କଟେଇ ଉଠିଲି ବାଉତୀପୁରରେ ।

 

କିଛି ସମୟ କପିଳ ଚୁପ୍‌ ରହିଗଲା । ମୁହଁଟେକି ଆଗକୁ ଚାହିଁଲା ।

 

ଉତ୍ତର ପଟର ପବନଗୁଡ଼ା ତଳ ଛୁଇଁ ଛୁଇଁ ଦକ୍ଷିଣ ଆଡ଼େ ମାଡ଼ି ଚାଲିଚି । ଗଛରୁ ଟୁପ୍‌ଟାପ ପାଚିଲା ପତ୍ର ଝଡ଼ିପଡ଼ୁଚି । ଅମୃତଭଣ୍ଡା ଗଛଟାରେ ନାଲିଚିଆ ଖରା ମେଞ୍ଚାଏ ଲାଗିଚି ।

 

ଦିନ ଆଉ ନାହିଁ କହିଲେ ଚଳେ ।

 

ଚାରି ଆଡ଼େ କେମିତି ନିର୍ଜନିଆ ଜଣାପଡ଼ୁଚି ।

 

କୁନ୍ତେଇ, ସୁଲେଇ ଆଉ ନଣ୍ଡାବାବା–ତିନିଟା ମଣିଷ ପଥର ପ୍ରତିମା ପରି ବସିଛନ୍ତି, କପିଳର କଥାଗୁଡ଼ାକ ଶୁଣି ଯାଉଚନ୍ତି । ତା’ ମୁହଁ ଆଡ଼େ ଅପଲକ ଚାହାଣୀ ପକେଇଛନ୍ତି ।

 

ନଣ୍ଡାବାବା କହିଲେ, ‘ରହିଲ କାହିଁକି ବାବା ? କହିଯା ।’

 

ଆଗକୁ ଚାହିଁଥିଲା କପିଳ । ପାଉଁଶ ଗଦା, ଅମୃତଭଣ୍ଡା ଗଛ ପାରହେଇ ଚାହାଣୀଟା ତା’ର ଆକାଶ ଭିତରେ ଯେମିତି ହଜି ଯାଇଥିଲା । କେବଳ ଦୃଷ୍ଟି ନୁହେଁ, ସେ ନିଜେବି ଯେମିତି ହଜି ଯାଇଥିଲା । ଅପରାହ୍‌ଣର ଏଇ ତାପହୀନ ନିସ୍ତେଜ ଆଲୋକରେ ସେଇ ଛବିଟା ବାରମ୍ୱାର ଆକାଶ ସେପଟେ କୋଉଠି ଯେମିତି ଦେଖାଯାଉଚି । ସେ ଦେଖିବାରେ ଯେମିତି ସମାପ୍ତି ନାହିଁ ।

 

କୁନ୍ତେଇ ପାଟି ଫିଟେଇଲା, ‘କ’ଣ ଏମିତି ଖନାଙ୍କ ପରି ରହିଗଲ ? କ’ଣ ପରା କହୁଥିଲ–

 

ପୂର୍ବଭଳି କପିଳ ଆକାଶ ଆଡ଼େ ଚାହିଁ ବସିଥାଏ କହୁ କହୁ କଥାର ଖିଅ ସେ ଯେମିତି ହଜେଇ ଦେଇଚି, ପୁଣି ସେଇଟା ଦରାଣ୍ଡିବାରେ ଲାଗିଚି ।

 

କପିଳ ପୁଣି ଆରମ୍ଭ କଲା, ତା’ର କଥାଗୁଡ଼ାକ ପେଟରେ କୋଉ ଯୋଜନ ଦୂରରୁ ଆସିଲା ଭଳି ଶୁଣାଯାଉଚି, ‘ବାଉତୀପୁରର ସୁବଳ ଜେନା ଘରେ ଅଢ଼େଇ ମାସ ଥିଲି । ଜେନାଏ ମତେ ଭାରି ଭଲପାଆନ୍ତି । ସେମାନେ ଭାରି ଭଲଲୋକ ଥିଲେ ।’

 

ଟିକିଏ ଆନମନା ହେଇଗଲା କପିଳ । କଥାଗୁଡ଼ାକ କେମିତି ଓଦାଳିଆ ଓଦାଳିଆ ଜଣାପଡ଼ୁଥିଲା, କଥାରେ ଟାଣ ନାହିଁ–କହିଚାଲିଚି, ସବୁ ଛାଡ଼ିଛୁଡ଼ି ଦେଇ କାଲି ବାହାରିପଡ଼ିଲି । ନ ବାହାରି ଆଉ କ’ଣ କରନ୍ତି ଯେ ? ମନ ଭିତରେ କ’ଣ ଅଛି କେଜାଣି କେତେବେଳେ ସେଇଟା ସ୍ଥିର ହେଲାନି । ଦିନ କେଇଟା ନ ଯାଉଣୁ–ତଣ୍ଟିଆ ମାରିଲା ଭଳି ମତେ ବାହାର କରିଦିଏ । ନ ମାନିବାକୁ ଚାରା ନାଇଁ ।’

 

କ’ଣ ଗୋଟାଏ ଖୁସିରେ କପିଳର ଆଖି ଦୁଇଟା ଚିକ୍‌ ଚିକ୍‌ କରୁଥାଏ ।

 

ଅନେକ ସମୟ ଚୁପ୍‌ଚାପ ।

 

ଏଥର ନଣ୍ଡାବାବା ପଚାରିଲେ, ‘ବାଉତୀପୁର ଛାଡ଼ି କୁଆଡ଼େ ବାହାରିଥିଲ ?

 

କୁଆଡ଼େ ତା’ର କ’ଣ କିଛି ଠିକଣା ଥିଲା ! ଡଙ୍ଗା ଖଣ୍ଡେ ପାଇଲି ବସିପଡ଼ିଲି । କ’ଣ ହେଲା କେଜାଣି !

 

କୋଉଠି ବାଡ଼େଇ ଭାଙ୍ଗି ଗଲା ବୋଧହୁଏ ଡଙ୍ଗାଟା ?

 

କୁନ୍ତେଇ ପଚାରିଲା ।

 

‘ହଁ–ସେମିତି କିଛି ଗୋଟାଏ ହେଲା ।’

 

କାର୍ତ୍ତିକ ପଶନ୍ତି ।

 

ରାତିଟା କି ଥଣ୍ଡାଳିଆ ଜଣାପଡ଼ୁଚି ।

 

ଅମୃତଭଣ୍ଡା ଗଛ ସନ୍ଧିରୁ ଡାହାଣିଆ ଖରାଟିକ କେତେବେଳୁ ଛପି ଗଲାଣି । ମୁହଁ ଅନ୍ଧାରୀର କାଳିଚା ମାଡ଼ି ଆସୁଚି । ଥଣ୍ଡାଳିଆ ପବନ ସୁରସୁର ହେଇଆସୁଚି ।

 

ସେପଟ ପାଉଁଶ ଗଦାଟା ଭଲଭାବେ ଦେଖାଯାଉନି । ଅମୃତଭଣ୍ଡା ଗଛଟା ଦୁଇଟା ଖୁଣ୍ଟ ଛତି ମୁଣ୍ଡେଇଲା ଭଳି ଦେଖାଯାଉଚି । ଦୂରରେ ଦେଖାଯାଉଥିବା ମଠର ଗୋଜିଆ ଅଂଶଟା ମୋଟେ ଦେଖାଯାଉନି ।

 

ଦୁଆର ଆଗଟା ବର୍ଷା ପାଣି ବହି ଯାଇ ଗୋଟିଏ ଚିଟା ବସିଯାଇଚି ସେଥିରୁ କେମିତି ଗୋଟିଏ ଗନ୍ଧ ବାହାରୁଚି ।

 

ସୁର ସୁରିଆ ପବନଟା ହାଲପା ଧରିଚି ।

 

ଅମୃତଭଣ୍ଡା ଗଛ ଫାଙ୍କରେ ଖରା ଦେଖାଯାଉଥିଲା ବେଳୁ ବାବନା ମାଆ ଫେରିଆସିଲେଣି । ଗାଣ୍ଡୁଆଏ ଗୋବର ଧରିଆସିଚି । ପାଉଁଶ ଗଦା ପାଖେ ଗୋବର କୁଢ଼େଇ ଦେଇ ସେ ସିଧା ସେପଟ ବାରଣ୍ଡାକୁ । ଉଠିଯାଇଚି ।

 

ବୟସ ବଳେଇ ପଡ଼ିଲାଣି ! ଟାଣ ଖଟେଣୀ ପଡ଼ିଲେ ଦେହକୁ ବାଧୁଚି । ଅଣ୍ଟା ଗେନ୍ଥି ହେଉଚି । ଚୁପ୍‌ଚାପ୍‌ ପାଟି ଖଣ୍ଡେ ପାରି ସେ ଅଣ୍ଟା ସଳଖିବା ପାଇଁ ପଡ଼ିଯାଇଚି ।

 

ନଣ୍ଡାବାବା ଏଯାଏ ଉଠିନାହାନ୍ତି ।

 

ଚାରିଟା ମଣିଷ, ସୁଲେଇ, କୁନ୍ତେଇ, କପିଳ ଆଉ ନଣ୍ଡାବାବା କାଠ ପିତୁଳା ପରି ବାରଣ୍ଡା ଉପରେ ବସିଚନ୍ତି ।

 

କୁନ୍ତେଇ ତୁଣ୍ଡ ଫିଟେଇଲା । କହିଲା, ‘‘କାର୍ତ୍ତିକ ନପଶୁଣୁ ପବନ କି ହେମାଳିଆ ହେଲାଣି–’

 

କପିଳ ସାଙ୍ଗେ ସାଙ୍ଗେ ଜବାବ୍‌ ଦେଲା, ‘‘ଏଥର କାର୍ତ୍ତିକ ପଶନ୍ତି ଶୀତ ଯାହା, ପୁଷ-ମାଘବେଳକୁ ହାଡ଼ ଭଙ୍ଗିଦେବ । ସମ୍ଭାଳି ହେଲା ପରି ଲାଗୁନି ।’’

 

‘‘ସେମିତି ଲାଗୁଚି ପରା ।’’

 

ନଣ୍ଡାବାବା କିଛି କହିଲେନି । କୁନ୍ତେଇ ଆଉ କପିଳ କଥା ତାଙ୍କ କାନରେ ପଶୁ ନଥିଲା-। ପାଉଁଶ ଗଦାଟା ଆଡ଼େ ଚାହିଁ ସେ ବସିଥିଲେ ।

ଅନ୍ଧାର ବଢ଼ିବାରେ ଲାଗିଚି ।

ପାଉଁଶଗଦା ପାଖାପାଖି କେତେଟା ଜୁଳୁଜୁଳିଆ ଜଳୁଚି–ଲିଭୁଚି । ମୁନିଆ ଆଲୁଅର କଣ୍ଟାଗୁଡ଼ା ଯେମିତି ଅନ୍ଧାର ଦେହରେ ଫୋଡ଼ି ହେଇଯାଉଚି ।

ନଣ୍ଡାବାବାଙ୍କ ଆଖି ଆଗରେ ପାଉଁଶ ଗଦା, ଜୁଳୁଜୁଳିଆ ପୋକ କି ରାତି ଅନ୍ଧାର–କିଛି ନାହିଁ । ସେ ଯେମିତି ଗୋଟାଏ ଭାବନା ଭିତରେ ବୁଡ଼ି ଯାଇଚନ୍ତି ।

ଭାବନାଟା ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟତାରେ ପହଞ୍ଚି ପାରିନି । ଅନେକଗୁଡ଼ାଏ ଜୁଳୁ ଜୁଳିଆ ପୋକ ଭଳି ମୁଣ୍ଡ ଭିତରେ ଜମାଟ ବାନ୍ଧିଥିବା ଅନ୍ଧାରକୁ କ୍ରମାଗତ ଫୋଡ଼ି ଚାଲିଚି ଯେମିତି-

କିଛି ସମୟ ପରେ ଅନ୍ଧାରଟା କଟିଗଲା । ଭାବନାଟା ସ୍ପଷ୍ଟରୂପ ଧାରଣକଲା ।

ନଖିପଡ଼ାରେ ନଣ୍ଡାବାବାଙ୍କର ଅନେକଗୁଡ଼ାଏ ଦିନ କଟିଗଲାଣି ଏଇ ଦିନଗୁଡ଼ାକ ଭିତରେ ସେ ଯେମିତି ଏଭଳି ଗୋଟାଏ ଲୋକକୁ ଖୋଜୁଥିଲେ ।

ଏଠିକି ଆସି ନଣ୍ଡାବାବା ଯେଉଁମାନଙ୍କୁ ପାଇଚନ୍ତି, ସେମାନେ ସମସ୍ତେ ଘରର ମଣିଷ ଧରାବନ୍ଧା ସଂସାରୀ । ସେମାନଙ୍କ ପଛରୁ ବହୁତ କଡ଼ା ଲାଗିଚି । ସେ କଡ଼ାଗୁଡ଼ାକ ଢିଲା କରିବା କାଠିକର ପାଠ । ସବୁ ଛାଡ଼ିଛୁଡ଼ି ନିଶ୍ଚିନ୍ତ ହେଇ କେହି ଜଣେ ତାଙ୍କ କାମକୁ ବାହାରିପଡ଼ିବ–ସେ କଥା ନ ହୁଏ । ଏତେଗୁଡ଼ାଏ ଦିନ ଭିତରେ ସେମିତି ଜଣେ ମଣିଷ ସେ ଖୋଜି ପାଇଲେନି ।

ନଣ୍ଡାବାବା ଜାଣନ୍ତି, ଏ ମଣିଷଗୁଡ଼ାକ ଘର-ସଂସାର, ପିଲାଛୁଆ ଧରି ଛୋଟକାଟର ଗୋଟାଏ ବୃତ୍ତି ରଚନାକରି ରହିବାକୁ ଭଲପାଆନ୍ତି । ଅଳପ ସୁଖ, ଅଳପ ଦୁଃଖ, କିଛିଟା ଉତ୍ତେଜନା–ଏତିକିରେ ଏମାନେ ଖୁସି, ତୃପ୍ତ । ଛୋଟ ପରିଧିଟାର ବାହାରକୁ ବାହାରିପଡ଼ିବା ପାଇଁ ଉପାୟ ନାହିଁ, ସାହସବି ନାହିଁ ।

 

ନାନା, ନଣ୍ଡାବାବା ଅକୃତଜ୍ଞ ନୁହନ୍ତି ।

 

ସରଳତା, ବିଶ୍ୱାସ, ଭଲପାଇବା, ନିର୍ଭରତା–ଅନେକ କିଛି ସେ ଏମାନଙ୍କ ପାଖରୁ ପାଇଛନ୍ତି । ଘର ସଂସାରର ଛୋଟ ପରିଧି ଭିତରୁ ଯେତେଟା ସମ୍ଭବ ହୁଏ, ସେତେଟା ଦେବାକୁ କେହି ଦ୍ୱିଧାବୋଧ କରିନି ।

 

ତଥାପି ନଣ୍ଡାବାବାଙ୍କ ମନରେ ଗୋଟାଏ କ୍ଷୋଭ ରହିଯାଇଚି । ସେ ଯେଭଳି ଇଚ୍ଛା କରନ୍ତି, ଯାହା ଇଚ୍ଛା କରନ୍ତି, ସେଇଟା ଠିକ୍‌ ପାଆନ୍ତିନି ।

 

ଅନେକ ଉତ୍ସାହ ଅସୀମ ଉଦ୍ଦ୍ୟମର ସହିତ ସେ ଲାଗିପଡ଼ିଚନ୍ତି । ଏଯାଏ ସେଇଟା ସେମିତି ଅତୁଟ ରହିଚି । ତେବେ ବେଳେ ବେଳେ ବଡ଼ କ୍ଳାନ୍ତି ବୋଧହୁଏ । ନିଃସଙ୍ଗ, ଏକୁଟିଆଟା ଆଉ କେତେ ପାରିବେ ! କେତେ ଆଡ଼ ସମ୍ଭାଳିବେ !

 

ଦିନେ ଦିନେ ଅତିକ୍ଳାନ୍ତ ହେଇ ପଡ଼ିଲେ ଉଦାସ ଗଳାରେ ସେଇ ପଦ କେଇଟା ତାଙ୍କର ତୁଣ୍ଡରେ ଗୁଣୁଗୁଣୁ ହେଇ ଶୁଣାଯାଏ ।

 

‘‘କରି କରାଉ ପ୍ରଭୁ, ନିମିତ୍ତ ଆନସବୁ । ତୁ ଜାଣୁ ତୋହର ମହିମା ।’’

 

ପୁରୁଣା ମଠ ଭିତରଟା ଗୋଟାଏ ଅଦ୍ଭୁତ ବିଷାଦରେ ଗୁମୁରି ଉଠେ ! ନଣ୍ଡାବାବାଙ୍କ ସ୍ୱରଟା ଖୁବ୍‌ କରୁଣ ହୋଇଉଠେ ।

 

ପୂଜାପାଠ ଭିତରୁ କେଇଟା ପଦ ତାଙ୍କର ସଦାବେଳେ ମନେପଡ଼େ । ସେଇ ପଦଗୁଡ଼ା ଆବୃତ୍ତି କରୁ କରୁ ତାଙ୍କର ମନେହୁଏ, ଅନେକଗୁଡ଼ାଏ ବୟସ ତାଙ୍କୁ ହେଇଗଲାଣି । ରକ୍ତଭିତରେ ଗୋଟାଏ ଅଦ୍ଭୁତ ଅବସାଦ ଯେମିତି ଖେଳେଇ ହେଇଯାଇଚି । ଏଣିକି ସବୁପ୍ରକାର ଦାୟିତ୍ୱ କାହା ଉପରେ ଲଦି ଦେଇ ସେ ଟିକିଏ ଶାନ୍ତି ପାଇବେ । ସେଇ ସମୟଟା ଯେମିତି ଦେଖାଦେଇଚି ।

 

କିନ୍ତୁ, ଏ ଦାୟିତ୍ୱ କାହାକୁ ଦେଇଯିବେ ?

 

କେତେଦିନ ହେଲା ସେଇ ଲୋକଟିକୁ ନଣ୍ଡାବାବା ଖୋଜି ବୁଲୁଚନ୍ତି ।

 

ଅନ୍ଧାରଟା ବଢ଼ି ଚାଲିଚି ।

 

ଝିଣ୍ଟିକା ରଡ଼ିରେ ଟାଙ୍ଗିଟା ଝାଇଁ ଝାଇଁ କରିଉଠୁଚି ।

 

ଅନ୍ଧାର ଭିତରେ ନଣ୍ଡାବାବା କପିଳ ଆଡ଼େ ଚାହିଁଲେ । ଆଖି ଦୁଇଟା ଚିକ୍‌ ଚିକ୍‌ କରିଉଠିଲା ।

 

ଏଇ ଟୋକାଟାକୁ, ଏଇ କପିଳକୁ ବୋଧହୁଏ ସେ ଏତେଦିନ ହେଲା ଖୋଜୁଥିଲେ । ଚୁଲିଚାଳ ନାହିଁ, ଘରଦ୍ୱାର ନାହିଁ । ପଛ ଦୃଷ୍ଟି ନାହିଁ । କୌଣସି ବିଷୟରେ ଦୁଃଖ କି କ୍ଷୋଭ ନାହିଁ । କ’ଣ ପାଇଲା ଦେଖେନି କି କ’ଣ ହଜିଗଲା ପଚାରେନି, ଲାଭ ଲୋକସାନର ହିସାବ ରଖେନି । ଚାଲୁ ଚାଲୁ ଯୋଉଠି ଯାହା ମିଳିଲା, ନିର୍ବିଚାରରେ ମାନି ନିଏ । ଏଇତ କପିଳ !

 

କପିଳ ତାଙ୍କର ଖୋଜିଲାଧନ ।

 

ନଣ୍ଡାବାବା ଟିକିଏ ଇତସ୍ତତଃ ହେଲାପରି ମନେହେଲା । ଖଣ୍ଡିକାଶ ମାରି ଗଳାଟାକୁ ପରିଷ୍କାର କରିନେଲେ । ଖୁବ୍‌ ଧୀରେ ଡାକିଲେ, ‘‘ଆଲୋ ମାଆ କୁନ୍ତେଇ–’’

 

କୁନ୍ତେଇ ଜବାବ୍‌ ଦେଲା, ‘କ’ଣ କହୁଚ ନଣ୍ଡାବାବା ?’

 

କହୁଥିଲି କ’ଣ କି–’

 

କହିବାକୁ ଯାଇ ନଣ୍ଡାବାବା ଅଟକି ଗଲେ । ସଙ୍କୋଚ, ନା ଠିକ୍‌ ସଙ୍କୋଚ ନୁହେଁ, କ’ଣ ଗୋଟାଏ ଯେମିତି ତାଙ୍କ ମୁହଁକୁ ଆଗୁଳି ନେଇଚି ।

 

‘କ’ଣ କହୁଥିଲ, କହୁନ ।’ କୁନ୍ତେଇ ପଚାରିଲା ।

 

‘କହୁଥିଲି, ତମର ତ ଘରଦ୍ୱାର ନାହିଁ ।’

 

‘ନଥିଲେ କ’ଣ ହେଲା ?’

 

‘ସେଇଥିପାଇଁ କହୁଥିଲି–’

 

କୁନ୍ତେଇ ସ୍ୱରଟା କେମିତି ଅଲଗା ଜଣାଗଲା, ‘ସେତିକି ବେଳୁ କହୁଥିଲି କହୁଥିଲି ହଉଚ, କ’ଣ କହିବାର ଅଛି ଖୋଲି କହୁନ ।’

 

‘ତୁ ରାଗିବୁନି ତ ମାଆ ।’

 

‘କି କଥା ତମେ ଯେ କୁହ ! କଥାର ନାଆଁ ନାଇଁ, ତୁଚ୍ଛାକୁ କ’ଣନା ରାଗିବି । କହୁନ କ’ଣ କହିବ ।’

 

କିଛି ସମୟ ଚୁପ୍‌ଚାପ୍‌ ।

 

ନଣ୍ଡାବାବା ମନେ ମନେ କ’ଣ ଟିକିଏ ଭାବିଲେ । ତା’ପରେ କହିଲେ ‘ନଈ ଭିତରୁ ତୁ ତାକୁ ଉଦ୍ଧାର କରିଚୁ କହିବାକୁ ହେବ । ସେଥିପାଇଁ ତତେ କହୁଚି ।’

 

କୁନ୍ତେଇର କେମିତି ଟିକିଏ ସନ୍ଦେହ ହେଲା । ସ୍ଥିର ଗଳାରେ ସେ କହିଲା, ‘କ’ଣ, ଭାବି ଏଠିକି ଆସିଚ ନଣ୍ଡାବାବା–ସେକଥା ତମକୁଇ ଜଣା ? କ’ଣ ତମ ମନରେ ଅଛି ? କହୁନ କାହିଁକି-?’

 

ହୁକରି ନଣ୍ଡାବାବା କହିଲେ, ‘କପିଳକୁ ତୁ ଦେଇଦେ ।’

 

‘କାହାକୁ ଦେବି ?’

 

କୁନ୍ତେଇ ସ୍ୱର ଚଢ଼ା ଶୁଣା ଯାଉଥିଲା ।

 

‘କାହାକୁ ଆଉ ? ମତେ ଦେ ? ମୋ ସାଙ୍ଗେ ମଠକୁ ଚାଲୁ । ସେଠି ଅନେକ ଘର, ବିସ୍ତର ଜାଗା । ସେଇଠି ରହିବ କପିଳ ।’

 

ଅନ୍ଧାରରେ କୁନ୍ତେଇର ଆଖି ଯୋଡ଼ାକ ଜଳିଉଠିଲା ।

 

ଅଦ୍ଭୁତ ଶାନ୍ତ ଗଳାରେ ସେ କହିଲା, ‘ମନେ ମନେ ଏଇ ଫିକର ବାନ୍ଧି ତା’ ହେଲେ ଆସିଥିଲ ନଣ୍ଡାବାବା ?’

 

ଆଶ୍ଚର୍ଯ୍ୟ ହେଇ ନଣ୍ଡାବାବା କୁନ୍ତେଇ ମୁହଁକୁ ଚାହିଁଲେ । ବାଉଁଶ ଖୁଣ୍ଟକୁ ଢିରାଦେଇ ସଳଖି ହେଇ ବସିଲେ । କିଛି କହିଲେନି ।

 

କୁନ୍ତେଇ ପୁଣି କହିଲା, ‘ସେ କଥା ପଟିବନି । ମୋଟେ ନୁହେଁ । ତମ ମଠରେ ଯେତେ ଘର ଥାଉ, ଯେତେ ଜାଗା ପଡ଼ିଥାଉ, ମୁଁ ଏଡ଼େ ସହଜରେ ଛାଡ଼ିବିନି ।’

 

ଟିକିଏ ଚୁପ୍‌ ହେଲା କୁନ୍ତେଇ । ଥରେ କପିଳକୁ, ଥରେ ସୁଲେଇକି ଆଉଥରେ ନଣ୍ଡାବାବାଙ୍କ ଆଡ଼େ ଚାହିଁ କ’ଣ ଯେମିତି ଦେଖିଲା । କପାଳଟା ଟିକିଏ ଟେକି ହେଇଗଲା । ମନେ ମନେ କିଛି ଚିନ୍ତା କରୁଥିଲା । କହିଲା, ‘ଗତିକି ଦେଖ–କେତେ କଷ୍ଟରେ ସୁଲେଇ ମୁଁ ବଢ଼ିଲା ନଈରୁ ଛାଣି ଆଣିଲୁ । ଜୀବନ ଯାଉଥିଲା, ନଣନ୍ଦ ଭାଉଜ ମିଶି କେତେ କଷ୍ଟରେ ବଞ୍ଚେଇଚୁ, କ’ଣନା ଦେଇଦେ–ମାଠି ମୁଠି ଦେଲାରୁ ଦିଅଁକୁ ଖଟୁଳି ସଜଡ଼ା ଆରମ୍ଭ ହେଇଗଲା । ମୁଁ ମୋଟେ ଛାଡ଼ିବିନି-। କ’ଣ କହୁଚୁ ସୁଲେଇ ?’

 

କହୁଣୀରେ ଖୁବ୍‌ ଆସ୍ତେ ସୁଲେଇକୁ ଗୋଟାଏ ଠେଲାଦେଲା ।

 

ସୁଲେଇ କହିଲା, ‘ତୋର ଯାହା ଇଚ୍ଛା ଭାଉଜ ।’

 

କପିଳ କିଛି କହିଲାନି, ଏ କ୍ଷେତ୍ରରେ ତା’ର କିଛି କହିବାର ନଥିଲା । କାନ୍ଥକୁ ଆଉଜି ସେ ବସିରହିଚି ।

 

ନଣ୍ଡାବାବା କହିଲେ, ‘ମୋ କଥାଟା ଟିକିଏ ଶୁଣ୍‌ କୁନ୍ତେଇ ।’

 

ତମେ ଯାହା କହ ନଣ୍ଡାବାବା, ମୁଁ ସେ ଲୋକକୁ ଛାଡ଼ିବିନି । ମରଣ ମୁହଁରୁ ଯାହାକୁ ଉଠେଇ ଆଣିଚି, ସେଥିରେ ଚାରିପଣ ଦାବୀ ରହିଚି । ନା କ’ଣ କହୁଚ ?’

 

ଏଥର କପିଳକୁ ପଚାରିଲା କୁନ୍ତେଇ ।

 

ଆଗଭଳି କପିଳ ତୁଣ୍ଡ ଫିଟେଇଲାନି । ସେମିତି ନିର୍ଜୀବାଙ୍କ ଭଳି କାନ୍ଥକୁ ଆଉଜି ବସିରହିଲା ।

 

କୁନ୍ତେଇ ଭୁଟୁରୁ ଭୁଟୁରୁ ହେଇ କହି ଚାଲିଥାଏ, ‘ଏଯାଏ ଆସିଚି ଯେତେବେଳେ, ଦେଖାଅଛି । ଦେଖି କିଏ ତାକୁ ନଉଚି । କାହାର ଏଡ଼େ ବହପ ହବ ।’

 

ନଣ୍ଡାବାବା ଟିକିଏ ବିବ୍ରତ ହେଲାପରି ଜଣାଗଲା । ଧୀରେ ଧୀରେ ସେ କହିଲେ, ‘ମୋ କଥାଟା ଟିକିଏ ଶୁଣ୍‌ କୁନ୍ତେଇ–’

 

‘ଅନ୍ୟକଥା ଅଛି ଯଦି କହ ।’

 

‘ହଁ ଅନ୍ୟ କଥା ।’

 

ନଣ୍ଡାବାବା କହିବାକୁ ଲାଗିଲେ, ‘ତମ ଘରେ ମରଦ ଲୋକ କେହି ନାହିଁ । ବାବନା ମାଆ, ସୁଲେଇ ଆଉ ତୁ ତିନିଟାଯାକ ମାଇପି ଲୋକ । ତୋର ବୟସ ଆଉ ସୁଲେଇର ବୟସ ଖୁବ୍‌ ଅଳପ ।’

 

‘କହିଲ ଏତେବେଳକୁ ପଦେ । କ’ଣ ହେଲା ସେଇଠୁ ?’

 

କୁନ୍ତେଇ ଗଳାଟା କେମିତି ଥଟାଳିଆ ଶୁଣା ଯାଉଥିଲା ।

 

ମୁହଁରେ ବାଡ଼ବତା ନଥିଲା । ଅସଲ କଥା କହିବାରେ ହେଲେ ପଛେଇ ‘ଯାଏନି ।

 

କିଛି ସମୟ ନଣ୍ଡାବାବା ଚୁପ୍‌ ରହିଲେ । ନୂଆ କରି କୋଉଠୁ କଥା ଆରମ୍ଭ କରିବେ, ହୁଏତ ମନେ ମନେ ସେଇଟା ସ୍ଥିର କରୁଥିଲେ । ସେ କହିଲେ, ‘କଥାଟା ଟିକିଏ ବିଚାର କରି ଦେଖ କୁନ୍ତେଇ ମାଆ, ଜାଣିଜାଣି ତୁ ଯଦି ଗୋଟାଏ ପୁରୁଷ ମଣିଷକୁ ଘରେ ରଖୁ ଗାଁରେ ଦୁର୍ନାମ ହେବ ।

 

‘ଦୁର୍ନାମ–’

 

ବଡ଼ ପାଟିରେ କୁନ୍ତେଇ ହସିଉଠିଲା । ବିଦ୍ରୂପ ଆଉ ଅବଜ୍ଞାରେ ତା’ର ଓଠ ଦୁଇଟା ଯେ ବଙ୍କା ହେଇଯାଇଚି, ଅନ୍ଧାରରେ ସେଇଟା ଜାଣିହେଉ ନଥିଲା । ସେ କହିବାରେ ଲାଗିଲା, ‘କୋଉ ଦୁର୍ନାମଟା ଆଉ ବାକୀ ଅଛି ଯେ, ଯୋଉ ଦିନୁ ସୁଲେଇର ଭାଇ ଘର ଛାଡ଼ିଲେଣି, ସେଇଦିନଠୁ ତ ଲାଗିଚି ।’

 

ନଣ୍ଡାବାବା ମୁଣ୍ଡ ଟୁଙ୍ଗାରିଲେ ।

 

କୁନ୍ତେଇ ଚୁପ୍‌ ହେଲାନି । କହି ଚାଲିଥାଏ, ‘କୁକୁର ପ୍ରକୃତି ଯୋଇଗୁଡ଼ାଙ୍କର, ଫୁଟାଣୀ ଦେଖେଇ ସେମାନେ ତୁଚ୍ଛା କଥାରେ ଭେଉ ଭେଉ ହେବେ । ସେ ଭୁଲିବାକୁ କାନଦେଲେ ପାହୁଣ୍ଡେ ତ ଚାଲି ହେବନି ?’

 

‘ତଥାପି–’

 

ନଣ୍ଡାବାବାଙ୍କ କଥା ଖୁବ୍‌ କ୍ଷୀଣ ଣୁଣାଗଲା ।

 

‘ତଥାପି ଆଉ କ’ଣ ନଣ୍ଡାବାବା, ଆଜିକି ଆଠସାଲ ହେଲା କେତେ କଥା କିଏ କହିଲେଣି, ଶୁଣି ଶୁଣି ସେସବୁ ଘସରା ହେଇଗଲାଣି । କିଏ ଶୁଣୁଚି ଆଉ ସେ କଥାଗୁଡ଼ା । ନିନ୍ଦା ଅପବାଦ ସବୁ ଏକାନରେ ପୂରେଇ ସେ କାନରେ ବାହାର କରିଦେଇଚି ।’

 

କୁନ୍ତେଇ ଗଳାଟା ଓଜନିଆ ଜଣାପଡ଼ୁଥିଲା ।

 

‘ତୁ ଯେତେବେଳେ ନାହିଁ କରୁଚୁ, ସେତେବେଳେ ଆଉ କ’ଣ କହିବି, ଅନେକ ରାତି ହେଲାଣି, ଯାଉଚି ମାଆ ।’

 

ଉଠୁ ଉଠୁ ନଣ୍ଡାବାବା କପିଳକୁ କହିଲେ, ‘ସେଇ ଯୋଉ ମଠଟା ଦେଖାଯାଉଚି, ସେଇଠି ମୁଁ ରହେ । କେତେବେଳେ କେମିତି ଯିବା ଆସିବା କରୁଥିବ ।’

 

ଟାଙ୍ଗି ସେ ପାଖକୁ ହାତ ବଢ଼ାଇ ମଠଟା ଦେଖାଇ ଦେଲେ ।

 

‘ଆଚ୍ଛା, ଦେଖିବି ।’

 

କହିଦେଇ କପିଳ ପୁଣି ଗୁମ୍ ମାରିଗଲା । କିଛି ଗୋଟାଏ ଉତ୍ତର ଦେବା ଉଚିତ ଭାବି ସେ ବୋଧହୁଏ ନଣ୍ଡାବାବାଙ୍କୁ ଜବାବ୍ ଦେଲା ।

 

ନଣ୍ଡାବାବା ଉଠି ଚାଲିଗଲେ । ଟାଙ୍ଗି ଉପରେ ତାଙ୍କର ଖଡ଼ମ ହଳକର ଶବ୍ଦ ଠକର ଠକର ହେଇ ଶୁଣା ଯାଉଥିଲା ।

 

ଆଣ୍ଠୁ ସନ୍ଧିରେ ମୁହଁଟା ରଖି କୁନ୍ତେଇ କପିଳ ଆଡେ କଡ଼େଇ ଚାହିଁଲା । ଖୁବ୍ ଧୀରେ ସେ ହସୁଥିଲା, ତଥାପି ଶବ୍ଦଟା ଉଛୁଳା ପରି ଜଣାପଡ଼ୁଥିଲା ।

 

କୁନ୍ତେଇର ସେ ହସତଳେ କ’ଣ ଥିଲା, ସେଇ ଏକା ଜାଣେ ।

 

କାଲି ରାତିରୁ କୁନ୍ତେଇ ସବୁ ବ୍ୟବସ୍ଥା ଠିକ୍ କରିଦେଇଚି ।

 

କପିଳ ଆସି ଯେଉଁ ଘରେ ରହିଥିଲା, ସେ ବଖରାଟା ପୂରା ତା’ ଦଖଲରେ ଛାଡ଼ି ଦିଆଗଲା, ବାକୀ ବଖରାଟାରେ ସେ ତା’ ନଣନ୍ଦ ଆଉ ଶାଶୁର ଦଖଲ ।

 

ଛିଣ୍ଡା କନାର ତେଲ ଚିକିଟା ଧରା ପୁଟୁଳାଟାଏ ମୁଣ୍ଡତଳେ ଦେଇ ଦଉଡ଼ିଆ ଖଟଟାରେ କପିଳ ଶୋଇଚି । ଅନେକବେଳୁ ତା’ର ନିଦଭାଙ୍ଗି ଗଲାଣି ।

 

ଏଠିକି ନଈଟା ବେଶି ଦୂର ନୁହେଁ ।

 

ଆଜି ଆଉ ଉତ୍ତର ପବନ ନାହିଁ, ନଈ ଆଡ଼ୁ ଥଣ୍ଡା, କିଲି କିଲିଆ ପବନ ଆସୁଚି ।

 

କାର୍ତ୍ତିକ ମାସ ଏବେ ପଶିଚି । ଏତିକିବେଳୁ ପବନ ହେମାଳିଆ ଜଣାପଡ଼ୁଚି । ଭାରି କାକର ପଡ଼ୁଚି ।

 

ଲୁଗା ଖଣ୍ଡକ କପିଳ ଭଲ କରି ଦେହରେ ଗୁଡ଼େଇ ଦେଲା । ଆଖି ବୁଜିବାର ଚେଷ୍ଟା କଲା । ତା’ ନିଦ ଭାଙ୍ଗି ଗଲା ପରେ ଖାଲି ଆଖିବୁଜି କେତେ ସମୟ ପଡ଼ିହେବ !

 

ଏଥର କପିଳ ଏ ଆଡ଼େ ସେ ଆଡ଼େ ଚାହିଁବାକୁ ଲାଗିଲା ।

ଘରର କାନ୍ଥଟା ହଣା ହେଇଚି । ସେଇ ମେଲାଟା ଏ ବଖରାଟାର ଦ୍ଵାର ଝରକା ସବୁକିଛି । ଖଣ୍ଡେ କେରପାଲୁ ସେଠି ଝୁଲୁଚି । ଛିଣ୍ଡିଯାଇଥିବା କେରପାଲୁ ଫାଙ୍କରେ କପିଳ ଚାହିଁଲା-

ଏଯାଏ ଫରଚା ହେଇନି । ରାତି ଭଲ କରି ପାହିନି । ଆଲୁଅ ଆଉ ଅନ୍ଧାର ମିଶା କାକରିଆ ପାହାନ୍ତା ।

କେରପାଲୁ ଫାଙ୍କରେ ପାଉଁଶ ଗଦା ସେପଟ ଖତଗଦା ପାଖ ଅମୃତଭଣ୍ଡା ଗଛ ଦେଖାଯାଉଚି । ଅମୃତ ଭଣ୍ଡା ଲମ୍ବା ଡାଙ୍ଗ ଉପରେ ଗୋଟାଏ ଭଦଭଦଳିଆ ଚଢ଼େଇ ବସିଚି । ଲାଲ୍ ନୀଳ ପକ୍ଷୀଗୁଡ଼ା କାକରଲାଗି କେମିତି ଧୂସରିଆ ଦେଖାଯାଉଚି ।

ସେ ଆଡ଼ୁ ଆଖି ଦୁଇଟା ଫେରାଇ ଆଣି ଘର ଭିତରେ ବୁଲେଇଲା; ଘରଟାସାରା ଛାପୁରା ଛାପୁରା ଅନ୍ଧାର ।

ଅନ୍ଧାରରେବି କପିଳ ଦେଖିପାରୁଥିଲା ।

ତିନିପାଖେ ଲୁଣିଧରା କାନ୍ଥ । ଚାଳ ସନ୍ଧିରେ ଧୂଆଁ ଭଳି କାକରଗୁଡ଼ା ପଶୁଚି । ଆଉ ଗୋଟାଏ ପାଖେ ମାଟିପଟି ଦିଆ କଞ୍ଚାଇଟାର କାନ୍ଥ । ଏଇ କାନ୍ଥ ଆରପଟେ ଆଉ ଗୋଟାଏ ବଖରା ।

ଘରର ଗୋଟାଏ କଡ଼କୁ ଭାଡ଼ି ବନ୍ଧାହୋଇ ଜିନିଷପତ୍ର ଗଦା ହୋଇଚି । ବେତର ପେଡ଼ି, ଢାଙ୍କୁଣୀ ଭଙ୍ଗା କଳଙ୍କି ଧରା ସୁଟ୍ କେଶ, ଛିଣ୍ଡା ଗନ୍ଥା, କିରାସିନି ଢାବଲ । ଗୋଟାଏ ଦଦରା କଡ଼େଇ ଆଉ କେତେଟା ପୁରୁଣା ମାଠିଆ । ପଛକୁ ସେମିତି ଆଉ କେତେ କ’ଣ ରହିଚି ।

 

କପିଳ ଚିତ୍ ହୋଇ ଶୋଇପଡ଼ିଲା । ଛାତି ଉପରେ ତାଳିମାରି ଖୁସିରେ ଗୁଣୁ ଗୁଣୁ ହେବାକୁ ଲାଗିଲା ।

 

କୋଟି ଜୁହାରତତେ ଲୋ ଜନନି–

 

ପୁଣି ଜୁଟେଇଲୁକୂଳେ ଲଗେଇଲୁ

 

ଭାସିଗଲା ନାଆ ମଙ୍ଗ ।

 

ଆହାର ଖୋଇଲୁ କାହାର ନ ଭାବି

 

ସବୁଦିନେ ସେଇ ରଙ୍ଗ,

 

ଦିନେ ପାଦତଳେ ତ ସେବିନି

 

କୋଟି ଜୁହାର ତତେ ଲୋ ଜନନି ।

 

ଦେଲୁ ତ ଆଶରା କରୁଣା ପସରା

 

ଆପେ ଫେଇ ଆପେ ଯାଚି

 

କରୁଣା ଊଣା କେ ବଣାରେ କହିବ

 

Unknown

ଦୁଃଖ ତ ଦେଇଚୁ ପୋଛି,

 

ତୁ ଯେ ଅଜ୍ଞାନ ଅମା ନାଶିନୀ

 

କୋଟି ଜୁହାର ତତେ ଲୋ ଜନନି

 

ଖୁବ୍ ସୁନ୍ଦର ଗାଇପାରେ କପିଳ ।

 

ଗୀତ ତୁଣ୍ଡରୁ ମରିଯାଇ ଥିଲେବି ତା’ର ପ୍ରତିଧ୍ଵନି କାନ୍ଥରେ ମୁଣ୍ଡ ପିଟୁଥିଲା ।

 

ବାହାରୁ କୁନ୍ତେଇ ଡାକିଲା ‘କ’ଣ ଶୁଭୁଚି–’

 

‘ଓ–’

 

ଧଡ଼ପଡ଼ ହୋଇ ଉଠିପଡ଼ିଲା । ଦଉଡ଼ିଆ ଖଟଟା ମଚ ମଚ ଶୁଣାଗଲା ।

 

‘ବେଳପହରେ ହେଲାଣି ପରା । ଏଯାଏ ଶୋଇଚ ?’

 

ଏତେବେଳ ଯାଏ ଚାଳ ସନ୍ଧିରେ ଧୂଆଁଳିଆ କାକରଗୁଡ଼ା ଦେଖାଯାଉଥିଲା । ବର୍ତ୍ତମାନ ଆଉ ନାହିଁ, ତମ୍ବାଳିଆ କାର୍ତ୍ତିକ ସକାଳର ଖରା ଦେଖା ଦେଇଚି ।

 

କପିଳ ଅନେକ ସମୟ ବିଛଣାରେ ପଡ଼ିଚି । ସେଇଟା ତା’ର ଖିଆଲ ନଥିଲା । ଖଟରୁ ଓହ୍ଲାଇ ସେ ବାହାରକୁ ଆସିଲା ।

 

ବାରଣ୍ଡା ଉପରେ କୁନ୍ତେଇ ଆଉ ସୁଲେଇ କେତେପଟା ଖଜୁରୀ ପଟିରେ ଦଉଡ଼ି ଗଳେଇ ଯୋଡ଼ିବାରେ ଲାଗିଚନ୍ତି । ପଟା କାଟିବା ପାଇଁ ପାଖରେ ଖଣ୍ଡେ ପାତିଆ ଛୁରି ଥୁଆ ହୋଇଚି । ପାଉଁଶ ଗଦା ପାଖେ ବସି ବାବନା ମାଆ ଗୋବର ଚକଟି ଘସି ପାରୁଚି ।

 

କୁନ୍ତେଇ କହିଲା, ‘ପାଣି ଢାଳଟା ସେଠି ଥୁଆ ହୋଇଚି, ମୁହଁ ଧୁଅ ।’

 

କପିଳ ମୁହଁ ହାତ ଧୋଇ ବାଉଁଶ ଖୁଣ୍ଟଟାରେ ଢିରା ଦେଇ ବସିଲା ।

 

ପଟିରେ ତାର ଗଳୋଉ ଗଳୋଉ କୁନ୍ତେଇ ନରମେଇ ପଚାରିଲା, ‘କ’ଣ ଗୀତ ବୋଲୁଥିଲ–’

 

–‘ଗୀତ ନୁହେଁ ଭଜନ ।’

 

–‘ଭାରି ମଧୁରିଆ ଗଳା ।’

 

ହସି ଉଠିଲା କପିଳ ।

 

–‘ହସିଲ ଯେ ?’

 

–ହଁ, ହସିଲି । ଅନେକ ଯୋଉ କଥା କହନ୍ତି ସେଇ କଥାଟା ଆଉଥରେ ଶୁଣି ହସ ଲାଗିଲା ।’

 

କହୁ କହୁ କପିଳ ସୁଲେଇ ଆଡ଼େ ଚାହିଁଲା । ଦେଖିଲା, ସୁଲେଇ ! ବି ତା’ ଆଡ଼େ ଚାହିଁ ରହିଚି ।

 

ନଜରରେ ନଜର ପଡ଼ିଯିବାରୁ ମୁହଁ ତଳକୁ କରିଦେଲା । ବନ୍ଦ ହୋଇଯାଇଥିବା ପଟି ଯୋଡ଼େଇ ପୁଣି ଆରମ୍ଭ କରିଦେଲା ।

 

କପିଳ ମୁହଁରୁ ହସଟା ଲିଭିଗଲା ।

 

ବାବନା ମାଆର କେଉଁ ଆଡ଼କୁ ନଜର ନାହିଁ । ଗୋବର ଗୁଳା ବାନ୍ଧି ସେ ତା’ର ଘସି ପକେଇବାରେ ଲାଗିଚି । ମନକୁ ମନ କ’ଣ ଭୁଟୁରୁ ଭୁଟୁରୁ ହେଉଛି । କ’ଣ କହୁଚି, ସେଇ ଜାଣିଥିବ-। କୌଣସି କଥାରେ ବାବନା ମାଆର ଆଗ୍ରହ ନାହିଁ । ସୁଖ-ଦୁଃଖ ହାନିଲାଭ କୌଣସିଟାର ମୂଲ୍ୟ ତା’ ପାଖେ ନାହିଁ । ବୟସ ବଢ଼ିବା ସଙ୍ଗେ ସଙ୍ଗେ ସେ କେମିତି ଗୋଟାଏ ଅଲଗା ଧରଣ ଧରିଯାଇଛି । ଦୁନିଆଟା ଖାଲି ଚକ ଭଳି ଗଡ଼ୁଚି, ପହି ପଡ଼ୁଚି ଉଠୁଚି । ସେ ହିସାବରେ ତା’ର ଆଉ କିଛି ଯାଏ ଆସେନି ।

 

ଗୋଟାଏ ନିସ୍ପୃହତାର ବାଡ଼ା ବାନ୍ଧି ଭିତରେ ଜାଣି ଜାଣି ବାବନା ମାଆ ନିଜର ସବୁକିଛିକୁ ଆଗୁଳି ନେଇଚି । ଦୁନିଆଯାକର ଘାତ ନେଇ ନିସ୍ପୃହତାର ଦେହରେ ଧକ୍‌କା ଖାଇ ଫେରିଯାଏ ।

ସୁରୁ ସୁରିଆ ପବନ ଉପରେ ଉପରେ ଚାଲିଚି ।

ବେଳ ବଢ଼ୁଚି ।

ଖରାତେଜକୁ ନାଲିଚିଆ ଛାଡ଼ି ଛାଡ଼ି ଆସୁଛି ।

ଅମୃତଭଣ୍ଡା ଡାଙ୍ଗ ଉପରେ ବସିଥିବା ଭଦଭଦଳିଆଟା କେତେବେଳୁ କୁଆଡ଼େ ଉଡ଼ିଗଲାଣି ।

ଲଟାବୁଦା ଆଉ ଟାଙ୍ଗି ସେପଟେ ନଣ୍ଡାବାବାଙ୍କ ମଠ । ମଠ ଉପରେ ଗୋଟେ ଲମ୍ବା ବାଉଁଶରେ ପତକା ବନ୍ଧା ହୋଇଛି । ପବନରେ ଫୁର୍ ଫୁର୍ ଉଡ଼ୁଚି । କପିଳ ସେଇ ପତାକାକୁ ଚାହିଁ ରହିଚି ।

କୁନ୍ତେଇ କହିଲା, ‘ହଇଏ….ଶୁଣୁଚ ?’

କପିଳ ମୁହଁ ବୁଲେଇଲା ।

କୁନ୍ତେଇ କହିଲା, ଗୋଟାଏ କଥା କହୁଥିଲି–’

–‘କ’ଣ କହିବ କୁହ ।’

–‘କହୁଥିଲି କି–’

ଟିକିଏ ରହିଗଲା କୁନ୍ତେଇ । ଟିକିଏ ଛେପ ଢୋକିଲା । ଯାହା ସେ କହିବ, ମନେ ମନେ ସେ ମଡ଼ାଣ ହେଉଥିଲା । ସଳଖି ହେଇ ବସିଲା । ତା’ପରେ ଆରମ୍ଭ କଲା, ;କହୁଥିଲି କ’ଣ କି ତିନି ପ୍ରାଣୀକି ନେଇ ଆମର ସଂସାର । ଶାଶୁବୁଢ଼ୀ, ସୁଲେଇ ଆଉ ମୁଁ ।’

 

–‘ସେତ ଜାଣିଚି ।’

 

‘ଆଉ ଜଣେ ଆମ ସଂସାରରେ ଥିଲା ।’

 

‘କିଏ, ସେ ?’

 

‘ସୁଲେଇର ଭାଇ ।’

 

କୁନ୍ତେଇର ସ୍ୱରଟା କେମିତି ଉଦାସିଆ ଶୁଣାଗଲା ।’ ପେଟ ଦାୟରେ ଆଜିକି ପ୍ରାୟ ପାଞ୍ଚ ସାତବର୍ଷା ହେଲା ଆସାମ ଚାଲିଯାଇଚି ।’

 

ବୋଧହୁଏ କୁନ୍ତେଇ ଗୋଟାଏ ଦୀର୍ଘନିଶ୍ଵାସ ପକାଇଲା । ଓଠ ଦୁଇଟା ତା’ର କେମିତି ଟିକିଏ ଥରୁଚି । ଢୋକଗିଳି ଓଠ ଚିପି ଚିପି ସେଇ ପାଞ୍ଚ-ସାତବର୍ଷର ପୁରୁଣା କାନ୍ଦଣାଟା ଚାପି ରଖିବାର ଉଦ୍ୟମ ଏଇଟା ।

 

କୁନ୍ତେଇ କହିଚାଲିଚି, ସେଇ ମୋର ମଠଟା ଦେଖାଯାଉଚି । ତା’ ସେପାଖକୁ ଡାକବଙ୍ଗଳା, ସେଇଠି ସେଦିନ କେତେ ଲୋକ ଜମା ହେଇଥିଲେ । ସେକଥା ମୋର ଆଜିଯାଏ ମନେ ଅଛି ।’

 

‘ପାଞ୍ଚ ସାତବର୍ଷ ତଳର କଥାବି ମନେ ଅଛି ।’

 

କପିଳ ଆଶ୍ଚର୍ଯ୍ୟ ହେଇ ଚାହିଁ ରହିଲା ।

 

‘ସବୁ ମନେ ଅଛି । ସେଇଦିନଠୁ ପରା ଆମ ସଂସାରରେ ଧୂଳି ବରଷିଲା । ସେଦିନ କଥା ପୁଣି ମନେ ରହିବ ନାହିଁ !’

 

କୁନ୍ତେଇ ଗପିଚାଲିଲା ବିଗତ କଥାଗୁଡ଼ା ।

 

ସେଦିନ ଏ ଗାଁକୁ ମୋଟର ଗାଡ଼ି ଆସିଥିଲା ।

 

ପେଁ-ପେଁ ରଡ଼ି ପକେଇ ଗୋଟାଏ ଟୁମ୍ଫି ଗାଡ଼ି ଆଉ ଦି’ଟା ଖୋଲା ବଡ଼ ଗାଡ଼ି । ପେଁ-ପେଁ ରଡ଼ି ଶୁଣି ଗାଁସାରା ଧାଇଁଲେ ଡାକବଙ୍ଗଳା ଆଡ଼େ, ସୁଲେଇ ଯାଇଥିଲା । କୁନ୍ତେଇ ଯାଇଥିଲା-। ସୁଲେଇର ଭାଇ ବାବନାବି ଧାଇଁ ଯାଇଥିଲା ।

 

ପଡ଼ିଆସାରା ଲୋକ ଖୁନ୍ଦି ହେଇଯାଇଥିଲେ ।

 

ଗାଡ଼ିଗୁଡ଼ାକ ବଙ୍ଗଳା ଦୁଆରେ ଠିଆ ହେଲେ ।

 

ନଖିପଡ଼ା ଗାଁ ଭିତରେ ଦର୍ଶନ କରିବା ପାଇଁ ବି ମଣିଷଟାଏ ରହିଲାନି, ସମସ୍ତେ ଖୋଲା ପଡ଼ିଆରେ ଏକଜୁଟ । ମେଳା ମଉଚ୍ଛାରେ ବି ଏତେଲୋକ ହେବେନି ।

 

ଟୁମ୍ଫି ଗାଡ଼ି ଭିତରେ ନଳିପେଣ୍ଟ ପିନ୍ଧା ବାବୁ କେତେଜଣ ଆସିଥିଲେ । ପାଖ ଆଖର ଲୋକପରି ମନେ ହେଉ ନଥିଲା । ଆଖିରେ କଳା ଚଷମା ମୁହଁରେ ଧଳା ପିକା । ସେମାନଙ୍କ ଭିତରୁ ଜଣେ ବାହାରିଆସି ଲୋକଙ୍କ ମଝିରେ ଠିଆ ହେଲା ।

 

ସେ ସାଲ ମରୁଡ଼ିରେ ପାଖ ଆଖର କୋଡ଼ିଏ ପଚିଶ ଖଣ୍ଡ ଗାଁରେ ହାହାକାର ପଡ଼ିଯାଇଥାଏ । ଯାହାଙ୍କର ଅମଳ ସାଲକୁ ବୁକାଏ, ସେମାନେ ଭୟରେ ବଳକା ପୁଞ୍ଜାକ ଖଣି ପକେଇ ଦେଲେ । ସେମିତି ଲୋକବା ଏପଟେ କେତେ ଜଣ । ଶହତ ନୁହେଁ–ହଜାରକେ ଏକରୁବି କମ୍ । ଠୋ-ଠୋ ଉପାସ ପାଲା ଅନେକ ଘରେ ଲାଗି ରହିଥାଏ ।

 

ଆଚ୍ଛା ଆଚ୍ଛା ବାବୁବନ୍ତିଆମାନେ ଟଲିବାକୁ ଲାଗିଲେ । ଚମ ତଳୁ ପଞ୍ଜରାକାଠି ଦେଖାଗଲା । ଅନାବନା ଶାଗ–ଚେରମୂଳ ବଉଁଶ ବୁଡ଼ିବାରେ ଲାଗିଲା । ଠୋକେ ପାଇଁ ଲୋକେ କୋଶେ ପଡ଼ିଲେ ଧାଉଁଥିଲେ । ଯାହାକୁ କହନ୍ତି ଦୁର୍ଭିକ୍ଷ ।

 

ଠିକ୍ ସେତିକି ବେଳର ଘଟଣା । କୁନ୍ତେଇର ଆଜିଯାଏବି ମନେ ଅଛି ।

 

ଲୋକଟା ଏଡ଼େପାଟିରେ ଡାକ ଛାଡ଼ିଲା, କିଏ କାମକୁ ଯିବ ବାହାର ଆସ କମ୍ପାନୀ ତରଫରୁ ବହିଣା ଧର । ତିନିବକତ ଖାନା–ରହିବାକୁ ମାଗଣା ଘର । ତା’ଛଡ଼ା ମୋଟା ହପ୍ତା ମିଳିବ-। ଘରୁ ଗାଡ଼ିରେ ଯାଇ ଚାହା ବଗିଚାରେ ଆଠଘଣ୍ଟା ଖାଟିବ । କିଏ ଯିବାକୁ ରାଜି ଅଛ ବାହାର । ଦସ୍ତଖତ ଦେଇ ବହିଣା ନିଅ ।’

 

ନଖିପଡ଼ା ଲୋକଙ୍କ ପିଣ୍ଡରେ ଆଶା ଗଜୁରିଲା, ଯାହାହେଉ ବଞ୍ଚିବା ପାଇଁ ଗୋଟାଏ ନଗଦ ରାସ୍ତା ମିଳିଚି । ଜଣ ଜଣ ହେଇ ଆଗେଇ ଆସିଲେ । କମ୍ପାନୀଘର ଖାତାରେ ଟିପମାଡ଼ି ଦଶଟଙ୍କା ମୁଣ୍ଡପିଛା ବହିଣା ଧରିଲେ । ଏକା ନଖିପଡ଼ା ଗାଁରୁ ଦେଢ଼ଶହ ନାଆଁ ଲେଖେଇଲେ । ବାବନାବି ସେଇ ଖାତାରେ ନାଆଁ ଲେଖେଇଲା ।

 

ଅକାଳ ଗଲା । ଘର ଲୋକେ ଘରକୁ ବାହୁଡ଼ିଲେ । କିନ୍ତୁ ବାବନାର ଦେଖାନାଇଁ । ତିନିବର୍ଷତଳେ ଖଣ୍ଡେ ଚିଠି ମିଳିଥିଲା । ଲେଖିଥିଲା–’ ଚାହା ବଗିଚା କାମ ନ ପୋଷେଇବାରୁ ଯୁଦ୍ଧରେ ନାଆଁ ଲେଖେଇଚି । ଆସାମ ଛାଡ଼ି ନେଫା ଗଲାଣି ।

 

ଖାଲି ଚିଠି ନୁହେଁ । ସେପର ଦି’କୋଡ଼ି ପାଞ୍ଚଟଙ୍କା ଡାକରେ ଆସିଥିଲା । ଯୁଦ୍ଧ ନାଆଁ ଶୁଣି ବାବନା ମାଆ ଶକେଇଲା । କୁନ୍ତେଇ ଛାତିରେ ପଥର ପଡ଼ିଲା । ସୁଲେଇ ଆଖିରେ ଲୁହ ଜକେଇ ଉଠିଥିଲା ।

 

ସେତିକି ଯାହା, ଆଉ ଟଙ୍କା ନାଇଁକି ଚିଠି ନାହିଁ ।

 

ଗାଁରେ ହାଲହୋଳି ପଡ଼ିଲା । ଯୁଦ୍ଧ ସରିଲାଣି ।

 

କେତେ ଆଶାରେ ଆମେ ଚାହିଁରହିଲୁ ତା’ ଫେରିବା ବାଟକୁ । ସେ କିନ୍ତୁ ଆଉ ଫେରିନି-। କିଏ କେତେ କଥା କହୁଛନ୍ତି । ସେ କୋଉଠି ଆଉ ନାହିଁ । ହେଲେ, ମୋ ମନ କାହାରି କଥାରେ ମାନିନି ।

 

କୁନ୍ତେଇ କଥାଗୁଡ଼ା କେମିତି ଓଦାଳିଆ ଜଣାପଡ଼ୁଥିଲା । ଆଖି ଦୁଇଟା କୋହ ଚାପାରେ ରକ୍ତିଆ ପଡ଼ି ଆସୁଥିଲା ।

 

ସୁଲେଇ ମୁହଁ ତଳକୁ କରି ପଟି ସିଲେଇ କରିବାରେ ଲାଗିଚି । ମୁହଁଟା ତା’ର ଦେଖାଯାଉନି ।

 

କୁନ୍ତେଇ ଏଥର ବାବନା ମାଆକୁ କହିଲା, ‘କ’ଣ କହୁଚ ମାଆ–’

 

ବାବନା ମାଆ ସେମିତି ଘଷି ପକେଇବାରେ ଲାଗିଥାଏ । ବୋହୂ କଥା ଶୁଣି ମୁହଁ ବୁଲେଇଲା । ଖୁବ୍ ଧୀର ଗଳାରେ ପଚାରିଲା, ‘କୋଉ କଥା କହୁଚୁ ?’

 

‘ତମ ପୁଅ ସେଇ ଯୋଉ ଟଙ୍କା ଆଉ ଚିଠି ଦେଇଥିଲେ, ସେତିକି ନା ?’

 

‘ସେ କଥା କ’ଣ ତୁ ଜାଣିନୁ ।’

 

‘ହଁ ସେତିକି ତ । ତା’ପରଠୁ ଆଉ କିଛି ଖବର ଅନ୍ତର ଆସିନି ।’

 

ଟିକିଏ ରହିଗଲା କୁନ୍ତେଇ । ତା’ପରେ ମନକୁ ମନ କହିବାରେ ଲାଗିଲା, ‘ଯୁଦ୍ଧତ କୋଉ କାଳରୁ ସରିଲାଣି । ଲୋକର ଦେଖା ଦରଶନ କାଇଁ ।

 

ଘଷି ପକୋଉ ପକୋଉ ବାବନା ମାଆ ତା’ର ପାକୁଆ ପାଟିରେ କୁରୁ କୁରୁ ହେଇ ହସିଉଠିଲା ।

 

କପିଳ ଚମକି ପଡ଼ି ବୁଢ଼ୀ ଆଡ଼େ ଚାହିଁଲା ।

 

ବାବନା ମାଆ ହସୁଚିନା କାନ୍ଦୁଚି, ଠିକ୍ ବାରି ହେଉନି ।

 

ତା’ର ହସ ଆଉ କାନ୍ଦ ପ୍ରାୟ ଏକପ୍ରକାର

 

ଅନେକ ଦିନପରେ ନଖିପଡ଼ା ପୁଣି ଧାରାରେ ପଡ଼ିଲା ।

 

ସେଇଟା କିନ୍ତୁ ସେମିତି । ନଖିପଡ଼ା ଯାହା ଥିଲା–ସେଇୟା । ଖାଲି ଗୋଟାଏ ସ୍ୱାଭାବିକଗତି । କେମିତି ଗୋଟାଏ ମନ୍ଥନ, ନିସ୍ତେଜ, ଅଳସ ।

 

ଏଠାରେ ବେଗ ନାହିଁ, ଧାର ନାହିଁ, ତାପ ନାହିଁ ।

 

ଦିନ ଆଉ ରାତିଗୁଡ଼ା ଏଠି ଖୁବ୍ ଦୀର୍ଘ । ଏତେ ଦୀର୍ଘ ଯେ ଖାଇବା, ବସିବା ଶୋଇବା ରଙ୍ଗରସ ଯେତେ ଯାହା ଯୋଡ଼ି ମାପିଲେବି ଶେଷ ହୁଏନି ।

 

ଅକାଳପଡ଼ି ନଖିପଡ଼ାଟାକୁ ଦୋହଲେଇ ଦେଇଥିଲା । ପେଟପାଟଣା ପାଇ ଜନମ ମାଟି ଛାଡ଼ି ଲୋକେ ଆସାମ ଭୂଇଁରେ ପଶିଲେ । ବିଦେଶ ମାଟି ମାଡ଼ିଲେ । ନହେଲେ ଗାଁର ଚଉହଦି ଟପେ କିଏ !

 

ଏ ଖବର ପହଲି ବୁଢ଼ା ଠିକ୍ ମନେ ରଖିଚି ।

 

ଖାଲି ସେତିକି ନୁହେଁ, ଅକାଳ ଚଡ଼କରେ କିଏ କୁଆଡ଼େ ଗଲା–କିଏ କୋଉଠି ପଶିଲା, କୀର୍ତ୍ତୀ ଅକୀର୍ତ୍ତୀ ସବୁ ତା’ ଆଖି ଆଗରେ ଜଳଜଳ ହେଉଚି ।

 

ପେଟର ଦାଉ ସବୁଠୁ ଅସହଣିଆ । ଯୋଡ଼ାଏ ଦିନ ଉପାସରେ ଗୋବିନ୍ଦା ମହାନ୍ତି ଝିଅ ବାଟ କାଟିଲା । ଆସାମର ସେଇ ମଜୁରିଆ ସର୍ଦ୍ଦାର ସାଙ୍ଗେ ରାତି ରାତି ପାର । ଆଉ କାହାର ମନେ ଥାଉକି ନଥାଉ ପହଲି ବୁଢ଼ାର ମନେ ଅଛି ।

 

ଏଇ ଅକାଳ ପହଲି ବୁଢ଼ାକୁ ରାହା ଦେଖେଇଲା । ପେଟ ଦାଉର ତଣ୍ଟି ମୋଡ଼ି ଦବାକୁ ଚାହା ପାଣି ଏକା ସୁହାଏ । ଆଜିକାଲି ପରି ଚିନି ଦୁଧର ଚାହା ସେଦିନ ପହଲି ବୁଢ଼ା ଖଟିରେ ନଥିଲା । ଖାରିଆ ଲୁଣ ପକା ନାଲି ଚାହା ମିଳୁଥିଲା । ତୋରାଣୀ ଛାଡ଼ି ଅନେକ ସେଇ ଅଭ୍ୟାସ ଧଇଲେ ।

 

ଆଉ ଗତି କ’ଣ ଥିଲା ଯେ ?

 

ଦିନଯାକ ଖଟଣି ପରେ ଯୋଉଠୁ ଦି’ଚାରି ପଇସା ମିଳିଲେବି ଦାନାର ଅଭାବ । କେମିତି ହେଲେ ଉତପାତିଆ ପେଟକୁ ସାନ୍ତ୍ୱନା ଦବାକୁ ହେବ । ହଉପଛେ ନାଲି, ହଉପଛେ ଖାରିଆ-ପେଟରେ ପଶିଗଲେ ଭୋକଟାକୁ କେତେ ଘଣ୍ଟା ପାଇଁ ମାରିଦିଏ ।

 

ଚାଲ ସେଇ ପହଲି ବୁଢ଼ା ଖଟିକି । ଯୋଉଠି ଖଣ୍ଡିଆ ଡେକେଚି ଖଣ୍ଡକ ସେଁ ସେଁ ହଉଚି-। କୌଣସି ପ୍ରକାର ବଞ୍ଚିବାର କଳ ସେଠି ଅଛି ।

 

ଆଜି ନାଲିପାଣି ଗୋଳିଆ ଧଇଲାଣି–ଖାରା ବଦଳରେ ମିଠା ଉଠିଲାଣି । ପାଏ ଲୋକବି ଅଭ୍ୟାସ କରି ଖାଇଲେଣି । ପାଏ କାହିଁକି, ବେଶି ହେବେ । ସେ ଦିନର ହିସାବକୁ ବଳେଇ ଗଲାଣି ।

 

ତା’ର ବରଡ଼ା ଚାଞ୍ଚ ଦିଆ ଚାଳ । ସେମିତି ଆଉ କେତେ ଖଣ୍ଡରେ ବତା ଭିଡ଼ାହୋଇ କାନ୍ଥ ବନ୍ଧା ହେଇଚି । କବାଟ ଖୋଲି ଖଣ୍ଡେ ବାଉଁଶର ତାଟି–ଏଇ ହେଲା ପହଲି ବୁଢ଼ାର ଚାହା ଦୋକାନ ।

 

ଗୋଟାଏ କଡ଼କୁ ଡହକା ନିଆଁର ଚୁଲି ଉପରେ ସିଲଭର ଡେକଚିଟାଏ ତାତୁଚି । ପାହାନ୍ତା ପହରରୁ ପାଣି ଫୁଟୁଚି ତ ଫୁଟୁଚି ।

 

ପୋଡ଼ି ପୋଡ଼ି ଡେକେଚିଟାର ତଳି କଳା ବୋର ବାନ୍ଧିଗଲାଣି ।

 

ଚୁଲି ପାଖକୁ ଲାଗି ତିନି ଧାଡ଼ି ବାଉଁଶ ଭାଡ଼ି । ଖଣ୍ଡେ ଖଣ୍ଡେ କିରାସିନି ପଟାପଡ଼ି ଗରାଖଙ୍କ ପାଇଁ ବସିବା ଜାଗା ତିଆରି ହେଇଚି ।

 

ନଈ କଡ଼କୁ ଲାଗି ରାସ୍ତା ପାଖେ ପହଲି ବୁଢ଼ାର ଚାହା ଦୋକାନଟା । ଆରପାଖଟା ଗଡ଼ାଣିଆ ହେଇ ନଈ ଭିତରକୁ ପଶିଯାଇଚି ।

 

ସେଇ ଗଡ଼ାଣିଆ ଅଂଶକୁ କିଛିଟା ସମାନିଆ ଯାଗାରେ ନଖିପଡ଼ାର ମଶାଣୀ କାମ ଚଳୁଚି । ମଶାଣୀ ମୁଣ୍ଡକୁ ଦୁଇଟା ପୁରୁଣା ଝାଉଁଗଛ । ଆଗକୁ ପଚାଶ ଷାଠିଏ ହାତ ବଢ଼ିଗଲେ ଗୋସେଇଁ ଘାଟ ।

 

ଉଦୁଉଦିଆ ଦିପହରଟା

 

ଡଙ୍ଗା ଘାଟର ପଟାଦାର ଶୋଇଚି । ନାଉରିଆମାନେ ତୁଲୋଉଛନ୍ତି । ପାଟଳ ନଈଟା ଦିପହରିଆ ଖରାରେ ଖଣ୍ଡା ପଟପରି ଝଟକୁଚି । ଝାଉଁଗଛ ଦୁଇଟା ସେମିତି ଥକ୍‌କା ପଡ଼ିଯାଇଚନ୍ତି-। ପତର ସନ୍ଧିରୁ ଆଉ ସାଉଁ ସାଉଁ ଶବ୍ଦ ଶୁଭୁନି । ଗୋଟାଏ କ୍ଳାନ୍ତ ଅବସନ୍ନ ପଶୁଭଳି ରାସ୍ତାଟା ଧକୋଉଚି । କୋଉଠି ହେଲେ ଟିକିଏ ପବନ ନାହିଁ, କାର୍ତ୍ତିକର ଖରାଟା କେମିତି ବିନ୍ଧିଲା ଭଳି ଲାଗୁଚି । ତମ୍ବାଳି ଆକାଶଟା ଖରାରେ ସିଝି ସିଝି ଝାଲସିଆ ମନେହୁଏ ।

 

ଦିପହରେ ସେମିତି ଗରାଖ ଜୁଟନ୍ତିନି ।

 

ବଡ଼ ନିସଙ୍ଗିଆ ଲାଗେ ଦିପହରଟା ।

 

ମନେ ମନେ ପହଲି ବୁଢ଼ା ଗୁଣୁ ଗୁଣୁ ହୋଇ ଏଣୁତେଣୁ ଗୀତ ଧରେ । ପୂରା ନୁହେଁ; କୋଉଥିରୁ ଦି’ପଦ-ଚାରିପଦ ।

 

ନଖିପଡ଼ାର ଏକ ନମ୍ବର ଲୋକ ପହଲି ବୁଢ଼ା ।

 

ଗୋଡ଼ ଦି’ଟା ହଲେଇ ହଲେଇ ପଦଧରେ–

 

ଷୋଳ ବରସିକି ରସିଥିଲି

 

ହସ ଦେଇଥିଲା କଣ୍ଟ

 

କେତେ କାଲି ଗଲା ଚାହିଁ ଚାହିଁ ବାଟ

 

ଅଜାଗାରେ ହେଲା ଭେଟ ।

 

ରସ ହାଇରେ ହାଇ ।

 

ରସରେ ରସିଲେ ରସ ରସିଆକୁ ଦିନରାତି ଅଣ୍ଟୁ ନାହିଁ ।

 

ଆଉ ପଦ ମନେପଡ଼େନି । ସେଇ ଗୋଟାଏ ପଦକୁ ଦୋହରେଇ ଦୋହରେଇ ପହଲି ବୁଢ଼ା ଗରାଖ ବାଟକୁ ଚାହିଁ ରହେ । କେତେବେଳେ ଆଉ ଗୋଟାକର ପଦ ଧରେ–

 

ସୁନା ମୁହିଁ ଚୁଳା ବାଳେ ନାଇଚିରେ କିଲିପି

 

ରୂପ ଖଣ୍ଡେ ପାଇଚିରେ ସଜ ଝଣା ଜିଲିପି,

 

ସିରା ଭରା ଗିରା କଟା ଖଦିଟାର ପଣତ

 

ବାନ୍ଧି ନେଲା ଏକାଥରେ ଯୁବା ଜନ ମହତ,

 

ବିତିଗଲା ହାଲପି ।

 

ସୁନା ମୁହଁ ଚୁନା ବାଳେ……

 

ଆଜି ଟିକିଏ ସଅଳ ଗରାଖ ଗଡ଼ିଲେ ।

 

ପହଲି ବୁଢ଼ା ଜାଣେ, ଆଜି ଗୁଲିଗପ ଚାଲିବ ।

 

ଯୋଉମାନେ ଧରାବନ୍ଧା ଆସନ୍ତି, ସେମାନେ ତ ଆସିଲେ । ଯୋଉମାନେ ମଝିରେ ମଝିରେ ଆସି ପିଅନ୍ତି, ସେମାନେବି ଆସିଲେ । ଯୋଉମାନେ କୌଣସି ଦିନ ଏଦୁଆର ମାଡ଼ନ୍ତିନି ସେମାନଙ୍କ ଭିତରୁ ଚାରି ପାଞ୍ଚଜଣବି ଜୁଟିଚନ୍ତି ।

 

ଭାଡ଼ିରେ ସୋରିଷ ପକେଇବାକୁ ଜାଗା ନାହିଁ । ଖୁନ୍ଦା ଖୁନ୍ଦି ହୋଇ ଲୋକ ବସିଛନ୍ତି । କେତେ ଜଣ ଜାଗା ନ ପାଇ ଠିଆ ହେଇଚନ୍ତି ।

 

ଆଡ଼୍‍ଡ଼ାଟା ଜମି ଉଠିଲା ।

 

ପହଲି ବୁଢ଼ା ଦୋକାନଟାର ଆଜି ପୁଷମାସ କହିଲେ ଚଳେ ।

 

ବିଦେଇ ସ୍ୱାଇଁ କହିଲା, ‘ଦେ’ ପହଲି ଭାଇ ଭଲ କରି ଢୋକେ ଢୋକେ ପିଅ । ଦିହଟା ଆଉ ଟିକିଏ ତାଜା ହଉ ।’

 

ସମସ୍ତେ ବିଦେଇ ସ୍ୱାଇଁ କଥାର ତାନ ଧଇଲେ ।

 

ପହଲି ବୁଢ଼ା କହିଲା, ‘ଉଧାର ପଟିବନି ଭାଇ ।’

 

ନାଇଁ ନାଇଁ ନଗଦ । ଆଜି ଆଉ ଉଧାର ନୁହେଁ ।

 

ସମସ୍ତେ ଏକାବେଳକେ କହି ଉଠିଲେ ।

 

ପହଲି ବୁଢ଼ା ପକ୍‌କା ଓସ୍ତାତ । ସିଝିଲା ପାଣିରେ ପୋଷେ ଚାହା ଗୁଣ୍ଡ । ଦି’ଚାରି ଡଙ୍କା ଦୁଧ ଆଉ ଚିନି ପକେଇ ଦେଲା । ମଗଟାକୁ ଛାଣି ଗଅଁଣ୍ଠ ଗିଲାସକରି ସମସ୍ତଙ୍କ ହାତକୁ ବଢ଼େଇ ଦେଲା ।

 

ଦି’ଚାରି ଢୋକପିଇ ବିଦେଇ କହିଲା, ‘ହାଲ୍‌ଟା ଶୁଣିଚ ଭାଇ ?,

 

‘କୋଉ ହାଲ୍ ?’

 

ଖୁବ୍ ଭଲ ମଣିଷ ପରି ପହଲି ବୁଢ଼ା ପଚାରିଲା । କିଛି ଯେମିତି ଜାଣେନି, ସେମିତି ତା’ କଥାରୁ ଜଣାପଡ଼ୁଥିଲା । ତେବେ ତା’ ମୁହଁରୁ ବାରି ହେଉଥିଲା–ଶୁଣିବାର ଆଗ୍ରହ ଖୁବ୍ ଅଛି ।

 

ଆଶ୍ଚର୍ଯ୍ୟହୋଇ ବିଦେଇ ପହଲି ବୁଢ଼ା ମୁହଁକୁ ଚାହିଁ ରହିଲା । ପଚାରିଲା, ‘ତୁ କ’ଣ କିଛି ଶୁଣିନୁ ?’

 

‘ଆରେ–କ’ଣ କହୁନୁ ।’

 

ବିଦେଇ ସ୍ୱାଇଁ କହିଲା, କ’ଣ ହେଲା ? ନଖିପଡ଼ାସାରା କଥାଟି ପ୍ରଘଟ ହେଇସାରିଲାଣି, ତୋ କାନରେ କେମିତି ପଡ଼ିନିମ, ୟେତ ବଡ଼ ତାଜୁବୁ କଥା ।’

 

‘ସତ କହୁଛି ବିଦେଇ, ରାଣ ଅଛି । କିଛି ଶୁଣିନି ।’

 

ନାସ୍ତିବାଚକ ଭଙ୍ଗିରେ ପହଲି ବୁଢ଼ା ଏପଟ ସେପଟ ମୁଣ୍ଡ ହଲେଇବାରେ ଲାଗିଲା ।

 

ଦିହସାରା ଖାସୁରା ଚମଡ଼ା । ହାଡ଼ ଆଉ ଚମଡ଼ା ସାର । ଅସମୟରେ ବାଳଗୁଡ଼ା ବେରଙ୍ଗିଆ ପଡ଼ି ଯାଇଚି । କେମିତି ପାଉଁଶିଆ ଦେଖାଯାଏ । ଅସ୍ୱାଭାବିକ ଧାରୁଆ ଆଖି ଦୁଇଟା ମଝିରେ ଆବୁଡ଼ା ଖାବୁଡ଼ା ଲମ୍ବା ନାକଟିଏ । ହନୁ ହାଡ଼ ଦୁଇଟା ଚମଡ଼ା ଠେଲି ବାହାରି ପଡ଼ିଚି, ତଳ ଓଠଟା ଲେଭାଡ଼ି ଦେଲାଭଳି ମନେହୁଏ । ଚୁଲିପାଖେ ବସି ବସି ମେରୁ ହାଡ଼ଟା ବଙ୍କାଧରି ଗଲାଣି-। ହାତ ଟିକିଏ ଥରିଲାପରି ଜଣାପଡ଼େ । ପହଲି ବୁଢ଼ା ଗୋଟାଏ ଅଲଗା ପ୍ରକାରର ଦିଶେ-

 

ମଦ କହ, ଗୁଲି କହ, ଗଞ୍ଜେଇ କହ କି ତାଡ଼ି କହ–କୋଉଟାକୁ ସେ ବାଦ ଦେଇନି । ଦିନଥିଲା ଚାରିଜଣ ସାଙ୍ଗେ ନୂଆ ନୂଆ ଚଢ଼େଇ ନହେଲେ ତା’ର ରାତି କଟୁ ନଥିଲା । ଦିହଟାକୁ ଦିହ ବୋଲି ଖାତିରି କରୁ ନଥିଲା । ସେ ସବୁରେ ଖୁବ୍ ଉଡ଼େଇ ଦେଇଚି । ନିଶା ଆଉ ଝିଅପିଲା ତା’ ଦିହଟାକୁ ଖୋଳିତାଡ଼ି ଖାଇ ଯାଇଛନ୍ତି ।

 

ବିଭିନ୍ନ ପ୍ରକାର ନିଶା ସାଙ୍ଗକୁ ବିଭିନ୍ନ ପ୍ରକାର ସ୍ତ୍ରୀରୋଗ–ଦୁଇଟାଯାକ ମିଶି ତା’ର କଣ୍ଟା ରଖିଦେଇଚନ୍ତି । ଆଜିକାଲି ଦେହ ଆଉ ପାରୁନି । କେବଳ ଗଞ୍ଜେଇଟାକୁ ଛାଡ଼ି ସେ ବାକୀ ସବୁଗୁଡ଼ାକର ଦୂରକୁ ଘୁଞ୍ଚି ଯାଇଚି ।

 

ଦିହସିନା ପାରୁନି, ହେଲେ ମନଟା ଆଗପରି ଅଛି । ଭିତରେ ଭିତରେ ସେ ଅଶ୍ଳୀଳ ଅପକର୍ମର ଭାବନାଗୁଡ଼ାକ ଆଜିକାଲିବି ଦେଖାଦେଉଚି । ମନେ ମନେ ସବୁକିଛି ଅନୁଭବ କରେ । ଦିହସାରା କୁକର୍ମର ମୋହର ମାରିହେଇ କେବଳ ଭାବିଚାଲେ ।

 

ସମସ୍ତେ ଜାଣନ୍ତି ଲୋକଟା ପୁରୁଣା ଲଣ୍ଠନ । ତେଲ ବିନା ପାଣିରେବି ତା’ର କମ୍ ତେଜ ନୁହେଁ ।

 

କିଛି ସମୟ ତା’ ଆଡ଼େ ଚାହିଁଦେଇ ବିଦେଇ ବୁଝିଲା, କୌଣସି ପ୍ରକାର ନିଜ ଆଡ଼ୁ ପହଲି ବୁଢ଼ା କିଛି କହିବନି । ସବୁ ଶୁଣିବ, ଦେଖିବ । ତା’ପରେ ସେଗୁଡ଼ା ପେଟଭିତରେ ପୂରେଇ ତାଲା ପକେଇ ଦେବ ।

 

ବିଦେଇ କହିଲା, ‘ସେଗୁଡ଼ା କାହିଁକି କହୁଚ । ତମେ କିଛି ଜାଣିନ ଏଇଟା କାହିଁକି ମୋର ବିଶ୍ୱାସ ହଉନି । କାଲି ତମରି ଆଖିଆଗରେ ପରା ଘଟିଗଲା । ସେଇ ଗୋସେଇଁ ଘାଟରେ–

 

ଲୋକଗୁଡ଼ାଙ୍କ ଆଡ଼େ ଚାହିଁ ବିଦେଇ ପଚାରିଲା, ‘କ’ଣ କହୁଚ ତମେମାନେ ?’

 

‘ହଁ–ହଁ–’

 

ସମସ୍ତେ ଏକାଥରକେ କହି ଉଠିଲେ ।

 

‘ଆରେ କ’ଣ କହୁଚ–ସତରେ ନା ?’

 

ପହଲି ବୁଢ଼ା ଉସ୍‌କେଇବାରେ ଲାଗିଲା, ‘କହିଲ-କହିଲ, ଖୋଲିକରି କହ । କିଛି ଗୋଟାଏ ରସ ରସିଆ କଥା ପରି ମନେ ହେଉଚି । ଶୁଣିବୋଲି କହୁଚ ଯେତେବେଳେ ଶୁଣ । ବୁଝିଲନା–କହୁ କହୁ ବିଦେଇ ରହିଗଲା ।

 

ହଁ ମ ଭାଇ, ଖୁବ୍ ରସରସିଆ କଥା ।

 

–‘କହ କହ–’

 

ପହଲି ବୁଢ଼ାକୁ ତର ସହିଲାନି ।

 

‘ଛଟକି ଟୋକି ଦି’ଖଣ୍ଡ ବୁଝିଲନା–’

 

‘ଛଟକି ଟୋକି !’

 

ପହଲି ବୁଢ଼ାର ଆଖି ଦୁଇଟା ବଡ଼ ହେଇଗଲା । ଆଖି ଉପରୋ ମୋଟା ଭୁରୁ ଦି’ଟା ମନେହୁଏ ଦି’ଟା ସଅଁବାଳୁଆ ଲେପେଟି ପଡ଼ିଚନ୍ତି ଯେମିତି ।

 

ଆଖି ବଡ଼ ବଡ଼ ହେବା ସଙ୍ଗେ ସଙ୍ଗେ ଭୁରୁ ଦି’ଟା ବଙ୍କା ହେଇଗଲା । ଭୁଟୁରୁ ଭୁଟୁରୁ ହେଇ ପହଲି ବୁଢ଼ା କହିଲା, ‘ଛଟକି ଟୋକି ! କ’ଣ କହୁଚୁ ?’

 

‘ଖାଲି ଛଟକି ନୁହେଁ, ଛନକି ଟୋକି ଦି’ଟା–’

 

ପହଲି ବୁଢ଼ା ଚୁଲିକଡ଼କୁ ଗୋଡ଼ ଦି’ଟା ଲମ୍ବେଇ ଦେଇ ବସିଲା । କହିଲା, ‘କହ କହ’ ଛନକି ଟୋକିଙ୍କ କଥା କହ । କ’ଣ ହେଇଚି ଶୁଣେ ଟିକିଏ ।’

 

ତଣ୍ଟିଟା କେମିତି ଘଡ଼ ଘଡ଼ିଆ ଶୁଣାଯାଉଚି । ଆଖି ଦୁଇଟାରୁ ଯେମିତି ଅଧିକ ଆଗ୍ରହ ଫୁଟି ଉଠୁଥିଲା ।

 

ବିଦେଇ କହିଲା, ବାବନା କଥା ମନେ ଅଛିଟି ଭାଇ ?

 

‘କୋଉ ବାବନା ?

 

ବାବନାକୁ ମନେପକେଇବା ପାଇଁ ସେ ଯେମିତି ଚେଷ୍ଟା କରୁଥିଲା ।

 

‘କୋଉ ବାବନା ବୋଲି ପଚାରୁଚ ? ଆମ ନଖିପଡ଼ାରେ କେତେଟା ବାବନା ଅଛନ୍ତି ବୋଲି ଭାବୁଚ ?’

 

ହାତ ବଢ଼େଇ ଘରଟା ଆଡ଼େ ଠାରିଲା ବିଦେଇ । କହିଲା, ‘ବାବନା କେଉଟମ । ମଠ ସେପଟ ଟାଙ୍ଗି ମୁଣ୍ଡକୁ ଯୋଉ ଘରଟା ! ମନେପଡ଼ିଲା ?’

 

‘ଆରେ ହଁ, ହଁ । ବାବନା ପରା ଆସାମରୁ ଯୁଦ୍ଧରେ ପଶିଗଲା ।

 

‘ସେଇତ ସୁବିଧା ହୋଇଚି ।

 

‘କାହା ସୁବିଧା ହେଲା ?’

 

‘କାହାର ଆଉ ହୁଅନ୍ତା । ବାବନା ଭାରିଯା ଆଉ ଭଉଣୀର ।’

 

‘କାହିଁକି, କ’ଣ କଲେ ସେମାନେ ?’

 

‘ଦୁନିଆରେ କେହି ମୋର କଥା କହେନି, ସେଇୟା କଲେ । ଛି ଛି କି ଅଲାଜୁକ କଥା । ଟୋକିଗୁଡ଼ାକଙ୍କର ଏତେ ଦିମାକ ମୋଟେ ଭଲ ନୁହେଁ ।

 

ଚାହାର ଉଷୁମ ଭାଙ୍ଗି ଯାଇଥିଲା, ଗୋଟିଏ ଢୋକରେ ବିଦେଇ ବାକିତକ ପିଇଦେଲା, ପୁଣି କହିଲା ‘ନଈ ଭିତରୁ ଗୋଟାଏ ଯୁଆନ ଭେଣ୍ଡାକୁ ଆଣି ଘରେ ପୂରେଇଛନ୍ତି । ରାତିଟାଏବି କଟିଗଲାଣି ।’

 

‘ଆରେ ନଈ ଭିତରକୁ ଭେଣ୍ଡାଟାଏ ଆସିଲା କୁଆଡ଼ୁ ?’

 

‘ଗଲା ବର୍ଷାରେ ନଈଟା ବଢ଼ିଥିଲା, କୁଆଡ଼ୁ ଭାସିଆସିଲା ବୋଧହୁଏ । ସତ କି ମିଛ ସେ କଥା ତାଙ୍କୁ ଜଣାଥିବ ।’

 

ଆରେ ବାଃ କି କଥା ମଣିଷ କାନରେ ପଡ଼ିଲା । ସକାଳୁ କାହାମୁହଁ ଚାହିଁଥିଲି କେଜାଣି-! ସୁନାମୁହିଁ ଚୁନାବାଳେ କାଇଚିରେ କିଲିପି–’

 

ମୁଠା ଉପରେ ଖଞ୍ଜଣୀ ଭଳି ଟିପା ମାରିବାରେ ଲାଗିଲା ପହଲି ବୁଢ଼ା’ ।

 

ଖିଙ୍କାରିଲା ଭଳି ବିଦେଇ ସ୍ୱାଇଁ କହିଲା, ସଦାବେଳେତ ଖାଲି ସେଇ ସୁନା ମୁହିଁ ଚୁନାବାଳେ ଆଗେ ସବୁକଥା ଶୁଣ ।’

 

‘ହଉ କହ କହ–’

 

ମୁହଁଟାକୁ ଜୋକଭଳି କରି ପହଲି ବୁଢ଼ା ସ୍ଥିର ହୋଇ ବସିଲା

 

‘ହଁ ହଁ ଥିର ହୋଇବସ, ସବୁକଥା ଶୁଣ, ତା’ପରେ ଗୀତ ବୋଲି କି ନାଚ କର ।’

 

କଥାଗୁଡ଼ା କେମିତି ଚିଡ଼ି ମିଡ଼ି ହେଇ କହିଲା ବିଦେଇ ।

 

ପହଲି ବୁଢ଼ା କହିଲା, ଆଚ୍ଛା ତୋରିକଥା ହେଲା, ମୋର ଭୁଲ ହେଇଯାଇଚି’ ଦେ–କ’ଣ କହୁଛୁ କହ !

 

ବିଦେଇ ମୁହଁରେ ଭାବ ବଦଳିଗଲା । ଆରମ୍ଭ କଲା, ‘କେଡ଼େ ଅନ୍ୟାଚାର କଥା ଦେଖ-। ଦୁଇଟା ଯୁଆନ ବଅସର ଟୋକି । ତାଙ୍କ ଭିତରେ ଗୋଟାଏ ଭେଣ୍ଡିଆ ମରଦ । ହଁ–ସେ ଜ୍ଞାତି କି କୁଟୁମ୍ବ କିଛି ହେଇଥାନ୍ତା । ଜ୍ଞାତି କୁଟୁମ୍ବ କ’ଣ ମ ! ଚିହ୍ନା ଶୁଣାତ ନାହିଁ । ଏକାବେଳେ ନଈଭିତରୁ ଆଣି ଘରେ ପୂରେଇଛନ୍ତି । ସାଇଭାଇରେ ଏଗୁଡ଼ା–ଛି–ଛି–’

 

କିଏ ଗୋଟାଏ କଥା ମଝିରେ କହିଲା, ଜ୍ଞାତି କୁଟୁମ୍ବ ନୁହ, ତମୁକୁ କିଏ କହିଲା ?

 

‘କିଏ ରେ ତୁ ?’

 

ବିଦେଇ ସ୍ୱାଇଁ ଦାନ୍ତ ରଗଡ଼ିଲା ।

 

–‘ମୁଁ ପଦିଆ–’

 

କହିଦେଇ ପଦିଆ ଖେଁ ଖେଁ ହୋଇ ହସିଲା ।

 

ପଦିଆ ଏଇ ଘାଟର ନାଉରିଆ ।

 

ବିଦେଇ ସ୍ୱାଇଁ କହିଲା, ମଧୁରୁ ବେହିଆଟା, ତୁ ବି ଆସି ଜୁଟିଚୁ ?

 

ସମସ୍ତେତ ଆସିଲେ, ‘ମୁଁ ନ ଆସନ୍ତି କେମିତି ?’

 

‘ନଆସନ୍ତୁ କେମିତି, ଏଠିକି ଆ ।’

 

ପଦିଆ ଯାଇ ବିଦେଇ ପାଖରେ ବସିଲା ।

 

ବିଦେଇ ସ୍ୱାଇଁ ପଚାରିଲା, କ’ଣ କହୁଥିଲୁ ମଧୁରୁ ବେହିଆ ? ସେ ଟୋକାଟା ବାବନାର ଭାରିଯା ଆଉ ଭଉଣୀର କୋଉ ହିସାବରେ କୁଟୁମ୍ବ ?

 

ପୁଣି ପଦିଆ ଖେଁ ଖେଁ ହୋଇ ହସିଲା । ଲମ୍ବେଇ ଲମ୍ବେଇ କହିଲା, ‘ଯୁଆନ ଟୋକାତ ଯୁଆନ ଟୋକିଙ୍କର ସବୁଦିନିଆ କୁଟୁମ୍ବ । ବସିଥିବା ଲୋକଗୁଡ଼ା ପଦିଆ କଥାଶୁଣି ହସି ଉଠିଲେ ।

 

ଖିଙ୍କାରି ଉଠିଲା ବିଦେଇ, ‘ତୁନି ହୁଅବେ । ହସପେଡ଼ି ଫିଟେଇ ଦେଲେ ସବୁକଥା ଶୁଣିଚ ? ଶୁଣିଲେ ଏକାବେଳେ ତାଳୁରେ ହାତ ଦେଇ ବସିବ ।’

 

ହସ ବନ୍ଦ ହୋଇଗଲା । ସମସ୍ତେ ବିଦେଇ ଆଡ଼େ ଚାହିଁ ରହିଲେ ।

 

ମୂଳମଞ୍ଜି କିଏ ଜାଣିଚ ! ସେଇ ବାବନା ଭାରିଯା କୁନ୍ତେଇ ବୁଝିଲ, ମାଇକିନାଟାର ପ୍ରକୃତି ବଡ଼ ଖରାପ । ଯୋଉଦିନୁ ବାବନା ଗଲାଣି, ସେଇଦିନଠୁ ଜାଣେ । କାଲା କି କଣା ତ ହେଇନି । ସବୁ ଦେଖୁଚି–ସବୁ ଶୁଣୁଚି । ଆଉ ମୋ ଜାଣିବାରେ କିଛି ବାକୀ ନାହିଁ । ମାଇକିନାର ବଦମାସୀ ଅନେକ ହେଇଗଲା, ଆଉ ନୁହେଁ ।’

 

ବିଦେଇ କଥାର ଜୋର ବଢ଼ାଇବାରେ ଲାଗିଲା, ମାଇକିନାଟା କ’ଣ ଏକା ! ବାବନା ଭଉଣୀଟାକୁ ବିଗାଡ଼ି ଦେଲାଣି । ସେଇ ଗୋଟାକ ଘର, ବୁଝିଲନା, ସେଇ ଗୋଟାକ ଘର ନଖିପଡ଼ାର ସବୁ ଘରକୁ ବିଗାଡ଼ିବ । ତମେମାନେ ଦେଖ । ବୋଝେ ଫଳ ଭିତରେ ଗୋଟାଏ ପୋଚରା ପଶିଲେ ଯେମିତି ସବୁଗୁଡ଼ା ନଷ୍ଟ ହେବା ଆରମ୍ଭ କରେ, ଠିକ୍ ସେଇୟା ହେବ । ମୋ କଥାଟା ସତ କି ମିଛ ପରୀକ୍ଷା କରି ଦେଖ ।

 

ଆଣ୍ଠୁ ସନ୍ଧିରେ ଓଠଟା ଲଦି ପହଲି ବୁଢ଼ା ବସିଥିଲା । ତା’ ମୁହଁରେ ଯେମିତି ଚାବି ପଡ଼ିଚି-

 

ଏଥର ସେ ତୁଣ୍ଡ ଫିଟେଇଲା । କହିଲା, ‘କ’ଣ ହେଇଛି ବିଦେଇ କୁନ୍ତେଇଟା କ’ଣ କଲା-? କାହିଁକି ଗାଉଁ ଗାଉଁ ହଉଚୁ ?

 

‘କ’ଣ ଆଉ ନ କଲା ଯେ ? ଆଜିଯାଏ ଲୁଚେଇ ଛପେଇ ଚାଲିଥିଲା । ଏଥର ସମସ୍ତଙ୍କ ଆଖିଆଗରେ ପାଲା ଚାଲିଲା ।’

 

ପହଲି ବୁଢ଼ା କହିଲା, ‘କ’ଣ କହୁଚୁ ଏବେ–’ !

 

ଖାଣ୍ଟି–ନିରାଟ ଘାଣ୍ଟି କଥା କହୁଚି ।

 

ଉତ୍ତେଜନାରେ ତଣ୍ଟିର ଶିରଗୁଡ଼ାକ ବାହାରକୁ ବାହାରି ପଡ଼ିଥାଏ । ତାଳୁରୁ ଝାଳ ନିଗିଡ଼ି ପଡ଼ୁଥିଲା । ବିଦେଇ ଗାମୁଛାରେ ଝାଳଗୁଡ଼ା ପୋଛି ପକେଇଲା । ବିଡ଼ି ଖଣ୍ଡେ ଦାନ୍ତରେ ଚାପି ଅଣ୍ଟାରୁ ଡିଆସିଲିଟା ଅଣ୍ଡାଳୁ ଅଣ୍ଡାଳୁ କହିଲା । ନଣ୍ଡାବାବା ବାବନା ଘରକୁ ଯାଇଥିଲେ । କେତେକରି ବୁଝାଇଲେ’ ଘରେ ପୁରୁଷ ଲୋକ ନାହାନ୍ତି । ଗୋଟାଏ ଅଜଣା ଓ ଅଶୁଣା ଲୋକକୁ ଘରେ ରଖିଲେ ଦୁର୍ନାମ ହେବ । ତା’ ଅପେକ୍ଷା ମୋ ସାଙ୍ଗରେ ଯାଇ ମଠରେ ରହୁ । ବାବନା ଭାରିଯା କ’ଣ କହିଲା ଜାଣ ?

 

‘କ’ଣ–କ’ଣ କହିଲା ?’

 

ସମସ୍ତେ ଏକାବେଳେ ପଚାରିଲେ ।

 

‘ସିଧା ନଣ୍ଡାବାବାଙ୍କ ମୁହଁ ବନ୍ଦ କରିଦେଲା । ମାଇକିନା କହିଲା, ମୁଁ ସେ ଲୋକଟାକୁ ଆଣିଚି–ତା’ର ପ୍ରାଣ ରଖିଚି । ତାକୁ ମୁଁ ଛାଡ଼ିବିନି ।’

 

ଟିକିଏ ଚୁପ୍‌ରହି ବିଦେଇ ପୁଣି କହିଲା, ‘ମାଇକିନାଟାର ବହପକୁ ଦେଖ । ତମେ ଯାହା କହିଲେ କହ ପଛେ ମୁଁ ବାବନା ଭାରିଯାକୁ ଛାଡ଼ିବିନି । ନଖିପଡ଼ାର ସମସ୍ତଙ୍କୁ ଡାକି ନିଷାପ ବସେଇବି । ତମେମାନେ କ’ଣ କହୁଚ ।

 

‘ଆମେ ରାଜି ଅଛୁ ।’

 

ସମସ୍ତେ ଏକମତ ହେଲେ ।

 

ତା’ପରେ ବିଦେଇ, ପହଲି ବୁଢ଼ା ଆଡ଼େ ଚାହିଁ ପଚାରିଲା, ‘ତମେ କ’ଣ କହୁଚ ଭାଇ ?’

 

ପହଲି ବୁଢ଼ା କିଛି କହିଲାନି । ତା’ର ଶୁଖିଲା ମୁହଁରେ ଅବୋଧ୍ୟ, ଅଦ୍ଭୁତ ହସଟାଏ ଫୁଟିଉଠିଲା ।

 

ତା’ ମନରେ କ’ଣ ଅଛି କେଜାଣି ?

 

ଧୀରେ ଧୀରେ ଦୋକାନରୁ ଗହଳି ଭାଙ୍ଗିଗଲା ।

 

ବିଦେଇ ପ୍ରଭୃତି ଗୋଟି ଗୋଟି ହୋଇ ଘରମୁହାଁ ଧଇଲେ ।

 

ସେପଟେ ପାଟଳ ନଈଟା ଝାପସା ହେଇଯାଇଚି । ଘାଟ ପାଖରେ କୋଉଠି ଗୋଟାଏ ଲଣ୍ଠନ ଜଳୁଚି । ଝାଉଁଗଛ ଦି’ଟା କଳାଭୂତପରି ମନେ ହେଉଚି ।

 

ଚାରିଆଡ଼ କେମିତି ବିଷର୍ଣ୍ଣ ଭଳି ଦେଖାଯାଉଚି ।

 

ସନ୍ଧ୍ୟା କେତେବେଳୁ ଗଡ଼ିଗଲାଣି ।

 

ଜୁଳୁଜୁଳିଆଗୁଡ଼ା ଛୁଞ୍ଚି ଭଳି ଅନ୍ଧାରରେ ଫୋଡ଼ି ହେଇଯାଉଚି । କାକର ଧରା ପଣ୍ଡା ପବନଗୁଡ଼ା ଉତ୍ତରିଆ ପିଟୁଚି । ମଶାଣୀର ମୁର୍ଦ୍ଦାର ପୋଡ଼ା କୁହୁଳା ଗନ୍ଧଟାଏ ବାରି ହେଉଚି ।

 

ନଈ ଭିତରୁ ଗୋଟାଏ ସରୁ ସ୍ୱର ଶୁଣାଯାଉଚି–

 

ଅଙ୍ଗେ ମୋର ରଙ୍ଗ ଲାଗେ ନାଗର ଲାଗି ଚାହିଁରେ

 

ମନରେ ଫୁଟେ ହଜାରେ ମଲ୍ଲୀ

 

ଚଇତ ଆସେ ଝୁଲିଝୁଲି–ଫଗୁଣ ଯାଏ ଚାଲିରେ

 

କିଏ ସେ କଲା ନାହିଁ ।

 

ପହଲି ବୁଢ଼ା କାନପତେଇ ଶୁଣିଲା । ପଦିଆଟା ଗୀତ ଗାଉଚି । ମନେ ମନେ ସାବାସ ଦେଲା । ପଦିଆଟା ଖାସା ଗାଇପାରେ ।

 

ଦୋକାନ ଖାଲି ।

 

ତାଉ ଚୁଲି ପାଖରେ ବସିଛି ପହଲି ବୁଢ଼ା । ଆଜିର କଥାଗୁଡ଼ାକ ସେ କେବଳ ଭାବିଚାଲିଚି ।

 

ବାବନାର ଭାରିଯା ଆଉ ଭଉଣୀ ନଈ ଭିତରୁ ଗୋଟାଏ ଭେଣ୍ଡିଆ ମରଦକୁ ଆଣି ଘରେ ପୂରେଇଚନ୍ତି । ଭଲ କରିଚନ୍ତି । ନଣ୍ଡାବାବା ତାକୁ ଆଣି ମଠରେ ରଖିବାକୁ ଭାବୁଥିଲେ, ହେଲେ–କାହିଁକି ? କୁନ୍ତେଇ ମନା କରି ଦେଇଚି । ଠିକ୍‌ କରିଛି ।

ବିଦେଇ ସ୍ୱାଇଁ ତିଘିଚି । ନଖିପଡ଼ାର ମୁଣ୍ଡିଆଳମାନଙ୍କୁ ଢାଙ୍କି ନିଷାପ ବସେଇବ ବାବନା ଭାରିଯା ନାଆଁରେ । ଲୋକଟା ବଡ଼ ହିଂସକୁଡ଼ିଆ । ପର କଥାକୁ ପେଟରେ ନ ଘାଣ୍ଟିଲେ ତା’ର ଭାତ ହଜମ ହୁଏନି । ହଉ ଯାହାକରୁଚି କରୁ ।

ତା’ରତ କିଛି ଯାଉନି କି ଆସୁନି ।

ଓରଧରି ତା’ର ନଗଦ ଦି’ପଇସା ବ୍ୟବସାୟ ହେଇଚି । ନଗଦ ଅଢ଼େଇ ଟଙ୍କା ବିକ୍ରି ହେଇଗଲା । କମ୍‌ ନୁହେଁ ତ ।

ମନଟା କେମିତି ଟିକିଏ ହାଲୁକା ଅଛି । ହାଲୁକା ମନକୁ ସିଧା ଛାଡ଼ି ଦେବାଟା ପହଲି ବୁଢ଼ା ଠିକ୍‌ ମନେକଲାନି । ସିଲଭର୍‌ ମଗର ପଛରେ ଢାଳଦେଇ ଆରମ୍ଭ କରିଦେଲା–

ସୁନାମୁହିଁ ଚୁନାବାଳେ ନାଇଚିରେ କିଲିପି

 

ରୁପା ଖଣ୍ଡେ ପାଇଚିରେ ସୁନାଝଣା ଜିଲିପି ।

 

ସିରାଭରା ଗିରାଵଟା……

 

ବାରଣ୍ଡା ଖୁଣ୍ଟକୁ ଆଉଜି କପିଳ ବସିଥିଲା ।

 

ଆଖିଆଗରୁ କାର୍ତ୍ତିକର ଖରା ଲିଭି ଆସୁଚି ।

 

ମଠର ମଥାନଟା ଝାପସା ହେଇଯାଉଚି ।

 

ଆକାଶ ଆଡ଼େ ଚାହିଁଥିଲା କପିଳ ।

 

ଦଳେ ବସା ବାହୁଡ଼ା ପକ୍ଷୀ କିଚିରି ମିଚିର୍ ହେଇ ନଈ ଆଡ଼େ ଉଡ଼ି ଯାଉଛନ୍ତି । ପକ୍ଷୀଙ୍କ ପଛେ ପଛେ କପିଳର ଆଖି ଯୋଡ଼ାକ ଧାଇଁ ଚାଲିଚି । ଶେଷରେ ଦୂର ଅନ୍ଧାର ଭିତରେ ପକ୍ଷୀଗୁଡ଼ାକ କୁଆଡ଼େ ଛପିଗଲେ ।

 

ମୁହଁ ବୁଲେଇଲା କପିଳ ।

 

ପାଉଁଶଗଦା ପାଖେ ବସି ବାବନା ମାଆ ଗୋବର ସଜାଡ଼ୁଚି । ଆଉ ମନକୁ ମନ ଭୁଟୁରୁ ଭୁଟୁରୁ ହେଉଚି । କ’ଣ କରୁଚି–ତାକୁଇ ଜଣା ପାକୁଆ ପାଟିରେ ତା’ର ହସକାନ୍ଦ ସବୁ ସମାନ ।

 

ଅଳସ ଆଖିରେ କପିଳ ଚାହିଁଥିଲା । ନିଜକଥା ଭାବୁଥିଲା ।

 

ଦି’ଦିନ ଆଗରୁ କୋଉଠି ଥିଲା, ଆଉ ଆଜି କୋଉଠି ପହଞ୍ଚିଚି । ବର୍ଷା ହେଇ ନଈରେ ପାଣିତୋଡ଼ ନ ହେଇଥିଲେ ସେ କ’ଣ ଏଠି, କୁନ୍ତେଇ ପ୍ରଭୃତିଙ୍କ ଘରେ ଆସି ଆଶ୍ରୟ ପାଇଥାଆନ୍ତା-?

 

ହଠାତ୍‌ ଗୋଟାଏ ଅନ୍ୟଭାବନା କପିଳ ମୁଣ୍ଡରେ ପଶିଲା ।

 

କେବଳ କ’ଣ ଏଇଥରକ, ଆଉ କେତେଥର, ଯେ ସେ ଏମିତି ଦୁର୍ଘଟଣା ଭିତରେ ଦେଇ ଗତି କରିଛି, ସେ ହିସାବ କିଏ ରଖିଚି । ଗତିପଥରେ ସେ ଯଦି ଆକସ୍ମିକ ନ ଖୁଣ୍ଟିବ ତେବେ ଏଠି ସେଠି ଆଶ୍ରୟ ପାଇବ କେମିତି ?

 

ଜୀବନସାରା ଖୁଣ୍ଟିବାର ବିରାମ ନାହିଁ କି ଆଶ୍ରୟର ଅଭାବ ନାହିଁ ।

 

ହଠାତ୍‌ ମନଭିତରୁ ଚିନ୍ତାଟା ଛିଣ୍ଡିଗଲା ।

 

ପାଉଁଶଗଦା ପାଖ ଦେଇ ଗୋଛାଏ ଖଜୁରୀ ଡାଳ କୁନ୍ତେଇ ଆଉ ସୁଲେଇ ଘୋସାରି ଘୋସାରି ଆଣୁଚନ୍ତି ।

 

କଞ୍ଚା ଖଜୁରୀ ଡାଳ, ନଗଦ କୋଉ ଗଛରୁ କଟା ହୋଇଆସିଚି ।

 

ଦୁଆର ପାଖରେ ଡାଳଗୁଡ଼ିକ ଗଦେଇ ଦେଇ କୁନ୍ତେଇ ଆଉ ସୁଲେଇ ଆସି ବାରଣ୍ଡା ଉପରେ ବସିଲେ ।

 

ବାବନା ମାଆ ମୁହଁବୁଲେଇ ଥରେ ଡାଳଗୁଡ଼ାକ ଆଡ଼େ ଚାହିଁଲା । ତା’ପରେ ସେ ଗୋବର ଚକଟିବାରେ ଲାଗିଗଲା ।

 

ଅଙ୍କୁଡ଼ିରେ ଦାଆ ବାନ୍ଧି ଗଛରୁ ଡାଳକାଟିବା ଯୋଗୁଁ କୁନ୍ତେଇ ଆଉ ସୁଲେଇ ଝାଳନାଳ ହୋଇଯାଇ ଥାଆନ୍ତି । ଲୁଗା କାନିରେ ଦୁହେଁ ଝାଳ ପୋଛିବାରେ ଲାଗିଗଲେ ।

 

ଚୁପ୍‌ ଚାପ୍‌ ! କାହାରି ମୁହଁରେ କଥା ନାହିଁ ।

 

ଟିକିଏ ଦମ୍ଭ ହେବାପରେ କୁନ୍ତେଇ ଡାକିଲା, ‘ ହଇ ହେ–’

 

‘ଓ–’

 

କପିଳ ଟିକିଏ ସଳଖିହେଇ ବସିଲା । କହିଲା, ‘କ’ଣ କହୁଚ ?’

 

ଏମିତି ପାଟି ବନ୍ଦ କରି ବସିଛ କାହିଁକି ?

 

‘ପାଟି ବନ୍ଦ କରି କ’ଣ ? କଥାବାର୍ତ୍ତା କରୁଚି ପରା !’

 

କପିଳ କହିବାରେ ଲାଗିଲା, ‘ଡାଳଗୁଡ଼ା କାଟିଆଣିଲ ବୋଧହୁଏ ?

 

‘ଆଉ କିଛି ପଚାରିବାକୁ ନଥିଲା ?’

 

କୁନ୍ତେଇ କେମିତି ଟିକିଏ ତେରେଛେଇ ଚାହିଁଲା ହସିଲା ।

 

କପିଳ ଚୋରାଚାହାଣୀ ପକେଇ ଦେଖିଲା, ଓଠ ଚିପି ଚିପି ସୁଲେଇ ଗୋଟାଏ ଉଛୁଳା ହସକୁ ମାଡ଼ିବସିଛି । ହସ ଲାଗୁଥିଲେବି ସେଇଟା ପଦାରେ ପକାଇବା ତା’ର ଇଚ୍ଛା ନୁହେଁ ।

 

କୁନ୍ତେଇ କହିଲା, ‘କ’ଣ କହୁଥିଲି କି–’

 

‘କହ ।’

 

‘କହୁଚି ।’

 

ଗୋଟାଏ ଭାବନାରାଜ୍ୟ ଭିତରେ କୁନ୍ତେଇ ଯେମିତି ପଶିଗଲା, ତା’ର କପାଳର ଶିରାଗୁଡ଼ା ତା’ର ପ୍ରମାଣ ଦେଉଥିଲା । କିଛି ସମୟ ପରେ କହିଲା, ‘ଆମର ଘରଦ୍ୱାର ତ ଦେଖିଲ-?’

 

‘ଦେଖିଲିତ ।’

 

‘ହଁ, ରଜାଘର ନୁହେଁ, ଶହେ ପଚାଶକି ଦଶ ବାର ଭରଣ ପଶୁନି । ମୁଣ୍ଡ ଗୁଞ୍ଜିବାକୁ ଖାଲି ଏ ଚାଖଣ୍ଡକ ଛଡ଼ା ଆଉ କିଛି ନାଇଁ ।’

 

ଏଥର ସିଧା କପିଳ ଆଡ଼େ ଚାହିଁ କୁନ୍ତେଇ କହିବାରେ ଲାଗିଲା, ‘ସୁଲେଇର ଭାଇ ଘରେ ଥିଲେ ଆମର ଏତେ ଅବସ୍ଥା ହୋଇ ନଥାନ୍ତା । ଟିକିଏ ରହି ପୁଣି କହିବାରେ ଲାଗିଲା, ସେତ ନାହିଁ, ସେ କଥା ପକେଇ ଆଉ କ’ଣ ମିଳିବ ?

 

କପିଳ ମୁହଁ ଫିଟେଇ କିଛି କହିଲାନି ।

 

କୁନ୍ତେଇ ପୁଣି କହିଲା, ସ୍ଵରଟା ତା’ର କେମିତି ଗାଡ଼ ଶୁଣାଯାଉଥିଲା, ‘ଘରେ ମରଦ ବୋଲି କେହି ନାହିଁ । ବର୍ଷପରେ ବର୍ଷ ଆମେ ତିନି ତିନିଟା ତିରିଲାଲୋକ କେମିତି ଯେ ପେଟକୁ ଦାନା, ପିଚାକୁ କନା ଯୋଗାଡ଼ କରିଚୁ, ସେ କଥା ଭଗବାନ ଏକା ଜାଣନ୍ତି । ସେଥେରେ ପୁଣି ଗାଁସାରା ଦୁର୍ନାମ । ଯୋଉଠିକି ଯିବ ସେଇଠି ଚାଲିବ ଆମ ନାଆଁରେ ଭୁଟର ଭାଟର, ଫୁସୁରୁ ଫାସର । ସମସ୍ତଙ୍କ ଆଖିରେ କଣ୍ଟାହେଇ ଚଳୁଚୁ ।’

 

‘କାହିଁକି, ତମର ଦୋଷ କ’ଣ ?’

 

ଆଶ୍ଚର୍ଯ୍ୟ ହୋଇ କପିଳ ଚାହିଁ ରହିଲା କୁନ୍ତେଇ ଆଡ଼େ ।

 

ହଠାତ୍‌ ପାଉଁଶ ଗଦା ପାଖରୁ ବାବନା ମାଆ କୁରୁକୁରୁ ହୋଇ ହସି ଉଠିଲା । କ’ଣ ଭାବି ହସିଲା, ସେ କଥା ତା’କୁଇ ଜଣା ।

 

ହସ ଶୁଣି କପିଳା ଚମକି ପଡ଼ିଲା ।

 

କୁନ୍ତେଇ ଟିକିଏ ହସିଲା । କପିଳର ମନେହେଲା ସେ ଛୋଟ ହସରେ ଯେମିତି ଅସରନ୍ତି କାନ୍ଦଣା ମିଶିରହିଚି ।

 

କେମିତି ଟିକିଏ ଲାଖିଲା ଲାଖିଲା ଗଳାରେ କୁନ୍ତେଇ କହିଲା, ଦୋଷତ କିଛି ନାହିଁ, କାହିଁକି ନିଆଁ ଲଗାଗୁଡ଼ା ଏମିତି ହୁଅନ୍ତି ସେକଥା ତା’ଙ୍କୁଇ ଜଣା । ଆମ ଦୁଃଖରେ ଆମେ ପଡ଼ିଚୁ–କାହାରି ନାଆଁରେ ଖଚ କି ଚୁଗୁଲି ନାଇଁ–’

 

କୁନ୍ତେଇ ମୁହଁର ଠିପି ଯେମିତି ଖୋଲି ଯାଇଚି । ଅପବାଦ ଧକ୍‌କାରେ ତା’ ମୁହଁରେ ଅନେକ ଦିନ ହୋଇ ଗୋଟାଏ ମୋଟା ବୋର ବସିଯାଇଥିଲା । କ’ଣ ଗୋଟାଏ ସୁଯୋଗରେ ସେଇଟା ଯେମିତି ଆଜି ତାଡ଼ି ହେଇଯାଇଚି । ଦିନ ଦିନ ଧରି ତା’ ପେଟଭିତରେ କେତେ କଥା ଯେ ସାଇତା ହେଇ ରହିଚି, କିଏ ତା’ର ହିସାବ ରଖୁଚି ?

 

ସ୍ୱାମୀ ଗଲାଦିନଠାରୁ କୁନ୍ତେଇ ମୁହଁ ବୁଜି ବସିଚି । ଦୁଃଖରେ ଦୁଃଖରେ ଛାତିଟା ଯେତେବେଳେ ଫାଟି ଚାରିଚିରୁଡ଼ା ହେଇଯାଇଚି, ଯେତେବେଳେ ମନଭିତରେ ହଜାର ହଜାର ସାତ ଫେଣିଆ କଣ୍ଟା ଫୁଟିଯାଇଚି, ସେତେବେଳେ ପାଖରେ ଏମିତି କେହି ମଣିଷ ନାହିଁ ଯାହାକୁ ମନକଥା କହି ଓରମାନ କୋହ ମେଣ୍ଟାଇ ନବ ।

 

ଆଜି ତା’ର ସେଇ ବୁଜିଲା ମୁହଁ ଫିଟିଚି ।

 

ଯେତେ ଦୁଃଖର ଚିଆଁରେ ମନ ଜାଗିଲା ହେଇଚି । ସେସବୁ ସେ ଆଜି ଦେଖେଇ ଦେବ ଯେମିତି । ନ ହେଲେ ତା’ର ସଂସାରର ଦୁଃଖ ତା’ ତାଡ଼ନାର କାହାଣୀ ଫେଡ଼ି ସେ କପିଳ ଆଗରେ ଖୋଲି ଧରନ୍ତା କାହିଁକି ।

 

କୁନ୍ତେଇ କହିବାକୁ ଲାଗିଲା, ଢୋକେ ପିଇ ଖଣ୍ଡେ ଗୁଡ଼େଇହବା ପାଇଁ ସୁଲେଇ ମୁଁ ଆଉ ଶାଶୁବୁଢ଼ୀ କ’ଣ ବା ନ କରିଚୁ ! ଖରାରେ ତରାରେ ବୁଲି ଖଜୁରୀ ଡାଳକାଟି ପଟି ବୁଣିଚୁ । ଗୋବର ଗୋଟେଇ ଘସି ପକେଇଚୁ । ବଜାର ହାଟରେ ତା’କୁଇ ବିକି ଯାହା ମିଳିଚି ସେଇଥିରେ ଢୋଳ ସମ୍ଭାଳିଚୁ । ଆଉ ଯେ କେତେ କ’ଣ–

 

କହୁ କହୁ କୁନ୍ତେଇ ହଠାତ୍‌ ଥମିଗଲା ।

 

‘କହୁନ, କ’ଣ କହୁଥିଲ–’

 

କପିଳ ପଚାରିଲା ।

 

‘କହିବି, ସବୁ କହିବି । ଏଇ ଘରେତ ଆସି ରହିଚ, ଗୋଟି ଗୋଟି ସବୁ ଶୁଣିବ । କିଛି ବାକୀ ରହିବନି । ପାଇଟି କେତେ ପଡ଼ିଚି, ଏତେଦିନର କଥା କ’ଣ ଏକାଦିନକେ ସରିବ ।’

 

ବାରଣ୍ଡା ଉପରୁ ଉଠୁଉଠୁ କୁନ୍ତେଇ କହିଲା, ‘ସଞ୍ଜ ହୋଇଗଲା । ବତୀ ଜଳେଇବାକୁ ହେବ ।’

 

ମଠ ସେପଟେ ସୂର୍ଯ୍ୟଟା କେତେବେଳୁ ଛପିଗଲାଣି । ଆକାଶ ଛାତିଟା କେମିତି ପାଉଁଶିଆ ଧରିଗଲାଣି ।

 

କୁନ୍ତେଇ ଘରଭିତରେ ପଶିଲା । ତା’ ପଛେ ପଛେ ସୁଲେଇ ମଧ୍ୟ ଗଲା ।

 

ଦିନଯାକର ତୋଫା ନେଳୀ ବାଇଗଣୀ ରଙ୍ଗ ଛାଡ଼ି ଆକାଶଟା କେମିତି ଛାଇଆ-ମଳିଚିଆ ଦେଖାଯାଉଚି । ଅମୃତଭଣ୍ଡା ଡାଳରେ ମେଞ୍ଚାଏ ଧୂଆଁଳିଆ କୁହୁଡ଼ି ଜମି ଉଠିଲାଣି ।

 

ଛପଛପିକିଆ ଅନ୍ଧାରରେ ବାବନା ମାଆକୁ ଦେଖିହେଉନି । ପାଉଁଶ ଗଦା ପାଖେ କୁଳାହେଇ ବସି ସେ ଗୋବର ଚକଟିବାରେ ଲାଗିଚି ।

 

କାର୍ତ୍ତିକ ଆସିବାର ବେଶିଦିନ ହୋଇନି । ୟାରି ଭିତରେ ପବନଟା ଥଣ୍ଡାଧରି ଓଜନିଆ ଜଣାପଡ଼ୁଚି । ଏତେବେଳଯାଏ ପବନଟା ଖୁଲେଇ ଖୁଲେଇ ବୋହୁଥିଲା । ହଠାତ୍‌ ସେଇଟା ଧରି ଚାଲିଚି ।

 

ଲୁଗାକାନିଟା କପିଳ ଭଲ କରି ଦେହରେ ଗୁଡ଼େଇ ନେଲା ।

 

ପାଉଁଶିଆ ଆକାଶଟା ଧୀରେ ଧୀରେ କାଳିଚିଆ ଧରି ଯାଉଚି ।

 

ଅନେକ ଦୂରରେ ମଠ ସେପାଖେ ଜୁଳୁଜୁଳିଆ ପରି କ’ଣ ଗୋଟାଏ ଦେଖାଯାଉଚି, ବୋଧହୁଏ ସଞ୍ଜୁଆ ତାରାଟାଏ ମିଟି ମିଟି କରୁଛି ।

 

ସେପଟ ବରକୋଳି ଗଛ ଦେହରେ ମେଞ୍ଚା ମେଞ୍ଚା ଅନ୍ଧାର ଲାଗିଗଲାଣି । ମୂଳରୁ ଗୋଟି ଗୋଟି କରି କପିଳ ନିଜ ଜୀବନ କଥା ଭାବି ଚାଲିଗଲା ।

 

କୋଉଠି ଥିଲା, କୋଉଠି ଆସିଚି, ବାପ, କିଏ ମାଆ କିଏ, ବର୍ଣ୍ଣ ଗୋତ୍ର କିଛି ଠିକଣା ନାଇଁ । ଯୋଉ ଦିନଠୁ ଜ୍ଞାନହେଲା-ବୁଦ୍ଧି ହେଲା ସେଇ ଦିନଠୁ ସେ ଵୁଲୁଚି । ପରଘରକୁ ଆପଣା ଘର କରିଚି । ପରବାପକୁ ବାପ ବୋଲି ମଣିଚି, ପର ମାଆକୁ ମାଆ ବୋଲି ଡାକିଚି । ଏଠିସେଠି ରହଣି ଭିତରେ ତା’ର ଭାଇ ବାପା ପ୍ରଭୃତି କେତେ ସମ୍ପର୍କ ସୃଷ୍ଟି ହେଇଚି ତା’ର ହିସାବ ଆଜି ଆଉ ମନେପଡ଼ୁନି । ଯାହା ଯାଇଚି, ସେ ଯାଇଚି ।

 

ପିଛିଲା ହିସାବ ଫର୍ଦ୍ଦ ଦେଖିବା କପିଳ ଜାତକର ବାହାରେ । ସେସବୁ ପୁରୁଣା ବହୁତ ଦୂରର କଥା । ରାତିର ସ୍ୱପ୍ନ ଭଳି ସକାଳକୁ ଉଭେଇ ଯାଇଚି । ଖୁବ୍‌ କମ୍ ମନେପଡ଼େ । କିନ୍ତୁ ସେ ଭାବୁଚି । ମନେପକେଇବାକୁ ଚେଷ୍ଟା କରୁଚି ।

 

ମନକୁ ମନ ହସିଲା କପିଳ ।

 

କାହିଁକି ସେ ଚେଷ୍ଟା କରୁଚି ! ନିଜର ବୋଲି ତା’ର କିଏ ଅଛି । ଯିଏ ଦିନେଓଳିକ ପାଇଁ ନିଜର ତାଙ୍କୁତ ସେ ସବୁଦିନେ ମନେରଖିପାରିବନି ସେମିତି ମନ ତା’ ଭିତରେ କାଇଁ, କୋଉଠି ଅଛି ।

 

ଭାବନା ଅଳିଆ ଭିତରୁ ନିଜକୁ ଝାଡ଼ିବାକୁ ଯାଇ କପିଳ ଗୁଣୁ ଗୁଣୁ ହୋଇ ସ୍ୱର ଧରିଲା–

ଏ ଘୋର ସଂସାରରେ ମୋର ବୋଲିବାକୁ

କିଏ ଅବା ଜଣେ ଅଛି

କା ଲାଗିରେ ମନ ସନ୍ତୁଳି ମରୁଛୁ

ନପାରୁ ତିଳେ ମରୁଚି ।

ରେ ମନ–

ଭାବି ଭାବି ଯିବୁ ସଢ଼ି

ଅଢ଼େଇ ଦିନିଆ ବଡ଼େଇ ତୋ ଖେଳ

ଯାଇଚୁ ସେ କଥା ହୁଡ଼ି ।

ମନରେ–ଏ ଏ ଏ,

ଆଖି ବୁଜି କପିଳ ସ୍ୱର ବଢ଼େଇ ଦେଇଚି ।

ହଠାତ୍‌ ପିଠି ଉପରେ କାହାର ଗୋଟାଏ ଥଣ୍ଡା ହାତ ଲାଗିଲା ସ୍ୱରଟା ପଡ଼ିଉଠି ବନ୍ଦ ହେଇଗଲା ।

ବାବନା ମାଆ କେତେବେଳେ ପାଉଁଶ ଗଦା ପାଖରୁ ଉଠି ଆସିଚି । ତା’ର କାକରିଆ ହାତରେ ଥରିଲା ଥରିଲା, ଆଙ୍ଗୁଠିଗୁଡ଼ା କପିଳ ପିଠିସାରା ବୁଲୁଚି ।

ପିଠିଟା କେମିତି ସଲ ସଲ ଲାଗୁଚି । ଚମକିପଡ଼ି କପିଳ ମୁହଁ ବୁଲେଇଲା ।

ପାକୁଆ ପାଟିରେ ବାବନା ମାଆ କୁରୁ କୁରୁ ହୋଇ ହସି ଉଠିଲା । ସେ ହସରେ ବୁଢ଼ୀର ଚମ ଧୁଡ଼ୁ ଧୁଡ଼ୁ ଦଦରା ଦେହଟା ଥରିଉଠିଲା ।

 

କପିଳ ଦୁଇଦିନ ହେଲା ଏଠି ଆସି ରହିଲାଣି । ଏତେବେଳଯାଏ ସେ ବାବନା ମାଆ ସଙ୍ଗେ ପଦେହେଲେ କଥାବାର୍ତ୍ତା ହୋଇ ନାହିଁ ।

 

ବାବନା ମାଆକୁ ଆଶ୍ଚର୍ଯ୍ୟ କପିଳ ଚାହିଁ ରହିଲା ।

 

ମୁହଁର ଶୁଖିଲା ଚମଡ଼ାଗୁଡ଼ା ଲୋଚା ଧରି ଗଲାଣି । କଙ୍କଡ଼ା ଗାତଭଳି ଦୁଇଟା ଗାତ ଦେହରେ ପେଜୁଆ ଆଖି ଦୁଇଟା ଜୁଳୁଜୁଳୁ ହେଉଚି । ଅଲରା ଝୋଟଭଳି ବାଳ ପୁଚାଏ ଫୁର୍‌ ଫୁର୍‌ ଉଡ଼ୁଚି । ବାବନା ମାଆକୁ ଦେଖି ଛାତି ଭିତରଟା କେମିତି ଟିକିଏ ଝିମି ଝିମି ହୋଇ ଉଠିଲା ।

 

ବାବନା ମାଆ କିଛି କହିବାକୁ ଭାବୁଚି ବୋଧହୁଏ । ଶୁଣିବା ପାଇଁ କପିଳ ଅପେକ୍ଷା କରି ରହିଲେ ।

 

ଅନେକ ସମୟ କଟିଗଲା । କିନ୍ତୁ ବାବନା ମାଆ କିଛି କହିଲାନି । କପିଳ ପିଠିରେ ହାତଟା ରଖି ଠିଆ ହୋଇରହିଲା ।

 

କ’ଣ ଭାବିଲା କେଜାଣି । କପିଳ ପିଠିରୁ ହାତଟା କାଢ଼ିନେଇ ପାଉଁଶ ଗଦା ଆଡ଼େ ଚାଲିଗଲା ।

 

ରାତି ବଢ଼ି ଚାଲିଚି ।

 

ଗୋଟାଏ ଡିବିରି ଜଳେଇ କୁନ୍ତେଇ ଚଉକାଠ ଉପରେ ଶୋଇଲା । କିରାସିନିଗୁଡ଼ା ମାଠିଆ । ଡିବିଟାରୁ ଯେତିକି ଆଲୁଅ ନ ବାହାରୁଛି ତା’ ଅପେକ୍ଷା ଅଧିକ ଧୂଆଁ ବାହାରୁଚି । ଡିବିରି ଆଲୁଅଟା କିଟିକାଟିଆ ଅନ୍ଧାରକୁ ଆଡ଼େଇବା ପାଇଁ ମୋଟେ ସମର୍ଥ ହେଉନି । କେମିତି ଗୋଟାଏ ଝପ୍‍ସା ଆଲୁଅ, ସ୍ପଷ୍ଟ କିଛି ଦେଖିହେଉନି ।

 

କୁନ୍ତେଇ କହିଲା, ‘ଗୋଡ଼ ହାତ ଧୋଇ ଆସ ।’

 

‘କାହିଁକି ?’

 

‘ଦେଖମ ରିତି ! ଲାଟସାହେବ ଘର ହେଇଚି କି ରାତିସାରା ପଞ୍ଚୁ ଲାଇଟ୍ ଜଳୁଥିବ ।’

 

‘ଓ’ !

 

ଚୁପ୍‌ଚାପ୍ ଖୁଣ୍ଟକୁ ଆଉଜି କପିଳ ବସିରହିଲା । ଉଠିଯାଇ ଗୋଡ଼ ହାତ ଧୋଇଲା ଭଳି ଲକ୍ଷଣ ଦେଖାଗଲାନି ।

 

କୁନ୍ତେଇ ଟିକିଏ ଚଢ଼ାଗଳାରେ ପଚାରିଲା, ‘କ’ଣ ହେଲା ! ବସିରହିଲ ଯେ !’

 

ଏତେ ତର ତର କାହିଁକି ?

 

‘ପଚାରୁଛ କ’ଣମ । କହିଲି ପରା–ଘରେ ଆଉ ଡିବିତେଲ ନାଇଁ । ଏଇ ଡିବିରି ଦେହରେ ଯୋଉ ଟୋପାକ ଅଛି–ସେତିକି । ଚଞ୍ଚଳ ଗୋଡ଼ ହାତ ଧୋଇ ନ ଆସିଲେ, ଅନ୍ଧାରରେ ଖାଇବାକୁ ପଡ଼ିବ ହେଲା ?’

 

‘ବୁଝିଲି’

 

ବିବ୍ରତହୋଇ କପିଳ ଉଠିଗଲା ।

 

ଘର କଡ଼କୁ ଲାଗି ଛୋଟ ଚବକା ଟାଏ । ଚବକାରୁ ଗୋଡ଼ ହାତ ଧୋଇ କପିଳ ଯେତେବେଳେ ଫେରିଲା, ସେତେବେଳକୁ ଡିବିରିଟାର ତେଲ ମରି ମରି ଆସିଲାଣି । ଘୋଳ ଘୋଳିଆ ଧୂଆଁ ଉଠୁଚି । ଯୋଉ ଅନ୍ଧାର ଟିକକ ପାଖେଇ ହେଇଯାଉଥିଲା, ସେତକ ପୁଣି ମାଡ଼ି ଆସିଲାଣି ।

 

ବାରଣ୍ଡା ଉପରେ କୁନ୍ତେଇ ଛିଣ୍ଡା ଚଟେଇଟା ପକେଇ ଦେଲା । କପିଳ ତା’ ଉପରେ ବସି ଗାମୁଛାରେ ଗୋଡ଼ ହାତ ପୋଛିବାରେ ଲାଗିଲା ।

 

ଗୋଟାଏ ଫଙ୍ଗଲୋଚା ଦଦରା କଲେଇ ଥାଳିରେ ଗଣ୍ଡାଏ ଦରଫୁଟିଲା ଭାତ । ତା’ କଡ଼ରେ ପେଜମିଶା କାଳିଚିଆ ଡାଲି ଡଙ୍କାଏ, ଆଉ ତେଲ ବିହିନ ଅବଘରା କଳମ ଶାଗ ସିଝା ମେଞ୍ଚାଏ, କପିଳ ଆଗରେ ଆଣି କୁନ୍ତେଇ ଥୋଇଲା ।

 

ଡିବିରି ଆଲୁଅଟା ଦି’ଥର ଧକ୍ ଧକ୍ ହେଲା । ମୁଣ୍ଡରେ ଧରି ଆସିଥିବା ଗଲଗୁଡ଼ା ଫୁଟ୍ ଫାଟ୍ ଫୁଟୁଚି । ଯୋଉ ଟିକିଏ ମିଞ୍ଜି ମିଞ୍ଜି ଆଲୁଅ ମିଳୁଥିଲା, ହଠାତ୍ ଦମକାଏ ଉତ୍ତରା ପବନ ଆସି ସେତକ ଲିଭେଇ ଦେଲା ।

 

ଏଇଲେ ନିରାଟ ଘୁଳୁଘୁଳିଆ ଅନ୍ଧାର ।

 

କୁନ୍ତେଇ କହିଲା, ‘ଗଲା ଗଲା ନିଆଁଲଗା ଡିବିରିଟା ଲିଭିଗଲା । ହଉ ଭଲ ହେଇଚି ଯେତିକି ବଳକା ରହିଲା, ସେଥିରେ କାଲି କୃତ୍ୟ ଚଳିବ । ନା କ’ଣ କହୁଚ ?’

 

କପିଳ କହିଲା, ‘ସେ କଥା ସତ–’

 

‘ମାଛ ତରକାରୀ ହେଇନି ଯେ କଣ୍ଟା ବାଛିବାକୁ ପଡ଼ିବ । ତଣ୍ଟିରେ କଣ୍ଟା ଲାଗିବା ଭୟ ନାଇଁ । ଡାଲି ଭାତ ସବୁ ଗୋଳେଇ ପୋଳେଇ ଘଣ୍ଟିକା ପାଖରେ ଛାଡ଼ି ଦେଲେ ସିଧା ଯାଇ ପେଟରେ ପହଞ୍ଚିଯିବ ।’

 

କହୁ କହୁ କୁନ୍ତେଇ ହସି ଉଠିଲା ।

 

କିଛି ସମୟ ସମସ୍ତଙ୍କର ମୁହଁ ବନ୍ଦ ।

 

କୁନ୍ତେଇ ଆରମ୍ଭ କଲା, ‘ନଣ୍ଡାବାବା ତମକୁ ନେଇଯିବା କଥା କହୁଥିଲେ, ସେତେବେଳେ ତମୁକୁ ଛାଡ଼ି ଦେଇଥିଲେ ଭଲ ହେଇଥାନ୍ତା ।’

 

‘କାହିଁକି ?’

 

ଅନ୍ଧାରରେ ଚମକି ପଡ଼ି କପିଳ ଚାହିଁଲା ।

 

‘ଏଠି ତମର ବଡ଼ ଅସୁବିଧା ହେଉଛି ଖାଇବାରେ ଅସୁବିଧା । ରହିବାରେ ଅସୁବିଧା । ନଣ୍ଡାବାବାଙ୍କ ସାଙ୍ଗେ ଯାଇଥିଲେ ସରୁ ଭାତ, ପକ୍‌କା ପିଣ୍ଡାରେ ଶୋଇବା ସବୁ ମିଳି ଥାଆନ୍ତା ।’

 

‘ଓ–ମଠରୁ ଖାଇ ଖଟରେ ଶୋଇବା କଥା କହୁଚ ।’

 

କପିଳ ଟିକିଏ ହସିଲା । ତା’ପରେ ଗୁଣ୍ଡାକ ପରେ ଗୁଣ୍ଡା ଗାଉଁ ଗାଉଁ କରି ଡାଲିଗୋଳା ଭାତ ଖାଇବା ଆରମ୍ଭ କରିଦେଲା ।

 

ପୁଣି କିଛି ସମୟ ପରେ ଚୁପ୍‌ଚାପ୍‌ କଟିଗଲା । କାହାର ମୁହଁରେ କଥା ନାହିଁ । ଅନ୍ଧାର ଘରଟା ଭିତରେ ପଶି ସୁଲେଇ କ’ଣ ଖଡ଼ ଖଡ଼ କରୁଚି, ସେଇ ଜାଣେ । ବାବନା ମାଆର ଏଯାଏ ଗୋବର ଚକଟା ସରିନି ।

 

କପିଳ ଖାର ଖାଉ ଅନୁଭବ କଲା, କୁନ୍ତେଇ କିଛି ଗୋଟାଏ କହିବାକୁ ଇଚ୍ଛା କରୁଚି । ମନେ ମନେ ସେ ହୁଏତ ସେ କଥା କହିବକି ନାଇଁ ବୋଲି ଭାବୁଚି ।

 

କପିଳ ପଚାରିଲେ, ‘କ’ଣ ମତେ କିଛି କହିବ ।’

 

କୁନ୍ତେଇ ଥଙ୍ଗ ଥଙ୍ଗ ହେଇଗଲା । କେମିତି ଗୋଟାଏ ଥରିଲା ଥରିଲା ସ୍ୱରରେ କହିଲା, ‘କହିବି ଯେ ହେଲେ–’

 

କପିଳ ହସିଲା । କହିଲା, ‘କ’ଣ ଆଉ ହେଲେ, ଯାହା କହିବ ବୋଲି ଭାବୁଚ କହୁନ କାହିଁକି ?

 

‘ହଁ କହୁଚି ।’

 

କୁନ୍ତେଇ ଏଥର ନିଜକୁ ସଜାଡ଼ି ନେଇଚି । ଆସ୍ତେ ଆସ୍ତେ ସେ କହିବାକୁ ଲାଗିଲା । ‘ନଈ ଭିତରୁ ମଲା ମୁହଁରୁ ତୁମକୁ ଆଣି ବଞ୍ଚେଇଛି ।’

 

‘ସେଇଟାତ ସତ କଥା ।’

 

‘ତମ ଉପରେ ଷୋଳପଣ ଜୋର ଖାଟିବା କଥା ।’

 

‘ଅଲବତ୍ ।’

 

‘ସେଇୟା କହୁଥିଲି, ଯେତେଦିନଯାଏ ତମକୁ ଏଠୁ ନ ଛାଡ଼ିଚି, ସେତେଦିନଯାଏ ତମେ ଯାଇପାରିବନି । କ’ଣ ବୁଝିଲତ ?’

 

କୁନ୍ତେଇର ଗଳଟା ଗାଢ଼ ମନେହେଉଥିଲା ।

 

‘ହଉ ହେଲା, ଯିବିନି ।’

 

ତା’ ହେଲେ ଏଇ କଥା ରହିଲା ?’

 

ମନ୍ତ୍ର ପଢ଼ିଲା ଭଳି କପିଳା, ‘ହଉ ତମରି କଥା ହେଲା ।’

 

‘ତମେ ମରଦ ପିଲା, ତମ କଥାରେ ବିଶ୍ୱାସ କ’ଣ ଅଛି ? ଘଡ଼ିକେ ଘୋଡ଼ା ଛୁଟେଇ ଦେବ ।’

 

‘ତା’ ହେଲେ ତୁମେ କୁହ, କ’ଣ କଲେ ବିଶ୍ୱାସ ହେବ ?’

 

କିଛି ସମୟ କୁନ୍ତେଇ କ’ଣ ଯେମିତି ଭାବିଲା । ତା’ପରେ ଆଉ ଟିକିଏ କପିଳ ପାଖକୁ ଘୁଞ୍ଚି ଆସିଲା । କହିଲା, ‘ରାଣ ପକେଇ କହିଲ ।’

 

‘କାହା ରାଣ ପକେଇବି ‘ ।

 

କୁନ୍ତେଇ ଫୁସ୍ ଫୁସ୍ କରି କହିଲା, ‘ଯାହା ରାଣ ତମ ମନକୁ ପାଉଚି’

 

‘ଯାହା ରାଣ ପକେଇଲେ ହେବ ତ ?’

 

‘ଆଚ୍ଛା–’

 

ଫୁସ୍ ଫୁସ୍ ହେଇ କପିଳ କ’ଣ ଗୋଟାଏ କହିଲା ।

 

ହଠାତ୍ ପାଉଁଶ ଗଦା ପାଖରୁ ବାବନା ମାଆ କୁରୁ କୁରୁ ହେଇ ହସି ଉଠିଲା । କପିଳ ଚମକି ପଡ଼ିଲା ।

 

 

ଅନ୍ଧାର ହେଲେବି କପିଳର ଚମକି ପଡ଼ିବାଟା କୁନ୍ତେଇ ଜାଣିପାରିଲା । କମ୍ପିଲା କମ୍ପିଲା ଗଳାରେ ଚୁପ୍ ଚୁପ୍ କରି କହିଲା, ‘ଡରୁଚ କାହିଁକି ? ଶାଶୁ ହସୁଚନ୍ତି । କ’ଣ ତାଙ୍କର ହେଇଚି କେଜାଣି–ବେଳେ ବେଳେ ସେ କିଛି କଥା ନଥାଇ ସେମିତି ହସନ୍ତି ବୁଝିଲ ?’

 

ବୁଝିଲି ।

 

ଆଉ କିଛି ସମୟ କଟିଗଲା । ପାଉଁଶ ଗଦା ପାଖରୁ ବାବନା ମାଆ ଆଉ ଘର ଭିତରୁ ସୁଲେଇ ଆସି ବାରଣ୍ଡାରେ ବସିଛନ୍ତି ।

 

କୁନ୍ତେଇ କହିଲା, ‘ଏମିତି ଖାଲି ବସିଲେ କେମିତି ଚଳିବ । ପେଟତ ଅଛି, ଦି’ଓଳି ଦି’ମୁଠା ପଶିବା ଦରକାର । କିଛି ରୋଜଗାର ନ କଲେ କେମିତି ହେବ ।’

 

ବାବନା ମାଆ ପ୍ରଭୃତି ଖାଇବା ଆରମ୍ଭ କରିଦେଇଥିଲେ । ଶାଶୁକୁ ଚାହିଁ କୁନ୍ତେଇ କହିଲା, ମୁଁ କ’ଣ ନାକରା କଥା କହିଲି ?’

 

ଗୁଣ୍ଡାଏ ଭାତ ବାବନା ମାଆ ପାଟିରେ ପୂରେଇଥିଲା । କୁନ୍ତେଇ କଥାର କ’ଣ ଗୋଟାଏ ଉତ୍ତର ଦେବାକୁ ଯାଇ ତା’ ତଣ୍ଟିରେ ଭାତ ଲାଗି ଅକତା ହୋଇଗଲା ।

 

କପିଳ କହିଲା, ‘ଏତ ଖୁବ୍ ଭଲ କଥା । ରୋଜଗାର କରିବି ତମର ଘର ସଂସାର ସମ୍ଭାଳିବି । ଜୀବନଟା ରଖିଚ ଯେତେବେଳେ ସେତେବେଳେ ତୁମମାନଙ୍କ ପାଇଁ ମୋର କିଛି ଗୋଟାଏ କରିବା ଉଚିତ ।

 

ସୁଲେଇ ପ୍ରଭୃତିଙ୍କ ସଂସାର ଦାୟିତ୍ୱ ମୁଣ୍ଡରେ ପଡ଼ିଛି ।

 

ଏଥର ରୋଜଗାର କରିବାକୁ ହେବ, ଉପାୟ କିଛି କରିବାକୁ ହେବ ।

 

ରୋଜଗାର ବାଟଟାବି କୁନ୍ତେଇ ଦେଖେଇ ଦେଇଚି ।

 

ପ୍ରତି ରବିବାର ଦିନ କଣ୍ଟାପଡ଼ାରେ ହାଟ ବସେ । ସପ୍ତାହଯାକ ଲାଗି ବାବନା ମାଆ, ସୁଲେଇ ଆଉ କୁନ୍ତେଇ ଖଜୁରୀ ପଟି, ତାଳପତ୍ର ଚଟେଇ ପ୍ରଭୃତି ବୁଣିବେ । କପିଳ ସେଗୁଡ଼ାକ ନେଇ ହାଟରେ ବିକିଦେଇ ଆସିବ ।

 

ରବିବାର ଛଡ଼ା ସପ୍ତାହର ଅନ୍ୟ ଦିନଗୁଡ଼ା କପିଳ କ’ଣ ବେକାର ହୋଇ ବସିରହିବ ? ବେକାର ହୋଇ ବସିବାର ଆଉ ଗତି ଅଛି ?

 

ଅନ୍ୟ ଦିନଗୁଡ଼ାକର ବ୍ୟବସ୍ଥାବି କୁନ୍ତେଇ କରିଦେଇଚି ।

 

ଘାଟରେ ଖଣ୍ଡେ, ଡଙ୍ଗା ସୁଲେଇଙ୍କର ଭଡ଼ା ଲାଗିଚି ।

 

ଡଙ୍ଗାଟା ନିତେଇ ପଧାନ ଭଡ଼ା ନେଇଚି । ଜବାବ୍ ହୋଇଥିଲା ଦିନକୁ ଆଠଣା ଭଡ଼ା ଦେବ ।

 

ନିତେଇ ପଧାନ ମହା ପାରଖା ଲୋକ । ସହଜରେ ତା’ ଅଣ୍ଟାରୁ ପଇସା ବାହାରେନି । ଦିନେ ଦିନେ ଅଳି ଦେଖେଇ ଫାଙ୍କିଦିଏ ।

 

ଠିକ୍ ହେଇଚି, ହାଟ ଦିନଟା ବାଦଦେଲେ ବାକୀ ଦିନଗୁଡ଼ାକ ଡଙ୍ଗାରେ କପିଳ ଲୋକ ପାର କରେଇବ ।

 

ଆଜି ରବିବାର ।

 

ପଟି, ଚଟେଇ ପ୍ରଭୃତି ନେଇ କପିଳ କଣ୍ଟାପଡ଼ା ହାଟକୁ ଚାଲିଚି ।

 

ରାତି ଭଲ କରି ପାହିନି ।

 

ମଠ ପାର ହୋଇ–ଗାଁ ରାସ୍ତା ଛାଡ଼ି ନଇ ବନ୍ଧ ଉପରକୁ କପିଳ ଉଠିଲା ।

 

ସୂର୍ଯ୍ୟ ଉଠିଆସୁଛି । ମନେହେଉଚି କୁହୁଡ଼ିର ଧଳା ପରଦା ଭେଦି ସୁନାରଙ୍ଗର ତାରଗୁଡ଼ାଏ ଲମ୍ବି ଆସୁଚି ।

 

ନଈ ଧାରରେ ଉଜାଣି ନାଇଁ । ଗତିଟା ସମାନ । ଝରଝରିଆ ନିସ୍ତେଜିଆ ଧାରଟା ପାଟଳର କାଚକେନ୍ଦୁ ପାଣିକୁ ଆଗକୁ ଟାଣିନେଇ ଚାଲିଚି ।

 

ପାଟୁଆ–ଦଲଦଲିଆ କାଦୁଅରେ ଗୋଜିଆ ଥଣ୍ଟଗୁଡ଼ାକୁ ବୁଡ଼େଇ ଗୁଡ଼ାଏ ଚଢ଼େଇ କ’ଣ ଯେମିତି ଖୋଜିବାରେ ଲାଗିଚନ୍ତି ।

 

ରାସ୍ତା କଡ଼ରେ ସରକାର ଖୁଣ୍ଟି । ଟେଲିଗ୍ରାଫ ଲାଇନ୍ । କାକରଗୁଡ଼ାକ ତା’ ଦେହରୁ ଥପ ଥପ ହୋଇ ଖସିପଡ଼ୁଚି । ଗୋଟାକେତେ କଜଳପାତି ତାର ଉପରେ ବସି ପତଳା ଲାଞ୍ଜ ହଲଉଚନ୍ତି ।

 

କପିଳ ଡଗଡ଼ଗ ହୋଇ ଚାଲିବାରେ ଲାଗିଲା । ସଅଳଯାଇ କଣ୍ଟାପଡ଼ା ହାଟରେ ତା’ର ପହଞ୍ଚିଯିବା ଉଚିତ ।

 

ଘାଟ ପାଖରେ ପହଞ୍ଚିଲାବେଳକୁ କିଏ ଗୋଟାଏ ଡାକିବାର ଶୁଣାଗଲା ।

 

‘ଆରେ ହେ ବାବୁ–’

 

କାହାକୁ କିଏ ଡାକୁଥିବ । କପିଳ ଭାବିଲା ।

 

‘ଆରେ ହେ, କ’ଣ ଶୁଭୁନିକି ?’

 

ଏଥର କପିଳ ଥକ୍‍କାହୋଇ ଠିଆହେଲା । ମୁହଁ ବୁଲେଇ ଚାରି ଆଡ଼େ ଚାହିଁବାରେ ଲାଗିଲା । ଡାକଟା କେଉଁପଟୁ ଆସୁଚି, ଠିକ୍ ବୁଝିପାରୁ ନଥିଲା ।

 

‘ଆରେ ଏଇଠି–ଏ ଆଡ଼େ–ବାଁ ପଟକୁ ଚାହାଁ–’

 

କପିଳର ସନ୍ଦେହ ଭାଙ୍ଗିଗଲା । ନଜରବି ପଡ଼ିଲା ।

 

ସଡ଼କ ପାଖ କୁଦରେ ଗୋଟାଏ ଚାହା ଦୋକାନ । ସେଇଠି ବାଉଁଶ କଣିଭଳି ଲଡ଼ଲଡ଼ିଆ ହାତ ହଲେଇ ଗୋଟାଏ ବୁଢ଼ା ଡାକଛାଡ଼ିଚି, ‘ଆ ଏଠିକି ଆ–’

 

ଯିବାର ଇଚ୍ଛା ନଥିଲା ।

 

କୁନ୍ତେଇ କେତେ କରି କହିଚି, ‘କୋଉଠି ଗୁଲିଖଟି ଗପରେ ମାତିଯିବନି । ଘରେ ଖୁଦ ମୁଣ୍ଡିଟିଏ ନାଇ । ପଟି ଚଟେଇ ବିକି ଚାଉଳ ଆଣିବ, ତା’ ହେଲେ ଯାଇ ଚୁଲିରେ ହାଣ୍ଡି ବସିବ । ହାଟ ହୁଡ଼ିଲେ ହପ୍ତାଯାକ ଉପାସ ମରିବାକୁ ହେବ । ଭୁଲିଯିବନିଟି !’

 

ଏଇ ତିନି ଚାରିଦିନ ଭିତରେ କୁନ୍ତେଇ ବୋଧହୁଏ ତା’ର ସ୍ଵଭାବଟାର ଆଭାସ ପାଇଚି ।

 

କପିଳ ମନେ ମନେ ଭାବିଲା, ଯିବନି । କଥାବାର୍ତ୍ତାରେ ସମୟ ନଷ୍ଟକଲେ ହାଟବେଳ ଗଡ଼ିଯିବ । ହାଟରୁ ଯଦି ଚାଉଳ ନ ନେଇଆସେ କପାଳରେ କ’ଣ ଜୁଟିବ କେଜାଣି ?

 

କେତୁଟା ଦିନ ଭିତରେ କୁନ୍ତେଇର ସ୍ଵଭାବ ବିଷୟରେ କପିଳ ସାମାନ୍ୟ ଅଭିଜ୍ଞତା ହାସଲ କରିଚି ।

 

ଚାହା ଦୋକାନରେ ବୁଢ଼ାଟା ଡାକଛାଡ଼ିଲା, ‘ଠିଆଟା ହେଇ କ’ଣ ଏତେ ଭାବୁଚୁ ମ ? ଆସୁନୁ ଏ ଆଡ଼େ–’

 

ମନ କହୁ ନଥିଲା ଯିବାକୁ, ତଥାପି କପିଳ ଗଲା, ଟିକିଏ ବିରକ୍ତ ମିଶା ଗଳାରେ କହିଲା, ‘ଚିହ୍ନା ନାଇଁ, ଜଣା ନାଇଁ, ଏତେ ହାଉଳାଡ଼ାକ ଛାଡ଼ିଚ କାହିଁକି ? ମୋ ପାଖରେ କ’ଣ ଦରକାର ଅଛି-?

 

‘ଚିହ୍ନାଜଣାଟା କ’ଣ ବଡ଼ କଥା ! ହବାକୁ କେତେ ଡେରି ଲାଗିବ । ଆଉ ଦରକାର ନଥିଲେ ଡାକନ୍ତି ବା କାହିଁକି ?’

 

ଆଖି ମିଟିକେଇ ବୁଢ଼ାଟା ଟିକିଏ ହସିଲା ।

 

‘କ’ଣ ଦରକାର ଅଛି ଚଞ୍ଚଳ କହ । ମତେ ପୁଣି ହାଟକୁ ଯିବାକୁ ହେବ ।

 

‘ଯିବୁ ଯିବୁ–ଆଗେ ଢୋକେ ଚାହା ପିଇ । ଦି’ଚାରି ପଦ ଦୁଃଖ ସୁଖ ହେବା । ଆ, ବସ ଟିକିଏ ।

 

କହୁ କହୁ ବୁଢ଼ାଟା ହସିବାରେ ଲାଗିଲା ।

 

କପିଳ ଚିଡ଼ି ଯାଇଥିଲା । କୌଣସି ପ୍ରକାର ରାଗଟାକୁ ସମ୍ଭାଳି ନେଲା । କହିଲା, ‘ଦୁଃଖ ସୁଖ ହେବା ଦରକାର ନାଇଁ । ଚାହା ଖାଇବାବି ଦରକାର ନାଇଁ । ବେଳ ହେଇଯାଉଚି, ମୁଁ ଯାଏଁ–’

 

ଯିବାପାଇଁ କପିଳ ରାସ୍ତା ଆଡ଼େ ମୁହାଁଇଲା ।

 

ବୁଢ଼ା ପୁଣି କହିଲା, ‘ଆରେ, ଏମିତି ରାଗିଯାଉଚୁ କାହିଁକି ? ଚାହା ଟିକିଏ ଖାଇ ମନଫୁର୍ତ୍ତି କର । ମାଗଣା ଦେବିମ । ତତେ ପଇସା ମାଗୁନି–’

 

‘ଚାହା ଖାଇବା ଦରକାର ନାହିଁ–’

 

‘ଆରେ ବାବାରେ ! ଭାବିଥିଲି ଟୋକାଟା ପଇଣ୍ଟିବାଜ୍ ଅଛି । ନହେଲେ ନଖିପଡ଼ାରେ ଆସି ଏମିତି ଗାଦି ଜମେଇ ବସନ୍ତା କେମିତି ?

 

କପିଳ ରାସ୍ତା ଆଡ଼େ ମୁହାଁଇ ଥିଲା । ଚମକିପଡ଼ି ମୁହଁ ବୁଲେଇଲା । କହିଲା, ‘ମୋ ସାଙ୍ଗେ ତମର ଦିନେକାଳେ ଦେଖାଶୁଣା ନାହିଁ, ତେବେ ମୋ ବିଷୟରେ ଏତେ ଭାବିଲ କେମିତି ?’

 

‘ତତେ ସିନା ଚିହ୍ନିନି, ହେଲେ ତୋ କଥାତ ଶୁଣିଚି–’

 

‘ମୋ କଥା ଶୁଣିଚ ।’

 

କପିଳ ଆଶ୍ଚର୍ଯ୍ୟରେ ଭାଙ୍ଗି ପଡ଼ୁଥିଲା ।

 

‘ଶୁଣିବନି ! ନଖିପଡ଼ାଟାଯାକ ସମସ୍ତେ ଶୁଣିଲେ । ଏଇଠି କଥା ପଡ଼ିଲା । ପହଲି ବୁଢ଼ା କାନରେ ପୁଣି କଥା ପଡ଼ିବନି ! କ’ଣ ଯେ କହୁଚୁ ।’

 

କହୁ କହୁ କାଶଟା ଉଠିଲା । ଲହରିଆ କାଶରେ ବୁଢ଼ାର ଶୁଖିଲା, ଧଡ଼ଧଡ଼ିଆ ଦେହଟା ନଡ଼ିଆ ଚାଞ୍ଚଭଳି ଦୋହଲି ଯିବାକୁ ଲାଗିଲା । ଆଖି ଦୁଇଟା ରକ୍ତିଆ ପଡ଼ିଗଲା । ତଣ୍ଟିର ଶିରାଗୁଡ଼ାକ ଦଉଡ଼ି ଭଳି ଫୁଲିଉଠିଲା ।

 

ଧଇଁଆ କାଶ । ଦଶ ବରଷ ପୁରୁଣା ବେମାରି । ଏଇ ବେମାରିଟା ପହଲି ବୁଢ଼ାକୁ ଦୋହଲେଇ ଦେଇଚି । ବୟସ ତୁଳନାରେ ସେ ବେଶି ହାଲିଆ ହେଇପଡ଼ିଚି ।

 

ଗରମଦିନଟା ଏକପ୍ରକାର କଟିଯାଏ । ବର୍ଷା ଆରମ୍ଭରୁ ଧରି ଶୀତ ଶେଷଯାଏ । ବେମାରିଟା ବଡ଼ ଉତ୍ପାତ କରେ । ଚୁଲି ମୁଣ୍ଡେ ବସି ବସି ହାଁ ହାଁ ହୋଇ ଧକେଇବାରେ ଲାଗେ । ମନେ ମନେ ଭାବେ, ଉପରବାଲାର ମାଡ଼– ଏଥିରେ ଆଉ ଅପିଲ ନାହିଁ ।

 

କିଛି ସମୟ ପରେ କାଶର ଜୋର୍ କମିଗଲା । ପବନଟା କିନ୍ତୁ ବେଗତିକ ଧରି ଧାଏଁ । ଧଇଁସଇଁ ହେଇ ଯାଉଥାଏ ପହଲି ବୁଢ଼ା । ଛାତିଟା ଚୂଡ଼ାପାହାର ପରି ଧଡ଼ ଧଡ଼ ହେଉଚି ।

 

ନିଜକୁ କୌଣସି ପ୍ରକାର ସମ୍ଭାଳି ନେଇ କହିଲା, ତୋ କଥା ସବୁ ଶୁଣିଚି । ତୁ ପରା ହେଲୁ ବୃନ୍ଦାବନଚନ୍ଦ୍ର ଗୋପୀ ମନଚୋର ହଟିଆ ନାଗର । ତୋ କଥା ପୁଣି ମୋ କାନରେ ପଡ଼ିବନି-

 

ଆଶ୍ଚର୍ଯ୍ୟ ହୋଇ କପିଳ କିଛି ସମୟ ପହଲି ବୁଢ଼ା ମୁହଁକୁ ଚାହିଁ ରହିଲା । ବୁଢ଼ା ତାକୁ କ’ଣ କହିଯାଉଚି, ସେ କିଛି ବୁଝିପାରୁନି । କେତେ ଗୁଡ଼ାଏ ନୂଆ ନାଆଁ ବୁଢ଼ାଟା କହୁଚି । ସେ କିନ୍ତୁ ଜାଣେ ସେ କପିଳ ଛଡ଼ା ଆଉ କିଛି ନୁହେଁ ।

 

କପିଳର ବିସ୍ମୟ ଦେଖି ପହଲି ବୁଢ଼ା ଫେଁ ଫେଁ ହେଇ ହସି ଉଠିଲା । ହସ ତ ନୁହେଁ ଗୁଡ଼ାଏ ଛୁଞ୍ଚି ଯେମିତି ।

 

କୋଉପହରୁ ସକାଳ ହେଲାଣି ।

 

ଖରାତେଜ ବଢ଼ୁଚି । ପୂର୍ବପଟରୁ ଚଦର ଭଳି ଝୁଲିଥିବା କାକର ବୋର ଆଉ ନାହିଁ । ପାଟଳର ଝିରି ଝିରିଆ ପାଣିରେ ଛୋଟ ଛୋଟ ଢେଉ ଉଠୁଚି । ରାସ୍ତା ଉପରେ ଦି’ଚାରି ଜଣ ହାଟୁଆ ଦେଖାଯାଉଚନ୍ତି ।

 

କପିଳ–ବ୍ୟସ୍ତ ହେଇପଡ଼ିଲା । ବେଳ ଯେମିତି ବଢ଼ୁଚି, ସେଥିରେ ଏଠି ଠିଆହେଇ ରହିଲେ ହାଟ କରି ହେବନି । ସେ କହିଲା, ‘ମୁଁ ଯାଉଚି ।’

 

‘ଯିବୁ ? ହଉ ହେଲା–’

 

ପହଲି ବୁଢ଼ା କହିବାକୁ ଲାଗିଲା, ‘ଯିବା ଆଗରୁ ଗୋଟାଏ କଥା ଶୁଣିଯା –

 

‘କହ ।’

 

‘ପାଖକୁ ଆ ।’

 

କପିଳ ପହଲି ବୁଢ଼ା ପାଖରେ ଯାଇ ଠିଆହେଲା ।

 

ପହଲି ବୁଢ଼ା କହିଲା, ‘ଯେତେବେଳେ ଫୁରୁସତ୍ ପାଇବୁ, ଏଠିକି ଚାଲି ଆସିବୁ । ଯେତେବେଳେ ଖୁସି, ଚାହା ଖାଇବୁ । ପଇସା ପଡ଼ିବନି ।

 

‘ଏଇ କଥା ।’

 

‘ନାଇଁମ । ଆହୁରି ଅଛି ।

 

‘କହ ।’

 

ଏପଟ ସେପଟ ଚାହିଁ ପହଲି ବୁଢ଼ା ଆଖି ମିଟି ମିଟି କଲା । ଓଠ ଚିପି ଚିପି ହସିଲା । ତା’ପରେ ଫୁସ୍‍ ଫୁସ୍ ହେଇ କହିଲା, ‘ତୁ ପକ୍କା ଖଣ୍ଡେ ଅଛୁ ଦେଖୁଚି । ଲୋକେ ମତେ କହନ୍ତି ମହାପାରେଖା ବୋଲି । ଦେଖୁଚି ତୁ ମୋଠୁ ବଳି ପାରେଖା ଅଛୁ । ଓସ୍ତାଦ୍ ।

 

କପିଳ ବିବ୍ରତ ହେଇପଡ଼ିଲା ।

 

ପହଲି ବୁଢ଼ା କହିଲା, ‘ସାବାସ୍ ଟୋକା ତତେ ଭାଲିଆ ମନ୍ତ୍ର ଜଣା ଅଛି । ଏକାଥରେ ଦି’ଦିଟା ଟୋକି–ହେଁ, ହେ; କେତେ ଘଡ଼ି ଲାଗିଲା–’

 

କଥାଟା ପୂରା ହେଲାନି । ପୁଣି ସେଇ ଲହରିଆ କାଶଟା ତୁହାଇ ତୁହାଇ ଉଠିଲା ।

 

କାଶର ଦାଉ ଟିକିଏ କମିଯିବାରୁ କପିଳ ପଚାରିଲା; ଆଉ କ’ଣ କହିବ ?

 

‘କହିବି ।’

 

ପହଲି ବୁଢ଼ା ଟିକିଏ ଗୁମ୍ ମାରିଗଲା । ନଈ ଆଡ଼େ ଚାହିଁ ରହିଲା । ତା’ର ଦୃଷ୍ଟିଟା କେମିତି ନିରାଶିଆ– ଶୁଖିଲା ଦେଖାଯାଉ ଥାଏ ।

 

ଖୁବ୍ ଧୀରେ ଧୀରେ ସେ କହିଲା, ‘ବାରବର୍ଷ ଆଗେ ମୁଁ ବି ତୋଭଳି ଆସି ଏ ନଖିପଡ଼ାରେ ଲାଖିଲି ।

 

‘କ’ଣ କହୁଚ ?’

 

କପିଳ ଆଶ୍ଚର୍ଯ୍ୟ ହେଲା ।

 

‘ସତକଥା କହୁଚି । ବୁଲି ବୁଲି ବାରବର୍ଷତଳେ ମୁଁ ଏଠିକି ଆସିଥିଲି । ବାବନା ମାଆକୁ ପଚାରିବୁ, ସେ ସତ କି ମିଛ କହିବ । ଛାଡ଼ ସେ କଥା । ତତେ ଆଉ ଗୋଟେ କଥା କହିବି ।’

 

‘କହ ।’

 

‘କହୁଚି ରହ–’

 

ପହଲି ବୁଢ଼ା କ’ଣ ଯେମିତି ଟିକିଏ ଭାବିଲା । ଗୋଟାଏ ଧୀର ଅଥଚ ଗାଢ଼ ନିଶ୍ୱାସ ପକେଇଲା । ତା’ପରେ କହିଲା, ‘ନାଇଁ ଆଜି ଥାଉ ଅନ୍ୟ ଦିନେ କହିବି । ତୋର ହାଟବେଳ ଗଡ଼ି ଯାଉଚି ।’

 

କପିଳ ବାହାରିପଡ଼ିଲା । ପଛରୁ ପହଲି ବୁଢ଼ା କହିଲା, ‘ମନେରଖିଥିବୁ, ବେଳ ପାଇଲେ ଚାଲି ଆସିବୁ ।’

 

ରାସ୍ତା ଉପରକୁ ଉଠୁଉଠୁ କପିଳ କହିଲା, ‘ହଉ ।’

 

ଆଜି ଆଉ କପିଳ ପଦାକୁ ବାହାରିପାରିନି ।

 

ସକାଳଟାରୁ ହୁତୁହୁତିଆ ଜରଟା ମାଡ଼ି ଆସିଲା । ଘରେ ଯେତେକ ଛିଣ୍ଡା ଛିଣ୍ଡି କନ୍ଥା ଥିଲା, ଦି’ଖଣ୍ଡ କେରପାଲୁ, ଗୋଟାଏ ମୁଦୁରା ଘୋଡ଼େଇ ହେଇ ମଧ୍ୟ ସମ୍ଭାଳି ହେଲାନି ।

 

ଦିନସାରା ଜରରେ ଅସକତିଆ ହେଇ କପିଳ ପଡ଼ିଚି । ଜର କୋପରେ ବେକ ସଳଖି ପାରୁନି ।

 

ଟିକିଏ ଆଗରୁ ଝାଳଦେଇ ଜରଟା ଛାଡ଼ିଯାଇଚି ।

 

ଘରଟା ଭିତରେ କପିଳ ଚୁପଚାପ ହେଇ ପଡ଼ିଥାଏ ।

 

କୁନ୍ତେଇ ଘର ଭିତରକୁ ପଶିଆସିଲା । ହାତରେ ତା’ର ଗୋଟାଏ ସିଲଭରର ଗିନା ।

 

ଘରେ ପଥି କରିବାକୁ ସାଗୁ କି ବାର୍ଲି ନାଇଁ । ଗିନାରେ ଟିକିଏ ଉଷୁମ ପେଜ ନେଇଆସିଚି । କପିଳ ଜାଣିନପାରୁ; ସେଥିପାଇଁ ପେଜରେ ଲୁଣ ଆଉ ଟିକିଏ ଚିନି ଗୋଳେଇ ଦେଇଚି ।

 

କୁନ୍ତେଇ ଆସିବା ଜାଣିପାରି, କପିଳ ଆଖି ଫିଟାଇ ଚାହିଁଲା ।

 

ଭୁତୁରା ମୁଣ୍ଡ । ମୁହଁଟା ଶୁଖି ଏଡ଼େ ଟିକିଏ ହେଇଯାଇଚି । ଆଖି ଦୁଇଟା କେମିତି ଢୁଳେଇଲା ଭଳି, ନାଲି ପଡ଼ିଯାଇଚି । କପିଳ ଟିକିଏ ହସିଲା ।

 

ତାଳୁରେ ହାତ ଚାପୁଡ଼େଇ କୁନ୍ତେଇ କହିଲା, ‘କହିବ କାହାକୁ–ସବୁ ଏଇ କପାଳର ଦୋଷ !’

 

‘ତମର ପୁଣି କ’ଣ ହେଲା ।’

 

ଆଶ୍ଚର୍ଯ୍ୟ ହେଇ କୁନ୍ତେଇ ମୁହଁକୁ କପିଳ ଚାହିଁ ରହିଲା ।

 

‘ତମେ ସେକଥା କୋଉଠୁ ବୁଝିବ ।’

 

କୁନ୍ତେଇ ଟିକିଏ ରହିଗଲା । ତା’ପରେ କହିଲା, ‘ଏ ପୋଡ଼ା କପାଳକୁ କିଛି ପରା ସହିବନି । ଏଠିକି ଆସିଲା ଦିନୁ ଭାବିଥିଲି–ତମେ ଆମରି ଭିତରୁ ଜଣେ ହେଲ । ଆଉ କିଛି ଭାବିବାକୁ ପଡ଼ିବନି । ଆଗଭଳି ଗୋଡ଼ ଉପରେ ଗୋଡ଼ ଲଦି ତମରି ରୋଜଗାରରେ ଚଳିଯିବୁ । ଦିନୁଟେ ହାଟ କରିଚକି ନାଇଁ ରୋଗରେ ପଡ଼ିଲଣି । ପୋଡ଼ା କରମକୁ ଦଇବ ସହୁନି–’

 

କପିଳ କିଛି କହିଲାନି । ଆଖି ବୁଜି ପଡ଼ି ରହିଲା ।

 

କୁନ୍ତେଇର କୌଣସି ଆଡ଼େ ନଜର ନାଇଁ । ତା’ କଥା କିଏ ଶୁଣୁଚି କି ନାଇଁ, ସେଥିପ୍ରତି ମଧ୍ୟ ଖିଆଲ ନାହିଁ । ନିଜକୁ ଶୁଣେଇ ସେ କହି ଚାଲିଚି, ‘ତମେ ଆମକୁ ପୋଷିବ କ’ଣ–ଦେଖୁଚି ତମକୁ ପୋଷିବାକୁ ପଡ଼ିବ ।’

 

କହୁ କହୁ କୁନ୍ତେଇ ବିଛଣା ପାଖକୁ ଆସିଲା । ବାଁ ହାତଟା ଆଣି କପିଳର ଉପରେ ଥୋଇଲା । ଝାଙ୍କରା ବାଳଗୁଡ଼ିକ ସାଉଁଳି ଦଉ ଦଉ କହିଲା, ‘ଉଠ, କିଛି ତ ନାଇଁ–ଏଇ ଟୋପାକ ମୁହଁରେ ଦିଅ ।’

 

ଗୋଟାକ ଦିନ ଜ୍ଵରରେ କପିଳ ଏକାବେଳେ ହାଲିଆ ହେଇପଡ଼ିଥିଲା । କୁନ୍ଥେଇ କୁନ୍ଥେଇ ଉଠିବସିଲା ।

 

କୁନ୍ତେଇ ତା’ ପିଠିକୁ ଠେସଦେଇ ଧରିଲା । କହିଲା, ‘ମୋ ମାଆଲୋ ମାସେକି ପନ୍ଦରଦିନ ନୁହ, ଗୋଟାଏ ଦିନ ଜରରେ ଏତେ ଅବସ୍ଥା ।’

 

କପିଳ ପେଜଗିନାଟା କୁନ୍ତେଇ ହାତରୁ ନେଇ ଢକ ଢକ କରି ପିଇଦେଲା । ତା’ପରେ ଗୋଡ଼ଠାରୁ ମୁଣ୍ଡଯାଏ କନ୍ଥା କେରପାଲୁ ଘୋଡ଼େଇ ହେଇ ଶୋଇପଡ଼ିଲା ।

 

କୁନ୍ତେଇ କିଛି ସମୟ ଠିଆ ହେଇ ରହିଲା । କ’ଣ କରୁଥିଲା, ଜାଣିବାର ଉପାୟ ନାହିଁ । କିଛି ସମୟ ପରେ ସେ ଘରଭିତରୁ ବାହାରି ଗଲା ।

 

ଯେମିତି କୁନ୍ତେଇ ଘରୁ ବାହାରି ଚାଲିଯାଇଚି, ସେମିତି କପିଳ ମୁହଁ ଉପରୁ କନ୍ଥାଗୁଡ଼ାକ ପାଖେଇ ଦେଲା ।

 

କପିଳର ବିଛଣା ପାଖକୁ ଲାଗି ଦୁଆର ଆଗରେ ଝୁଲୁଥିବା କେରପାଲୁରେ ଗୋଟାଏ ବଡ଼ କଣା ଅଛି । ସେଇ କଣାରେ ସେ ବାହାରକୁ ଚାହିଁଲା ।

 

ବାହାରେ କାର୍ତ୍ତିକର ଛୋଟ ଦିନଟା ସରି ସରି ଆସୁଚି ।

 

ଏବେବି ଟିକିଏ ଟିକିଏ ଦିନର ଆଲୁଅ ରହିଚି । ସେ ଆଲୁଅରେ ତେଜ ନାହିଁ ଉତ୍ତାପ ନାହିଁ । କେମିତି ମଲାଳିଆ ଆଲୁଅଟା ।

 

ଦୁଆର ସେ କଡ଼କୁ ଛୋଟ ଚବକାଟା । ଚବକାର କଳାଘୁମର ପାଣିରେ ସୁନୁସୁନିଆ, କଳମ ଶାଗର ଲଟା ପାଣିକି ଘୋଡ଼େଇ ପକେଇଛି ।

 

ଚବକା ହୁଡ଼ା ଚାରିକଡ଼େ ସଜନାଗଛର ଧାଡ଼ି । ଦିନସାରା ପାଣି ଉପରେ ଗଛର ଛାଇ ପଡ଼ିଥାଏ । ଜାଗାଟା କେମିତି ଥଣ୍ଡାଳିଆ ।

 

ସୁନୁସୁନିଆ ଆଉ କଳମ ଶାଗର ଗନ୍ଧ ନାକରେ ବାଜୁଚି । ସେତିକି ତ ନୁହେଁ, ପଙ୍କ ଗନ୍ଧଗୁଡ଼ାବି ଆସୁଚି । ଖରାତେଜ ନ ପଡ଼ିବାରୁ ପାଣିରୁ କେମିତି ଗୋଟାଏ ଗନ୍ଧ ଉଠୁଚି ।

 

କନ୍ଥା ଭିତରୁ କପିଳ ବେକଟା କଇଁଛ ଭଳି ବାହାରକୁ ବାହାର କରିଚି । ତା’ର ମନେହେଉଚି, ଚବକାଟାର ଏଇ ସ୍ନିଗ୍ଧ ଥଣ୍ଡା ଛାୟାରେ ରାଜ୍ୟଟା ଯାକର ଶାନ୍ତି ଖେଳୁଚି ।

 

ସଜନା ଗଛଗୁଡ଼ାକରେ ଅକାଳିଆ ଫୁଲ ଖୁନ୍ଦି ହେଇଯାଇଚି । ସେଇ ଧଳା ଥୋଲାଥୋଲାରେ ପବନ ଲାଗି କେତେଟା ଫୁଲ ଟୁପ୍‍ଟାପ୍ ଖସିପଡ଼ୁଚି । ବାବନା ମାଆ ଗଛଗୁଡ଼ାକ ଲଗେଇଚି । ବର୍ଷସାରା ଗଛଗୁଡ଼ାକରେ ଫୁଲ ଫୁଟେ, ଫଳଧରେ ।

 

କୁନ୍ତେଇ କହେ, ଶାଶୁବୁଢ଼ୀଙ୍କ ହାତ ଯୋଉଠି ଲାଗିବନା ! ଯେତେବେଳେ ଦେଖ, ଗଛ ଫଳ ଧରିଚି ଫୁଲ ଧରିଚି । ତରକାରୀ ପତ୍ର ଅଭାବକୁ ଗଛଗୁଡ଼ା ପୋଷେଇ ଯାଉଚି । କିଛି ନଥିଲେ–ଛୁଇଁ ଦି’ଖଣ୍ଡ ସିଝେଇ ଦେଲେ ହେଲା ।

 

ସବୁ ସଜନା ଗଛରେ ଫୁଲ ପାକଳ ଧରିଗଲାଣି । ଆଉ ଦିନକେତୁଟା ଗଲେ ଛୁଇଁ ଦେଖାଦେବ ।

 

ସୁନୁସୁନିଆ ଶାଗ ଉପରେ କେତେଟା ପେଜୁଆରଙ୍ଗର କଙ୍କି ଉଡ଼ୁଚନ୍ତି । କପିଳ କିଛି ସମୟ ହେଲା ସେଇଆଡ଼େ ଚାହିଁଚି ।

 

ହଠାତ୍ ଗୋଟାଏ ଗୁଣୁଗୁଣୁ ଶବ୍ଦ କପିଳ କାନରେ ପଡ଼ିଲା । ଖୁବ୍ ଅସ୍ପଷ୍ଟ କେମିତି ଝାପସିଆ, ଠିକ୍ ଭାବେ ବୁଝିହେଉନି । କୋଉଠି ଗୋଟାଏ ଭଅଁର ଉଠିଲା ଭଳି ଶବ୍ଦ ଶୁଣାଯାଉଚି-

 

କପିଳ କାନଡ଼େରି କେରପାଲୁ ପାଖେ ମୁହଁ ଲଗେଇ ବସିଲା । ଅନେକ ସମୟ ପରେ ସନ୍ଦେହଟା ଭାଙ୍ଗିଲା । କେହି ଜଣେ ନିଶ୍ଚୟ ଗୁଣୁଗୁଣୁ ହୋଇ କିଛି ଗାଉଚି ।

 

କିଏ ଗାଉଚି, କପିଳ ଠିକ୍ ଭାବରେ ବୁଝିପାରୁନି ।

 

ଗୋଟାଏ କନ୍ଥା ଗୁଡ଼େଇ ହୋଇ କପିଳ ସଳଖି ହୋଇ ବସିଲା ।

 

ଯାହା ଅନୁମାନ କରୁଥିଲା, ଠିକ୍ ସେଇୟା ।

 

ଗୁଣୁଗୁଣୁ ହେଇ ସୁଲେଇ ଆସି ଚବକା ହୁଡ଼ାରେ ଠିଆ ହେଲା । ହଁ ସୁଲେଇତ, ତା’ ଛଡ଼ା ଏତେବେଳେ କିଏ ଏଠିକି ଆସିବ ।

 

ହୁଡ଼ାହଣା ହେଇ ଚବକା ଭିତରୁ କେତେଟା ପାହାଚ ତିଆରି ହେଇଚି । ମୋଟେ ଚାରି ଛଅଟା ମାଟିର ଚଟାଣ ।

 

ସେଇ ଚଟାଣ ଉପର ଦେଇ ସୁଲେଇ ଚବକାରୁ ଓହ୍ଲେଇଲା ।

 

କପିଳ ଦେଖିବାରେ ଲାଗିଚି ।

 

ନା, ଠିକ୍ ଭାବରେ ଦେଖାଯାଉନି । କପିଳ ଆଉ ଟିକିଏ କେରପାଲୁ ଫାଙ୍କ ପାଖକୁ ଲାଗି ଆସିଲା । ଏଥର ସେ ସୁଲେଇକୁ ଭଲ ଭାବରେ ଦେଖିପାରୁଚି ।

 

ଫଙ୍ଗ ମୋଡ଼ା ତିନିଖଣ୍ଡ ସିଲଭର ଥାଳି; ମୁଠାଏ ପାଉଁଶ, ଦୁଇଟା ଗିନା ଗୋଟାଏ ଲୁହା କଡ଼େଇ ସାଙ୍ଗରେ ଆଣିଚି ସୁଲେଇ ।

 

ଏତେବେଳଯାଏ ସୁଲେଇ ଗୁଣୁଗୁଣୁ ହେଉଥିଲା । ବାସନଗୁଡ଼ାକ ମାଜୁ ମାଜୁ ସ୍ୱର ଟିକିଏ ବଢ଼େଇ ଦେଲା ।

 

ସ୍ୱର ବଢ଼ିଗଲେ ମଧ୍ୟ ଗୀତର ମର୍ମ ବୁଝି ହେଉନଥିଲା । ଗୋଟାଏ ମୃଦୁ କମ୍ପନ ଛଡ଼ା କପିଳ କାନରେ ଆଉ କିଛି ପଡ଼ୁନଥିଲା ।

 

ପାଉଁଶରେ ରେଗେଡ଼ି ରେଗେଡ଼ି ସିଲଭର୍ ବାସନଗୁଡ଼ାକ ରୂପାଭଳି କରିଦେଲା ସୁଲେଇ । ତା’ପରେ ସେଗୁଡ଼ା ସଜାଡ଼ି ଚଟାଣ ଉପରେ ରଖିଦେଲା ।

 

କଳାପଟା ପକା ନାରଙ୍ଗି ରଙ୍ଗର ଛୋଟ ମୁଗେଇ ଗାମୁଛା ଖଣ୍ଡକ କାଢ଼ି ସୁଲେଇ ଶେଷ ଚଟାଣ ଉପରେ ଥୋଇଲା ।

 

ସଜନାଗଛର ଡାଳପତ୍ର ଦେହରୁ ଦିନାନ୍ତର ରଙ୍ଗ ଲିଭି ଲିଭି ଆସିଲାଣି । ଚବକାଟା ଗୋଟାଏ ଝାପ୍‍ସା ଛାଇରେ ଭରିଯାଇଚି ।

 

ସୁଲେଇ ଏପଟକୁ ସେପଟକୁ ଚାହିଁଲା । ତା’ପରେ ନିର୍ଭୟରେ ପାଣି ଭିତରକୁ ପଶିଗଲା-। ପତଳା, ଏକପରସ୍ତିଆ କସ୍ତା ଖଣ୍ଡକ ତା’ ଦେହରେ କେତେଗୁଡ଼ାଏ ଉଗ୍ର, ତୀବ୍ର ରେଖା ଫୁଟେଇ ଲାଗିଗଲା ।

 

କପିଳର ନାକ, କାନ ଝାଇଁ ଝାଇଁ କରି ଉଠିଲା । ମନେ ମନେ ଭାବିଲା, ସୁଲେଇଟା ଓଲକିଟାଏ, ସେ ବୋଧହୁଏ ଭାବିଛି, ଏଇ ସଜନାଗଛର ଛାଇ ପାଣିରେ ସୁନୁସୁନିଆ ଆଉ କଳମ, ତା’ ଛଡ଼ା କେତେଟା କଙ୍କି, ୟାଛଡ଼ା ତା’ ଚାରିପାଖରେ ଆଉ କିଛି ନାଇଁ ।

 

ଯେତେ ହୁସିଆର ହେଲେବି ସୁଲେଇ ହାରିଯାଇଚି । ଆଉ ଟିକିଏ ଭଲ କରି ଯଦି ଦେଖିଥାଆନ୍ତା–ତା’ ହେଲେ ବୁଝିପାରିଥାଆନ୍ତା କୋଉଠି କୋଉ ପୁରୁଷର ଆଖି ଦୁଇଟା ତା’ ଦେହରେ ଲାଖି ଯାଇଛି । ଯାହାକରୁ ପଛେ, ସେ କିନ୍ତୁ ପୁରୁଷର ଆଖିକି ଠକିଦେଇ ନିଜର ସୁନ୍ଦର ଦେହଟାକୁ ଲୁଚେଇ ରଖିପାରିନି ।

 

ହାତ ବୁଲେଇ ବୁଲେଇ ସୁଲେଇ ନରମ ଦେହର ମସୃଣତା ଅନୁଭବ କରିବାକୁ ଲାଗିଲା-। ଦେହଟା କେମିତି ପୂରି ଉଠିଚି । ଏଇଟା ପୁଣି ତା’ ନିଜର ଦେହ ଭାବିଲାବେଳକୁ ଭାରି ଖୁସି ଲାଗୁଚି, ପୁଣି ଭୟବି ହେଉଚି । ଛାତି ଭିତରଟା ଅଜଣା ଛାନିଆରେ ଚହଲି ଉଠୁଚି ।

 

ନିଠେଇ ନିଠେଇ ସୁଲେଇ ନିଜର ଦେହ ହାତକୁ ଚାହିଁବାରେ ଲାଗିଚି ।

 

ଦେଖୁ ଦେଖୁ ତା’ ମୁହଁରେ ଚେନାଏ ହସ ଉଛୁଳି ପଡ଼ିଲା ।

 

କପିଳବି ଦେଖୁଥିଲା ।

 

ତା’ର ମନେହେଉଥିଲା । କଳାଗୁମରପାଣି । ସୁନୁସୁନିଆ ଆଉ କଳମ ଶାଗର ପ୍ରେମ ବନ୍ଧା ଚବକା । ଧଳାଧଳା ଫୁଲ ଥୋଲାଧରା ସଜନା ବଣ, କଙ୍କିଗୁଡ଼ାଙ୍କର ଖେଳ, କାର୍ତ୍ତିକର ଏଇ ଛାପ ଛାପୁରିଆ ଦିନାନ୍ତର କାଦୁଅର ଗନ୍ଧ–ସବୁଗୁଡ଼ାକ ଭିତରେ ସୁଲେଇବି ଏକାକାର ହେଇ ମିଶିଯାଇଚି । ଏଇ ଗନ୍ଧଭଳି–କଙ୍କିଗୁଡ଼ାଙ୍କର ଖେଳଭଳି । ଝାପ୍‍ସା ଆଲୁଅ ଭଳି ସୁଲେଇବି କିଛି ଗୋଟାଏ ହେବ । ତାକୁ ଛାଡ଼ିଦେଲେ ଚବକାଟା ଆଡ଼େ ଚାହିଁ ରହିଲା ଭଳି ଆଉ କିଛି ନାଇଁ ।

 

ସୁଲେଇ ଆଉ ଟିକିଏ ଦୂରକୁ, ଚଵକାର ଭିତର ଆଡ଼କୁ ପଶିଗଲା । ପାଣିରେ ହାବୁକା ମାରି ବୋର ଦଳଗୁଡ଼ାକୁ ପାଖେଇଦେଲା ।

 

ଦଳଗୁଡ଼ା ଆଡ଼େଇ ହେଇ ଯିବାରୁ କଳାଗୁମର ପାଣି ଭିତରେ ସୁଲେଇ ବେକଯାଏ ବୁଡ଼ିଗଲା, ତାପରେ ଉଠିପଡ଼ି ମୁହଁରୁ ପାଣି ଛିଟିକା ପୋଛିବାରେ ଲାଗିଲା ।

 

କପିଳ ଜଳଜଳ ହେଇ ଚାହୁଁଚି ।

 

ଚିନ୍ତାର ଖିଅଟା ଯେମିତି ଅଡ଼ୁଆ ହୋଇଯାଇଚି ।

 

ଏତେ ଅଭାବ । ପେଟ ପୂରେଇ ଦି’ଓଳି ଦି’ମୁଠା ଜୁଟୁନି, ତଥାପି ଦେଖ, କି ଆଶ୍ଚର୍ଯ୍ୟ ! ଯୌବନ ଖୋଜି ଖୋଜି ପାଉଁଶ ଗଦା କର ଦେଇ ବାବନା କେଉଟ ଭଙ୍ଗା ଘରେ ଆସନ ଜମେଇ ଦେଇଚି । ଭୋକିଲା ଯୌବନଟା ଯେମିତି ସୁଲେଇ ଦେହରେ ଚରି ଯାଇଚି ।

Unknown

 

ମୃଗେଇ ଖଣ୍ଡକ ଚିପୁଡ଼ି ସୁଲେଇ ଦେହ ହାତ ପୋଛିଲା । ତା’ପରେ ଓଦା ଗାମୁଛାଟା କାନ୍ଧ ଉପରେ ପକେଇ ଦେଲା ।

 

ବାସନ ମେଞ୍ଚାକ ଧରି ଉଠି ପଡ଼ିଲାବେଳକୁ କପିଳ ଆଖିରେ ତା’ ଆଖି ପଡ଼ିଲା ।

 

ମୁହୂର୍ତ୍ତକ ପାଇଁ ଆଖି ଦୁଇଟା ସ୍ଥିର ହୋଇଗଲା ।

 

କପିଳ ରଙ୍କୁଣାଙ୍କ ଭଳି ଚାହିଁ ରହିଥିଲା ।

 

ମାତ୍ର ମୁହୂର୍ତ୍ତଟାଏ ।

 

ତା’ପରେ ଓଠ ଦୁଇଟା ଟିକିଏ ଫରଚା ହୋଇଗଲା । ସୁଲେଇ ଟିକିଏ ହସିଦେଲା ବୋଧହୁଏ । କପିଳବି ଟିକିଏ ହସିଲା ।

 

ମୁହଁଟା ଅନ୍ୟ ଆଡ଼େ ବୁଲେଇ, ବାସନ କୁସନ ଧରି ସୁଲେଇ ଢଳି ଢଳି ଘର ଆଡ଼େ ମୁହାଁଇଗଲା ।

 

କପିଳ ଗୁମ୍ ମାରି କିଛି ସମୟ ବସିରହିଲା । ଦେହଟା ତା’ର ଥରୁଚି, ଝାଳ ଦେଇ ଯୋଉ ଜରଟା ଛାଡ଼ି ଯାଉଥିଲା, ପୁଣି ସେଇଟା ଲେଉଟୁଚି ନା କ’ଣ ?

 

ବସି ବସି କପିଳ ଗୋଟାଏ କଥା କେବଳ ଭାବୁଥିଲା । ସୁଲେଇ ରୂପ ଯାହା ହେଉନା କାହିଁକି–ଗଢ଼ଣଟା ଖୁବ୍ ସୁନ୍ଦର ।

 

କାର୍ତ୍ତିକର ଜୁକୁ ଜୁକିଆ ଦିନଟା କେତେବେଳୁ ମରିଗଲାଣି । ଚାରିଆଡ଼ କେମିତି ଉଦାସ, ବିଷର୍ଣ୍ଣ ଜଣାପଡ଼ୁଚି ।

 

ଏଇଟା ଏମିତି ଗୋଟାଏ ସମୟ ଯେତେବେଳେ ଆକାଶ ବୋଲି ଜାଣିହୁଏ, ତା’ର ରଙ୍ଗ କ’ଣ ଜାଣି ହୁଏନି । ଗଛପତ୍ର ସବୁ ଏକାକାର ଏକ ବର୍ଣ୍ଣିଆ ମନେହୁଏ । କୋଉଟା ଗଣ୍ଡି-କୋଉଟା ଡାଳ କୋଉ ଗୁଡ଼ା ପତର, ଅଲଗା ଅଲଗା ଜାଣିହେଉନି ।

 

ଆକାଶର ନୀଳିମା, ଗଛର ସବୁଜିମା, ମାଟି-ଚବକା ସାଗ କଙ୍କି ସବୁଗୁଡ଼ା ଗୋଟାଏ ଗାଢ଼ ରଙ୍ଗରେ ଆଚ୍ଛନ୍ନ ହୋଇଯିବାକୁ ଆରମ୍ଭ କରିଚି ।

 

ବାହାରକୁ ଚାହିଁ କପିଳ କ’ଣ ଗୋଟାଏ କହିଲା । କ’ଣ କହିଲା ସେ ନିଜେବି ମନେପକେଇ ପାରୁନି ।

 

ଆଜି ସକାଳୁ ପରସ୍ତେ ଝାଳ ଦେଇ ଜରଟା ଓହ୍ଲାଇ ଯାଇଚି । ଯେମିତି ଜରଟା ଛାଡ଼ିଚି, ସେମିତି କପିଳ ଘର ଭିତରୁ ବାହାରକୁ ବାହାରି ପଡ଼ିଲା ।

 

ଭୋରରୁ ଉଠି କୁନ୍ତେଇ ଆଉ ସୁଲେଇର ନଈକି ଯିବା ଅଭ୍ୟାସ ଗୋସେଇଁ ଘାଟରୁ ଫେରି ଦି’ଜଣଯାକ ଦେଖିଲେ, ବାରଣ୍ଡାର ବାଉଁଶ ଖୁଣ୍ଟକୁ ଢିରା ଦେଇ କପିଳ ବସିଚି ।

 

କାଖରୁ ମାଠିଆଟା ଥୋଇ ଦେଇ କୁନ୍ତେଇ ତା’ ଆଗରେ ଯାଇ ଠିଆହେଲା । କହିଲା, ‘କ’ଣ-ବାହାରେ ଆସି ବସିଚ କାହିଁକି ? ଏ କାର୍ତ୍ତିକ ନିଗିଡ଼ି ପବନ ଖାଇ ଆଉ କିଛିଦିନ କତରାରେ ପଡ଼ି ରହିବାକୁ ଇଚ୍ଛା ହଉଚି ନା କ’ଣ ? କୋଉଠୁ ଦି’ ପଇସା ରୋଜଗାର କରିବ କ’ଣ-ଗୋଟାଏ ଦିନରେ ବେମାରିଆ ହୋଇପଡ଼ିଲ । ଚଞ୍ଚଳ ଛାଡ଼ି ଛୁଡ଼ି ହୋଇ ବସନ୍ତେ କ’ଣ, ସକାଳର ଥଣ୍ଡା ପବନରେ ଆସି ବସିଗଲେ ।’

 

ଏଯାଏ ପୂରା ସକାଳ ହେଇନି । ମଠ ସେପାଖର ଆକାଶଟା ଏବେବି ଅନ୍ଧାରିଆ ଦିଶୁଚି । ଫିକା ମଲା ଜହ୍ନଟା ଆକାଶ ଛାତିରେ ଥାପି ହୋଇରହିଚି । ଉତ୍ତରା ପବନ ପିଟୁଚି । ଥଣ୍ଡାଳିଆ ହୁତୁ ହୁତିଆ ପବନ ।

 

କୁନ୍ତେଇ କହିଲା, ‘ଯା-ଯା-ଘର ଭିତରେ ବସ ।’

 

କପିଳ କହିଲା, ‘ଜରଟା ଛାଡ଼ି ଗଲାଣି ।’

 

‘ସେଇୟା କହ ! ନ ହେଲେ ବାହାରେ ଆସି ବସିଥାନ୍ତ କୁଆଡ଼ୁ । ହଉ-ଜର ଛାଡ଼ିଚି ଭଲ ହୋଇଚି । ଦିନେ ଦି’ଦିନ ବାହାରକୁ ବାହାରିବା ଦରକାର ନାହିଁ । ଦି’ଗୁଣ୍ଡା ପେଟରେ ପଶୁ । ଦିହ ହାତ ଦମ୍ଭ ହଉ, ତା’ପରେ ଯୋଉ କଥା ।’

 

କପିଳ ମୁଣ୍ଡରେ ହାତ ବୁଲେଉ ଥିଲା । କହିଲା, ଆଜି ପରା ହାଟ ପାଳି । ଭାବୁଥିଲି ହାଟକୁ ଯିବି ।’

 

‘କି କଥା କହୁଚ-ଗୋଟାଏ ପାଳି ହାଟ ନ ହେଲା ଏବେ ! ଜରଟା ଟିକିଏ ହେଲା ଦେହରୁ ଓହ୍ଲେଇଚି । ବାହାରକୁ ବାହାରିଲେ ପୁଣି ସେଇଟା ଲେଉଟେଇବନି ।’

 

‘ସେ ବିଷୟ କିଛି ଚିନ୍ତା କରିବା ଦରକାର ନାହିଁ । ଏତେଦିନ ତ ଏମିତି କଟିଗଲାଣି । କିଏ କେତେ ଶୁଆଇ ବସେଇ ଖୁଆଇବ । ଦିଅ, ପଟି ଫଟି କ’ଣ ବୁଣା ହୋଇଚି ବାନ୍ଧିଦିଅ । ମୁଁ ଯାଇ ହାଟ ଆଡ଼େ ବୁଲି ଆସେ ।’

 

‘କ’ଣ ରୋଜଗାର କଥା କହିଲି ବୋଲି ରାଗିଲ କି ?

 

କପିଳର ସୁଖିଲା ମୁହଁରେ ହସ ଦେଖାଗଲା । କହିଲା, ‘ନାଇଁମ, ରାଗିବି କାହିଁକି ? କୋଢ଼ିଆଙ୍କ ଭଳି ଘରଟା ଭିତରେ ପଡ଼ି ରହିବାକୁ ଭଲ ଲାଗୁନି । କେତେ ଵେମାରି ଦେହରେ ହଜମ ହୋଇଯାଇଚି । କ’ଣଟା ହୋଇଚି ଯେ–’

 

କପିଳ କଥା ନ ସରୁଣୁ କୁନ୍ତେଇ କହି ଉଠିଲା, ‘ଆଉ ସେଗୁଡ଼ା ଶୁଣେଇବା ଦରକାର ନାଇଁ । ହାଟକୁ ଯିବତ ଯାଆ ।’

 

ପଟି-ଚଟେଇଗୁଡ଼ା କୁନ୍ତେଇ ବନ୍ଧାବନ୍ଧି କରି ଦେଲା । କପିଳ ହାଟକୁ ଚାଲିଗଲା ।

 

କପିଳର ମନଟା ଆଜି ଖୁବ୍ ହାଲୁକା ।

 

ବେପାରୀମାନେ ଜୁଟିଗଲେ । ବିନା ଝକର ଝକରରେ ସବୁଯାକ କଟିଗଲା । ପଇସାବି କାଟ କୋଶର ନାହିଁ । ପାଞ୍ଚ ସେର ଚାଉଳ ଧରି, ବେଳାବେଳି ଫେରି ପଡ଼ିଲା ।

 

ପାଟଳ ନଈର ଧାରଟା ଅଙ୍କା ବଙ୍କା ହୋଇ ଲମ୍ବି ଯାଇଚି । ନଈ କୂଳେ କୂଳେ ବନ୍ଧଟା ବନ୍ଧତଳେ ନାଲି ରାସ୍ତାଟା ।

 

ବେଳ ମୁଣ୍ଡ ଉପରୁ ଗଡ଼ିଗଲା ।

 

କପିଳର କୌଣସି ଆଡ଼େ ନଜର ନାହିଁ, ବନ୍ଧତଳର ନାଲିରାସ୍ତା ଉପର ଦେଇ ସେ ଆଗେଇବାରେ ଲାଗିଚି ।

 

ମନରେ ତା’ର ଅସରନ୍ତି ଭାବନା, କେତେଦିନ ଆଗରୁ ସେ କୋଉଠି ଥିଲା, ଆଉ ଆଜି ନଖିପଡ଼ାର କେତେଟା ମଣିଷଙ୍କ ସୁଖ ଦୁଃଖ ଆଉ ଭାଗ୍ୟ ସଙ୍ଗେ, ତା’ର ସୁଖ ଦୁଃଖ ଆଉ ଭାଗ୍ୟ, ଏକାକାର ହେଇଯାଇଚି । ବାବନା ମାଆ, କୁନ୍ତେଇ, ସୁଲେଇ, ନଖିପଡ଼ାର ଜୀବନ ସଙ୍ଗେ ସେ ଭାଗିଦାର ହେଇଯାଇଚି ।

 

ସେ ନିଜେ ଘର କଲାନି । ପୃଥିବୀରେ ଏତେ ଘର ଥାଉ ଥାଉ ନୂଆ ଘରଟାଏ କରି ଲାଭ ବା କ’ଣ ? କୌଣସି ନା କୌଣସି ଘରେ ଜାଗା ମିଳିବ । ଜନ୍ମବେଳୁତ କପିଳ ଦେଖି ଆସୁଚି, ଦୁନିଆର ସବୁଘର ତା’ ନିଜର ଘର, ସବୁ ମଣିଷ ତା’ର ଆପଣାର ମଣିଷ, ତା’ର ପରମ ଆତ୍ମୀୟ । ନ ହେଲେ ଘର ନଥାଇ ସେ ଘରେ ଆଶ୍ରା ପାଆନ୍ତା କେମିତି ?

 

ଅନେକ ସମୟ ହେଲା ପଛରୁ ଠୁକୁରୁ ଠୁକୁରୁ ଶବ୍ଦ ଶୁଣାଯାଉଚି ।

 

କେହି ଗୋଟାଏ କଠଉ ମାଡ଼ି ଚାଲିଚି ।

 

କପିଳର ସେ ଆଡ଼କୁ ଲକ୍ଷ୍ୟ ନାଇଁ । ନିଜର ଭାବନାରେ ବୁଡ଼ି ସେ ଚାଲିଚି । ହଠାତ୍ ଗୋଟାଏ ଝଣର ଝଣର ଶବ୍ଦ କାନରେ ପଡ଼ିଲା ।

 

ମୁହଁ ବୁଲେଇଲା କପିଳ । ଦେଖିଲା, ନଣ୍ଡାବାବା ଚୁମୁଟାଟା ହଲେଇ ହଲେଇ ତା’ ଆଡ଼େ ଆସୁଚନ୍ତି ।

 

ଖରାରେ ସିଝିସିଝି ବାବାଙ୍କ ମୁହଁଟା ଜାମୁଆ ପଡ଼ିଯାଇଚି । ଝାମ୍ପୁଡ଼ା ବାଳଗୁଡ଼ା ଉତ୍ତରା ପବନ ଲାଗି ଫୁର୍ ଫୁର୍ ଉଡ଼ୁଚି । ତାଳୁ ଉପରେ ଧୂଳି ଝାଳର ବୋର ଲାଗି ରହିଚି ।

 

ଖୁବ୍ କ୍ଳାନ୍ତ ଜଣାପଡ଼ୁଥିଲେ ନଣ୍ଡାବାବା ।

 

ଚୁମୁଟା ଅଗରେ କପାଳ ଉପରୁ ଝାଳ ଆଉ ଧୂଳିର ବୋରଟାକୁ ନଣ୍ଡାବାବା ପୋଛି ଆଣିଲେ । ତା’ପରେ ମଧୁରିଆ ହସଟାଏ ହସିଲେ । ହସଟା ଯେମିତି ଆନନ୍ଦ ଆଉ ସ୍ନିଗ୍ଧତାର ଚିକ୍କଣରେ ଚକଟି ହେଇ ପଡ଼ିଚି ।

 

କପିଳ କାନ୍ଧରେ ନଣ୍ଡାବାବା ଗୋଟାଏ ହାତ ରଖିଲେ । କହିଲେ, ‘ଏତେ ଚଞ୍ଚଳ ଚାଲିଚ ଯେ, ତମ ପିଛା ଧରିପାରିଲିନି । କୁଆଡ଼େ ହାଟକୁ ଯାଇଥିଲ ବୋଧହୁଏ ?

 

‘ହଁ ।’

 

‘ଘରକୁ ଫେରୁଚ ?’

 

‘ହଁ ।’

 

‘ଚାଲ–ମୁଁ ବି ଯିବି ।’

 

ନଣ୍ଡାବାବା ଧକେଇ ଧକେଇ ଚାଲିବାରେ ଲାଗିଲେ ।

 

କପିଳ ପଚାରିଲା, ‘ଧଇଁସଇଁ ହେଇ ପଡ଼ିଚନ୍ତି–ଖୁବ୍ ପରିଶ୍ରମ କରିଚନ୍ତି ବୋଧହୁଏ ?’

 

‘ପରିଶ୍ରମ ଆଉ କ’ଣ ? ସାରା ଜୀବନତ ଲାଗିଚି । ତେବେ ବଳ ଖସିଲାଣି । ଟିକିଏ ଟାଣ ଖରା ପଡ଼ିଲେ ଧଇଁସଇଁ ହେଇଯାଉଚି । ଆଗଭଳି ସେତେ ପାରୁନି ।’

 

 

‘କୁଆଡ଼େ ଯାଇଥିଲେ ।’

 

‘ଟିକିଏ ପଲେଇପୁଟ ଯାଇଥିଲି । ବଡ଼ିସକାଳୁ ବାହାରି ଯାଇଥିଲି, ବର୍ତ୍ତମାନ ଫେରୁଚି ।’

 

‘ସେଠି କ’ଣ କାମଥିଲା ?’

 

‘ଲୋକଗୁଡ଼ା ବସନ୍ତରେ ପଡ଼ିଚନ୍ତି । ରୋଗୀଗୁଡ଼ାଙ୍କୁ ଟିକିଏ ଦେଖି ଆସିବାକୁ ଯାଇଥିଲି-।’

 

‘ହେଲା ତା’ ହେଲେ ।

 

କଥାବାର୍ତ୍ତା ହେଇ ଦୁହେଁ ଆଗେଇବାରେ ଲାଗିଚନ୍ତି । ଜଣକ ମୁହଁରୁ କଥା ଶେଷ ନ ହେଉଣୁ ଆଉ ଜଣେ କଥାର ଖିଅ ଧରୁଚି । ଅନେକଗୁଡ଼ାଏ ବାଟ ସେମାନେ ଚାଲି ଆସିଲେଣି ।

 

ବେଳଟା କେତେବେଳୁ ପାହାଡ଼ ଖୋଲରେ ପଶିଗଲାଣି । କିଚିରି ମିଚିରି ହୋଇ କିଶତିଆ ଚଢ଼େଇଗୁଡ଼ା ଆକାଶରେ ଉଡ଼ି ଯାଉଚନ୍ତି । ବୋଧହୁଏ ନୀଡ଼ ମୁହାଁ ଧରିଚନ୍ତି ।

 

ଉତ୍ତରା ପବନଟା ସୁ ସୁ ହେଇ ବଢ଼ୁଚି । ଲୁଗା କାନିଟା କପିଳ ଭଲ କରି ଦେହରେ ବୁଲେଇ ଦେଲା ।

 

ଦିନର ଆଲୁଅ ଛପିଗଲାଣି । କାର୍ତ୍ତିକର କାକର ଝରା ବିରାଟ ଆକାଶଟା ଏକାବେଳେ ଝାପ୍‍ସା ଆଉ ଦୁର୍ବୋଧ୍ୟ ହେଇ ପଡ଼ିଚି । କୁହୁଡ଼ି ଦେଖା ହେଲାଣି । ସନ୍ଧ୍ୟାଟା ଧୀରେ ଧୀରେ ଆଗେଇ ଆସୁଚି ।

 

ନଣ୍ଡାବାବା ଡାକିଲେ, ‘ବାବା କପିଳ–’

 

‘କ’ଣ କହୁଚନ୍ତି ।’

 

‘କାଇଁ, ତମେ ତ ବାବା ମଠ ଆଡ଼େ କୋଉଦିନ ଆସିଲନି–’ ।

 

‘କେମିତି ଯିବି ? ଜରରେ ତ ପଡ଼ିଗଲି । ଆଜି ଟିକିଏ ଜରଟା ଛାଡ଼ିଚି ।’

 

‘କ’ଣ ହେଲା ଜର ! ମୁଁ ଖବର ତ ପାଇନି ।

 

ନଣ୍ଡାବାବା ବ୍ୟସ୍ତ ହୋଇ ଉଠିଲେ । କହିଲେ, ‘କେତେଦିନ ହେଲା ପଲେଇପୁଟ ବସନ୍ତ ରୋଗୀଗୁଡ଼ାଙ୍କୁ ଦେଖିବାକୁ ଯାଇ ସମୟ ପାଇନି । ତମ କଥା ବାବା ମୋ କାନରେ ପଡ଼ିନି ?

 

କପିଳ କିଛି କହିଲାନି ।

 

ଚୁପ୍‍ଚାପ୍ କିଛିଦୂର ଯିବାପରେ ନଣ୍ଡାବାବା ଫୁସ ଫୁସ ହେଇ କହିଲେ । ‘ତମଠି ମୋର ଅନେକ କାମ ଅଛି ।’

 

ଚମକି ପଡ଼ିଲା କପିଳ, ‘ମୋଠି ?’

 

‘ହଁ ବାବା ତମଠି । ତମରି ଭଳି ଜଣକୁ ମୁଁ ଏତେଦିନ ହେଲା ଖୋଜୁଥିଲି । ଯୋଉଦିନ ତୁମକୁ ପ୍ରଥମେ ଦେଖିଚି, ସେଇ ଦିନଠାରୁ ମନେ ହେଇଚି, ଠିକ୍ ଯାହାକୁ ଖୋଜୁଚି, ଯେମିତି ଲୋକ ଖୋଜୁଚି–ତମେ ଠିକ୍ ସେଇଆ, ସେଇ କାଟର ।’

 

‘ମୋ ପାଖରେ କ’ଣ ଦରକାର ?

 

‘କହିବି, ସବୁ କହିବି । ତମେ ଦିନେ ମଠକୁ ଆସ । ସେଇଠି କହିବି ।’

 

‘ଆଚ୍ଛା ହଉ ।’

 

କଥାବାର୍ତ୍ତା ହେଇ ଦୁହେଁ ପହଲି ବୁଢ଼ା ଚାହା ଦୋକାନ ପାଖରେ ପହଞ୍ଚିଯାଇଥିଲେ ।

 

ନଣ୍ଡାବାବା କହିଲେ, ‘ତମେ ଘରକୁ ଯାଅ ବାବା, ମୁଁ ଘାଟ ଆଡ଼େ ଟିକିଏ ଯିବି । ଘାଟ ପଟାଦାର ଆଜି ନିମନ୍ତ୍ରଣ କରିଚନ୍ତି । ମଠକୁ ଯାଉ ଯାଉ ଡେରିହେବ ।’

 

‘ଆଚ୍ଛା ।’

 

‘ତାହାଲେ କଥା ରହିଲା । ତମେ ଦିନେ ମଠକୁ ଆସିବ । କୋଉଦିନ ଆସିବ, କହ । କାଲି ସକାଳୁ ଆସ । ମୋର କାଲି କୁଆଡ଼େ ଯିବାର ନାଇଁ ।’

 

‘କାଲି ନୁହେଁ । ଆଉ ଦିନ କେତୁଟା ଯାଉ ।’

 

‘ଆସିବ ନିଶ୍ଚୟ ।’

 

‘ଯିବି ।’

 

ଡାହାଣ ପଟର ଗଡ଼ାଣି ଧରି ନଣ୍ଡାବାବା ଘାଟ ଆଡ଼େ ଆଗେଇଲେ । ଝୁଣୁରୁ ଝୁଣୁରୁ ଚୁମୁଟା ଶବ୍ଦ ସାଙ୍ଗକୁ କଠୋଉର ଠକର ଠକର ଅନେକ ଦୂରଯାଏ ଶୁଣା ଯାଉଥିଲା ।

 

ଚାଉଳ ପୁଟୁଳାଟା ଧରି କପିଳ ଆଗେଇ ଚାଲିଚି ।

 

ଟିକିଏ ସମୟ ପାଇଲେ କପିଳ ବାରଣ୍ଡାରେ ଆସି ବସେ । ବାରଣ୍ଡାର ଖୁଣ୍ଟଟାକୁ ଆଉଜି ମଥାନଟା ଦେଖିବାକୁ ତାକୁ ଭଲଲାଗେ । କେବଳ ଭଲ ଲାଗେନି, ମନଟା କେମିତି ଉଦାସ ହେଇଯାଏ ।

 

ମଠର ମଥାନଟା ସନ୍ଧ୍ୟାର ଅନ୍ଧାରରେ ଝାପ୍‍ସା ହେଇ ଉଠିବା ସଙ୍ଗେ ସଙ୍ଗେ କପିଳର ପିଛିଲା ଦିନର କଥାଗୁଡ଼ାକ ମନେପଡ଼େ । ଆଜିଯାଏ ସେ କୋଉଠି ଥିଲା ! ମୋତିପୁର, ମାଳତୀପେଣ୍ଠ, ଗଣ୍ଡେଇପଡ଼ା, ଠେଙ୍ଗାପଦା, ନରିପାଟଣା, ଶୁଆଖାଇ, ଶରଣପୁର, ବଡ଼ଗାଁ ବିପୁଳ ପୃଥିବୀର କେତେ ଘରେ ଯେ ତା’ର ଦିନ କଟିଚି, ହିସାବ ନାହିଁ । କେତେ ମଣିଷ ଦେଖିଚି, ଲେଖାଯୋଖା ନାହିଁ । ଜୀବନର ବିଚିତ୍ର ମେଳାରୁ ଆଞ୍ଜୁଳା ଆଞ୍ଜୁଳା କରି ପରମ ରହସ୍ୟକୁ ସାଉଁଟି ନେଇ ଏ ଘରୁ ସେ ଘରକୁ ବାହାରିପଡ଼ିଚି । ବାଧା ବନ୍ଧନ କିଛି ନାହିଁ । ପଛକୁ ନଜରବି ନାହିଁ ।

 

ଏଠି ଏଇ ବାରଣ୍ଡାରେ ଖୁଣ୍ଟକୁ ଆଉଜି ବସିଲେ ନଜରଟା ଆପେ ଆପେ ମଠର ମଥାନ ଆଡ଼େ ଚାଲିଯାଏ । ଏକ ଦୃଷ୍ଟିରେ ସେଆଡ଼େ ଚାହିଁ ରହୁ ରହୁ ମନେହୁଏ, ତା’ର ପିଛିଲା ଜୀବନଟା ମଠ ମଥାନପରି ଅସ୍ପଷ୍ଟ ଝାପ୍‍ସା ହେଇଯାଉଚି ।

 

ଦେଖୁ ଦେଖୁ କାର୍ତ୍ତିକ ଯାଇ ମାର୍ଗଶୀର ପଶିଲା ।

 

କାର୍ତ୍ତିକରେ ଟିକିଏ କୁହୁଡ଼ି ଦେଖା ଦେଉଥିଲା । ବର୍ତ୍ତମାନ ପୂରା କାକର ପଡ଼ିବା ଆରମ୍ଭ ହେଇଗଲାଣି ।

 

ମାର୍ଗଶୀରର ବହଳା କୁହୁଡ଼ି ସକାଳୁ ଅନେକ ସମୟ ଧରି ସୂର୍ଯ୍ୟକୁ ଉହାଡ଼ କରି ରଖୁଚି-। ଆକାଶତଳେ ଆଉ ଗୋଟାଏ ବରଫ ଚାଦର ଯେମିତି ଝଲିରହିଚି ।

 

ଆଜି ଖୁବ୍ ଭୋରରୁ କପିଳର ନିଦଟା ଭାଙ୍ଗି ଯାଇଚି । ନିଦଟା ସିନା ଭାଙ୍ଗି ଯାଇଚି, ହେଲେ ଅଳସଟା ପୂରା ଛାଡ଼ିନି । ଗୋଟାଏ ଅଦ୍ଭୁତ ଜଡ଼ତା ଦିହସାରା ଘେରି ରହିଚି ।

 

ଦୁଇଟା କନ୍ଥା ଘୋଡ଼ି ହେଇ କପିଳ ଶୋଇଥିଲା । ନିଦ ଭାଙ୍ଗି ଯାଇଥିଲେବି ସେ ଆଖି ଖୋଲି ନଥିଲା । କନ୍ଥା ଭିତରର ସୁରୁମିଆ ଅନ୍ଧାର ଟିକକ ଭାରି ଭଲ ଲାଗୁଚି । ଚୁପ୍‍ଚାପ୍ ପଡ଼ି ରହି ସେ ଯେମିତି ଉଷତାର ସ୍ୱାଦ ଅନୁଭବ କରୁଚି ।

 

ଜଣାପଡ଼ୁଚି, ବାହାରଟା ଫରଚା ହେଇଗଲାଣି । କନ୍ଥାଭିତରର ଗାଢ଼ ଅନ୍ଧକାରଟା ପିଗିଳି ଯାଇଚି ଯେମିତି । ଅଳସ ଭାଙ୍ଗିବା ପାଇଁ ଏକଡ଼ ସେକଡ଼ ଲେଉଟେଇ ହୋଇ କପିଳ କିଛି ସମୟ କଟେଇଦେଲା । ତା’ପରେ କନ୍ଥା ଆଡ଼େଇ ମୁହଁଟା ବାହାର କଲା ।

 

ବାରତୀପୁର ସୁବଳ ଜେନା ଘରେ କପିଳ ପୂରା ଅଢ଼େଇମାସ କଟେଇ ଆସିବ । କଥାରେ କଥାରେ ସୁବଳ ଜେନା କହନ୍ତି, ‘ବୁଝିଲ ନା ବାବା, ଏ ସଂସାରଟା ଗୋଟାଏ ବିରାଟ ଖେଳପଡ଼ିଆ ।’

 

ପୂରା ଖାଣ୍ଟିକଥା କହନ୍ତି ସୁବଳ ଜେନା । ସଂସାରଟା ଖେଳପଡ଼ିଆ ନ ହେଇଥିଲେ, ସେ ଘର ନ ଥାଇ ଘରେ–ଦାନା ନ ଥାଇ ଖାନା–ନିଜର ନ ଥାଇ ଆପଣାର ଲୋକ ଏତେ ପାଆନ୍ତା କେମିତି ?

 

ହଠାତ୍ ତା’ର ମନେପଡ଼ିଲା । ସେଦିନ ସେ ନଣ୍ଡାବାବାଙ୍କୁ ଜବାବ୍ ଦେଇ ଆସିଚି, ଦିନେ ସୁବିଧା ହେଲେ ମଠ ଆଡ଼େ ଯିବ ।

 

ତା’ପରେ ଅନେକ ଦିନ କଟି ଗଲାଣି । ମଠକୁ ଯିବା କଥା କପିଳ ଏକାବେଳେ ଭୁଲିଯାଇଚି । ହଠାତ୍ ଏ ସକାଳଟାରୁ ତା’ର ନଣ୍ଡାବାବାଙ୍କ ପାଖକୁ ଯିବାପାଇଁ ଇଚ୍ଛାଟା ଡାକିଲା ।

 

ଦେହରୁ କନ୍ଥାଗୁଡ଼ାକ ଆଡ଼େଇ କପିଳ ଉଠି ବସିଲା । ହାଇ ମାରି ଭିଡ଼ିମୋଡ଼ି ହେଲା । ତା’ପରେ ଦ୍ୱାର ଆଗରେ ଝୁଲୁଥିବା କେରପାଲୁ ଖଣ୍ଡକ ପାଖେଇ ବାହାରକୁ ଆସିଲା ।

 

ଏଯାଏ ବାବନା ମାଆ, କୁନ୍ତେଇ କି ସୁଲେଇ କେହି ଉଠି ନାହାଁନ୍ତି, ଏଡ଼େ ପାହାନ୍ତାଟାରୁ ଉଠିବା ପାଇଁ କାହାର ଗରଜ ପଡ଼ିଚି–କିଏ କାହିଁକି ଉଠିବ !

 

କପିଳ କାହାରିକି ଡକାଡ଼କି କଲାନି । ଶୋଇଚନ୍ତି ତ ଶୋଇ ଥାଆନ୍ତୁ । ଲୁଗାଖଣ୍ଡକ ଭଲ କରି ଦେହରେ ଗୁଡ଼େଇ ପାଉଁଶ ଗଦା ବାଟେ ଟାଙ୍ଗି ଉପରକୁ ଉଠିଲା ।

 

କାକର ପଡ଼ି ଘାସଗୁଡ଼ା ବତୁରି ଯାଇଚି । ଘାସଗୁଡ଼ାକର ତାଳୁରେ ଥୋଲା ଥୋଲା ହେଇ କାକର ପଡ଼ିଚି । ପାଦଗୁଡ଼ାକ କେମିତି କାଠ କାଠ ଜଣାପଡ଼ୁଚି । କେତେବେଳେ ଆସି ମଠ ପାଖରେ ପହଞ୍ଚିଯାଇଚି କପିଳର ଖିଆଲ ନାହିଁ । ମଠ ଉପରକୁ ଥରେ ଚାହିଁଲା, ଏବେବି ମଠ ତାଳୁରେ–ଚରାବଉଦ ଭଳି କୁହୁଡ଼ିଗୁଡ଼ା ଘେରି ରହିଚି । ଭଲଭାବେ ଦେଖାଯାଉନି ।

 

ଏତେଦିନ ହେଲା କପିଳ ଦୂରରୁ ଦେଖୁଥିଲା । ମଠଟା ନଖିପଡ଼ାର ଗହଳ ଚହଳରୁ ପାଖେଇହେଇ ରହିଚି । ପୃଥିବୀର କୌଣସି ବିଷୟରେ ତା’ର ଯେମିତି ଆସକ୍ତି ନାହିଁ, ଆଗ୍ରହ ନାହିଁ, କୌତୁହଳ ନାହିଁ ।

 

ସୁଲେଇଙ୍କ ବାରଣ୍ଡାଉପର ବାଉଁଶ ଖୁଣ୍ଟକୁ ଆଉଜି ମଠଟା ଆଡ଼େ ଚାହିଁଲାବେଳେ କପିଳର କେମିତି ଦୁର୍ବୋଧ୍ୟ ମନେହୁଏ । ୟାରି ଭିତରେ ନଣ୍ଡାବାବା ରହନ୍ତି ।

 

ଏଇ ପୁରୁଣା ମଠଟାର ଚାରିକଡ଼େ ଯେମିତି କେତେଗୁଡ଼ାଏ ବିଚିତ୍ର ରହସ୍ୟ ଘନୀଭୂତ ହେଇରହିଚି ।

 

ପହିଲି ଥର ପାଇଁ କପିଳ ମଠକୁ ଆସିଚି ।

 

ମଠ ଆଗରେ କିଆରି ବନ୍ଧା ଯାଇଚି । ଆଉ ପଟାଳିଗୁଡ଼ାକରେ ମୁଣ୍ଡ ଟେକି ଠିଆ ହେଇଚି ଅଜସ୍ର ସବୁଜ ଅଙ୍କୁର । କୋବି, ମୂଳା, ପାଳଙ୍ଗ–ଶୀତଦିନିଆ ଫସଲ । ନଖିପଡ଼ାର ସରସ ମାଟି ଅକୃପଣ ସ୍ନେହରେ ସବୁଜ ପ୍ରାଣଗୁଡ଼ିକୁ ପାଳନ କରିଚି ।

 

ପୂର୍ବ ଦିଗର ଆକାଶଟା ଆଡ଼େ କପିଳ ଚାହିଁଲା । ସକାଳର ପହିଲି ଖରା ଟିକକ ନଖିପଡ଼ା ଉପରେ ପଡ଼ିବାକୁ ଆହୁରି ଡେରିଅଛି ।

 

ମଠ ଦୁଆରର ବଡ଼ କଡ଼ାଟାକୁ ଧରି କପିଳ କିଛି ସମୟ ଖଡ଼୍‌ ଖଡ଼୍‌ କଲା ।

 

ଟିକିଏ ଚୁପ୍‌ । ଜବାବ୍‌ ମିଳିଲାନି ।

 

ଅଗତ୍ୟା ଆଉ ଟିକିଏ ଜୋର୍‌ରେ କଡ଼ାଟାକୁ ଖଡ଼୍‌ ଖଡ଼୍‌ କରିବାରେ ଲାଗିଲା । ଆକାଶ ପୂରା ଫରଚା ହେଇଆସୁଚି ।

 

ଦୀର୍ଘ ସମୟ ଖଡ଼୍‌ ଖଡ଼୍‌ କଲାପରେ ଦ୍ୱାରଟା ଖୋଲିଗଲା ଆଖି ମକଚି ନଣ୍ଡାବାବା ପଦାକୁ ଆସିଲେ । ଦେହରେ ଲୋଚା କୋଚା, ଦର ମଇଳା ଆଲଖାଲା । ଅଣ୍ଟାରେ ଖଣ୍ଡେ କଷା ଗାମୁଛାଗୁଡ଼ା ହେଇଚି ।

 

ଏଡ଼େ ଭୋରରୁ କପିଳକୁ ଦେଖି ନଣ୍ଡାବାବା ଆଶ୍ଚର୍ଯ୍ୟ ହେଇଗଲେ । କହିଲେ, ‘ବାବା, ତମେ ଆସିଚ ?’

 

‘କ’ଣ ଭୁଲିଗଲଣି ? କହିଥିଲ ପରା ମଠ ଆଡ଼େ ଦିନେ ଆସିବାକୁ ?’

 

‘ନାଇଁ-ନାଇଁ, ଭୁଲିନି–ଭୁଲିଯିବି କାହିଁକି ?’

 

ବ୍ୟସ୍ତ ହେଇଉଠିଲେ ନଣ୍ଡାବାବା, ‘ଆସ ବାବା, ଭିତରକୁ ଆସ ।’

 

ନଣ୍ଡାବାବାଙ୍କ ପଛେ ପଛେ କପିଳ ଭିତରକୁ ଗଲା ।

 

ମାର୍ଗଶୀରର କୁହୁଡ଼ି ଘେରା ସକାଳଟା । ଏଯାଏ ବାହାରର ଆଲୁଅ ଭିତରେ ପଶିପାରିନି । ଭିତରଟା ଛାପୁରା ଛାପୁରା ଅନ୍ଧାର । ସେ ଅନ୍ଧାରରେ ସ୍ପଷ୍ଟ କିଛି ଦେଖି ହେଉନି । ତଥାପି କପିଳର ମନେହେଲା, ବାହାର ଭଳି ମଠ ଭିତରର ରୂପଟାବି କରୁଣ, କର୍କଶ । ଘରର କାନ୍ଥ ବାଡ଼ରେ ଅଳନ୍ଧୁଗୁଡ଼ା ଓହଳିଚି, କାନ୍ଥଗୁଡ଼ାକରୁ କଉଡ଼ିଆ ଚୁନର ପତଳା ବୋରଗୁଡ଼ା ଉଠିଗଲାଣି । ଖଣ୍ଡିଆ ଇଟାଗୁଡ଼ାକ ଲୁଣି ଧରି ଆସିଲାଣି ।

 

ଦି’ତିନିଟା ଘର ପାର ହେଇଗଲା ।

 

କପିଳ ଆଉ ନଣ୍ଡାବାବା, ଦୁଇଜଣଙ୍କର ପାଦଶବ୍ଦ ଛଡ଼ା ଆଉ କୌଣସି ଶବ୍ଦ ଶୁଣାଯାଉନି । ହଠାତ୍‌ ଚମକି ଉଠିଲା କପିଳ । ଆଉ କିଛି ନୁହେଁ, ଗୋଟାଏ ଦି’ଟା ଚେମେଣି ଫଡ୍‌ ଫାଡ୍‌ ହେଇ ଉଠିବାରେ ଲାଗିଲେ ।

 

ମଠର ଶେଷ ବଖରାରେ ସେମାନେ ଆସି ପହଞ୍ଚିଲେ ।

 

ନଣ୍ଡାବାବା କହିଲେ, ‘ଏଇ ବଖରାରେ ଚଳୁଚି–ଆସ–’

 

କପିଳର ନଣ୍ଡାବାବାଙ୍କ କଥାରେ କାନ ନଥିଲା । ଗୋଟାଏ ଅଲଗା କଥା ସେ ଭାବୁଥିଲା ।

 

ଯଦିଓ କପିଳ ଶୁଣିଚି, ଏଇ ପୁରୁଣା ମଠଟା ଭିତରେ ଅନେକ ବର୍ଷ ହେଲା ନଣ୍ଡାବାବା ଏକୁଟିଆ ଅଛନ୍ତି, ତଥାପି ତା’ ମନରୁ ଭାବନାଟା ଯାଉ ନଥିଲା । କପିଳ ଜାଣେନି, ମଠ ଭିତରଟା ଏତେ ନିର୍ଜନ, ଏତେ ନିସ୍ତବ୍‌ଧ । ଏଇ ସ୍ତବ୍‌ଧ, ନିର୍ଜନ ମଠଟା ଭିତରେ କୋଉ ଆଶା, କି ମୋହ ନେଇ ନଣ୍ଡାବାବା ଜୀବନର ଏତେଗୁଡ଼ାଏ ବର୍ଷ କଟେଇ ଦେଇଚନ୍ତି । ସେଇଟା ସେ ଠିକ୍‌ ବୁଝିପାରୁ ନଥିଲା ।

ନଣ୍ଡାବାବା ଡାକିଲେ, ‘ବାବା–’

‘ଏଁ ।’

କପିଳ ଚମକିପଡ଼ିଲା ।

ନଣ୍ଡାବାବା ଏକ ଦୃଷ୍ଟିରେ କିଛି ସମୟ କପିଳ ମୁହଁକୁ ଚାହିଁ ରହିଲେ । ପଚାରିଲେ,’ କ’ଣ ଭାବୁଚ ?’

କପିଳ ଭାବିଲା, ମନ କଥାଟା କହିପକେଇବ । ଏ ନିର୍ଜନ ମଠଟା ଭିତରେ କାହିଁକି ନଣ୍ଡାବାବା ନିଃସଙ୍ଗ ଜୀବନ କଟୋଉଚନ୍ତି । କ’ଣ ପୁଣି ଭାବି ସେ କଥାଟା କହିଲାନି । ଘର ଭିତରକୁ ପଶିଗଲା ।

ନଣ୍ଡାବାବା ପୁଣି ପଚାରିଲେ, ‘କ’ଣ ଭାବୁଥିଲ, କିଛି କହିଲନି ଯେ ?’

‘କିଛି ନାଇଁ ।’

ଘର ଭିତରେ ଖଣ୍ଡେ ଛୋଟ ଲଣ୍ଠନ ଜଳୁଥିଲା । ବୋଧହୁଏ ତେଲ ସରିଆସିଲାଣି । ଯୋଉ ନାଲିଚିଆ ଆଲୁଅ ଟିକକ ଦେଖାଯାଉଚି, ତା’ର ତେଜ ନାହିଁ । ସେଇ ନିସ୍ତେଜ ଆଲୁଅରେ ଘର, ସବୁକିଛି ଦେଖି ହେଉନି ।

କପିଳ ଥରେ ଚାରିଆଡ଼େ ନଜର ବୁଲେଇଲା ।

କାନ୍ଥରେ କେତେଗୁଡ଼ାଏ କାଚ ବନ୍ଧେଇ ଫଟୋ । ଫଟୋଗୁଡ଼ା ରଙ୍ଗିନ୍‌ ସତ, ହେଲେ ତା’ର ପ୍ରମାଣ ହଜି ଆସିଲାଣି । ଆଉ ସବୁଜ ମିଶା କେତେଗୁଡ଼ାଏ ଅସ୍ପଷ୍ଟ ରେଖା ଛଡ଼ା ଆଉ କିଛି ଦେଖାଯାଉନି । ଘରର ଠିକ୍‌ ମଝିରେ ଖଣ୍ଡେ ଦଉଡ଼ିଆ ଖଟ । ତା’ ଉପରେ ମଇଳା କୋଚଟ କନାର ବିଛଣା । ଖଣ୍ଡେ ରୁମା କମ୍ବଳ ଖଟ ଉପରୁ ତଳକୁ ଓହଳି ପଡ଼ିଚି ।

 

ମୁଣ୍ଡଆଡ଼କୁ ଗୋଟାଏ ପ୍ରକାଣ୍ଡ ଖଟୁଲି । ତା’ ଉପରେ କେତେଗୁଡ଼ାଏ ପୋଥି ଥାକ ମରାହେଇଚି ।

 

କାନ୍ଥରେ କଣ୍ଟା ମରା ହେଇ ଖଣ୍ଡେ ଦଉଡ଼ି ଟଣାହେଇଚି । ସେଇ ଦଉଡ଼ିରେ ଝୁଲୁଚି କେତେଟା ଆଲଖାଲା ଆଉ କୋଚଟ ଗାମୁଛା ।

 

ଖଟଟା ପାଖରେ ଦୁଇ ଚାରିଟା କାଠ ପେଟି ଥୁଆ ହେଇଚି । ଅନେକ ଦିନର ସେଗୁଡ଼ାକ । ଗୋଟାଏ କଡ଼ରେ ଉଠାଚୁଲି । ଲିପା ଅଭାବରୁ ତା’ ଦେହରେ ଚିଡ଼ି ଫାଟ ଧରିଚି । ପାଖରେ ଦୁଇଟା ଡେକଚି, ଗୋଟାଏ କଡ଼େଇ, ଥାଳି ଗିନା ଦୁଇ ଚାରିଟା ।

 

ରୋଷେଇ ସରଞ୍ଜାମ ଦେଖୁ ଦେଖୁ କପିଳ ପଚାରିଲା, ‘ତମେ ହାତରେ ରୋଷେଇ କରି ଖାଉଚ ?

‘ହଁ ବାବା, ସୁବିଧା ପାଇଲେ ନିଜେ ଦି’ଟା ଫୁଟେଇ ଦିଏ ।’

କପିଳ ଆଉ କିଛି କହିଲାନି । ଠିଆ ହେଇ ଚାରିଆଡ଼େ ନଜର ବୁଲେଇବାରେ ଲାଗିଲା-

ନଣ୍ଡାବାବା କହିଲେ, ‘ଠିଆ ହେଲ କାହିଁକି ? ସେ ଖଟ ଉପରେ ବସ ।’

କପିଳ ବସିଲା ।

ନଣ୍ଡାବାବା ପୁଣି କହିଲେ, ‘ତମେ ବସ ବାବା ! ମୁଁ ଟିକିଏ ଧୁଆଧୋଇ ହେଇ ଆସେ ।’

‘ହଉ ।’

ନଣ୍ଡାବାବା ଘର ଭିତରୁ ଚାଲିଗଲେ ।

ଖଟ ସେପାଖକୁ ଗୋଟାଏ ଝରକା । ଝରକାରେ କବାଟ ନାହିଁ । କେବଳ ରେଲିଂଗୁଡ଼ା ଲାଗିଚି । ସେଇବାଟେ ଟିକିଏ ଚାରି କୋଣିଆ ଆକାଶ ଦେଖାଯାଉଚି । ଏତେବେଳଯାଏ ଆକାଶଟା ମାର୍ଗଶୀରର କୁହୁଡ଼ିରେ ବାନ୍ଧି ହେଇ ରହିଥିଲା । ବର୍ତ୍ତମାନ ତାକୁ ଟପେଇ ସୁନା ତାରଭଳି କଅଁଳ ଖରା ଦେଖା ଦେଇଚି ।

କପିଳ ଦୃଷ୍ଟି ଫେରେଇଲା । ତା’ର ନଜର ପଡ଼ିଲା ଲଣ୍ଠନ୍‌ଟା ଉପରେ । ଉଠିଯାଇ ସେଇଟା ଲିଭେଇଦେଲା ।

କିଛି ସମୟ ପରେ ନଣ୍ଡାବାବା ଫେରିଲେ ।

କପିଳ ପଚାରିଲା, ‘ମତେ କ’ଣ କହିବ ବୋଲି କହୁଥିଲ ପରା ?’

‘କହୁଚି ।’

ନଣ୍ଡାବାବା କ’ଣ ଟିକିଏ ଭାବିଲେ । ତା’ପରେ କହିଲେ, ‘ଆଜି କ’ଣ ହାଟକୁ ଯିବାର ଅଛି ?’

‘ନା ।’

ଆଉ କିଛି ଜରୁରୀ କାମ ଅଛି ?’

‘ନା ।’

‘କୁନ୍ତେଇ ପ୍ରଭୃତି କିଛି କହିବେନି ତ ?’

‘ନା ।’

ଟିକିଏ ଚୁପ୍‌ । ହଠାତ୍‌ ନଣ୍ଡାବାବା କହିଲେ, ‘ତାହାଲେ ବାହାରି ପଡ଼ିବା । ମୋ ସାଙ୍ଗରେ ଚାଲ ।’

‘ତମ ସାଙ୍ଗରେ କୁଆଡ଼େ ଯିବି ?’

କପିଳ ଆଶ୍ଚର୍ଯ୍ୟ ହେଇ ନଣ୍ଡାବାବାଙ୍କ ମୁହଁକୁ ଚାହିଁଲା ।

‘ଚାଲୁନ । ନିଜ ଆଖିରେ ସବୁ ଦେଖିବ । ‘ନଣ୍ଡାବାବା ପୁଣି ଅସ୍ପଷ୍ଟ ସ୍ୱରରେ କହିଲେ, ‘ତମଠି ମୋର ଭାରି ଦରକାର ଅଛି ।’

‘ଯେତେବେଳେ ତମ ସଙ୍ଗେ ଦେଖା ହେଉଚି । ସେତେବେଳେ କହୁଚ ଦରକାର ଅଛି । କ’ଣ ସେ ଦରକାରଟା, ଏଯାଏ ତ ଜାଣିହେଲାନି ।’

‘ଆଜି ଜାଣିବ ।’

 

ଖୁବ୍‌ ଚଞ୍ଚଳ ଖଣ୍ଡେ ଆଲଖାଲା ଦେହରେ ଗଳେଇଲେ । କଠଉ ହଳକ ଗୋଡ଼ରେ ଗଳେଇଲେ । ଡେରା ହୋଇଥିବା ଚୁମୁଟାଟା ଧରି ନଣ୍ଡାବାବା ଆଉ କପିଳ ମଠ ଭିତରୁ ବାହାରି ପଡ଼ିଲେ ।

 

ଗୋସେଇଁ ଘାଟ ପାଖକୁ ଲାଗି ଗୋଟାଏ ବେଲଗଛ । ରୋଗଣା ଗଛଟା ମୂଳଠୁ ଶେଷଯାଏ ଜାଦୁରା । ନକନକିଆ ଡାଳଗୁଡ଼ାକରେ ପତର କେନାଗୁଡ଼ା କେମିତି ବେଖାପିଆ ଦେଖାଯାଉଚି ।

 

ଗୋଟାଏ କୁମ୍ଭାଟୁଆ ତା’ ଡାଳରେ ଡେଉଁଚି ।

 

ଗୋସେଇଁ ଘାଟର ତଳ ପାହାଚ ଉପରେ ବସି ସୁଲେଇ କୁମ୍ଭାଟୁଆକୁ ଚାହିଁ ରହିଥିଲା । ଆଣ୍ଠୁ ଉପରେ ଥୋଡ଼ିଟାକୁ ରଖି ସେ ବସିଚି ।

 

ପାହାନ୍ତିଆ । କୁହୁଡ଼ିରେ ଏପଟର ପାଟଳ ନଈ ଆଉ ଆରପାଖର ମୁଣ୍ଡିଆ ଧାଡ଼ିକ ଝାପ୍‌ସା ଦେଖାଯାଉଚି ।

 

‘ଅନେକ ବେଳୁ ।’

 

‘ତୋ ଭାଉଜ ଆସିନି କି ?’

 

‘ଭାଉଜ କଥା ଦେଖ୍‌ ମ । ଆଗରେ ମତେ ପଠେଇ ଦେଲା । କହିଲା, ତୋ ପଛେ ପଛେ ଯାଉଚି–ଚାଲ । ମୁଁ ଆସି ଏଠି ଏକୁଟିଆଟା ବସିଚି । ଏତେବେଳେଯାଏ ତା’ର ଦେଖା ନାଇଁ-।’

 

ଏହା ମଧ୍ୟରେ ଉପର ସାହିର ସବୁ ଝିଅଗୁଡ଼ା ତା’ର ଚାରିପାଖେ ଘେରି ବସିଗଲେଣି ।

 

କସ୍ତା କାନିରେ ସୁଲେଇ ମୁଠାଏ ଇଠାଫଳ ବାନ୍ଧି ଆଣିଥିଲା । ଗଣ୍ଠିଟା ଫିଟୋଉ ଫିଟୋଉ କହିଲା, ‘ମୋ ମୁଣ୍ଡ ଟିକିଏ ଛଡ଼େଇ ଦେବୁ କିଲୋ ଫୁଲ ?’

 

‘ଦେବିନି କାହିଁକି ? ଦେ, ଇଠାଫଳ ଦେ–’

 

ସୁଲେଇ ହାତରୁ ଇଠାଫଳ ନେଇ ଫୁଲ ମୁଣ୍ଡରେ ଘଷିବାରେ ଲାଗିଲା ।

 

ଏଣୁତେଣୁ ଦି’ଚାରି ପଦ କଥାବାର୍ତ୍ତା ହେଲା ।

 

ଫୁଲ ପଚାରିଲା, ‘ବାବନାଇର କ’ଣ ଖବର ମିଳିଲା ?’

 

‘ନା ।’

 

‘କେମିତିଆ ମଣିଷ କେଜାଣି ବାବନାଇଟା । ଘରଦ୍ୱାର ଛାଡ଼ି କୋ କାଳୁ ଗଲାଣି ଯେ, ଏଯାଏ ଦେଖାନାଇଁ–’

 

ଫୁଲ ଟିକିଏ ରହିଗଲା । ତା’ପରେ ପୁଣି ଆରମ୍ଭ କଲା, ‘ସମସ୍ତେ କହୁଚନ୍ତି ଲଢ଼େଇ କୋଉକାଳୁ ସଇଲାଣି । ପାଖ ଆଖରୁ ଯୋଉମାନେ ଯାଇଥିଲେ ସମସ୍ତେ ବାହୁଡ଼ିଲେଣି । ଖାଲି ବାବନାଇଟା–’

 

ଫୁଲ ଗୋଟାଏ ଦୀର୍ଘ ନିଃଶ୍ୱାସ ପକେଇଲା ।

 

ସୁଲେଇ କିଛି କହିଲାନି, ମୁହଁ ବନ୍ଦ କରି ଚୁପ୍‌ହେଇ ବସି ରହିଲା । ତା’ ଛଡ଼ା ତା’ର ଆଉ କିଛି ଉପାୟ ନଥିଲା ।

 

ମୁଣ୍ଡଟା ଘସୁ ଘସୁ ଫୁଲ କହିଲା, ‘ନିଜ ଆଖିରେ ସବୁ ଦେଖୁଚି । ବାବନାଇ ଗଲା ଦିନଠୁ ତମେ କେଡ଼େ ଦୁଃଖରେ ଚଳୁଚ !’ ଟିକିଏ ତୁନି ହେଲା । ପୁଣି କହିଲା, ‘ମୋ ମନ କହୁଚି, ଏଥର ବାବନାଇ ଫେରି ଆସିବ ।’

 

ଏଥରବି ସୁଲେଇ ଚୁପ୍‌ ହେଇ ରହିଲା ।

 

ବାବନା ଗଲା ଦିନଠୁ ଆଜିଯାଏ ଯେତେବେଳେ ଯାହା ସାଙ୍ଗେ ଦେଖାହେଇଚି, ଥରେ ନା ଥରେ ବାବନା କଥା ଉଠିଚି । ଇଚ୍ଛା ନଥିଲେବି ସାନ୍ତ୍ୱନା ମିଳିଚି । ସହାନୁଭୂତି ମିଳିଚି ।

 

ଆଗେ ଏଗୁଡ଼ା ସୁଲେଇକି ଭଲଲାଗୁଥିଲା । ବିପଦବେଳେ ଦି’ପଦ ସହାନୁଭୂତି କଥା ଶୁଣିଲେ ଛାତିଟା ଟିକିଏ ଦମ୍ଭ ହୁଏ ।

 

କିନ୍ତୁ ଆଜିକାଲି ଏ ସାନ୍ତ୍ୱନା କଥାଗୁଡ଼ା ସୁଲେଇକି ଭାରି ଖରାପ ଲାଗେ । ମନେହୁଏ, କହିବା କଥା ବୋଲି କହି ଦଉଚନ୍ତି । ଏ କଥାଗୁଡ଼ାକ ଆନ୍ତରିକତାପୂର୍ଣ୍ଣ ନୁହେଁ ।

 

ଲଢ଼େଇ ବନ୍ଦ ହେଲା । ସମସ୍ତେ ଫେରିଲେ । ଫେରିଲାନି ବାବନା । ବଞ୍ଚିଚି ବୋଲିତ ପରତେ ହଉନି । ଏଇଟା ମନେ ମନେ ସମସ୍ତେ ଭାବନ୍ତି । ତେବେବି ଦେଖାହେଲେ ସେଇ ବାବନା କଥା ପଚାରନ୍ତି ।

 

କିଏ କହେ, ‘ଭାବିବାର କିଛି ନାଇଁ, ବାବନା ଅଲବତ୍‌ ଫେରିବ ।’

 

ଆଉ କିଏ କହେ, ‘ଘର ସଂସାରର ମାୟା ସହଜେ ଛାଡ଼ି ହୁଏନି । ବଞ୍ଚିଥିଲେ ସେ ନିଶ୍ଚୟ ଫେରି ଆସିବ ।

 

ଦୋଷ ହଉ ଗୁଣ ହଉ, ମଣିଷର ଗୋଟାଏ ସ୍ୱଭାବ । ଦରକାର କି ଅଦରକାର ବୁଝିବେନି, ବଳେ ବଳେ ସାନ୍ତ୍ୱନା ଦେଇ ବସିବେ ।

 

ଆଜିକାଲି ସହାନୁଭୂତି କଥା ଉଠିଲେ ସୁଲେଇକି ଥଟ୍ଟା ଭଳି ମନେହୁଏ । ତେଣୁ ବାବନା କଥା ଯେତେବେଳେ ଉଠେ, ସେତେବେଳେ ସୁଲେଇ ପାଟି ଫିଟାଏନି । ସେ ଜାଣେ କଥାରୁ କଥା ବଢ଼ିବ । ଗୋଟାଏ ଜାଗାରେ ଦଶଟା କଥା ଶୁଣିବାକୁ ପଡ଼ିବ । ସେଥିରେ ଲାଭ କ’ଣ-? କଥାରେତ ପେଟ ପୂରିବନି ।

 

କିଛି ସମୟ ଚୁପ୍‌ଚାପ୍ ।

 

ଇଠାଫଳର ଫେଣରେ ଲେଇ ମୁଣ୍ଡରୁ ତେଲ ଆଉ ମଇଳା ଛିଟା ଗଡ଼ି ପଡ଼ୁଚି । ଓଦା ବାଳଗୁଡ଼ା ଗାଲ, ପିଠି, ବେକରେ ପଡ଼ିଚି ।

 

ବାଳଗୁଡ଼ା ସାଉଁଟି ଆଣି ଏକାଠି କରି ଫୁଲ ବାନ୍ଧିଦେଲା । ହଠାତ୍‌ ଫୁସ୍‌ ଫୁସ୍‌ କରି କହିଲା, ‘ଏତେଦିନେ ତମର ଦୁଃଖ ଘୁଞ୍ଚିଲା ଲୋ ସୁଲେଇ ।

 

‘କ’ଣ ଦୁଃଖ ଘୁଞ୍ଚିଲା ?’

 

ମୁଣ୍ଡପୋତି ସୁଲେଇ ବସିଥିଲା । ଫୁଲ କଥାଟା କାନରେ ପଡ଼ିବାମାନେ ସଳଖି ହେଇ ବସିଲା ।

 

‘ଆହା-କିଛି ଜାଣିନଥିବୁ–’

 

ସୁଲେଇ ଗାଲରେ ଗୋଟାଏ ଛୋଟ ଖୁନ୍ଦାମାରି ଫୁଲ କହିଲା, ‘ଢଙ୍ଗ କାଢ଼ୁଚୁ, ତୁ ଯେତିକି ଜାଣୁ ମୁଁ ବି ସେତିକି ଜାଣେ । ଏ ନଖିପଡ଼ାରେ ସମସ୍ତେ ଜାଣନ୍ତି । ଜାଣିଶୁଣି ପୁଣି ଫବେଇ ହଉ କାହିଁକି !’

 

‘କ’ଣ କହୁଚୁମ !’

 

ଫୁଲ ମୁହଁକୁ ସୁଲେଇ ଚାହିଁଲା । ଦେଖିଲା ଓଠ ଫାଙ୍କରେ ହସ ଲେଭାଡ଼ିହେଇ ପଡ଼ିଚି । ଫୁଲ ଚିପି ଚିପି ହସୁଚି–ସେ ହସରେ ଧୂର୍ତ୍ତ ଆଉ ଚତୁରତାର ଲକ୍ଷଣ ଯେମିତି ଫେଣ୍ଟି ହେଇଯାଇଚି-। ଏଥର ସୁଲେଇ ଅନ୍ୟମାନଙ୍କ ଆଡ଼େ ଚାହିଁଲା । ଦେଖିଲା, ସମସ୍ତଙ୍କ ମୁହଁରେ ସେଇ ଗୋଟାଏ ଧରଣର ହସ ।

 

ସୁଲେଇ ଟିକିଏ ଡରିଗଲା । ପଚାରିଲା, ‘ତମମାନଙ୍କ ମନରେ କ’ଣ ଅଛି କିଲୋ ଫୁଲ-?’

 

ଫୁଲ ଜବାବ ଦେଲାନି ।

 

ସେପଟରୁ ବାସନ୍ତି କହିଲା, ‘ଭଲ କରିଚ ଲୋ ସୁଲେଇ । ବାବନାଇ ଯେତେ ଦିନଯାଏ ନ ଆସିଚି ସେତେଦିନ ଯାଏ ତାକୁ ଛାଡ଼ନି ।’

 

ବାଁ ପଟେ ପାର ବସିଥିଲା, ‘ଛାଡ଼ିବେ କାହିଁକି ? ବାବନାଇ ଆସିଲେବି ଛାଡ଼ିଦେବି ?

 

ଫୁଲ ପଚାରିଲା, ‘ଛାଡ଼ିବେନିତ ଆଉ କ’ଣ କରିବେ ?

 

ବାସନ୍ତି ଫୁସ୍‌ ଫୁସ୍‌ କରି କହିଲା, ‘କାନିରେ ସାତଗଣ୍ଠି ପକେଇ ଦିହକଯାକ ରଖିନେବେ-

 

ବାସନ୍ତି କଥା ଶୁଣି ଅନ୍ୟ ଝିଅଗୁଡ଼ାକ ହସରେ ଫାଟି ପଡ଼ିଲେ । ଆକତା ହସ । ହସି ହସି ଜଣେ ଜଣକ ଉପରେ ଲୋଟି ପଡ଼ୁଚି ।

 

ଆବାକାବା ହେଇ ସୁଲେଇ ୟା–ତା’ ମୁହଁକୁ ଚାହିଁବାରେ ଲାଗିଲା । ପଚାରିଲା, ‘କ’ଣ ତମେମାନେ ସବୁ କହୁଛ ? କାହା କଥା କହୁଚ ?’

 

ସୁଲେଇ କାନ ପାଖକୁ ମୁହଁ ନେଇ ଫୁଲ କହିଲା, କାହାକଥା ବୁଝିପାରୁନୁ ! ସେଇ କାର୍ତ୍ତିକ ମାସରେ ଏଇ ନଈ ଭିତରୁ ତୁ ଆଉ ତୋ’ ଭାଉଜ ଯୋଉ ଚନ୍ଦ୍ରଉଦିଆକୁ ଛାଣି ନେଇଥିଲ । ତାରି କଥା କହୁଚୁଲୋ ଟୋକି ?’

 

ପାର ଖଞ୍ଛା ଦେଲା, ‘ନାଆଁଟା ଶୁଣିବ ବୋଲି ହଉଚମ । କହି ଦଉନ–’

 

ସମସ୍ତେ ଏକାବେଳେ କହି ଉଠିଲେ, ‘କପିଳ, କପିଳ–’

 

ସୁଲେଇର କାନମୂଳଟା ଝାଇଁ ଝାଇଁ ହେଇଗଲା । ମନେହେଲା, ଦିହର ସବୁଗୁଡ଼ା ରକ୍ତ ଆସି ଯେମିତି ମୁହଁ ଉପରେ ଜମା ହେଇଯାଇଚି ।

 

ଝିଅଗୁଡ଼ା ଯେମିତି ହସିବାରେ ଲାଗିଥାନ୍ତି । ଫୁଲ ଦେଖାଣିଆ ଧମକଟାଏ ଦେଲା, ‘ତୁନି ହୁଅଲୋ ଟୋକିଏ, ହସି ମରୁଚ କାହିଁକି ?’

 

ହସି ହସି ଝିଅଗୁଡ଼ା ଗଡ଼ି ପଡ଼ିଥିଲେ । ଫୁଲର ଧମକରୁ କ’ଣ ବୁଝିଲେ କେଜାଣି, ହସ ବନ୍ଦ କରି ଗାଧୁଆ ଆରମ୍ଭ କରିଦେଲେ ।

 

ଫୁଲ ପୁଣି ଆରମ୍ଭ କଲା, ‘ମୁଠାଟା ଜବର କରିନେ ସୁଲେଇ । ନହେଲେ ପୁରୁଷ ପିଲାମନ, ମୋଟେ ବିଶ୍ୱାସ ନାଇଁ, ଯେତେଦିନ ଯାଏ ଆଖିରେ ନିଶା ଘାରୁଥିବ ସେତେଦିନ ତା’ର ସେନେହ ଶରଧା ପାଇବୁ । ନିଶା ଛାଡ଼ିଗଲେ ସବୁ ଶେଷ ।’

 

ମନକୁ ମନ ଫୁଲ ଗପିଚାଲିଚି, ‘ସେଇଥିପାଇଁ କହୁଚି, ଆଖିରେ ନିଶା ଥାଉ ଥାଉ ବାନ୍ଧିପକା । ନହେଲେ କୋଉଦିନ ଫୁରକରି ଉଡ଼ିଯିବ, ତା’ ଛଡ଼ା–’

 

‘ତା’ ଛଡା ଆଉ କ’ଣ ?’

 

ସୁଲେଇ ଅସ୍ପଷ୍ଟ ଗଳାରେ ଉଚ୍ଚାରଣ କଲା ।

 

‘ତା’ ଛଡ଼ା ନଖିପଡ଼ାସାରା ଡିବି ଡିବି ହେଉଚି । ସମସ୍ତେ ତମ ନାଆଁରେ ଫୁସୁରୁ ଫାସର ହଉଚନ୍ତି । କପିଳ ତମର ବନ୍ଧୁନା ବାନ୍ଧବ, ଅଚିହ୍ନା ଲୋକଟାକୁ ଘରେ ପୂରେଇଚ । ଘରେତ ମରଦ ବୋଲି କେହି ନାହିଁ । ବୁଢ଼ୀଟା, ଆଉ ତମେ ଦି’ଟା ଯୁବତୀ । ଲୋକମାନଙ୍କର ତ ଫୁସୁରୁ ଫାସର ହବା କଥା ।

 

କାନ୍ଦୁଶୁ ମାନ୍ଦୁଶୁ ହେଇ ସୁଲେଇ କହିଲା, ‘ଜାଣେ ପରା, ଦୁର୍ନାମ ହବ । ମୋର ମୋଟେ ଇଚ୍ଛା ନଥିଲା, ଭାଉଜ ତାକୁ ନେଇ ଘରେ ପୂରେଇଲା । ରାଣ ପକେଇ କହୁଚି ଟୋକାଟା ସାଙ୍ଗେ ଆଜିଯାଏ ମୁଁ ପଦେ ହେଲେ କଥା କହିନି ।’

 

ଫୁଲ କହିଲା, ‘ଆଲୋ, ଆମେ ସିନା କଥାଟା ବୁଝୁଚୁ । କିନ୍ତୁ ପାଞ୍ଚଜଣଙ୍କ ମୁହଁରେ ବାଡ଼ ଦେବୁ କେମିତି ? ପହଲି ବୁଢ଼ା ଦୋକାନରେ ବିଦେଇ ସ୍ୱାଇଁ କୋଉଠି ଚଦିଚି, ନଖିପଡ଼ାର ମୁଣ୍ଡିଆଳମାନଙ୍କୁ ଡାକି ତମ ନାଆଁରେ ନିଶାପ ବସେଇବ, ଏଠୁ ତମମାନଙ୍କୁ ଉଠେଇଲେ ଯାଇ ଛାଡ଼ିବ ।’

 

ସୁଲେଇ ଗୁମ୍‌ମାରି ରହିଲା । କିଛି କହିଲାନି ।

 

ଫୁଲ କହିବାରେ ଲାଗିଲା, ‘ସେଥିପାଇଁ କହୁଚି, ତୁ କପିଳକୁ ବାହାହେଇ ପଡ଼ । ଲୋକଙ୍କ ମୁହଁରେ କୋଲପ ଅଣ୍ଟି ହେଇଯିବ, ତମରବି ଉପକାର ।’

 

ଚିତ୍କାର କରି ଉଠିଲା ସୁଲେଇ, ‘ବାହା ହଉଚି ! ନିଆଁ ଲଗାକୁ ଆ...ଜି ତଡ଼ିବି, ଯାହାଲାଗି ନିନ୍ଦା ଅପବାଦ ମିଳୁଚି, ତାକୁ ପୁଣି ବାହା ହେବି–’

 

କହୁ କହୁ ସୁଲେଇ ଉଠି ଠିଆ ହେଲା । ତା’ପରେ ଟଳି ଟଳି ଗୋସେଇଁ ଘାଟ ଉପରକୁ ଉଠିବାରେ ଲାଗିଲା ।

 

ପଛକୁ ଫୁଲ ଡାକ ଛାଡ଼ିଲା, ‘ଆଲୋ ସୁଲେଇ ଶୁଣ୍‌–’

 

ସୁଲେଇ ଜବାବ୍‌ ଦେଲାନି ।

 

ଉଠି ଆସୁ ଆସୁ ଝିଅମାନଙ୍କ କଥାଗୁଡ଼ାକ ତା’ କାନରେ ଟାଇ ଟାଇ ହେଇ ବାଜୁଥିଲା । ଫୁଲ ପ୍ରଭୃତି କହୁଥାଆନ୍ତି, ‘କି କଥା ଶୁଣେଇ ଦେଇଗଲା, ଶୁଣି ମରିଯାଉଥାଏ । ଏତେଦିନ ହେଲା ଗୋଟାଏ ଘରେ ଚଳୁଛନ୍ତି, କହୁଚି କ’ଣନା ଆଜିଯାଏ ତା’ ସଙ୍ଗେ ପଦେ କଥା କହିନି !’

 

କିଏ ଯେମିତି କହିଲା, ‘ସେ କହିଦେଲେ କ’ଣ ବିଶ୍ୱାସ ହେଇଯିବ । ଟୋକି ପକ୍‌କା ଖଣ୍ଡେ, ଭାରି ଛାତି ତା’ର ।’

 

ସେ ଢଙ୍ଗ ଦେଖେଇଲେ କ’ଣ କଥା ଲୁଚୁଚି । ସେମାନଙ୍କ ନବରଙ୍ଗ ପରା ନଖିପଡ଼ାସାରା ଧେଣ୍ଡୁରା ଭଳି ବାଜୁଚି ।’

 

ଟଳିଟଳି ସୁଲେଇ ଘରେ ଆସି ପହଞ୍ଚିଲା । ସେତେବେଳକୁ କୁନ୍ତେଇ ବାରଣ୍ଡା ଲିପିବାରେ ଲାଗିଚି । ସୁଲେଇକି ଦେଖିବାମାତ୍ରେ କହିଲା, ‘ଯେତେ ସଅଳ ଯିବାକୁ ଭାବିଲେବି ନିଆଁ ଲଗା କାମ ଛିଣ୍ଡିଲାନି ।’

 

ଡେରି ହେବାର କଇଫତ୍‌ଟା କୁନ୍ତେଇ ନିଜ ଆଡ଼ୁ ଦେବାକୁ ଲାଗିଲା, ‘କେତେବେଳୁ ଯାଆନ୍ତିଣି, କିନ୍ତୁ ଗୋଟାଏ ଅଡ଼ୁଆ ପଶିଗଲା ।

 

ତତେ ତ ନଈକି ପଠେଇ ଦେଲି । ଏଣେ ଘରେ ପଶି ଦେଖେତ ପିଲାଟା ନାହିଁ । ମନଟା ଆମ୍ବିଳା ହେଇଗଲା । ଭାବିଲି ପଳେଇ ଗଲା ନା କ’ଣ ! କ’ଣ କରିବି, ତୁତ ନାହୁଁ, ମାଆକୁ ନେଇ ଖୋଜିବାକୁ ଗଲି । ବୁଲିବୁଲି ପହଲି ବୁଢ଼ା ଦୋକାନଠି ହାଜର ହେଲୁ । ଶୁଣିଲି ନଣ୍ଡାବାବାଙ୍କ ସାଙ୍ଗରେ ସେ କୁଆଡ଼େ ଯାଇଚି । ଖବରଟା ପାଇ ହେଇ ଫେରୁଚୁ ପରା । ହେଲେ ମନଟା ମୋଟେ ବୁଝୁନି । ନଣ୍ଡାବାବା ତାକୁ ନବା କଥା କହୁଥିଲେ । କେଜାଣି କି ମନ୍ତ୍ର ତା’ କାନରେ ପକେଇବେ ।’

 

ଥଙ୍ଗ ଥଙ୍ଗ ହୋଇ ସୁଲେଇ କହିଲା, ‘ନଣ୍ଡାବାବା ତ ମାଗୁଚନ୍ତି ଛାଡ଼ି ଦେଲେତ ଯିବ ।’

 

ମାସକ ଉପରେ ହେବ କପିଳ ଆସି ଘରେ ରହିଲାଣି । କୌଣସି ଦିନ ତା’ ସାଙ୍ଗେ କିମ୍ବା ତା’ ସମ୍ବନ୍ଧରେ ସୁଲେଇ ପଦେ ପାଟି ଫିଟେଇନି । ଏଇ ପ୍ରଥମଥର ପାଇଁ କପିଳ ସମ୍ବନ୍ଧରେ ପାଟି ଫଟେଇଲା ।

 

‘କ’ଣ କହିଲୁ !’ ଆଶ୍ଚର୍ଯ୍ୟ ହେଇ କୁନ୍ତେଇ ଚାହିଁ ରହିଲା ।

 

‘ଖାଣ୍ଟି କଥା କହୁଚି । ସେଇଟା ଯୋଗୁଁ ଦାଣ୍ଡରେ ହାଟରେ ଆଉ ଚାଲି ହଉନି । ସମସ୍ତେ ଅପବାଦ ଦଉଚନ୍ତି । ଯାହା-ତାହା କହୁଚନ୍ତି ।’

 

କୁନ୍ତେଇର ଆଖି ଦୁଇଟା ଜଳିଉଠିଲା ।

 

ସୁଲେଇ କହିବାରେ ଲାଗିଲା, ‘ତୁ ତାକୁ ବିଦା କରିଦେ ଭାଉଜ ।

 

ଖୁବ୍‌ ଧୀର ଗଳାରେ କୁନ୍ତେଇ କହିଲା, ‘ଯାହାଙ୍କର ମୁହଁଅଛି ସେମାନେ କହିବେ । ସେସବୁକୁ ତୁ କାନ ଦେନା । ଗରମ ପାଣିରେ ଘର ପୋଡ଼େନି ଲୋ ସୁଲେଇ ।

 

ସୁଲେଇ ଜିଦି ଧରିଲା, ‘ନାଇଁ ଭାଉଜ, ତୁ ତାକୁ ବିଦା କରିଦେ ।’

 

‘କାହିଁକି ବିଦା କରିବି ? କାହା ଡରରେ ବିଦା କରିଦେବି । ଛିଣ୍ଡା ଦଦରା ପିନ୍ଧି, ଦରପେଟରେ ପଡ଼ି ଥିଲାବେଳେ କୋଉ ପୋଡ଼ା ମୁହାଁର ପାଟି ତ ଫିଟୁ ନଥିଲା ?’

 

ଧୀରେ ଧୀରେ କୁନ୍ତେଇର ସ୍ୱର ତେଜି ଉଠିଲା, ‘ଆମ ସୁଖ ଦେଖିଲେ ସମସ୍ତଙ୍କ ଆଖିରେ ନିଆଁ ମାଡ଼ି ହେଇଯାଉଚି । ହାଇ ଫୁଟି ହେଇ ମରୁଚନ୍ତି ।’

 

‘ଅଧପେଟ ଖାଉ କି ଉପାସ ରହୁ–ସେଇଟା ଆମର ଭଲ । ବୁଝିବା ସେଇଟା ଆମ କପାଳର ଲେଖା କିନ୍ତୁ ଏ ଅପବାଦ ସହି ହବନି ।’

 

କୁନ୍ତେଇ କହିଲା, ‘ଅପବାଦଟାତ ଆଜି କିଛି ନୂଆ ନୁହେଁ । ଯୋଉ ଦିନଠୁ ତୋ ଭାଇ ଘର ଛାଡ଼ିଲାଣି, ସେଇଦିନଠୁ ଅପବାଦ ରଟୁଚି । ଆଗେତ କାଇଁ ଏମିତି ହଉ ନଥିଲୁ । ଆଜି ତୋର କ’ଣ ହେଲା ?’

 

‘ଦେଖ୍‌ ଭାଉଜ, ସେ ଅପବାଦ ଆଉ ଏ ଅପବାଦରେ ଅନେକ ଫରକ । ଆଗେ ଲୋକେ ଏଡ଼େ ଟାଣରେ କହି ପାରୁ ନଥିଲେ । ଏବେ ଲୋକଙ୍କର ଦୋଷ କ’ଣ । ବନ୍ଧୁ ନା ବାନ୍ଧବ-କିଛି ନୁହ ଯିଏ-ତାକୁ ଆଣି ଘରେ ପୂରେଇଚ । ଲୋକେ କେତେ ମୁହଁ ବୁଜି ରହିବେ ?’

 

‘ମୁହଁ ବୁଜି ରହିବାକୁ କିଏ କାହା ଗୋଡ଼ତଳେ ପଡ଼ୁଚି କି ? ଯାହା ମନକୁ ଯାହା ଆସୁଚି କହିଯାଆନ୍ତୁ । ଆମେ ଠିକ୍‌ ଥିଲେ ସବୁ ଠିକ୍‌ । ଅପବାଦ ଆମର କ’ଣ କରିବ ?’

 

ସୁଲେଇ ଚିଡ଼ି ଚିଡ଼ି ହେଇ କହିଲା, ‘ତୁ ଖାଲି ତୋରି କଥାଗୁଡ଼ା କହି ଯାଉଚୁ, ଲୋକେ କ’ଣ କହୁଚନ୍ତି ଶୁଣିଚୁ ?’

 

‘କ’ଣ କହୁଚନ୍ତି ?’

 

‘କହୁଚନ୍ତି ନଖିପଡ଼ାଯାକ ବସି ଆମ ନାଆଁରେ ବିଚାର ପକେଇବେ । ଆମେ କୋଉଠି ଖରାପ ଲୋକ । ଏ ଗାଁରୁ ଆମକୁ ତଣ୍ଟିଆମାରି ତଡ଼ି ଦେବେ ।’

 

‘କ’ଣ ହେଲା ! ବିଚାର ବସେଇବେ ? ଗାଁରୁ ତଡ଼ିଦେବେ ? କାହାର ଜିଭରେ ହାଡ଼ ଅଛି ଆସୁ ତ ଦେଖି । କିଏ ସେ ବାହାଣିଆ ଆସୁ ମୋ ପାଖକୁ ।’

 

କୁନ୍ତେଇ ଆଖି ଦୁଇଟା ଜଳିଉଠିଲା । ଲୁଗା କାନିଟା ଅଣ୍ଟାରେ ଗୁଡ଼େଇ ଦେଇ କହିଲା, ‘କାହାର ଖାଇଚୁ, ନା ଧାରିଚୁ ! କି କାହା ଓଳିତଳେ ଯାଇ ପଶିଚୁ ! ମରି ଯାଉଥିଲେ ଆହା କରିବାକୁ ତ କେହି ନାଇଁ-କୋଉ ପଣକୁ ଏତେ କାଢ଼ୁଆ ଗିରି । ହାଃ ରେ..….’

 

ଲୁଣ୍ଡା କନାଟାକୁ କଚିଦେଲା କୁନ୍ତେଇ । ଅତ୍ୟଧିକ ଉତ୍ତେଜନାରେ ତା’ର ଦେହଟାସାରା ଥରିଉଠୁଥିଲା । ଚୋବେଇ ହେଇ କହିଲା, ‘ମୋଟେ ଛାଡ଼ିବିନି । ଦେଖିବି ଆମର କିଏ ସେ କ’ଣ କରିବ ! ତୁଚ୍ଛାକୁ ତ ଏତେ ଦଉଥିଲେ ନଉଥିଲେ ଆଉ କ’ଣ ହୁଅନ୍ତା !’

 

କୁନ୍ତେଇର ରଣଚଣ୍ଡି ରୂପ ଦେଖି ସୁଲେଇ ଆଉ କିଛି କହିଲାନି ।

 

ପାଳଟ ନଈ ବନ୍ଧ କଡ଼େ କଡ଼େ ନାଲିମାଟିର ରାସ୍ତାଟା । ମାର୍ଗଶୀରର କାକରରେ ଏକାବେଳେ ବତୁରି ଯାଇଛି ।

 

ରାସ୍ତାର ଦୁଇପାଖେ କାଁ ଭାଁ ଗୋଟାଏ ଗୋଟାଏ ଖଜୁରୀ ଗଛ । ବାହୁଙ୍ଗାଗୁଡ଼ାକରୁ ଥପ୍‌ ଥପ୍‌ ହୋଇ କାକର ପଡ଼ୁଚି । ସେଇ ରାସ୍ତାଧରି ଚାଲିଛନ୍ତି ନଣ୍ଡାବାବା ଆଉ କପିଳ ।

 

କିଛିବାଟ ଯିବାପରେ କପିଳ ପଚାରିଲା, ‘ଆଚ୍ଛା, ଗୋଟାଏ କଥା ପଚାରିବି ?’

 

‘ପଚାରୁନ ।’

 

‘ଶୁଣୁଚି ତମେ ଭାସିଆସି ମୋରି ପରି ଏଇ ଗାଁରେ ଲାଗିଥିଲ ।’

 

‘ସେଇଟା ସତ କଥା । ସେ କିନ୍ତୁ ଦିନ ଓଳିକର କଥା ନୁହେଁ । ଦୀର୍ଘ ତିରିଶ ପଇଁତ୍ରୀଶ ବର୍ଷ ହୋଇଗଲା । ସେଇ ଦିନଠାରୁ ମୁଁ ଆଉ ନଖିପଡ଼ା ଛାଡ଼ିପାରିନି । ସାରା ଜୀବନଟା ଏଇଠି କଟିଗଲା ।’

 

କହୁ କହୁ ନଣ୍ଡାବାବା ଆକାଶ ଆଡ଼େ ଚାହିଁଲେ । କୁହୁଡ଼ିର ଆକାଶଟା ଝାପ୍‍ସା ଦେଖାଯାଉଥିଲା । ସେଇ ଝାପ୍‍ସା ଆକାଶଟା ଝାପ୍‍ସା ଦେଖାଯାଉଥିଲା । ସେଇ ଝାପ୍‍ସା ଆକାଶ ସେପଟେ ତାଙ୍କର ଦୃଷ୍ଟିକୋଣ ଯେମିତି ଖୋଜୁଥିଲା । ଖୁବ୍‌ ସମ୍ଭବ, ବିଗତ ଦିନଗୁଡ଼ାକୁ ଖୋଜୁଥିଲେ ।

 

ନଣ୍ଡାବାବା କହିବାରେ ଲାଗିଲେ, ‘ମୋ ଆଗରୁ ମଠରେ ଯିଏ ଥିଲେ, ତାଙ୍କ ନାଆଁ ଗଙ୍ଗାରାମ, ମୋ ଉପରେ ସବୁ ଲଦି ଦେଇ ସେ ସମାଧି ନେଲେ । ସେତେବେଳେ ବୟସ ଥିଲା । ଗଧଠୁ ବଳି ଖଟି ଯାଉଥିଲି । ଦିନ ଭିତରେ କୋଡ଼ିଏ ପଚିଶ ଗାଁ ଟପି ଯାଉଥିଲି ।’

 

କପିଳ କହିଲା, ‘ଶୁଣିଲି, ତମେ କୋଉଠି ସମସ୍ତଙ୍କୁ ବୈଷ୍ଣବ କରିବା ପାଇଁ ଯୋଗାଡ଼ ଚଳେଇଥିଲ ।’

 

ନଣ୍ଡାବାବା ଟିକିଏ ହସିଦେଲେ । ଖୁବ୍‌ ଧୀରେ କହିଲେ, ‘ହଁ ସେତେବେଳେ ମୋର ମନେହେଉଥିଲା, ଏ ଅସାର ସଂସାର, ପଙ୍କିଳ ଜୀବନରେ ନାମ ପଦାମୃତହିଁ ଏକମାତ୍ର ସହାୟକ । ସମସ୍ତେ ବୈଷ୍ଣବ ହୁଅନ୍ତୁ–ନିର୍ବିକାର ନିରହଂକାର, ମୋହମାୟା, ମୁକ୍ତ ହୁଅନ୍ତୁ କିନ୍ତୁ–’

 

‘କିନ୍ତୁ–କ’ଣ ହେଲା ?’

 

‘ମୁଁ ଭୁଲ ରାସ୍ତାରେ ଯାଉଚି–ଏଇଟା ଅନୁଭବ କଲି । ହଠାତ୍‌ ମନେ ହେଲା, ଏ ସୃଷ୍ଟିରେ ମୁଁ ମାତ୍ର ସାମାନ୍ୟ । ଦୁନିଆର ଦୃଷ୍ଟିକୋଣ ସ୍ରୋତରେ ବଦଳିଯାଇ ପାରେନା । ନିଜର ମତ ଅନ୍ୟ ଉପରେ ଜୋର କରି ଲଦି ଦେବା ଭୁଲ ବୋଲି ଜାଣିପାରିଲି । କର୍ମମୟ ସଂସାରରେ କିଛି ନା କିଛି କର୍ମ କରିବା ଉଚିତ । ଜନତା ଜନାର୍ଦ୍ଦନ ପାଇଁ କିଛି କରିପାରିଲେ ଜୀବନଟା ସାର୍ଥକ ହେବ ।’

 

ନଣ୍ଡାବାବା ଗପି ଚାଲିଚନ୍ତି, ‘ଏଠିକାର ଲୋକମାନେ ମତେ ଖୁବ୍‌ ଭଲ ଲାଗନ୍ତି । ସହଜ, ସାଧାରଣ ଏ ମଣିଷଗୁଡ଼ିକ । ଏମାନେ ଅଶିକ୍ଷିତ, ଦୁର୍ବଳ । ଏମାନଙ୍କ ଜୀବନର ଗତି ନାହିଁ, ବ୍ୟାପ୍ତି ନାହିଁ । ଜନ୍ମ ମୃତ୍ୟୁ ବିବାହ–ଏଇ ତିନୋଟି କଥାରେ ଏମାନଙ୍କର ଜୀବନ ଗତି ମନ୍ଥରଭାବେ ଗଡ଼ି ଚାଲିଚି । ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଏଠାରେ ଜୀବନ ରେଖାଟା ଆଶ୍ଚର୍ଯ୍ୟ ଧରଣର ସରଳ । କୋଉଠି ଟିକିଏ ହେଲେ ଖାଲ ଢିପ ନାହିଁ ।

 

ନଖିପଡ଼ାର କ୍ଷୁଦ୍ର ସୀମା ସେପାଖେ ଯେ ପ୍ରକାଣ୍ଡ ପୃଥିବୀ ପଡ଼ି ରହିଚି ସେ ସମ୍ବନ୍ଧରେ ଏଠିକା ବାସିନ୍ଦାଙ୍କର କୌଣସି ଧାରଣା ନାହିଁ । ସେ ବିଷୟରେ ମୁଣ୍ଡବି ବଥାଏନି । ନିଜର ସଂକ୍ଷିପ୍ତ ବୃତ୍ତ ଟିକକ ଭିତରେ ସେମାନେ ତୃପ୍ତ ।

 

ରୋଗ-ଅଶିକ୍ଷା–ଦାରିଦ୍ର–ଜନ୍ମବେଳରୁ ଏ ତିନିଟା ସେମାନଙ୍କର ସାଥି । ମହାଜନ ପାଞ୍ଚପଇସା ଦେଇ ଦଶ ପଇସାର କାଗଜରେ ଟିପ ଗଡ଼େଇ ନିଏ । ଚକ୍ରବୃଦ୍ଧି ହାରରେ ସୁଧ କଷା ଚାଲେ । ଆଉ ସେଇ ସୁଧ ଚକ୍ରାନ୍ତର ଯାନ ଆସନ ଉଠିଯାଏ ।

 

ପ୍ରତିବର୍ଷ କିଛି ନା କିଛି ଗୋଟାଏ ଏଠି ଲାଗିରହିଥିବ । ଏଇଟା ଗୋଟାଏ ଗତ ପଡ଼ି ଗଲାଣି । ହଇଜା ହଉ–ବସନ୍ତ ହଉ, ବଢ଼ିକି ମରୁଡ଼ି ହଉ କିଛି ଗୋଟାଏ ହେବ । ପଣାପାଣି ବଳି ଯାଚ ତା’ ଛଡ଼ା ଅନ୍ୟ କୌଣସି ଗତି ଏମାନଙ୍କୁ ଜଣା ନାହିଁ ।

 

ଏସବୁ ସତ୍ୱେ ମୁଁ ଏଠା ଛାଡ଼ି ଯାଇପାରିଲିନି । ରୋଗ ଅଶିକ୍ଷା ଦାରିଦ୍ର୍ୟ ଆଉ କୁସଂସ୍କାରରେ ନିଖିପଡ଼ାଟା ଜର୍ଜରିତ ହେଇ ପଡ଼ିଚି । ଏସବୁ ଉପସର୍ଗରୁ ନଖିପଡ଼ାକୁ ମୁକ୍ତ କରିବାକୁ ହେବ । ଦିନପରେ ଦିନ ମୁଁ ସେଇ ଉଦ୍ୟମରେ ଲାଗିପଡ଼ିଲି । ତାରି ଭିତରେ ମୁଁ ଗୋଟାଏ ବିରାଟ ସତ୍ୟକୁ ଆବିଷ୍କାର କଲି । ମୋର ମନେହେଲା, ଏ ମଣିଷଗୁଡ଼ିଙ୍କୁ ସେମାନଙ୍କ ନିଜସ୍ୱ ସମାଜ ଚଳଣି ଭିତରେ ଯେତିକି ଭଲ କରାଯାଇପାରେ, ସେତିକି ମଙ୍ଗଳ । ଏହାଠାରୁ ଅଧିକ କିଛି ସେମାନଙ୍କ ଉପରେ ଚାପି ଦେବାଟା ଉଚିତ ହେବନି ।’

 

କପିଳ କିଛି କହୁ ନଥାଏ । ନଣ୍ଡାବାବାଙ୍କ ପଛେ ପଛେ ଚାଲିଥାଏ ।

 

ନଣ୍ଡାବାବା କହି ଚାଲିଚନ୍ତି, ‘ଭବିଷ୍ୟତ ପାଇଁ ଚିନ୍ତା ନକରି ବର୍ତ୍ତମାନ ପାଇଁ କିଛିଟା ଚିନ୍ତା ମତେ କରିବାକୁ ହେବ । ସୁଦୂର ଅଦୃଶ୍ୟ ବାଦକୁ ବାଦ ଦେଇ ଅଗଣିତ ଏମାଟିର ସନ୍ତାନପାଇଁ କିଛି କର୍ମ କରିଯିବା ଠିକ୍‍ ହେବ । ସେଥିପାଇଁ ଖଣ୍ଡେ ଚାହାଳୀ ଆଉ ଗୋଟାଏ ସେବା ସଦନ ଖୋଲିଚି । ମୋ ପକ୍ଷେ ଯେତିକି ସମ୍ଭବ ତାକୁଇ ନେଇ ନଖିପଡ଼ାରେ ମୋଇ ତିରିଶ ପଇଁତ୍ରୀଶବର୍ଷ କଟିଗଲା ।

 

ତିରିଶ–ପଇଁତ୍ରୀଶବର୍ଷ । କେତେଗୁଡ଼ାଏ ଦିନ !

 

ନିଜକଥା କପିଳର ମନେପଡ଼ିଲା । ମାସେ ଦୁଇମାସ, ଅତିବଡ଼ ହେଲେ ଛଅ ମାସରୁ ବେଶି ଦିନ ସେ କେଉଁଠି ହେଲେ ରହିପାରିନି । ତା’ର ସ୍ୱଭାବ ଭିତରେ ଯେଉଁ ଅସ୍ଥିରତା ଆତ୍ମଗୋପନ କରି ରହିଚି, ସେଇଟା ତାକୁ ଦୀର୍ଘଦିନ କୋଉଠି ସ୍ଥିର କରି ରଖି ଦେଇନି । କୌଣସି ମୋହ କୌଣସି ବନ୍ଧନ ତାକୁ ଅଟେକେଇ ପାରିନି ।

 

ଯାହାର ଯେମିତି ସ୍ୱଭାବ । କାହାକୁ ଗୋଟାଏ ଜାଗା ଏକାବେଳେ ଭଲଲାଗି ଯାଏ । ସେଠିକାର ଛୋଟ ଦୁନିଆ ଭିତରେ ସାରା ଜୀବନଟା କଟେଇ ଦେବାରେ ସେ ଆନନ୍ଦ ପାଏ । କାହା ପାଖରେ ବିଶେଷ ବୋଲି କିଛି ଗୋଟାଏ ନାହିଁ । ନିର୍ବିଶେଷରେ ସେ ଏଠୁ–ସେଠିକି ଘୁରି ବୁଲେ । ଘୁରି ବୁଲିବାରେହିଁ ତା’ର ଆନନ୍ଦ । କୌଣସି ଗଣ୍ଠି ଭିତରେ ସେ ନିଜକୁ ପୋଷା ମନେଇବାକୁ ଇଚ୍ଛା କରେନି ।

 

କପିଳ ଭାବିଲା, ଅନେକଗୁଡ଼ାଏ ଦିନ ନଣ୍ଡାବାବା ଏଠି କଟେଇ ଦେଲେଣି, ତଥାପି ତାଙ୍କର କ୍ଳାନ୍ତି ନାହିଁ । ନଣ୍ଡାବାବାଙ୍କ ସଙ୍ଗେ ତୁଳନା କଲେ ନଖିପଡ଼ାକୁ ସେ ବା କେତେ ଦିନ ହେଲା ଆସିଚି । ମାସେ ଖଣ୍ଡେ ହେବ । ତଥାପି ମନେ ହୁଏ–କେତେଗୁଡ଼ାଏ ଦିନ କଟିଗଲାଣି ।

 

ଚାଲୁ ଚାଲୁ ନଣ୍ଡାବାବା ପଚାରିଲେ, ‘ତମେ ଲେଖାପଢ଼ା ଜାଣିଚ ?’

 

‘ଲେଖାପଢ଼ା ଜାଣିଲି କୋଉଠୁ ! କିଏ ଶିଖେଇଲା ? ଜୀବନସାରା ତ ଏଠି ସେଠି ବୁଲି ବୁଲି କଟିଲା । ପାଠ ଶାଠ ପଢ଼ିବାକୁ ସମୟ ପାଇଲି କୋଉଠି ?’

 

‘ମୋଟେ କିଛି ପଢ଼ିନ ?’

 

ଉପରକୁ ଚାହିଁ କପିଳ କ’ଣ ଟିକିଏ ଭାବିଲା । ‘ମୋଟେ କିଛି ଶିଖିନି ନୁହେଁ । ତେବେ ସେ ପାଠ ପାଠରେ ଲେଖା ନୁହେଁ । ମୋତିପୁର କହ୍ନେଇ ସାନ୍ତରା ଘରେ ଯେତେବେଳେ ଥିଲି, ତାଙ୍କ ପିଲାଙ୍କ ସାଙ୍ଗେ ପଢ଼ୁଥିଲି । ବର୍ଣ୍ଣବୋଧ ଆଉ ଚାଟଶାଳୀ ପାଠ ବହି ଦି’ଖଣ୍ଡ ମୁଖସ୍ତ କରିଥିଲି-। ସେ ବହୁତ ଦିନ ହେଇଗଲାଣି ।’

 

‘ହଉ–ହଉ–’

 

ନଣ୍ଡାବାବା ଉତ୍ସାହିତ ହୋଇ ଉଠିଲେ ।

 

କପିଳ କହିଲା, ‘ଯେମିତି ମୋତିପୁର ଛାଡ଼ିଚି-ସେତିକି ପାଠରେ ଡୋରି ବନ୍ଧା ହେଲା ।’

 

ନଣ୍ଡାବାବା ଜୋର ଦେଇ କହିଲେ, ‘ଡୋରି ବନ୍ଧା ହେବ କାହିଁକି ? ପୁଣି ନୂଆକରି ଆରମ୍ଭ କରିଦିଅ ।’

 

କପିଳ ଏଥର ବଡ଼ ପାଟିରେ ହସି ଉଠିଲା । କହିଲା–‘ବୟସ ହେବାରୁ ମୁଣ୍ଡ ଖରାପ ହେଲାଣି ନା କ’ଣ ? ଛତୁଫୁଟା କାଠ–ଦାଢ଼ି ଉଠା ପାଠ ୟେ କୋଉକାଳେ ହେଲାଣି ନା ହେବ । ଏ ଦିନେ ପୁଣି ପାଠପଢ଼ା ! କ’ଣ ବା ଦରକାର ଅଛି ?’

 

‘ତମର କିଛି ହେଉ ବା ନହେଉ, ମୋର ଦରକାର ଅଛି ।’

 

‘ତମର ପୁଣି କ’ଣ ଦରକାର ।’

 

‘କହିବି କହିବି, ଟିକିଏ ଅପେକ୍ଷା କର । ଆଜି ଆଖିରେ ସବୁ ଦେଖିବ । ସେତେବେଳେ ଜାଣିବା ।’

 

‘ଆଚ୍ଛା, ହେଲା ।’

 

ଆଉ ଟିକିଏ ଆଗେଇବା ପରେ ଗୋଟାଏ ମୋଡ଼ ପଡ଼ିଲା । ସେଇ ମୋଡ଼ ବୁଲିଲାବେଳକୁ ଦଶ ପନ୍ଦରଟା ପିଲା ଧାଇଁ ଆସି ନଣ୍ଡାବାବାଙ୍କୁ ଘେରି ଗଲେ । କିଏ ଖଣ୍ଡେ ଛିଣ୍ଡା କନା ପିନ୍ଧିଚି ତ କିଏ ଧୂ–ଧୂ ଲଙ୍ଗଳା । ସରୁ ସରୁ କାଠି ଭଳି ଗୋଡ଼ ହାତ ମଝିରେ ଟୁବୁରା ଟୁବୁରା ପେଟୁଟିଏ ମାନ । କାହା ଅଣ୍ଟାରେ କଉଡ଼ି ବନ୍ଧା ହେଇଚି ତ କାହା ଅଣ୍ଟାରେ ଦୁଇଟା କଣା ପଇସା କଳା ଫିତାରେ ବନ୍ଧା ହେଇଚି ।

 

ପ୍ରାୟ ସମସ୍ତଙ୍କ ହାତରେ ଗୋଟାଏ ଗୋଟାଏ ତାଳପତ୍ରର ଭୋଗେଇ ଛିଣ୍ଡା ବହି, ସ୍ଲେଟ ଇତ୍ୟାଦି ।

 

ନଣ୍ଡାବାବାଙ୍କୁ ଘେରି ପିଲାଗୁଡ଼ାକ କିଚିରିମିଚିରି ହେବାକୁ ଲାଗିଲେ, ‘ନଣ୍ଡାବାବା ଆଇଲେ, ନଣ୍ଡାବାବା ଆଇଲେ ।’

 

ନଣ୍ଡାବାବା ସସ୍ନେହରେ ସମସ୍ତଙ୍କୁ ଆଉଁସି ଦେବାରେ ଲାଗିଲେ ।

 

ଗୋଟାଏ ଡାହାଳିଆ ରୋଗା ଟୋକା କହିଲା, ‘ଆମେ କେତେବେଳୁ ବଇଚୁ, ତେମେ ଆପଣଙ୍କର ଦେଖାନାଇଁ ।’

 

‘ଏଇ ଆସିଲି ପରା ।’

 

ସମସ୍ତେ ଢିପ ଉପରକୁ ଉଠିବାକୁ ଲାଗିଲେ । ଆଗେଆଗେ ପିଲାଗୁଡ଼ାକ ଚାଲି ଥାଆନ୍ତି-। ସେମାନଙ୍କ ପଛରେ ନଣ୍ଡାବାବା ଆଉ କପିଳ ।

 

ଯାଉ ଯାଉ ନଣ୍ଡାବାବା କହିଲେ, ବୁଝିଲ ବାବା କପିଳ, ଏଇଠି ହେଲା ମୋର କାମ । ଏମାନଙ୍କୁ ନେଇ ମୋର ଯେତେ ଭାବନା ଏମାନଙ୍କୁ ଯଦି ମଣିଷ କରିପାରନ୍ତି–’

 

କହୁ କହୁ ନଣ୍ଡାବାବାଙ୍କ ଗଳାଟା ବୁଜି ହେଇଗଲା ।

 

କିଛି ସମୟ ପରେ ସେମାନେ ଗୋଟାଏ ବଡ଼ ଚାଳି ଘରପାଖେ ପହଞ୍ଚିଲେ । ଘର ଖଣ୍ଡକ ଅନେକ ଦିନର ପୁରୁଣା । କାନ୍ଥଠାରୁ ଆରମ୍ଭ କରି ଛପର ଯାଏ ସବୁର ଅବସ୍ଥା କାଇଲା । ଘରଟାର ପ୍ରାଣ ଯେମିତି ଛାଡ଼ିଯାଇଚି । କାନ୍ଥଗୁଡ଼ା ଜାଗାଏ ଜାଗାଏ ଲୁଣାଧରି ଗଲାଣି ।

 

ନଣ୍ଡାବାବା କହିଲେ, ‘ଏଇ ଗୋଟାକ ଚାହାଳୀ ।’

 

ପିଲାମାନଙ୍କୁ ନେଇ ନଣ୍ଡାବାବା ଘର ଭିତରେ ପଶିଲେ କପିଳବି ସେମାନଙ୍କ ସାଙ୍ଗରେ ଘରଭିତରେ ପଶିଲା ।

 

ଭିତରେ ଧାଡ଼ି ଧାଡ଼ି ହୋଇ କେତେଖଣ୍ଡ ଚଟେଇ ପଡ଼ିଚି । ସବୁଗୁଡ଼ାକ ପ୍ରାୟ ଛିଣ୍ଡା । ଅନେକ ଦିନରୁ ବ୍ୟବହାର ହେଇ ହେଇ ଛିଟା ବାନ୍ଧିଗଲାଣି ।

 

ପିଲାଗୁଡ଼ା ଯିଏ ଯାହା ଚଟେଇରେ ବସିଗଲେ । ନଣ୍ଡାବାବା ଆଉ କପିଳ ଦି’ଖଣ୍ଡ କିରାସିନି ଢାବଲ ଉପରେ ବସିଲେ ।

 

ନଣ୍ଡାବାବା ପଚାରିଲେ, ‘ତମେମାନେ ପଣିକିଆ ଘୋଷି ଦେଇଚ ?

 

ପିଲାମାନେ ମୁଣ୍ଡ ଟୁଙ୍ଗାରିଲେ ।

 

‘ସିଲଟରେ ଲେଖି ପକାଅ ।’

 

ପିଲାମାନେ ଡାକି ଡାକି ଲେଖିବା ଆରମ୍ଭ କରିଦେଲେ, ‘ଦୁଇକେ-ଦୁଇ’ ଦୁଇ ଦୁଗୁଣେ–’

 

ନଣ୍ଡାବାବା ପୁଣି କହିଲେ, ‘ତମେମାନେ ଲେଖୁଥାଅ । କେହି ଗଣ୍ଡଗୋଳ କରିବନି । ମୁଁ ଟିକିଏ ବୁଲିକରି ଆସୁଚି ।’

 

କପିଳ ଆଡ଼େ ଚାହିଁ କହିଲେ, ‘ଚାଲ, ବାହାରି ପଡ଼ିବା ।’

 

ବାହାରକୁ ଆସି କପିଳ ପଚାରିଲା, ‘କୁଆଡ଼େ ଯିବା ?’

 

‘ପିଲା ଯୋଗାଡ଼ କରିବାକୁ । ଦେଖିଲ ତ ମୋଟେ ଦଶ ପନ୍ଦରଟା ପିଲା । ଏଇ କେତେଟା ପିଲାରେ କ’ଣ ଚାହାଳୀ ଚାଲିବ ?’

 

ଟିକିଏ ରହି ନଣ୍ଡାବାବା ପୁଣି କହିଲେ, ‘ସବୁ ଜଞ୍ଜାଳ ମୋରି ଉପରେ । ପିଲା ଯୋଗାଡ଼ କରିବି ମୁଇଁ–ପାଠ ପଢ଼େଇବି ମୁଇଁ ।’

 

କିଛିଦୂର ଯିବାପରେ ନଣ୍ଡାବାବା ପୁଣି ଆରମ୍ଭ କଲେ, ‘ଚାହାଳୀର ଅବସ୍ଥାତ ଦେଖିଲ । ମୁଁ ଆଉ କ’ଣ କରନ୍ତି ! କୌଣସି ଆଡ଼ୁ ଅଧଲାଏ ସାହାଯ୍ୟ ମିଳୁନି । ମାଷ୍ଟରଟିଏ ରଖିପାରିଲିନି ।’

 

ନଣ୍ଡାବାବା ଯେମିତି କଇଫଏତ୍‍ ଦଉଚନ୍ତି । ଚାହାଳୀର ଦୂରାବସ୍ଥାର ପ୍ରତିଟି ଲଜ୍ଜା ଯେମିତି ତାଙ୍କ ନିଜର । ସ୍ଵରଟା କେମିତି କ୍ଷୁବ୍ଧ ମନେ ହେଲା, ‘ଏଭଳି କେତେଦିନ ଚଳିବ । ଶିକ୍ଷା ବିଭାଗକୁ ଜଣେଇଲେ ଅବଶ୍ୟ କିଛି ମିଳନ୍ତା । ଏକୁଟିଆ ମଣିଷ, କେତେଆଡ଼ ସମ୍ଭାଳିବି, ପିଲା ଯୋଗାଡ଼ କରିବି, ପାଠ ପଢ଼େଇବି, ନା ଶିକ୍ଷା ବିଭାଗ ଅଫିସକୁ ଦଉଡ଼ିବି ? ଏଣେ ପୁଣି ସେବା ସଦନ ଅଛି, ରୋଗୀ ଅଛନ୍ତି । ସେମାନଙ୍କର ଭଲ ମନ୍ଦବି ଅଛି । ସବୁଗୁଡ଼ାକ ମତେଇ ଦେଖିବାକୁ ହେବ ।’

 

କପିଳ ଉଁ–କି ଚୁଁ ହେଲାନି ।

 

ଏହାମଧ୍ୟରେ ଚାହାଳୀ ଛାଡ଼ି ସେମାନେ ଗାଁ ଭିତରେ ପାଶିସାରିଥିଲେ ।

 

ପ୍ରଥମେ ଗୋଟାଏ ଘର ପଡ଼ିଲା । ହାଲି ଛାଆଣି ଦେଇଚି । ଖରାପଡ଼ି ନୂଆ ନଡ଼ାଗୁଡ଼ା ସୁନାଭଳି ଚକ୍‍ ଚକ୍ ଦେଖାଯାଉଚି ।

 

ନଣ୍ଡାବାବା ସେଇ ଦୁଆରେ ଠିଆହେଇ ଡାକ ଛାଡ଼ିଲେ, ‘ବାବା ସପନି ? ଘରେ ଅଛ କି–’

 

‘କିଏ ?’

 

‘ମୁଁ ଡାକୁଚି ।’

 

‘କିଏ ନଣ୍ଡାବାବା କି–’

 

‘ହଁ ବାବା । ଟିକିଏ ଆସିବ ।’

 

ଘରଭିତରୁ ଜଣେ ବଳିଷ୍ଠ ପ୍ରୌଢ଼ ବାହାରି ଆସିଲେ । ମୁଣ୍ଡର ବାଳଗୁଡ଼ାକ ଟାଆଁସିଆ କୁନ୍ଦି ଦେଲାପରି ଦେହ । ଖଣ୍ଡେ ଛୋଟ ମୋଟା ଗାମୁଛା ପିନ୍ଧିଚନ୍ତି ଆଉ ଖଣ୍ଡେ ଅଣ୍ଟାରେ ଗୁଡ଼ା ହେଇଚି । ଧୂସରିଆ ଚମଡ଼ାରେ ବିଡ଼ି ଧରିଚି ।

 

ନଣ୍ଡାବାବା କହିଲେ, ‘ଆଜିକି ମିଶେଇ ସାତଥର ଆସିଲିଣି । କ’ଣ ଆଉ ବିଚାର କରୁଚ-! କେତେଦିନ ଆଉ ଦଉଡ଼େଇବ ? କ’ଣ ପିଲାଟାକୁ ଚାହାଳୀକି ପଠେଇବ କି ନାଇଁ ସଫା କରି କହୁନା ।’

 

ଖୁରୁ ଖୁରୁ କରି ସପନି ବାଳଗୁଡ଼ା କୁଣ୍ଡେଇବାରେ ଲାଗିଲା । ତା’ପରେ କହିଲା, ‘ଚଷାପିଲା ଲଙ୍ଗଳ କଣ୍ଟିରେ ହାତ ପକେଇଲେ ହେଲା । ସେ ପାଠପଢ଼ାରୁ କି ମିଳିବ ? ‘ନମିଳୁ ଥିଲେ ମୁଁ ଏତେ ଦଉଡ଼ନ୍ତି କାହିଁକି’ ପିଲା ଦି’ଅକ୍ଷର ପଢ଼ିଥିଲେ ତମର ଉପକାର ହେବ–ନା ମୋର ହେବ ?

 

ସପନି କିଛି କହିଲାନି ।

 

ନଣ୍ଡାବାବା ପୁଣି କହିବାକୁ ଲାଗିଲେ, ‘ଆଚ୍ଛା କହିଲ ସପନି ଏତେଦିନ ହେଲା ତ ଏ ଅଞ୍ଚଳରେ ରହିଲିଣି ! ତୁମମାନଙ୍କୁ କୌଣସି ଖରାପ ବୁଦ୍ଧି ଦେଇଚି, ନା ଖରାପ କଥା କହିଚି ?’

 

ନଣ୍ଡାବାବାଙ୍କ କଥାଗୁଡ଼ା କେମିତି ଗହିରିଆ ଜଣା ପଡ଼ୁଥିଲା ।

 

କଥାଗୁଡ଼ାକ ସପନିର ମର୍ମସ୍ଥଳରେ ଯାଇ ଧକ୍କା ଦେଲା । ସଙ୍ଗେ ସଙ୍ଗେ ସେ କହି ପକେଇଲା, ‘ସେ କଥା କ’ଣ ମୁଁ କୋଉଦିନ କହିଚି ?’

 

‘ତାହାଲେ ମୋ କଥାରେ ବିଶ୍ୱାସ କରି ଟୋକାଟାକୁ ଚାହାଳୀକି ପଠାଅ ।’

 

ସପନି ମନେମନେ କ’ଣ ଯେମିତି ଭାବିଲା । ତା’ପରେ କହିଲା, ‘ହଉ, ତମର ଯେତେବେଳେ ଏତେ ଇଚ୍ଛା, ପିଲା କାଲିଠୁ ଚାହାଳୀକି ଯିବ ।

 

ନଣ୍ଡାବାବା କହିଲେ, ‘କଥାଟା ଭୁଲିଯିବନି ।’ କାଲି ଟୋକାକୁ ଚାହାଳୀକି ପଠେଇବ, ବିଲକୁ ପଠେଇ ନଦିଅ ଯେମିତି ।’

 

‘ନାଇଁ, ଜବାବ୍‍ ଦେଲିଣି ଯେତେବେଳେ–’

 

କପିଳ ଗୋଟାଏ କଡ଼କୁ ଚୁପ୍‍ ଚାପ୍‍ ଠିଆ ହେଇଥିଲା । ନଣ୍ଡାବାବାଙ୍କ ପିଲା ଯୋଗାଡ଼ ପଦ୍ଧତିଟା ସେ ବୋଧହୁଏ ଲକ୍ଷ୍ୟ କରୁଥିଲା ।

 

ସପନି ଦୁଆରୁ ଫେରି ଦୁହେଁ ଆହୁରି ଅନେକ ଜାଗାକୁ ଗଲେ । ଟିକିଏ ବାହାନା ଦେଖାଇ ଅନେକ ପିଲା ଚାହାଳୀକୁ ପଠେଇବାକୁ ରାଜିହେଲେ । ଆଉ କେତେ ଜଣ ବିଭିନ୍ନ ଅସୁବିଧା ଦେଖେଇ ପିଲାମାନଙ୍କୁ ଛାଡ଼ିବାକୁ ରାଜି ହେଲେନି । ଯେଉଁମାନେ ରାଜି ନ ହେଲେ, ନଣ୍ଡାବାବା ସେମାନଙ୍କୁ କହିଦେଇ ଆସିଲେ, ସେ ପୁଣି ଆସିବେ । ଯେମିତି ହେଉ, ସେମାନଙ୍କ ପିଲାଙ୍କୁ ନେଇ ଦି’ଅକ୍ଷର ପଢ଼େଇବେ ।

 

ପିଲା ଯୋଗାଡ଼ କରିବା ପାଇଁ ନଣ୍ଡାବାବାଙ୍କୁ ପ୍ରାୟ ପ୍ରତିଦିନ ଗାଁସାରା ବୁଲିବାକୁ ପଡ଼େ-

 

ବୁଲୁ ବୁଲୁ ଅନେକଗୁଡ଼ାଏ ବେଳ ହେଇଗଲା ।

 

ଖରାର ତେଜ ବଢ଼ୁଚି । ଆକାଶକୁ ଚାହିଁ ଦେଇ ନଣ୍ଡାବାବା କହିଲେ, ‘ଅନେକ ବୁଲା ହେଲାଣି । ଚାଲ, ଏଥର ଚାହାଳୀକି ଫେରିଯିବା । ପିଲାଗୁଡ଼ାଙ୍କୁ ଛାଡ଼ିଦେଇ ଆସିଚି । ୟା ଭିତରେ କ’ଣ ଯେ କରିବେଣି–’

 

ଲମ୍ବା ଲମ୍ବା ପାହୁଣ୍ଡ ପକେଇ ଦୁହେଁ ଚାହାଳୀକୁ ଫେରି ଆସିଲେ ।

 

ପଣିକିଆ ଲେଖା ଦେଖି, ପୁରୁଣା ପାଠ ଦୋଅଡ଼େଇ, ନୂଆ ପଢ଼ାର ବରାଦ କରି ପିଲାଗୁଡ଼ାଙ୍କୁ ବିଦା କଲାବେଳକୁ ପ୍ରାୟ ଦି’ପ୍ରହର ହେଇଗଲା ।

 

ସୂର୍ଯ୍ୟଟା ସେତେବେଳକୁ ମୁଣ୍ଡ ଉପରକୁ ଉଠିଗଲାଣି ।

 

ଚାହାଳୀ ଛାଡ଼ି ନଣ୍ଡାବାବା ଆଉ କପିଳ ବାହାରି ପଡ଼ିଲେ । କିଛି ଦୂରଯିବା ପରେ କପିଳ କହିଲା, ‘ଏବେ କ’ଣ କରିବ ? ପିଲାଙ୍କୁ ତ ପଢ଼େଇଲ । ପିଲାତ ଜୁଟେଇଲ । ଚାଲ ଏଥର, ଗାଧୁଆ ପାଧୁଆ କରିବ ।’

 

ନଣ୍ଡାବାବା ଟିକିଏ ହସି ଦେଲେ । କହିଲେ, ‘ଆଜି କପାଳରେ ଗାଧୁଆ, ଖିଆ ନାହିଁ କପିଳ ।’

 

‘କାହିଁକି ?’

 

ଆଶ୍ଚର୍ଯ୍ୟ ହୋଇ କପିଳ ନଣ୍ଡାବାବାଙ୍କ ମୁହଁକୁ ଚାହିଁଲା ।

 

‘ଆହୁରି ଅନେକ କାମ ବାକୀ ପଡ଼ିଚି । ମତେ ଟିକିଏ ସେବା ସଦନ ଆଡ଼େ ଯିବାକୁ ହେବ । ଆଜି ବଡ଼ ଡାକ୍ତର ଆସିବା ପାଳି । ରୋଗୀମାନଙ୍କ ବିଷୟରେ ତାଙ୍କୁ କିଛି ଜଣେଇବାକୁ ହେବ ।’

 

ତା’ପରେ ଟିକିଏ ରହି ନଣ୍ଡାବାବା କହିଲେ, ‘ମଠକୁ ଫେରୁ ଫେରୁ ଆଜି ରାତି ହେଇଯିବ । ଭାବିଚି, ଗଲେ ଦି’ଟା ଫୁଟେଇ ଦେବି ।

 

କପିଳ କହିଲା, ‘ଚଞ୍ଚଳ ବୁଡ଼ଟାଏ ପକେଇ କ’ଣ ଦି’ଗୁଣ୍ଡା ପେଟେରେ ପୂରେଇ ଆସିଲେ ହେବନି ।

 

‘ନାଇଁ, ସମୟ ଖୁବ୍‍ କମ୍ ।’

 

ତା’ପରେ ପୁଣି କହିଲେ, ‘ସେ ବିଷୟରେ ଚିନ୍ତା କରିବା ଦରକାର ନାଇଁ । ଅଭ୍ୟାସରେ ପଡ଼ିଗଲା । ମଠକୁ ଫେରୁ ଫେରୁ ପ୍ରାୟ ରାତି ହୋଇଯାଏ ।’

 

କପିଳ ପଚାରିଲା, ‘ଆଚ୍ଛା ନଣ୍ଡାବାବା–’

 

‘କ’ଣ କହୁଚ ?’

 

‘ଏଥିରେ ଲାଭ କ’ଣ ?’

 

‘କୋଉଥିରେ ?’

 

‘ଏର ଏତେ ମଣିଷଙ୍କର ଉପକାର କରୁଚ । ୟା’ ତା’-ପିଲାଙ୍କୁ ବଳେଇ ବଳେଇ ନେଇ ପାଠ ପଢ଼ୋଉଚ । ସେବା ସଦନ ଖୋଲିଚ । ଏଣେ ନିଜର ଗାଧୁଆ ଖିଆରେ କିଛି ଠିକ୍ ଠିକଣା ନାହିଁ । ଘଡ଼ିଟେ ବିଶ୍ରାମ ନାହିଁ । ଏଥିରେ ତମର ଲାଭ କ’ଣ ?’

 

ନଣ୍ଡାବାବାଙ୍କର ସିଝିଲା ମୁହଁଟାରେ ହସର ଢେଉ ଖେଳି ଉଠିଲା । ଖୁବ୍‍ ଧୀରେ, ପ୍ରାୟ ଅସ୍ପଷ୍ଟ ଗଳାରେ ସେ କହିଲେ, ‘ଲାଭ ଲୋକସାନର ହିସାବତ କୋଉଦିନ ଦେଖିନି ।’

 

ତା’ପରେ ଦୁହେଁ ଅନେକ ସମୟ ଚୁପ୍‍ ହେଇଗଲେ ।

 

ହଠାତ୍ ନୀରବତା ଭାଙ୍ଗି ନଣ୍ଡାବାବା କହିଲେ, ‘ସବୁତ ଦେଖିଲ ବାବା ।’

 

‘ହଁ ଦେଖିଲି ।

 

‘ବୟସଗୁଡ଼ାଏ ହେଇଗଲାଣି । ଖୁବ୍‍ ଭାବନାରେ ପଡ଼ିଥିଲି, ଏ ଚାହାଳୀ, ଆଉ ସେବା ସଦନ ଦାୟିତ୍ୱ କାହା ଉପରେ ଦେଇଯିବି ।’

 

‘କୁଆଡ଼େ ଯିବି ।’

 

‘ଯିବି କୁଆଡ଼େ । କାଳ ପୂରିଗଲେ ସବୁ ମଣିଷ ଯୁଆଡ଼େ ଯାଏ, ସେଇଠିକି ଯିବି ।’

 

କପିଳ କିଛି କହିଲାନି ।

 

ନଣ୍ଡାବାବା ପୁଣି କହିଲେ, ‘ଏଥର ଆଉ ମୋର ଭାବନା ନାହିଁ ।’

 

କହିଦେଇ ନଣ୍ଡାବାବା କଣେଇ କପିଳକୁ ଚାହିଁଲେ । ତାଙ୍କ କଥା ଶୁଣି କପିଳଠାରେ କି ପ୍ରତିକ୍ରିୟା ଦେଖା ଦେଇଚି, ସେଇଟା ବୋଧହୁଏ ବୁଝିବାକୁ ଚେଷ୍ଟା କରୁଥିଲେ ।

 

କିନ୍ତୁ କପିଳଠାରେ କୌଣସି ପ୍ରତିକ୍ରିୟା ଦେଖାଗଲାନି ।

 

ନଣ୍ଡାବାବା କହିବାକୁ ଲାଗିଲେ, ‘ମୁଁ ଏକୁଟିଆ ମଣିଷ । କେତେ ଦିନ ଆଉ ସମ୍ଭାଳିବି । ସେଇଥିପାଇଁ କହୁଥିଲି ତମର ତ ନିଜର ବୋଲି କେହି ନାହିଁ । ଘର ସଂସାର ନାହିଁ, କାହାରି ପାଇଁ କିଛି ଚିନ୍ତା କରିବାର ନାହିଁ । ଖୋଲା ଆକାଶର ଚଢ଼େଇ ତମେ । ତମଠି ମୋର ଭାରି ଦରକାର ।’

 

ତା’ପରେ ନଣ୍ଡାବାବା କ’ଣ ଟିକିଏ ଭାବିଲେ । ପୁଣି ଆରମ୍ଭ କଲେ ସ୍ଵରଟା ଗମ୍ଭୀର, ଆବେଗରେ ଗାଢ଼ ହେଇ ଉଠିଚି, ‘କହୁଥିଲି, ମୋ ସାଙ୍ଗେ କାମରେ ଲାଗିଯାଅ । ଚାହାଳୀ ପାଇଁ ପିଲା ଯୋଗାଡ଼ କରିବ । ସେବା ସଦନ ଦେଖିବ–’

 

କପିଳ କିନ୍ତୁ କିଛି କହୁନି ।

 

ନଣ୍ଡାବାବାଙ୍କର ଯେତେବେଳେ ଦରକାର, ସେତେବେଳେ କେବଳ ତାଙ୍କୁଇ କହିବାକୁ ପଡ଼ୁଚି, ‘ବାଟରେ ତୁମକୁ ପାଠପଢ଼ିବା କଥା କହୁଥିଲିନା ?

 

‘ହଁ–’

 

ଏତେବେଳ ପରେ କପିଳ ମୁହଁ ଫିଟିଲା ।

 

‘ଭାବୁଚି ରାତିରେ ତମେ ମୋ ପାଖରେ ପଢ଼ିବ । ପଢ଼ାଶୁଣା ଟିକିଏ ହେଇଗଲେ ଚାହାଳୀ ଭାର ତୁମ ଉପରେ ଛାଡ଼ିଦେବି ।’

 

ନିଠେଇ ନିଠେଇ ନଣ୍ଡାବାବା କପିଳ ଆଡ଼େ ଚାହିଁବାରେ ଲାଗିଥାଆନ୍ତି । ତାଙ୍କର କ୍ଳାନ୍ତ ଆଖିଦୁଇଟା ଜଳି ଉଠୁଥାଏ । ମନେହୁଏ, କିଏ ଯେମିତି ସେ ଦୁଇଟା ପରେ ତେଜା ଆଲୁଅ ଦୁଇଟା ଜାଳି ଦେଇଚି ।

 

ନଣ୍ଡାବାବାଙ୍କ ଆଖି ଦୁଇଟା ଦେଖି କପିଳର ମୁଣ୍ଡଟା କେମିତି ଟିକିଏ ଝାଇଁ ଝାଇଁ ହେଇ ଉଠିଲା । ମଣିଷ ଆଖି ଦୁଇଟା ଯେ ଏମିତି ଜଳିଉଠେ ସେ କୌଣସି ଦିନ ଦେଖି ନଥିଲା ।

 

ଖୁବ୍‍ ଧୀର ଗଳାରେ ନଣ୍ଡାବାବା କହିଲେ, ‘କାଲି ତମେ ମଠକୁ ଚାଲିଆସ ବାବା ।’

 

ଏଇ ଝମା ଦ୍ୱିପ୍ରହର, ଚାରିପାଖର ଉଦାସ ପ୍ରାନ୍ତର, ପରିଷ୍କାର ଆକାଶ, ସ୍ୱଚ୍ଛ ପାଟଳୀ ନଈ, ନଣ୍ଡାବାବାଙ୍କର ଧୀର ଭକ୍ତି । ଜଳ ଜଳ ଆଖି ସବୁ ଏକାକାର ହୋଇ କପିଳର ଇଚ୍ଛା, ବ୍ୟକ୍ତିତ୍ୱ, ସବୁ କିଛିକୁ ଆଚ୍ଛନ୍ନ କରି ପକେଇବାକୁ ଲାଗିଲା । କପିଳ ହୁଏତ କହିପକେଇ ଥାଆନ୍ତା, ‘ହଉ, କାଲି ଆସିବି ।’

 

କିନ୍ତୁ ଭୋରଠାରୁ ଦିପହର ପର୍ଯ୍ୟନ୍ତ ମାର୍ଗଶୀରର ଏଇ ଦିନ ଯାହା ଯୋଗାଡ଼ କରିଥିଲା; ହଠାତ୍ ତା’ର ବ୍ୟତିକ୍ରମ ହେଇଥିଲା । କୋଉଠୁ ଗୋଟାଏ ଦଳଛଡ଼ା ଚିଲ ମୁଣ୍ଡ ଉପରେ ଉଡ଼ିଗଲା-। ତୀକ୍ଷ୍ଣ, କର୍କଶ ଗଳାରେ ଚିତ୍କାର କରିଉଠିଲା, ‘କିଚିରି–କିଚିରି…

 

ମୁହୂର୍ତ୍ତକ ମଧ୍ୟରେ ଆଚ୍ଛନ୍ନତା କଟିଗଲା । କପିଳ କହିଲା, ‘କାଲିତ ଆସିହେବନି ।’

 

‘କାହିଁକି ?’

 

‘ଆସ, କହିଦେଲେତ ଆସି ହେବନି । ଦିନେ ଦି’ଦିନଭାବେ–’

 

‘ଏଥିରେ ଭାବିବାର କ’ଣ ଅଛି ?’

 

କପିଳ ନିଜକୁ ଦେଖେଇ କହିଲା, ଏ ଦେହଟା ମୋର ହେଇପାରେ, ହେଲେ ଏ ପ୍ରାଣ ବଞ୍ଚେଇ, ଯିଏ ମତେ ଏ ଗାଁଦାଣ୍ଡରେ ଚଲେଇଚି, ସେମାନଙ୍କ ମତାମତ ତ ମତେ ନବାକୁ ହେବ । ସେମାନଙ୍କର ଦଖଲକୃତ ଅସ୍ୱୀକାର କରିହେବନି ।’

 

‘କାହା କଥା କହୁଚ ? କୁନ୍ତେଇ-ସୁଲେଇ କଥା ?’

 

‘ହଁ ।’

 

କପିଳ ଜବାବ୍‍ ଦେଇ ଆକାଶକୁ ଚାହିଁଲା । ସାଙ୍ଗେ ସାଙ୍ଗେ ଅସ୍ଥିର ହେଇ ଉଠିଲା, ‘ଅନେକବେଳ ହେଇ ଗଲାଣି ନଣ୍ଡାବାବା । ତମେ ତ ଏଇଲେ ଯିବନି କହୁଚ । ମୁଁ ତାହାଲେ ଯାଉଚି ?’

 

ସେବା ସଦନଟା ଟିକିଏ ଦେଖି ଯିବନି ?’

 

‘ଆଜି ଥାଉ । ଆଉ ଦିନେ ଦେଖିବି । ବଡ଼ି ଭୋରରୁ ଆସିଲିଣି ଆଉ ଡେରିକଲେ ଗାଳି ଖାଇବାକୁ ପଡ଼ିବ ।’

 

କପିଳ ଆଉ ଠିଆ ହେଲାନି । ଫେରି ପଡ଼ିଲା ।

 

କିଛି ଦୂର ଏକମୁହାଁ ଚାଲିବା ପରେ କପିଳ ଥରକ ପାଇଁ ପଛକୁ ଚାହିଁଲା । ଦେଖିଲା, ସେଇଠି–ସେମିତି ନଣ୍ଡାବାବା ତା’ ଆଡ଼େ ଚାହିଁ ରହିଚନ୍ତି ।

 

କୁନ୍ତେଇ ଘରେ ନାହିଁ ।

 

ସନ୍ଧ୍ୟାବେଳେ ନାରଣ ପଧାନ ପୁଅ ବିମ୍ବା ଆସି ଡାକିନେଇଚି । ବିମ୍ବାର କ’ଣ ପିଲାପିଲି ହେବ । ଦି’ପହରୁ ତା’ର ସ୍ତ୍ରୀର ଦେହ କ’ଣ ହେଉଚି । ଦେଖାଶୁଣା କରିବାକୁ ଘରେ ଆଉ କେହି ନାହିଁ ।

 

ପ୍ରଥମେ କୁନ୍ତେଇ ରାଜି ହେଲାନି । ନାନାପ୍ରକାର ଆପତ୍ତି ଦେଖାଇ କହିଲା, ‘ନାଇଁ; ମୋର ଅସୁବିଧା ଅଛି । ଆଉ କାହାକୁ ଦେଖ ।’

 

‘କାହାକୁ ଦେଖିବି ! କେହି ଯିବାକୁ ମଙ୍ଗୁ ନାହାଁନ୍ତି ।

 

କୁନ୍ତେଇର ଗୋଟାଏ ହାତଧରି ବିମ୍ବା କାନ୍ଦୁଣୁ ମାନ୍ଦୁଶୁ ହେଇ କହିଲା, ‘କେମିତି ଏ ବିପଦରୁ ଉଦ୍ଧାର କରିଦେ । ଜବାବ୍‍ କରୁଚି ତତେ ଖଣ୍ଡେ ନୂଆ ଲୁଗା ଦେବି ।’

 

କେତେକ ନୂଆ ଲୁଗା ଲୋଭରେ, କିଛିଟା ବିପଦ କଥା ବିଚାର କରି ଶେଷକୁ କୁନ୍ତେଇ ବିମ୍ବା ସାଙ୍ଗରେ ଯାଇଚି ।

 

ସେ ଆଜି ବୋଧହୁଏ ଫେରିବନି । ଆଜି କାହିଁକି, ଯେ ପର୍ଯ୍ୟନ୍ତ ବିମ୍ବାର ସ୍ତ୍ରୀ ଖଲାସ ନ ହେଇଚି, ସେ ଯାଏଁ ସେ ଫେରିପାରୁନି ।

 

କପିଳବି ଘରେ ନାଇଁ ।

 

ସକାଳୁ ଉଠି ସେ ହାଟକୁ ଚାଲି ଯାଇଚି । ଏଯାଏ ଫେରିନି । ହାଟରୁ କିଣାବିକା ସାରି ନଈ ସେପାରି ଯିବ । ସେଠୁ ଫେରୁ ଫେରୁ କେତେ ରାତି ହେବ, କେଜାଣି ।

 

ରାତି ଟିକିଏ ଜମି ଗଲାଣି ।

 

ବାହାରେ ଗାଢ଼ ଅନ୍ଧାର । ସେଇ ଅନ୍ଧାରିଆ ଖଳାରେ ଗୁଡ଼ାଏ ତାରା ବୁଣା ହେଇଚି ଯେମିତି ।

 

ଦୁଆର ମଝିରେ ଡିବିଟାଏ ଜଳୁଚି । ଚାରିପାଖରେ କିଟିକିଟିଆ ଅନ୍ଧାର ସାଙ୍ଗେ ଲଢ଼ି ଲଢ଼ି ଡିବିରି ଆଲୁଅଟା ହାଲିଆ ହେଇ ପଡ଼ିଲାପରି ମନେହେଉଚି ।

 

ଡିବିରିରୁ ଯୋଉ ଆଲୁଅ ଟିକିଏ ମିଳୁଚି, ସେଥିରେ ଭଲଭାବେ ବାହାରର କିଛି ଦେଖିହେଉନି ।

 

କିନ୍ତୁ ସୁଲେଇର ଆଖି ଶକ୍ତି ଖୁବ୍ ଟାଣ । ସେଇ ଅସ୍ପଷ୍ଟ ଆଲୁଅରେ ସେ ଗୋଟାଏ ଫଟା ଶାଢ଼ୀ ସିଲେଇ କରିବାରେ ଲାଗିପଡ଼ିଚି ।

 

କାନ୍ଥ କଡ଼କୁ ଦୁଇ ଆଣ୍ଠୁ ସନ୍ଧିରେ ମୁହଁ ଖୁଞ୍ଜି ଦେଇ ବାବନା ମାଆ ବସିଚି । ଓଠ ଦି’ଟା ଅଳ୍ପ ମେଲା ହେଇଯାଇଚି । ସେଇ ଫାଙ୍କ ଦେଇ ଧାରେ ଲାଳ ଗଡ଼ି ଆସୁଚି, ଆଉ ତା’ ସାଙ୍ଗେ ଗୋଟାଏ ଘଡ଼ଘଡ଼ ଶବ୍ଦ ଶୁଣାଯାଉଚି ।

 

ବସି ବସି ବାବନା ମାଆ ଢୁଳୋଉ ଥିଲା । ଢୁଳୋଉ ଢୁଳୋଉ ହଠାତ୍ ଆଣ୍ଠୁ ସନ୍ଧିରୁ ମୁଣ୍ଡଟା କାଢ଼ିଲା । ଆଖି ମେଲେଇବାର ଚେଷ୍ଟାକଲା । କିନ୍ତୁ ନିଦ ଯେମିତି ଆଖିପତା ଦୁଇଟାକୁ ଟାଣି ଧରିଚି ।

 

ନିଦୁଆ ଗଳାରେ ବାବନା ମାଆ ଡାକିଲା, ‘ସୁଲେଇ–’

 

ଛୁଞ୍ଚିରେ ସୁଲେଇ ସୂତା ଗଳୋଉ ଥିଲା । ଜବାବ୍ ଦେଲାନି । ବର୍ତ୍ତମାନ ତା’ର ସମସ୍ତ ମନଯୋଗ ଛୁଞ୍ଚିଟାର ସରୁ କଣା ପାଖରେ ଲାଗି ଯାଇଚି ।

 

ପୁଣି ବାବନା ମାଆ ଡାକିଲା, ‘ଆଲୋ ହେ–’

 

ସୂତାଟା ଗଳେଇ ହେଉନି । ଚାଟି ଚାଟି ସୂତା ମୁହଁଟା ସଳଖି ସେ ଛୁଞ୍ଚି କଣାରେ ଗଳେଇଲାବେଳକୁ ଖସି ଯାଉଚି । ଯେତେ ଚେଷ୍ଟା କଲେବି ସୂତାଟା ଛୁଞ୍ଚି କଣାରେ ଧରା ଦେଉନି-

 

ବାବନା ମାଆର ଡକାଡ଼କିରେ ସୁଲେଇ ବିରକ୍ତି ହେଲା । ପଚାରିଲା, ‘କ’ଣ କହୁଚୁ ?’

 

‘ରାତିଗୁଡ଼ାଏ ହେଲାଣି ନା ?’

 

‘ହଁ ।’

 

‘କପିଳ ଫେରିଲାଣି ।’

 

‘ନା ।’

 

ଟିକିଏ ଚୁପ୍‍ଚାପ ।

 

ବାବନା ମାଆ ଏଥର ମନକୁ ମନ କହିବାରେ ଲାଗିଲା, ‘ଏତେ ରାତି ହେଲାଣି ଏଯାଏ ଟୋକାଟା ଫେରିଲାନି ।’

 

ସୁଲେଇ କିଛି କହିଲାନି । କପିଳ ସମ୍ବନ୍ଧରେ କଥା ପଡ଼ିଲେ ସେ ମୋଟେ ପାଟି ଫିଟାଏନି । ଜାଣି ଜାଣି ଚୁପ୍‍ ହେଇ ରହେ ।

 

ବାବନା ମାଆ କହି ଚାଲିଚି, ‘କେତେବେଳେ ଫେରିବ ଠାକୁରେ ଜାଣନ୍ତି ।’

 

ଭୁଟୁ ଭୁଟୁ ହେଉ ହେଉ ବାବନା ମାଆ ଚୁପ୍‍ ହେଇଗଲା । ସାଙ୍ଗେ ସାଙ୍ଗେ ତା’ର ଢୁଳେଇବାବି ଆରମ୍ଭ ହେଇଗଲା । ଆଣ୍ଠୁ ସନ୍ଧିରେ ପୁଣି ମୁହଁଟା ପଶିଗଲା । ଓଠ ବାଟ ଦେଇ ସେଇ ଘଡ଼ ଘଡ଼ ଶବ୍ଦ ଶୁଣା ଯାଉଥିଲା ।

 

କେତେବେଳେ ପରେ ଛୁଞ୍ଚି କଣାରେ ସୂତା ଧରା ଦେଇଚି ।

 

ତର ତର ହୋଇ ସୁଲେଇ ଲୁଗା ସିଲେଇ ସାରିବାରେ ଲାଗିଗଲା ।

 

ରାତି ବଢ଼ୁଚି । ଅନ୍ଧାରଟା ଯେମିତି ଆଉ ଟିକିଏ ଗାଢ଼ ହେଇ ଉଠିଚି । ଘର ଆଗର ଅମୃତଭଣ୍ଡା ଗଛରେ ଗୋଟାଏ କିଜାତିଆ ଚଢ଼େଇ ଟି ଟି ହେଇ ଡାକ ଛାଡ଼ିଥାଏ । ମଝିରେ ମଝିରେ ଡେଣା ଫଡ଼ ଫଡ଼ କରୁଚି ।

 

ଏତେ ବେଳଯାଏ ପବନଟା ସୁରୁ ସୁରୁ ହେଇ ଚାଲିଥିଲା । ହଠାତ୍‍ ସେଇଟା ମାତି ଉଠିଲା ।

 

ମାର୍ଗଶୀର ପବନଟାର ସ୍ୱଭାବ ସେମିତି । ହଠାତ୍‍ କମିବ–ପୁଣି ବଢ଼ିଯିବ ।

 

ପବନ ହାବୁକାରେ ଡିବିରିଟି ଲିଭୁ ଲିଭୁ ରକ୍ଷା ପଡ଼ିଗଲା ।

 

ସୁଲେଇର ଲୁଗା ସିଲେଇ ସରିଯାଇଚି । ସୂତା ପିଣ୍ଡୁଳାରେ ଛୁଞ୍ଚିଟା ଗୁଞ୍ଜି ଦେଇ ଡାକିଲା, ‘ମାଆଲୋ–’

 

‘ହଁ–’

 

ଢୁଳୋଉ ଢୁଳୋଉ ବାବନା ମାଆ ଜବାବ୍‍ ଦେଲା ।

 

‘ମୋର ସିଲେଇ ସଇଲାଣି ।’

 

‘ହଉ ।’

 

ଗୋଟାଏ ଅସ୍ପଷ୍ଟ ଶବ୍ଦ କରି ବାବନା ମାଆ ପୁଣି ଢୁଳେଇବାରେ ଲାଗିଲା ।

 

ବାବନା ମାଆକୁ ଟିକିଏ ହଲେଇ ଦେଇ ସୁଲେଇ କହିଲା, ‘କ’ଣ ହେଲାମ, ଖାଇବୁନି-? ଉଠ୍–’

 

ଏଥର ଧଡ଼ ପଡ଼ ହେଇ ବାବନା ମାଆ ଉଠିବସିଲା, କହିଲା ‘କ’ଣ କହୁଚୁ ?’

 

‘କହିବି କ’ଣ ! ଖାଇ ଦେଇ ଘରେ ଯାଇ ଶୋଇପଡ଼ । ରାତିସାରା ପିଣ୍ଡିଟା ଉପରେ ଢୁଳୋଉଥିବୁ ନା କ’ଣ ?’ କହୁ କହୁ ସୁଲେଇ ଉଠି ଠିଆ ହେଲା । ‘ମୁହଁ ଧୋଇଦେ, ନିଦଟା ଛାଡ଼ିଯିବ ।’

 

‘ଯାଉଚି ।’

 

ବାରଣ୍ଡା କଡ଼କୁ ପାଣିଭର୍ତ୍ତି ହେଇ ସିଲ୍‍ଭର ଢାଳଟାଏ ଥିଲା । ଅଣ୍ଡାଳି ଅଣ୍ଡାଳି ବାବନା ମାଆ ସେଇଟା ଆଣିଲା । ମୁହଁ ହାତ ଧୋଇ ଘର ଭିତରେ ପଶିଲା ।

 

ୟା ଭିତରେ ସୁଲେଇ ଭାତ ବାଢ଼ି ସାରିଲାଣି ।

 

ବାବନା ମାଆ କହିଲା, ‘କପିଳ ବିଚରା ଫେରିନି । ଆମେ ଖାଇ ଦବା ।’

 

‘ଆଉ କ’ଣ କରିବୁ ?’

 

‘କାଳେ ପିଲାଟା ଆସୁଥିବ ଆଉଟିକିଏ ପରେ ଖାଇଥିଲେ ହେଇ ନଥାନ୍ତା ।’

 

‘କେତେବେଳେ ଫେରିବ ତା’ର କ’ଣ ଠିକଣା ଅଛି । ଆମେ ଆମର ଖାଇଦେବା ଆସ-।’

 

କଥାବାର୍ତ୍ତା ଭିତରେ ବାବନା ମାଆର ଆଖିରୁ ନିଦ ଛାଡ଼ି ଯାଇଥିଲା ସେ କହିବାକୁ ଲାଗିଲା, ‘ଏଇଟା ଭଲ ହବନି ଝିଅ-ଟୋକାଟା ଫେରିଆସି ଯେତେବେଳେ ଜାଣିବ ଆମେ ଖାଇପିଇ ଦେଇଚେ–କ’ଣ ଭାବିବ କହିଲୁ ।’

 

‘ଯାହା ଭାବୁଚି ଭାବୁଥାଉ, ତୁ ଆସିଲୁ–’

 

‘କଥାର ଢଙ୍ଗ ଦେଖ ।’

 

ବାବନା ମାଆ କେମିତି ଟିକିଏ ଧମକେଇଲା ସ୍ୱରରେ କହିଲା । ସୁଲେଇ ଚମକିପଡ଼ି ଚାହିଁଲା । ଏତେବେଳ ଯାଏ ତା’ର ଖିଆଲ ନାଇଁ । ହଠାତ୍‍ ତା’ର ମନେହେଲା, ମାଆ ଆଜି ଅନେକଗୁଡ଼ାଏ କହିଲାଣି । ସବୁ ବ୍ୟବସ୍ଥାରେ ସେ ଉଦାସୀନ, ସଦାବେଳେ ସେ ଚୁପ୍‍ ହେଇ ଥାଏ, ଆଜି ସେଇ ଲୋକଟା ଏତେଗୁଡ଼ାଏ ଗପୁଛି ।

 

ଆଶ୍ଚର୍ଯ୍ୟ ହୋଇ ସୁଲେଇ ମାଆ ଆଡ଼େ ଚାହିଁ ରହିଲା ।

 

ବାବନା ମାଆ ମନକୁ ମନ ଭୁଟୁରୁ ଭୁଟୁରୁ ହେଇ କହିବାକୁ ଲାଗିଲା, ‘ଟୋକାଟା ଦିନସାରା ଖଟି ଖଟି ଆସିବ, ସେ ନଖାଉଣୁ ଖାଇପିଇ ଦେଇଥିବ କେମିତି ?’

 

ସୁଲେଇ କହିଲା,’ ତୋର ଯଦି ଏତେ ସୁଆଗ, ଚାହିଁ ବସିଥା । ମୁଁ ଆଉ ବସିପାରିବିନି । ଭୋକରେ ପେଟ ଜଲିଲାଣି ।’

 

ବାବନା ମାଆ କ’ଣ ଟିକିଏ ଭାବିଲା । ତା’ପରେ କହିଲା, ‘ଆଣେ ବାଢ଼ିଦେଲୁଣୀ ଯେତେବେଳେ, ଖାଇ ଦେବା ।’

 

ଖାଉ ଖାଉ ବାବନା ମାଆ ଆରମ୍ଭ କଲା, ପିଲାଟା ଭାରି ଭଲ । ପର ଆପଣାର ବାଛବିଚାର ନାଇଁ । ଏ ଘରକୁ ନିଜଘର ପରି ଦେଖୁଚି ।

 

ସୁଲେଇ କିଛି କହିଲାନି, ତା’ର ସେ ଖାଇବାରେ ଲାଗିଚି ।

 

ବାବନା ମାଆ ପୁଣି କହିଲା, ‘ଟୋକାଟା ପାଇଁ ମୋର ଭାରିଚିନ୍ତା ।’

 

ଡାଲି ଗୋଳଉ ଗୋଳଉ ସୁଲେଇ ପଚାରିଲା, ‘ଚିନ୍ତା ଗୋଟାଏ କ’ଣ ?’

 

‘ଚିନ୍ତା ହେବନି ।’

 

ଆଗକୁ ଝୁଙ୍କିପଡ଼ି ବାବନା ମାଆ ଖାଇବାରେ ଲାଗିଥିଲା । ହଠାତ୍ ସେ ସଳଖି ହେଇ ବସିଲା । କହିଲା, ‘ତା’ ବିଷୟରେ ଯାହା ଶୁଣିଚି, ସେଥିରେ ମୋଟେ ଭରସା ପାଉନି ।’

 

କିଛି ସମୟ ଚୁପ୍‍ ଚାପ୍ ।

 

ଡିବିରି ଆଲୁଅଟା ଆହୁରି ନିସ୍ତେଜ ହେଇ ପଡ଼ିଚି । ଖୁବ୍‍ ସମ୍ଭବ, ତେଲ ଶେଷ ହେଇଗଲାଣି । ତେଲ ସଙ୍ଗେ ସଙ୍ଗେ ତା’ର ପରମାୟୁବି ଶେଷ ହେଇ ଆସିଲାଣି ।

 

ଖାଉ ଖାଉ ସୁଲେଇ ବାହାରକୁ ଚାହିଁଲା । ଭଲଭାବରେ କିଛି ଦେଖାଯାଉନି, ଅଗଣା, ଆକାଶ, ଦୂରର ପଡ଼ିଆଟା–ସବୁଗୁଡ଼ାକ ବର୍ତ୍ତମାନ ଝାପ୍‍ସା ଜଣାପଡ଼ୁଚି ।

 

ପାଉଁଶ ଗଦା ପାଖେ ଅମୃତଭଣ୍ଡା ଗଛ ଦି’ଟା ଯେମିତି ଏକଗୋଡ଼ିକିଆ ଠିଆ ହେଇଚି । ଚୁପ୍‍ ଚାପ୍ । କିନ୍ତୁ ପବନର ଗତି ବଢ଼ିଲେ, ତା’ର ଯେମିତି କ’ଣ ହେଇଯାଏ । ମୁଣ୍ଡଟା ଟିକିଏ ତଳେଇ ପାଖ ଗଛଟା ଆଡ଼େ ଲଇଁ ପଡ଼େ । ଖାଲି କ’ଣ ଢଳିପଡ଼େ, ତା’ର ଲମ୍ବା ଲମ୍ବା ହାତ ଦୁଇଟା ବଢ଼େଇ ଦିଏ ଯେମିତି । କିନ୍ତୁ ଆର ଗଛଟା ମୋଟେ ଧରା ଦିଏନି ।

 

ବର୍ତ୍ତମାନ ପବନର ଗତି ବଢ଼ିଛି । ଗଛଟାବି ଢଳିପଡ଼ୁଚି !

 

ଆର ଗଛଟା ତ ଧରାଦଉନି । ବେହିଆ ଗଛଟାର ଅବସ୍ଥା ଦେଖି ତା’ର ପତ୍ରଗୁଡ଼ାକରୁ କ’ଣ ଯେମିତି ଚୁପ୍‍ ଚୁପ୍‍ କଥା ବାହାରୁଚି ।

 

ହଠାତ୍‍ ବାବନା ମାଆ ଆରମ୍ଭ କଲା, ‘ଚିନ୍ତା ବୋଲି ଚିନ୍ତା । ଟୋକାଟାର ଯେମିତି ସ୍ଵଭାଵନା–ଏଠି ଦି’ଦିନ, ସେଠି ଦି’ଦିନ–ଏମିତି ଜୀବନଟା କଟେଇ ଦେଲା ।’

 

ଟିକିଏ ରହି ପୁଣି କହିଲା, ‘କେତେବେଳେ ପୁଣି କ’ଣ ମୁଣ୍ଡରେ ପଶିବ, ଠାକୁରେ ଜାଣନ୍ତି ! କୋଉଦିନ ଦେଖିଲାବେଳକୁ ସେ ଆମମାନଙ୍କୁ ଛାଡ଼ି ବାଟ କାଟିଥିବ ।’

 

ସୁଲେଇ କହିଲା,’ ଏଥିରେ ଚିନ୍ତା କରିବାର କ’ଣ ଅଛି ?

 

‘ଚିନ୍ତାକରିବାର ନାଇଁ ।’

 

ମୋଟେ ନୁହେଁ । କୋଉଠିକାର ଲୋକଟା, ଆଶ୍ରାପାଇ ଥକି ଯାଇଚି । ଯୋଉଦିନ ତା’ର ମନହେବ ଚାଲିଯିବ । ଦିହକଯାକ ରହିବ ବୋଲି ତ ଆସିନି ।’

 

‘ରହିଲେ ଦୋଷଟା କ’ଣ ? କାହାର କ୍ଷତି ହଉଚି ?’

 

‘ଦୋଷ ଗୁଣ, ଲାଭ କ୍ଷତି କଥା ନୁହେଁ । ତା’ର ଯଦି ଇଚ୍ଛା ହେବ, ଚାଲିଯିବ । ନିଜର ଲୋକତ କେହି ନୁହେଁ । ଯିବାକୁ ବସିଲେ ଆଗୁଳିରଖିବୁ କେମିତି ?

 

ବାବନା ମାଆ କିଛି ସମୟ ଚୁପ୍‍ ହେଇ ରହିଲା । ତା’ପରେ କହିଲା, ‘ମନେ ମନେ ଗୋଟାଏ କଥା ଭାବିଚି । ଯଦି ଟୋକାଟା ରଜିହୁଏ–’

 

କୁହୁ କୁହୁ ବୁଢ଼ୀ ରହିଗଲା ।

 

‘କି କଥା ଭାବିଚୁ–’

 

ପ୍ରଥମେ ବାବନା ମାଆ କିଛି କହିଲାନି । ଏକଦୃଷ୍ଟିରେ ସୁଲେଇ ମୁହଁ ଆଡ଼େ ଚାହିଁ ରହିଲା । ବୋଧହୁଏ ସୁଲେଇର ମନୋଭାବଟା ବୁଝିବା ଚେଷ୍ଟା କରୁଥିଲା । ତା’ପରେ କହିଲା,’ ଆଜି ଆଉ । ଆଉଦିନେ କହିବି ।’

 

ସୁଲେଇବି ଆଉ ତାକୁ ବଳେଇଲାନି ।

 

ଖାଇବା ଶେଷ ହେଇଯାଇଚି ।

 

ସୁଲେଇ ଚବକାରେ ଅଇଁଠା ବାସନ ଧୋଇ ଆଣିଲା । ଘରଦ୍ୱାର ଓଳେଇ ବିଛଣା ପକେଇବା ଆରମ୍ଭ କଲା ।

 

ଓଠ ଲେଫାଡ଼ି ଧୂଆଁପତ୍ର ଗୁଣ୍ଡ ଟିକିଏ ଗୁଞ୍ଜି ଦେଉ ଦେଉ ବାବନା ମାଆ ଡାକିଲା, ‘ସୁଲେଇ–’

 

‘କ’ଣ ?’

 

‘ତୁ ଏଇଲେ ଶୋଇପଡ଼ିବୁ ନା କ’ଣ ?’

 

‘ହଁ –’

 

ବିଛଣା ପକୋଉ ପକୋଉ ସୁଲେଇ ମାଆ କଥାର ଜବାବ୍‍ ଦେଲା, ଆଉ ବସି କ’ଣ କରିବି ? ଗୁଡ଼ାଏ ରାତି ହେଲାଣି ।’

 

ବାବନା ମାଆ କହିଲା, ‘ଶୋଇବୁ ଯଦି, ଶୋଇଥା । ଦେଖିବୁ, ବେହୋସ ହବୁନି । ଟିକିଏ ହୋସ୍‍ରେ ଥିବୁ । ଦିନସାରା ବୁଲି ବୁଲି ଟୋକାଟା ଆସିବ । ଦି’ଗୁଣ୍ଡା ବାଢ଼ିଦବୁ ।

 

ବିରକ୍ତହେଇ ସୁଲେଇ କହିଲା, ‘ମୁଁ କାହାପାଇଁ ଚାହିଁ ପାରିବିନି । ମତେ ଭାରି ନିଦ ଲାଗିଲାଣି ।’

 

‘ହଉ–ଶୋଇ ମର । ମୁଁ ଚାହିଁଚି ।’

 

ବାବନା ମାଆ ଗୁଜୁରୁ ଗୁଜୁରୁ ହବାରେ ଲାଗିଲା, ‘ଅରଜନରୁ ଗେଫା ମାରିଲାବେଳକୁ ତିଆର–କିଏ ଖାଇଲା ନ ଖାଇଲା ସେଥିରେ କାହାର କ’ଣ ଯାଉଚି ।’

 

ସୁଲେଇ କିଛି କହିଲାନି । ଡିବିରିଟାକୁ ଫୁଙ୍କି ଦେଇ ବିଛଣା ଉପରେ ଗଡ଼ିପଡ଼ିଲା ।

 

ମଠ ପଡ଼ିଆ ଆଡ଼ୁ ଗୁଡ଼ାଏ ଜୁଳୁ ଜୁଳୁଆ ଉଡ଼ି ଆସିଚନ୍ତି । ଅମୃତଭଣ୍ଡା ଗଛ ଉପରେ ସେମାନଙ୍କର ମେଳା ବସିଚି ।

 

ବେଳ ନବୁଡ଼ୁଣୁ କାକର ପଡ଼ିବା ଆରମ୍ଭ ହେଇଯାଇଛି ।

 

କୁହୁଡ଼ିରେ ମାର୍ଗଶୀରର ପବନ ଓଦାଳିଆ ହେଇ ଉଠିଚି ।

 

ଅନେକ ସମୟ ସୁଲେଇ ଆଖି ବୁଜି ପଡ଼ି ରହିଲା, କିନ୍ତୁ କାଇଁ, ନିଦ ତ ହେଉନି । ନିଦ ଆଜି ବୋଧହୁଏ ଜିଦି ଧରିଚି, କୌଣସି ପ୍ରକାର ତା’ ପାଖରେ ପଶିବନି ।

 

ଅଗତ୍ୟା ସୁଲେଇ ଆଖି ଫିଟେଇଲା । ବାହାରର ଆକାଶ ଆଡ଼େ ଚାହିଁଲା । ଦେଖିଲା, ଅମୃତଭଣ୍ଡା ଗଛ ଉପରେ ଜୁଳୁ ଜୁଳିଆଗୁଡ଼ାଏ ବୁଲୁଛନ୍ତି ।

 

ମଝିରେ ଅଗଣାଟା, ତା’ପରେ ପାଉଁଶ ଗଦା, ଅମୃତଭଣ୍ଡା ଗଛ, ଜୁଳୁ ଜୁଳିଆ ପୋକ । ସେତିକି ଯାହା ନଜରରେ ପଡ଼ୁଚି । ଆଉ କିଛି ଦେଖିହେଉନି ।

 

ଆକାଶରୁ ଗୋଟାଏ ବହଳିଆ କୁହୁଡ଼ିର ଚାଦର ଝୁଲି ପଡ଼ି, ମଠ ଆଉ ପଡ଼ିଆ ସବୁକୁ ଯେମିତି ଘୋଡ଼ାଇ ପକେଇଚି ।

 

ଏତେବେଳ ଯାଏ ବାବନା ମାଆ କପିଳ ଆସିବା ବାଟକୁ ଚାହିଁ ରହିଥିଲା । ବସି ବସି ଢୁଳୋଉ ଥିଲା । ଢୁଳୋଉ ଢୁଳୋଉ କେତେବେଳେ ଶୋଇ ପଡ଼ିଚି । ଶୋଇବା ସଙ୍ଗେ ସଙ୍ଗେ ଘୁଙ୍ଗୁଡ଼ି ମାରିବା ଆରମ୍ଭ ହେଇ ଗଲାଣି । କନ୍ଥା ଖଣ୍ଡକ ଦେହରେ ପକେଇବା ପାଇଁ ଭୁଲିଯାଇଚି । ମାର୍ଗଶୀରର ହାଲପରେ ଭଜା ଚୁଙ୍ଗୁଡ଼ି ପରି ଚେକା ଧରି ଯାଇଚି ।

 

ମାଆର ଅବସ୍ଥା ଦେଖି ସୁଲେଇ ସମ୍ଭାଳି ପାରିଲାନି । ଉଠି ମାଆକୁ ସିଧା ଶୁଆଇ ଦେଇ ମୋଟା କନ୍ଥାଟାଏ ଘୋଡ଼ୋଇ ଦେଲା ।

 

ପୁଣି ବିଛଣାରେ ସୁଲେଇ ଗଡ଼ି ପଡ଼ିଲା ।

 

ମାର୍ଗଶୀରର ନିଝୁମ ରାତି, ଗାଢ଼ ଅନ୍ଧାର, ଥଣ୍ଡାଳିଆ ପବନରେ ସୁଖ ସ୍ପର୍ଶ । କନ୍ଥାର ଉଷୁମ, ଦିବ୍ୟ ନିଦ ପାଇଁ ଉପାଦାନଗୁଡ଼ା ରହିଚି । ତଥାପି ନିଦ ହେଉନି ।

 

କିଛି ସମୟ ସୁଲେଇ ଆଖି ବୁଜି ପଡ଼ି ରହିଲା । ତା’ପରେ ଦେହରୁ କନ୍ଥାଟାକୁ ଆଡ଼େଇ ଦେଇ ବାରଣ୍ଡାରେ ଆସି ବସିଲା ।

 

ମାର୍ଗଶୀରର ଓଦାଳିଆ ପବନରେ ଅନେକ ଦୂରକୁ ଗୋଟାଏ ସ୍ଵର ଭାସିଆସୁଛି ।

 

ଦୂରରୁ ସ୍ଵରଟା ଯାହା ସୁଲେଇ ବାରି ପାରୁଚି । ଗୀତର ଗୋଟାଏ ପଦବି ବୁଝିପାରୁନି । ନ ବୁଝି, ତଥାପି କାକରିଆ ନିର୍ଜନିଆ ରାତିରେ ସ୍ଵରଟା ତାକୁ ଭାରି ଭଲ ଲାଗୁଚି । କେତେ ସମୟ ସୁଲେଇ ସେମିତି ବାରଣ୍ଡାରେ ବସିଚି କିଛି ଠିକଣା ନାଇଁ । ସ୍ଵରଟା ପାଖେଇ ଆସିବାମାତ୍ରେ ସେ ଚମକି ପଡ଼ିଲା । ଖୁବ ଚିହ୍ନା ସ୍ଵରଟା । ହଠାତ୍ ତା’ର କ’ଣ ହେଲା କେଜାଣି, ତରତର ହୋଇ ମାଆ ପାଖରେ ଯାଇ ଶୋଇ ପଡ଼ିଲା ।

 

ସୁଲେଇ ଠିକ ଚିହ୍ନିଥିଲା ।

ଗୀତ ଗାଇ ଗାଇ କପିଳ ଆର ବଖରା ଭିତରେ ପଶିଲା ।

ସୁଲେଇ ଜାଣିଲା, କପିଳ ଡିବିରିଟା ଜଳେଇଲାଣି । ସେମିତି ଗୁଣୁ ଗୁଣୁ ହେଇ କପିଳ ଡିବିରିଟା ନେଇ ଚବକା ଆଡ଼େ ଗଲା ।

ସୁଲେଇ ମାଆକୁ ଟିକିଏ ହଲେଇ ଦେଲା । ଡାକଟାଏବି ଦେଲା ।

ବାବନା ମାଆ କୌଣସି ଜବାବ ଦେଲାନି, ତା’ର ଦୁର୍ବଳ ଦେହଟା ନିଦରେ ଅତଳ ଗର୍ଭରେ ସେତେବେଳକୁ ବୁଡ଼ି ଯାଇଥିଲା । କଡ଼ ଲେଉଟେଇ ସେ ଶୋଇ ପଡ଼ିଲା ।

ଟିକିଏ ପରେ କପିଳ ଚବକାରୁ ଗୋଡ଼ ହାତ ଧୋଇ ଫେରିଲା । ବାରଣ୍ଡା ଉପରେ ଡିବିରିଟା ରଖି ଡାକିଲା, ‘ସମସ୍ତେ ଶୋଇ ପଡ଼ିଲଣିକି ?’

ଶୁଣିଲେବି ସୁଲେଇ ଜବାବ୍ ଦେଲାନି ।

କପିଳ ମନକୁ ମନ କହିଲା, ‘ଆଜି ଭାଗ୍ୟରେ ଖାଇ ବାର ନାହିଁ । ଥାଉ, ଶୋଇପଡ଼େ ।

ବାରଣ୍ଡା ଉପରୁ ଡିବିରିଟା ନେଇ କପିଳ ତା’ ଶୋଇବା ବଖରାକୁ ଚାଲିଗଲା ।

ସୁଲେଇ କ’ଣ କରିବ, ଭାବି ପାରିଲାନି ।

ଭାଉଜ ଆଉ ମାଆ ଉପରେ ତା’ର ଭୟଙ୍କର ରାଗହେଲା । ଭାଉଜ ଯଦି ବିମ୍ବା ସାଙ୍ଗରେ ନଯାଇ ଥାଆନ୍ତା କି ମାଆ ଯଦି ଚାହିଁ ଥାଆନ୍ତା, ତାକୁ ତାହାଲେ ଏ ଅସୁବିଧାରେ ପଡ଼ିବାକୁ ହେଇନଥାନ୍ତା ।

ଆଜି ଯାଏ ସେ କପିଳକୁ ପଦେ ହେଲେ ପାଟି ଫିଟେଇନି ।

ମାର୍ଗଶୀରର ଏ ସ୍ଥବ୍‍ଧ, ନିର୍ଜନିଆ ରାତିରେ ସେ କପିଳକୁ କ’ଣ ବୋଲି ଡାକିବ, କେମିତି ଖାଇବାକୁ ଦେବ । ଭାବି ଭାବି କିଛି ଠିକ୍ କରି ପାରିଲାନି ।

ପାଖ ବଖରାଟା ଅନ୍ଧାର ହେଇ ଗଲାଣି । ଡିବିରିଟା ଲିଭେଇ କପିଳ ଶୋଇ ପଡ଼ିଚି । ଗୁଣୁ ଗୁଣୁ ହେଇ କ’ଣ ଗୋଟାଏ ଗାଉଥାଏ ।

ସୁଲେଇ ଭାବିଲା, କପିଳକୁ ଡାକିବନି । ନା ଡାକିବାର ଗୋଟାଏ ସାନ୍ତ୍ଵନା ଭରା କଇଫତ୍ ମନେ ମନେ ଠିକ୍ କରିନେଲା । ରାତିଟାଏ ତ ମୋଟେ । ଗୋଟାଏ ରାତି ନ ଖାଇଲେ ମଣିଷ ମରି ଯିବନି ।

ଯାହା ନିଜେ ଠିକ୍ କଲା ସେଇଟା ନିଜକୁ ପ୍ରଥମେ ଖରାପ ଲାଗିଲା । ସେ ଚାହିଁଚି–କପିଳ ଭୋକ ଉପାସରେ ଶୋଇବ ! ନିଜପ୍ରତି କେମିତି ଗୋଟାଏ ଧିକ୍‍କାର ଆସିଲା ।

ସୁଲେଇ ଉଠି ଡିବିରିଟା ଜଳେଇଲା । ସିଲଭର ଥାଳିରେ ଭାତ, ଡାଲି, ତରକାରୀ ବାଢ଼ିଲା । ବାରଣ୍ଡା ଉପରେ ଭାତଥାଳିଟା ଥୋଇ କହିଲା, ‘ଭାତ ବାଢ଼ିଲିଣି ।’

ମାତ୍ର ଏତିକି କହିଲାବେଳକୁ ଦେହଟା ଝାଳେଇ ଉଠିଥିଲା । ପାଦଟା କେମିତି ଥରିଲା ଭଳି ମନେହୁଏ ।

କପିଳ ବୋଧହୁଏ ଶୁଣି ପାରିନି, ସେ ତା’ର ବିଛଣାରେ ପଡ଼ି ଗୁଣୁ ଗୁଣୁ ହେବାରେ ଲାଗିଚି ।

ଏଥର ସୁଲେଇ ଛିଙ୍କି ଦେଲା ।

ଧଡ଼ପଡ଼ ହେଇ ବିଛଣାରୁ ଉଠି ପଡ଼ି କପିଳ ପଚାରିଲା, ‘କିଏ ?’

‘ମୁଁ–ଭାତ ବାଢ଼ି ଦେଇଚି–’

ତରତରରେ ଏତିକି କହିଦେଇ ସୁଲେଇ ଘର ଭିତରକୁ ପଶିଗଲା ।

କିଛି ସମୟ ପରେ କପିଳ ଆସି ଖାଇବାରେ ଲାଗିଲା । ସୁଲେଇ ଘରୁ ଢାଳେ ପାଣିଆଣି ଥୋଇ ଦେଇ–ଦୂରେଇ ହେଇ ବସିଲା ।

 

ଖାଉ ଖାଉ କପିଳ କହିଲା, ‘ସେପାରି ମହାଜନ ସଙ୍ଗେ ଭଡ଼ାକଥା ତୁଟେଇ ବାହାରିଲାବେଳକୁ ମେଳାରେ ବସେଇ ଦେଲେ । ତ୍ରିନାଥମେଳା ଶେଷ ହେବଯାଏ ବସିବାକୁ ପଡ଼ିଲା । ମନା କରିପାରିଲିନି ।’

 

ସୁଲେଇ ଚୁପ୍ ହୋଇ ବସିଚି ।

 

କପିଳ ଗପିବାରେ ଲାଗିଥାଏ, ‘ଗୋଟାଏ ଥରରେ ସବୁ ମାଲ ଚାଲିଯିବ । ପୂରା ଡଙ୍ଗାଏ ହେବନି । ବହୁତ କଷ୍ଟରେ ମହାଜନ ଚଉଦ ସ୍ତଉକା ଦବାକୁ ରାଜିହେଲା । ଉଜାଣି ଉଠିବାର ନାଇଁ । ରାଜି ହେଇଗଲି ।

 

ଏଥରବି ସୁଲେଇ କିଛି କହିଲାନି ।

 

ରାତି ବଢ଼ି ଚାଲିଚି ।

 

ଘର ଭିତରେ ବାବନା ମାଆ ଚିତ୍ ହୋଇ ପଡ଼ିଚି । ରାତି ବଢ଼ିବା ସଙ୍ଗେ ସଙ୍ଗେ ତା’ର ନିଶ୍ଵାସର ଶବ୍ଦବି ବଢ଼ି ଚାଲିଚି ।

 

ସେପଟ ଅମୃତଭଣ୍ଡା ଗଛ ଉପରେ ଜୁଳୁଜୁଳିଆଗୁଡ଼ା ମେଳା ବସେଇଛନ୍ତି । ରାତିଟା ଯେମିତି ଗୋଟାଏ ଗାଢ଼ କଳା ଶାଢ଼ୀ । ଜୁଳୁଜୁଳିଆଗୁଡ଼ାକ ଶାଢ଼ୀର ବୁଟି ଭଳି ମନେହେଉଚି ।

 

ଘର ଭିତରେ ବାବନା ମାଆର ଖର ନିଶ୍ଵାସ ଛଡ଼ା ବର୍ତ୍ତମାନ ଆଉ କୌଣସି ଶବ୍ଦ ଶୁଣା ଯାଉନି । ବାହାରଟା ସ୍ତବ୍‍ଧ, ନିଶ୍ଚନ୍ଦ୍ର ଅନ୍ଧାର ଘୋଟି ଯାଇଚି ।

 

କପିଳ ପୁଣି ଆରମ୍ଭ କଲା, ‘ଆଜି ହାଟରେ କିଛି ସୁବିଧା ହେଲାନି । କ’ଣ ହେଲା କେଜାଣି । କେହି ଆସିଲେନି । ମୋଟେ ଦୁଇଟା ପଟି ବିକ୍ରି ହେଲା । ମାତ୍ର ଅଢ଼େଇ ଟଙ୍କା ମିଳିଲା, ସେତିକିରେ ଚାଉଳ କିଣି ଆଣିଲି ।’

 

କଥାଗୁଡ଼ା କପିଳର କେମିତି ହତାଶିଆ ଶୁଣା ଯାଉଥିଲା ।

 

ଏତେବେଳ ପରେ ସୁଲେଇ ମୁହଁ ଫିଟେଇଲା, ସେସବୁ ହିସାବ ଫିସାବରେ ମୋର କ’ଣ ଅଛି । ଭାଉଜ ଆସିଲେ–’

 

ସୁଲେଇ କଥା ଶେଷ କରିପାରିଲାନି ।

 

ମୁହଁ ତଳକୁ କରି କପିଳ ଖାଇବାରେ ଲାଗିଥିଲା । ଚମକି ପଡ଼ି ମୁହଁ ଉଠେଇଲା । ଦେଖିଲା, ବାହାରର ଅନ୍ଧାର ଭିତରେ ବୁଡ଼ି ସୁଲେଇ ଚୁପ୍‌ଚାପ୍‌ ବସିଚି ।

 

ଆଶ୍ଚର୍ଯ୍ୟ ହେଇ କପିଳ ଚାହିଁ ରହିଲା ।

 

ଏତେବେଳେ ଯାଏ ଖାଉ ଖାଉ ସେ କହି ଚାଲିଥିଲା । ଏତେ ଭୋକ ଲାଗୁଥିଲା ଯେ, ଖାଇବା ଛଡ଼ା ଅନ୍ୟ କୌଣସି ଆଡ଼େ ତା’ର ନଜର ନଥିଲା, ଆଜି କିଏ ତାକୁ ଖାଇବାକୁ ବାଢ଼ି ଦେଇଚି । ସେକଥା ତା’ର ମୋଟେ ଖିଆଲ ନାହିଁ ।

 

ଅବଶ୍ୟ ଖିଆଲ ନ ରହିବା କଥା । ଅଭ୍ୟାସ ନାହିଁ ।

 

ଏ ସଂସାରର ଜଣେ ହେଲାପରେ ସକାଳେ ସନ୍ଧ୍ୟାରେ, ଦୁଇଓଳି କୁନ୍ତେଇ ତାକୁ ଖାଇବାକୁ ଦିଏ । ଭାତ ବାଢ଼ିଦେଇ ଆଗରେ ଆସି ବସେ । ଏକଥା ସେକଥା କହେ । ହାଟରେ କାରବାର କେମିତି ହେଲା, କେତେ ଲାଭ କେତେ କ୍ଷତି ହେଲା । ବେପାରି ଜିନିଷ ପସନ୍ଦ କଲେ କି ନାଇଁ ଖୋଳିତାଡ଼ି ସବୁକଥା ଆଦାୟ କରେ । କୁନ୍ତେଇ ମୁହଁକୁ ନ ଚାହିଁ ଖାଉଖାଉ ସେସବୁ କଥାର ଜବାବ ଦେଇଯାଏ ।

 

Unknown

ଏଇଟା ଗୋଟାଏ ଧରାବନ୍ଧା ନିୟମ ହେଇଯାଇଚି ।

 

ସେଇ ପୁରୁଣା ଅଭ୍ୟାସ ମୁତାବକ ସେ ଆଜି ଖାଉ ଖାଉ କହି ।

 

ଚାଲିଥିଲା । ସେ ଭାବିଥିଲା, ସବୁଦିନ ପରି କୁନ୍ତେଇବି ଆଜି ତା’ ଆଗରେ ବସିଚି ।

 

ସେତ ଆଉ ଜାଣେନି ଏତେ ଦିନର ଧରାବନ୍ଧା ନିୟମଟାରେ ଆଜି ବ୍ୟତିକ୍ରମ ହେଇଚି ।

 

ଟିକିଏ ଦୂରେଇ ସୁଲେଇ ବସିଚି । ମୁହଁରେ ଡିବିରି ଆଲୁଅଟା ପଡ଼ିଚି । ଆଲୁଅଟା ଏତେ କ୍ଷୀଣ ଯେ ମୁହଁଟା ଭଲଭାବେ ଦେଖାଯାଉନି ।

 

ବାହାରେ ଘନ ଅନ୍ଧକାର । ଡିବିରିର ମଳିଚିଆ ଆଲୁଅରେ କପିଳ ସୁଲେଇର ମୁହଁଟା ଦେଖିବାରେ ଲାଗିଚି । ଆଖିରେ ତା’ର ପଲକ ପଡ଼ୁନି । ତା’ର ମନେହେଉଚି, ପଲକ ପଡ଼ିବାମାତ୍ରେ ସୁଲେଇ ଛବିର ସ୍ଵପ୍ନଟା ଯେମିତି ଭାଙ୍ଗିଯିବ । ବାହାରର ଏଇ ଘନ ଅନ୍ଧାର ଭିତରେ ତାକୁ ଆଉ ଖୋଜି ହେବନି ।

 

ଗୋଟାଏ ଅଦ୍ଭୁତ ଆଚ୍ଛନ୍ନତା ଭିତରେ ଅନେକ ସମୟ କଟିଗଲା ।

 

ହଠାତ୍‌ କପିଳ କହିଲା, ‘ତମେ–’

 

ସୁଲେଇ ବାହାରକୁ ଚାହିଁ ରହିଥିଲା । ବୋଧହୁଏ କପିଳ କଥା ତା’ କାନରେ ପଡ଼ିନି ଯେମିତି ବସିଥିଲା, ସେମିତି ବସି ରହିଚି ।

 

କପିଳ ଟିକିଏ ଖୁଁ ଖୁଁ ହୋଇ କାଶିଲା । ପୁଣି ଆରମ୍ଭ କଲା, ‘ଆଜି ତମେ ମତେ ଖାଇବାକୁ ଦେଲ । ତମର ଭାଉଜ କୁଆଡ଼େ ଗଲେ ?

 

‘ବିମ୍ବା ଘରକୁ ଯାଇଚି ।’

 

ଟିକିଏ ରହି ସୁଲେଇ କହିଲା, ‘ଭାଉଜ ଆଜି ଆସିବନି ।’

 

‘ବୁଝିଲି ।’

 

ତା’ପରେ ଚୁପ୍‌ଚାପ୍‌ ।

 

ପାଉଁଶ ଗଦା ପାଖ ଅମୃତଭଣ୍ଡା ଗଛ ଉପରେ ଜୁଳୁଜୁଳିଆର ମେଳା ଲାଗିଚି । ହଠାତ୍ ବରକୋଳି ଗଛରୁ ଗୋଟାଏ ପକ୍ଷୀ ଚେଁ ଚେଁ ହେଇ ଡାକ ଛାଡ଼ିଲା ।

 

ଜୁଳୁଜୁଳିଆଙ୍କ ମେଳା, ପକ୍ଷୀଟାର କଆଁଳିଆ ଡାକ–କୌଣସି ଆଡ଼େ ଲକ୍ଷ୍ୟ ନାହିଁ । ସୁଲେଇ ତଳକୁ ମୁହଁ ପୋତି ନଖ ଛିଣ୍ଡେଇବାରେ ଲାଗିଚି ଆଉ ଲୁଚେଇ ଲୁଚେଇ କପିଳକୁ ଦେଖୁଚି ।

 

କପିଳକୁ ତ ସୁଲେଇ ଆଜି ନୂଆ ଦେଖୁନି । ସେଇ ବଢ଼ିବେଳୁ ନଈରୁ ଛାଣି ଆଣିବା ଦିନୁ କେତେଥର ଦେଖିଚି ।

 

ସୁଲେଇର ମନେ ହେଲା, ବିଗତ ଦେଖାଗୁଡ଼ାକ ଆଉ ଆଜିକାର ଦେଖାରେ ଅନେକ ତଫାତ ଅଛି ।

 

ସିଧାଭାବରେ ସୁଲେଇ ଚାହିଁ ପାରୁନି । ମୁହଁ ତଳକୁ କରି କଣେଇ କଣେଇ ଦେଖିବାରେ ଲାଗିଚି । ସୁଲେଇ କ’ଣ ଜାଣେ, ଏଇ ନିର୍ଜନିଆ ଶିତୁଆରାତିରେ ଗୋଟାଏ ପୁରୁଷକୁ ଲୁଚେଇ ଲୁଚେଇ ଦେଖିବାରେ ଯେମିତି ଆନନ୍ଦ ସେତିକି ଲଜ୍ଜା ବୋଲି ।

 

କପିଳ–ସୁନ୍ଦର, ସୁକଣ୍ଠ, ସୁପୁରୁଷ । ଯେତେ ଚେଷ୍ଟା କଲେବି ସୁଲେଇ ତା’ ଆଡ଼େ ନ ଚାହିଁ ରହିପାରୁନି ।

 

ଥାଳିରୁ ଭାତ ସରିଯାଇଥିଲା । କପିଳ କହିଲା, ‘ଆଉ ଦି’ଟା ଭାତ ଦେବ । ଭାରି ଭୋକ–’

 

କଥାଟା ଶେଷ ନ କରି କପିଳ ଟିକିଏ ହସି ଦେଲା ।

 

ସୁଲେଇ ଘରୁ ଆଉ ଗଣ୍ଡାଏ ଭାତ ଆଣିଦେଲା ।

 

ପୁଣି ଚୁପ୍ ଚାପ୍ । କପିଳର ଖାଇବା ଫଳରେ ଯେଉଁ କ୍ଷୀଣ ଶବ୍ଦ ହେଉଚି, ତା’ ଛଡ଼ା ମାର୍ଗଶୀରର ଏ ରାତିଟା ଆଶ୍ଚର୍ଯ୍ୟ ଧରଣର ନିସ୍ତବ୍‍ଧ ।

 

ସୁଲେଇ ମନେ ମନେ ଗୋଟାଏ କଥା ଭାବୁଥିଲା । ନିଜର ଭାଇ ଅର୍ଥାତ୍ ବାବନାକୁ ଛାଡ଼ି ଦେଲେ ଅନ୍ୟ କୌଣସି ପୁଅ ପିଲାକୁ ସେ ଆଜିଯାଏ ଖାଇବାକୁ ଦେଇନି । କିନ୍ତୁ ଗୋଟାଏ ଅନାତ୍ମୀୟ ଭେଣ୍ଡିଆ ଟୋକାକୁ ଆଗରେ ବସେଇ ଖୁଆଇବା ଭିତରେ ଯେ ଏତେ ଅସହ୍ୟ ଆନନ୍ଦ ଅଛି, ଏହା ଆଗରୁ ସେ କେବେ ଭବିପାରି ନଥିଲା ।

 

ଏତେଦିନ ଯାଏ କପିଳ ସମ୍ବନ୍ଧରେ ତା’ ମନରେ କ’ଣ ଥିଲା ? ବିରାଗ, ବିତୃଷ୍ଣା, ବିଦ୍ଵେଷ । ଯାହାକୁ ଘରକୁ ଆଣି କେବଳ ଲୋକ ଅପବାଦ ଶୁଣିବାକୁ ହେଇଚି, ତା’ପାଇଁ ଆଉ କ’ଣବା ମନେ ହୁଅନ୍ତା ! କିନ୍ତୁ ଆଜି, ଏ ମୁହୂର୍ତ୍ତରେ ? ନିଜର ଅନୋଭାବ ବୁଝିବାକୁ ସୁଲେଇ ଚେଷ୍ଟା କଲା । ପାରିଲାନି, ମନଟା ଯେମିତି ଦୁର୍ବୋଧ୍ୟ ଗୋଟାଏ ରହସ୍ୟ ହୋଇଯାଇଚି ।

 

ନଈ ଭିତରୁ ଗୋଟାଏ ମଣିଷ ନୁହେଁ ଗୋଟାଏ ଦୁର୍ନାମକୁ ସେମାନେ ଉଠେଇ ଆଣିଥିଲେ । ଡିବି ଆଲୁଅରେ ସେଇ କପିଳ ନାମଧାରୀ ଦୁର୍ନାମଟାକୁ ଦେଖୁ ଦେଖୁ ପ୍ରାଣ ଭିତରଟା ଯେମିତି ସେମିତି ହେଇଉଠିଲା । ହୃଦୟର ଗଭୀରତମ ସ୍ଥଳରେ କ’ଣ ଗୋଟାଏ ଯେମିତି ରହିଚି ! ଅସ୍ଥିର ଆବେଗରେ ସେଇଟା ଯେମିତି ତାଙ୍କର ବୋଲି ସବୁଠୁ । ସୁଲେଇ ବୁଝିପାରୁନି । କେବଳ ମନେହେଉଚି, ଗୋଡ଼ ହାତ ସାହାଜ୍, କାହିଁକି କେଜାଣି ଥରିଉଠୁଛି ।

 

ଖାଇବା ଶେଷ କରି କପିଳ ତା’ ବଖରାକୁ ଚାଲିଗଲା ।

 

ଅଇଁଠା ବାସନଗୁଡ଼ା ଗୋଟାଏ କଡ଼କୁ ସୁଲେଇ ରଖିଦେଲା । ତା’ପରେ ଡିବିରି ଲିଭେଇ ଶୋଇପଡ଼ିଲା ।

 

ବର୍ତ୍ତମାନ କେତେ ରାତି–କେଜାଣି ।

 

ଅନ୍ଧାରଟା ଆହୁରି ଗାଢ଼ ହେଇଚି । ପବନ ଆହୁରି ଥଣ୍ଡାଳିଆ ଜଣାପଡ଼ୁଚି ।

 

ଗୋଟାଏ ଘରର ଦୁଇଟା ବଖରା । ମଝିରେ ଝାଟିମାଟିର କାନ୍ଥ । ଏ ଘରେ ସୁଲେଇ, ସେ ଘରେ କପିଳ । କାହାରି ଆଖିରେ ନିଦ ନାହିଁ । ନିଦ ଆଉ ଆଜି ବୋଧହୁଏ ହେବନି ।

 

ଏ ବଖରାରେ ଥାଇ କପିଳ ଜାଣିପାରିଲା, ଶୋଇ ଶୋଇ ସୁଲେଇ ଏପଟ ସେପଟ କଡ଼ ଲେଉଟେଇବାରେ ଲାଗିଚି । ସେ ବଖରାରେ ସୁଲେଇ ଜାଣିପାରିଲା, କପିଳ ଗୋଟାକ ପରେ ଗୋଟାଏ ବିଡ଼ି ଟାଣିବାରେ ଲାଗିଚି ।

 

ସୁଲେଇ ଛଟପଟ ହେବାରେ ଲାଗିଚି । କପିଳକୁ ଖାଇବାକୁ ଦେଲାବେଳେ ଗୋଡ଼, ହାତ, ଛାତି–ସାରା ଦିହ ମୁଣ୍ଡ ଥରୁଥିଲା । ବିଛଣାରେ ଶୋଇଲେବି ସେ କମ୍ପନ ବନ୍ଦ ହେଲାନି । ବରଂ ବଢ଼ି ଚାଲିଚି । କମ୍ପନର ବେଗ ଚାପି ଦେବାପାଇଁ ପୁଳାଏ କନ୍ଥାକୁ ଛାତି ଉପରେ ଲଦି ସୁଲେଇ ଦି’ହାତରେ ଜାବୁଡ଼ି ଧରିଲା । ତା’ପରେ ବାହାରେ ଯେଉଁଠି ଅଫୁଟା ଅନ୍ଧାରରେ ଜୁଳୁଜୁଳିଆଗୁଡ଼ା ପହଁରୁଚନ୍ତି, ଏକ ଦୃଷ୍ଟିରେ ସେଇଆଡ଼େ ଚାହିଁ ରହିଲା ।

 

ସୁଲେଇର ଆଖି ଦି’ଟା ଜୁଳୁଜୁଳିଆ ଭଳି ଜଳିଉଠୁଚି ।

 

ଏ ବଖରାରେ ଚିତ୍‌ହୋଇ ପଡ଼ି ବିଡ଼ି ଟାଣୁ ଟାଣୁ କପିଳ ଗୋଟାଏ କଥା ଭାବୁଥିଲା । ନଖିପଡ଼ାର ସବୁ ମଣିଷଙ୍କ ସଙ୍ଗେ ତା’ର କଥାବାର୍ତ୍ତା ହେଇଚି । କେବଳ ଜଣେ ବାକୀ ଥିଲା । ଆଜି ସେ ଜଣଙ୍କ ସଙ୍ଗେ ଅଭାବିତ ଭାବରେ କଥାବାର୍ତ୍ତା ହେଇଗଲା ।

 

ପ୍ରାଣ ଭିତରେ ଗୋଟାଏ ନଈ କୋଉଠି ବୋଧହୁଏ ଲୁଚି ରହିଚି । ସେଇ ନଈର ଧାର ଆଜି ଉଛୁଳି ଉଠୁଚି । ଖୁସିରେ ଗୁଣୁ ଗୁଣୁ ହୋଇ କପିଳ ଗୋଟାଏ ପଦ ଧରିଲା ।

 

‘ଶ୍ୟାମ ଅପବାଦ ମତେ ଲାଗି ଥାଉ........’

 

ଦେଖୁ ଦେଖୁ ପ୍ରବଳ ଶୀତ ମାଡ଼ିଆସିଲା ।

 

ନଖିପଡ଼ାର ଗଛଗୁଡ଼ାକରୁ ପତ୍ର ଝଡ଼ି ଥୁଣ୍ଟା ହେଇଗଲାଣି । ଋକ୍ଷ ପ୍ରାନ୍ତରଗୁଡ଼ାକରେ ଧୂଳି ଜମି ଉଠିଲାଣି । ପାଟଳ ନଈଟା ଆହୁରି କ୍ଷୀଣ, ଆହୁରି ନିଃସ୍ରୋତ ହେଇଉଠିଚି । ଏଠି ସେଠି ବାଲି କୁଦଗୁଡ଼ା ଦିଶୁଚି ।

 

ପୁଷ ମାସ ପଶିବାର ପାଞ୍ଚ ଛଅଦିନ ହେଇଗଲାଣି ।

 

ସକାଳୁ ନିଦରୁ ଉଠିବାମାତ୍ରେ କୁନ୍ତେଇ କହିଲା, ‘ଗୋଟାଏ କଥା କହିବି, ରଖିବ ?’

 

ଅମୃତଭଣ୍ଡା ଗଛତଳେ ବସି କପିଳ ଖରା ପୁଆଁଉଥିଲା । ଶୀତ ସକାଳର ଖରା ତାକୁ ଅନ୍ୟମନସ୍କ କରି ପକେଇଚି ।

 

କୁନ୍ତେଇ କଥା ସେ ଶୁଣି ପାରିନି ।

 

ପୁଣି କୁନ୍ତେଇ ଡାକିଲା, ‘କ’ଣ ଶୁଭିଲା ?’

 

ଏଥର କପିଳ ମୁହଁ ଲୁଚେଇଲା । ପଚାରିଲା, ‘ମତେ କ’ଣ କହୁଥିଲ ?’

 

‘ହଁ–ଶୁଭିଲାନି ବୋଧହୁଏ ।’

 

କପିଳ ଲାଜେଇଗଲା । ସତରେ ସେ କିଛି ଶୁଣିନି ।

 

କୁନ୍ତେଇ ତୀକ୍ଷ୍ଣ ଦୃଷ୍ଟିରେ କିଛି ସମୟ ଚାହିଁ ରହିଲା । ତା’ପରେ କହିଲା, ‘ମଝିରେ ମଝିରେ ତମର କ’ଣ ହୁଏ କହିଲ ?’

 

କପିଳ ଟିକିଏ ଥଙ୍ଗ ଥଙ୍ଗ ହେଇଗଲା । କହିଲା, ‘କାହିଁକି ? କ’ଣ ହେଲା କି ?’

 

‘କୋଉ କଥାକୁ ତ ହୋସ୍‌ ରହୁନି । କ’ଣ ଯେ ଭାବୁଚ !’

 

‘କାଇଁ, କିଛି ଭାବୁନି ତ–’

 

‘କେଜାଣି କ’ଣ ହେଉଚି, ଚାରିପଦରେ ପଦେ ବାହାରୁଚି ।

 

 

ତା’ପରେ କିଛି ସମୟ ଚୁପ୍‌ଚାପ୍‌ ।

 

ଏଥର କୁନ୍ତେଇ ଅସଲି କଥାଟା ଉଠେଇଲା, ‘ନଈ ସେପାରି ଚଣ୍ଡେଇ ପଦା, ଜାଣିଚ ?’

 

ମୁଣ୍ଡ ହଲେଇ କପିଳ କହିଲା, ‘ଜାଣେ ।’

 

‘ଆଜି ରାତିରେ ସେଠି ବାଦିପାଲା ହେବ ।’

 

‘ସତେ ନା କ’ଣ ?’

 

‘ହଁ ।’

 

‘ତାହେଲେ କ’ଣ କହୁଚ ?’

 

‘କହିବ ଆଉ କ’ଣ, ସୁଲେଇ କି ଆଉ ମତେ ଟିକିଏ ନେଇଯିବ ?’

 

‘ଯିବି ।’

 

କପିଳ ଉତ୍ସାହିତ ହେଇଉଠିଲା । ପଚାରିଲା, ‘କେତେବେଳେ ଯିବ ?’

 

‘ସଞ୍ଜବେଳକୁ ପାଲା ଆରମ୍ଭ ହେବ । ବେଳବୁଡ଼ୁକୁ ବାହାରି ପଡ଼ିବାକୁ ଭାବିଚି ।’ ‘ହଉହେଲା ।’

 

ଭିଡ଼ିମୋଡ଼ି ହେଇ କପିଳ ଉଠି ଠିଆ ହେଲା । କହିଲା, ‘ତାହେଲେ ହାଟ କାମ ଚଞ୍ଚଳ ସାରି ଦେଇଆସେ ।’

 

କୁନ୍ତେଇ ବାରମ୍ବାର ସାବଧାନ କରିଦେଲା, ‘ମନେରଖିଥିବ ଯେମିତି, ବେଳବୁଡ଼ି ନଥିବ ବାହାରିବା । ଭୁଲିଯିବନିଟି ।’

 

‘ନାଇଁମ, ଭୁଲିଯିବି କାହିଁକି ?

 

କପିଳ ହାଟକୁ ଯିବାପାଇଁ ପ୍ରସ୍ତୁତ ହେଲା ।

 

ବେଳ ନ ବୁଡ଼ୁଣୁ କପିଳ ହାଟରୁ ଫେରିଆସିଲା ।

 

ଶୀତର ଆକାଶଟା ଏଯାଏ ମଳିଚିଆ ଧରିନି । ତେବେ ତେଜ କି ତାପ ଆଉ ନାହିଁ ।

 

କପିଳ ହାଟରୁ ଫେରିବ । ଫେରି ସେମାନଙ୍କୁ ନେଇ ଚଣ୍ଡେଇ ପଦା ଯିବ–ଏଇ ଆଶାରେ କୁନ୍ତେଇ ଆଉ ସୁଲେଇ ବାରଣ୍ଡାରେ ବସିଥିଲେ । ଅପେକ୍ଷା କରିଥିଲେ ।

 

କପିଳକୁ ଦେଖି ସୁଲେଇର ଆଖି ଦୁଇଟା ଚିକ୍‌ ଚିକ୍‌ ହେଇଉଠିଲା । ମୁହଁ ଫିଟେଇ କିଛି କହିଲାନି, ଆଖିର ଉଜ୍ଜ୍ୱଳତା ତା’ର ପ୍ରମାଣ ଦେଉଥିଲା, ସେ ଖୁବ୍‌ ଖୁସି ହେଇଚି ।

 

କୁନ୍ତେଇ କହିଲା, ଯାହା ହେଉ, ଠିକ୍‌ ବେଳକୁ ଫେରିଲ । ମୋ କଥା ଭୁଲିନ–‘‘ଭୁଲିଯିବ କାହିଁକି ?’

 

ଆଡ଼ ଆଖିରେ ଟିକିଏ ସୁଲେଇକି ଚାହିଁ ଦେଇ କପିଳ କହିଲା, ‘ ଭୁଲିଗଲେ ତମେ ମତେ ଛାଡ଼ୁଥିଲ ନା–’

 

‘ଯାହା କହିଲ ହେଲେ ।’

 

କହିଦେଇ କୁନ୍ତେଇ ଖିଲି ଖିଲି ହେଇ ହସିଉଠିଲା । ଫୁସୁ ଫୁସୁ କରି କହିଲା, ‘ମୁଁ ତମକୁ ସହଜରେ ଛାଡ଼ୁଚିନା ।’

 

ତା’ପରେ ଏଣୁତେଣୁ କଥା ପଡ଼ିଲା । ହାଟର ବିକାକିଣା, ଲାଭ ଲୋକସାନ କଥା, ପଟିବିକାରୁ କପିଳ ଯାହା ପାଇଥିଲା, ତା’ର ହିସାବ କୁନ୍ତେଇକି ବୁଝେଇଦେଲା ।

 

କଥାବାର୍ତ୍ତା ହେଉ ହେଉ ବେଳ କେତେବେଳେ ଗଡ଼ିଗଲାଣି । ଆକାଶଟା କେମିତି ମନମରା ଜଣାପଡ଼ୁଚି ।

 

ଆଉ ଟିକିଏ ପରେ ସନ୍ଧ୍ୟା ହେଇଯିବ ।

 

କପିଳ କହିଲା, ‘ଆଉ ଡେରି କାହିଁକି କରୁଚ । ବାହାରି ପଡ଼, ଚଣ୍ଡେଇ ପଦାରେ ପହଞ୍ଚୁ ପହଞ୍ଚୁ ରାତି ହେଇଯିବ ।’

 

‘ହଁ ହଁ ଲୁଗାପଟା ପାଲଟି ଆସୁଚୁ । ତମେ ଟିକିଏ ବସ ।’

 

କୁନ୍ତେଇ ଉଠିଚାଲିଗଲା । ତା’ ସଙ୍ଗେ ସଙ୍ଗେ ସୁଲେଇବି ଚାଲିଗଲା । ବାରଣ୍ଡାର ବାଉଁଶ ଖୁଣ୍ଟିକୁ ଆଉଜି କପିଳ ବସିଚି ।

 

ଅନେକ ଦୂରର ସେଇ ମଠର ଦେଉଳିଆ ଅଂଶଟା ଆକାଶ ଭିତରେ ପୋତି ହୋଇପଡ଼ିଚି । କୁହୁଡ଼ି ଭିତରେ ପତାକାଟା ତାର ଦେଖାଯାଉନି ।

 

ପବନଟା ସୁଲୁ ସୁଲୁ ହେଇ ବୋହୁଚି । ସେପଟ ବରକୋଳି ଗଛର ପତ୍ରଗୁଡ଼ା ଶୀତୁଆ ପବନରେ ଯେମିତି ଥରିଉଠୁଚି ।

 

କୌଣସି ଆଡ଼େ କପିଳର ଲକ୍ଷ୍ୟ ନାହିଁ । ଆଖି ବୁଜି ସେ କେବଳ ନିଜ କଥା ଭାବୁଚି । ମନ ସଙ୍ଗେ ତା’ର କଥାବାର୍ତ୍ତା ଲାଗିଚି ।

 

କାର୍ତ୍ତିକ ପଶନ୍ତି ଅଦିନିଆ ଝଡ଼ରେ ଭାସିଆସି ସେ ନଖିପଡ଼ାରେ ଲାଗିଥିଲା । ଏଇଟା ହେଲା ପୌଷ ମାସ ।

 

ପୂରା ତିନିମାସ କପିଳ ଏଠି କଟେଇ ଦେଲାଣି ।

 

ଆଶ୍ଚର୍ଯ୍ୟ ! ତଥାପି ଟିକିଏ କ୍ଳାନ୍ତି ନାହିଁ ।

 

ଏଠିସେଠି ଦି’ଚାରି ଦିନ କଟେଇ ବାହାରି ପଡ଼ିବା ତା’ର ଅଭ୍ୟାସ ଅଭ୍ୟାସ କ’ଣ ସ୍ୱଭାବ । ତା’ ରକ୍ତରେ ଯେମିତି ଗୋଟାଏ ଅବୁଝା ଅସ୍ଥିର ଘନ କରି ରହିଚି ।

 

ସେଇ ଅସ୍ଥିରତା ଯେତେବେଳେ ଉତ୍ପାତ କରେ, ସେତେବେଳେ କପିଳ ପାଖେ ମାୟାମମତା କୌଣସି ବିଚାର ରହେନି । ଆଗପଛ ନ ମାନି ସେ ସବୁ ଛାଡ଼ିଛୁଡ଼ି ପଳାଏ ।

 

ଲୋକେ ପୋଷାକ ବଦଳାନ୍ତି । କପିଳ ଜାଗା ବଦଳାଏ । ଘର ବଦଳାଏ । ଏହାହିଁ ତା’ର ସ୍ୱଭାବ । ନଖିପଡ଼ାରେ ତିନି ତିନିଟା ମାସ କପିଳ କଟେଇ ଦେଲାଣି । ଏଠା ଛାଡ଼ି ଅନ୍ୟ କୁଆଡ଼େ ପଳେଇଲା ଭଳି ଝୁଙ୍କି ଏଯାଏ ଦେଖାଦେଇନି । ପ୍ରାଣ ଭିତରେ ସେ ଅସ୍ଥିରତାଟା ଯେମିତି କ୍ଳାନ୍ତ ହେଇ ଶୋଇପଡ଼ିଚି ।

 

କପିଳ କ’ଣ ଏଇୟା ଚାହୁଁଥିଲା ?

 

ପୃଥିବୀର ଗୋଳମାଳଠାରୁ ଅନେକ, ଅନେକ ଦୂରର ଏ ନଖିପଡ଼ା ଏଠିକି ଆସି ଧୀରେ ଧୀରେ ସେ ଏମିତି ବାନ୍ଧିହେଇ ପଡ଼ିବ–ଏକଥା କପିଳ କ’ଣ କୌଣସି ଦିନ ଭାବିଥିଲା !

 

ଆଉ ଅନ୍ୟମାନେ ଯେମିତି ଗୋଟାଏ ଛୋଟ କେନ୍ଦ୍ର ଚାରିକଡ଼େ ଘୁରି ବୁଲନ୍ତି, ଗୋଟିଏ ଛୋଟ ଗଣ୍ଡିଭିତରେ ନିଜକୁ ପୋଷା ମନାନ୍ତି, ଖାପ ଖୁଆନ୍ତି, ଟିକିଏ ସୁଖ, ସାମାନ୍ୟ ଆଶା ଆଉ ଟିକିଏ ଦୁଃଖ ଭିତରେ ଜୀବନକୁ କଟେଇ ଦିଅନ୍ତି–କପିଳ ସେକଥା କୋଉଦିନ ଇଚ୍ଛା କରେନି ।

 

କିନ୍ତୁ ଏଠିକି, ଏଇ ନଖିପଡ଼ାକୁ ଆସି ଜୀବନଟା ଅଦ୍ଭୁତ ଭାବରେ ବଦଳିଯାଇଚି ।

 

ହାଟକୁ ଯିବା, କୁନ୍ତେଇ ପାଖେ ବିକାକିଣାର ହିସାବ ଦେବା । ଡଙ୍ଗା ବୁହାଇବା ସମୟ, ପାଇଲେ ପହଲି ବୁଢ଼ା ଦୋକାନରେ ଯାଇ ଗପାଗପି କରିବା, ଖାଇବା ଆଉ ଶୋଇବା । ଏଇୟା ତ ପ୍ରତିଦିନର କାର୍ଯ୍ୟକ୍ରମ । କିନ୍ତୁ ଏକୁ ବାଦ୍‌ଦେଲେ ତା’ର ଜୀବନଧାରା ଗୋଟାଏ ନୂତନତ୍ୱ ଲାଭ ପାଇଁ ଗଡ଼ି ଚାଲିଚି । ସେକଥା ଯେମିତି କପିଳ ଭୁଲି ଯାଇଚି ।

 

ଆକାଶ ଛାତିରୁ ବନର ଶେଷ ଆଲୋକ କେତେବେଳୁ ଲିଭିବା ଆରମ୍ଭ କଲାଣି ।

 

ପାଖରୁ କିଏ ଯେମିତି ଡାକିଲା, ‘ଶୁଭୁଚିନା–’

 

କପିଳ ଚମକି ଉଠିଲା । କହିଲା, ‘କିଏ ?’

 

‘ଆମେ–’

 

ଖିଲି ଖିଲି ହେଇ ହସୁ ହସୁ କୁନ୍ତେଇ କହିଲା, ‘ବାଘ କି ଭାଲୁ ନୁହେଁ ମ–’

 

କପିଳ କିଛି କହିଲାନି । ମୁହଁ ବୁଲେଇ ଚାହିଁଲା । ଦେଖି ଆଶ୍ଚର୍ଯ୍ୟ ହେଇଗଲା ।

 

କୁନ୍ତେଇ ଆଉ ସୁଲେଇ ଠିଆ ହେଇଚନ୍ତି । ଚଣ୍ଡେଇ ପଦା ବାଦିପାଲା ଦେଖିବାକୁ ଯିବେ-। ସେଥିପାଇଁ ଦୁହେଁ ବେଶ ହେଇଚନ୍ତି ।

 

କପିଳ କୁନ୍ତେଇକି ଦେଖୁନି । ମୁଗ୍‌ଧ ହେଇ, ଏକ ଦୃଷ୍ଟିରେ ସୁଲେଇ ଆଡ଼େ ଚାହିଁ ରହିଚି-। ଆଖି ପିଛାଡ଼ି ପାରୁନି । ଖୁବ୍‌ ଚିକ୍‌କଣ କରି ସୁଲେଇ ଗୋଟାଏ ଖୋଷା ବାନ୍ଧିଚି । ଖୋଷା ଚାରିକରେ ନାଲି ଗେଣ୍ଡୁ ଫୁଲର ମାଳଟାଏ ଗୁଡ଼େଇଚି । ଆଖିତଳେ ସରୁ କଜଳ ଧାରେ, ନାକରେ ଗୋଟାଏ ଛୋଟ ଫୁଲ ପିନ୍ଧିଚି । ଫୁଲର ପଥର ଖଣ୍ଡକ ଚକ୍‌ଚକ୍‌ କରୁଚି ।

 

କପିଳ ଆଖି ଫେରେଇ ପାରୁନି ।

 

ମୁହଁଟା ମାଠି ମାଠି ପୋଛିବା ଫଳରେ କେମିତି ଟିକିଏ ନାଲିଚିଆ ଦେଖାଯାଉଚି । ମୁଣ୍ଡରେ ଗୋଟାଏ ଗୁଞ୍ଜର ପୋକର ଟିକିଲି ଲଗେଇଚି ।

 

ମେଘୁଆ ରଙ୍ଗର ଶାଢ଼ୀଟା ଦେହରେ ଧଳା ପଟା କେତେଟା । ରୂପସୀ ଧରିତ୍ରୀ ବକ୍ଷରେ ବାଧ୍ୟ ନଈ କେତେଟା ସମାନ ଗତିରେ ବୋହି ଯାଇଚି ଯେମିତି ।

 

ବିଶେଷ କିଛି ନାହିଁ, ଗୁଞ୍ଜର ପୋକର ଟିକିଲିଟି, ଗେଣ୍ଡୁ ଫୁଲର ମାଳ, ଖଣ୍ଡେ ମେଘୁଆ ରଙ୍ଗର ପାଟ ଶାଢ଼ୀ–ଏତିକି ଯାହା । ସେତିକିରେ ସୁଲେଇ ଯେମିତି ନିଜକୁ ଏକାବେଳେ ଲୋଭନୀୟ କରି ପକେଇଚି ।

 

କପିଳ ଚାହିଁଚି ତ ଚାହିଁଚି । ଆଖି ଡୋଳା ଯୋଡ଼ାକ ତା’ର ସ୍ଥିର ହେଇ ରହିଯାଇଚି ।

 

ସୁଲେଇ କପିଳର ମୁଗ୍‌ଧ ଚାହାଣୀରେ ଟିକିଏ ବିବ୍ରତ ବୋଧ କଲା । ଏମିତି ଡାହାଣାଙ୍କ ଭଳି ଜଣେ ଯଦି ଚାହିଁ ରହେ, ତା’ ହେଲେ ସେ କ’ଣ କରିବ !

 

କିଛି ସମୟ ପରେ ଅସ୍ପଷ୍ଟ ଗଳାରେ କପିଳ କହିଲା, ‘ଚିହ୍ନି ହଉନି ଯେ–’

 

ସୁଲେଇ କିଛି କହିଲାନି । ତଳକୁ ମୁହଁ ପୋତି ମାଟିରେ ନଖ ଘଷୁଥାଏ । ଥରିଲା ଥରିଲା ସ୍ୱରରେ କପିଳ କହିଲା, ‘ଭାରି ସୁନ୍ଦର ଦେଖାଯାଉଚି, ତୁମକୁ ।’

 

ଫୁସ ଫୁସ ହେଇ ସୁଲେଇ କହିଲା, ‘ସୁନ୍ଦର ନା ଆଉ କିଛି–’

 

ଦୁଆର ମୁହଁ ପାଖେ ଠିଆ ହେଇ କୁନ୍ତେଇ କପିଳ ଆଉ ସୁଲେଇର ଭାବଗତି ଲକ୍ଷ୍ୟ କରୁଥିଲା । ସେମାନଙ୍କର ଫୁସୁରୁ ଫାସର କଥା ଶୁଣୁଥିଲା । ଶୁଣୁ ଶୁଣୁ ଆଶ୍ଚର୍ଯ୍ୟ ହୋଇ ଯାଉଥିଲା-

 

କୌଣସି ଦିନ ସୁଲେଇ କପିଳ ସଙ୍ଗେ କଥାବାର୍ତ୍ତା ହେବାର କୁନ୍ତେଇ ଦେଖିନି ।

 

ଏତେଦିନ ଯାଏ କପିଳ କଥା ପଡ଼ିଲେ ସୁଲେଇ ନାକ ଟେକୁଥିଲା । କିନ୍ତୁ ଆଜି ଦୁହେଁ ଫୁସୁରୁ ଫାସର ହେଇ କଥାବାର୍ତ୍ତା ହେଉଚନ୍ତି । କଥାର ଯାହା ଢଙ୍ଗ, ସେଥିରେ ନାକଟେକାର ଗନ୍ଧବି ନାହିଁ ।

 

କୁନ୍ତେଇ ଜାଣି ନଥିଲା, ଯୋଉଦିନ ସେ ବିମ୍ବା ଘରକୁ ଯାଇଥିଲା, ସେଦିନ ରାତିରେ କପିଳ ଆଉ ସୁଲେଇ ଭିତରେ ପ୍ରଥମ କଥାବାର୍ତ୍ତା ହେଇଯାଇଚି ।

 

ସେ ଭାବିଲା, ତେବେ କ’ଣ ଅଲକ୍ଷ୍ୟରେ, ତା’ର ଅଜାଣତରେ ସୁଲେଇ ଆଉ କପିଳ–

 

ଦୁହିଁଙ୍କର ସମ୍ପର୍କଟା ପ୍ରଥମେ କୁନ୍ତେଇ ଠିକ୍‌ ଭାବରେ ବୁଝିପାରିଲାନି, ଗୋଟାଏ ଦୁର୍ବୋଧ ଧନ୍ଦା ଭଳି ମନେ ହେଲା । ପର ମୁହୂର୍ତ୍ତରେ ସମସ୍ତ ପରିଷ୍କାର ହେଇଗଲା । ମନର ଯେଉଁ ଅଂଶଟା ସର୍ବାପେକ୍ଷା ଗଭୀର, ସର୍ବାପେକ୍ଷା ସ୍ପର୍ଶକାତର, ସେଇଠୁ କିଏ ଯେମିତି କହିଲା, ନିଶ୍ଚୟ, ସୁଲେଇ ଆଉ କପିଳ, ଜଣେ ଆଉ କିମିଆ କରିଚି ।

 

କେଜାଣି କାହିଁକି, ହଠାତ୍‌ ଗୋଟାଏ ଅବୁଝା ଦୁଃଖରେ କୁନ୍ତେଇର ମନଟା ଭାରି ହେଇଉଠିଲା । ନିଶ୍ୱାସ ନେଲାବେଳକୁ ରୁନ୍ଧି ହେଇଗଲା ପରି ଲାଗିଲା । ତଣ୍ଟିପଖାଟା କେମିତି ଦରଜିଆ ଲାଗୁଚି । ଛାତି ଭିତରେ କ’ଣ ଗୋଟାଏ ଯେମିତି ଫୁଲି ଫୁଲି ନିଶ୍ୱାସ ଯିବା ଆସିବା ବାଟଟା ବନ୍ଦକରି ଦେଉଚି । ସେ ଛେପ ଢୋକି ପାରୁନି ।

 

ଥରେ କପିଳ ଆଉଥରେ ସୁଲେଇ ଆଡ଼େ କୁନ୍ତେଇ ଚାହିଁଲା । ଆଖିର କଳା ଡୋଳା ଯୋଡ଼ାକ ସତେ ଯେମିତି ଜଳିଉଠିଲା ।

 

ଏଇଟା ତା’ର କି ଲକ୍ଷଣ ? କୁନ୍ତେଇ ନିଜେ ବୁଝିପାରୁ ନଥିଲା ।

 

ଯେତେଦୂର ଚାହିଁ ହେଉଚି, ସେତେଦୂର ଆକାଶଟା ଧୂଷରିଆ ଦେଖାଯାଉଚି । ଦୂରର ଘରଦ୍ୱାର–ଗଛପତ୍ର ସବୁ ଝାପ୍‍ସା ଦେଖାଯାଉଚି ।

 

କୁନ୍ତେଇ ଆଡ଼େ ଚାହିଁ କପିଳ କହିଲା, ‘ଆଉ ଡେରି କାହିଁକି, ବାହାରିପଡ଼–’

 

କହୁ କହୁ ଉଠି ଠିଆହେଲା ।

 

କୁନ୍ତେଇ କିନ୍ତୁ ଚଙ୍କିଲାନି । ପଦେହେଲେ କଥା କହିଲାନି । ମୁହଁ ବୁଜି ସେମିତି ଠିଆ ହୋଇଥାଏ ।

 

ଏଥର ସୁଲେଇ କହିଲା, ‘କିଲୋ, ତୁନି ହେଇ ଠିଆ ହେଇଚୁ କ’ଣ ଭାଉଜ ? ଯିବୁନି କି-?

 

‘ନାଇଁ ।’

 

କୁନ୍ତେଇ ଗଳାରୁ ଗୋଟାଏ ଅସ୍ପଷ୍ଟ ଶବ୍ଦ ବାହାରିଲା ।

 

ସୁଲେଇ ପଚାରିଲା, ‘କାହିଁକି ଯିବୁନି ?’

 

କୁନ୍ତେଇ ଜବାବ୍‌ ଦେଲାନି ।

 

ସୁଲେଇ ପୁଣି କହିଲା, ‘ଏତେ ଚିକ୍‌କଣ ହେଇ ବେଶ ହେଲୁ, ବାଦୀପାଲା ଶୁଣିବାରେ ତୋର ଏତେ ମନ ! ବେଶଭୂଷା ହେଇସାରି କହୁଚୁ କ’ଣ ନା ଯିବୁନି । କାହିଁକି, କ’ଣ ହେଇଚି ?’

 

‘ହବ ଗୋଟାଏ କ’ଣ ?’

 

‘ତା’ ହେଲେ ଚାଲୁନୁ !’

 

କୁନ୍ତେଇର ଗୋଟାଏ ହାତ ଧରିଲା ସୁଲେଇ । କହିଲା, ‘ଚାଲମ, ଡେରି ହେଇଯାଉଚି । ଗଲେ ଦେଖିବୁ, ପାଲା ଆରମ୍ଭ ହେଇଯିବଣି ।’

 

ସୁଲେଇ ମୁଠାଭିତରୁ ଧୀରେ ଧୀରେ କୁନ୍ତେଇ ନିଜର ହାତଟା କାଢ଼ି ନେଲା । କହିଲା, ‘ତୁ ଯା, ମୁଁ ଯିବିନି ।’

 

ଆଉ ଟିକିଏ ପାଖକୁ ଲାଗିଆସି ସୁଲେଇ କହିଲା, ‘ରାଗିଲୁ କି ଭାଉଜ ?’

 

‘ରାଗ ?’

 

କୁନ୍ତେଇର ସ୍ୱରଟା ଆଶ୍ଚର୍ଯ୍ୟ ଧରଣର ତୀକ୍ଷ୍ଣ ଶୁଣାଗଲା । କିଛି ସମୟ ସେ ଅଦ୍ଭୁତ ଦୃଷ୍ଟିରେ ସୁଲେଇକୁ ଚାହିଁ ରହିଲା । ତା’ପରେ ଖିଲି ଖିଲି ହେଇ ହସିଉଠିଲା । ହସର ତାଳେ ତାଳେ ତା’ର ବଳ ଦେଲା ପରି ଦେହଟା ଥରିବାକୁ ଲାଗିଲା ।

 

ପାଲା, ଯାତ୍ରା ପ୍ରଭୃତିରେ କୁନ୍ତେଇର ଭାରିମନ । ଗାଉଣା ବାଜଣା ନାଆଁ ଶୁଣିଲେ ତା’ ଗୋଡ଼ତଳେ ଲାଗେନି । ଦି’ କୋଶ ହଉ କି ତିନି କୋଶ ହେଉ, ଯାତ୍ରା ପ୍ରଭୃତି ନାଆଁ ଶୁଣିଲେ ସେ ଧାଇଁବ ।

 

କପିଳ ସଙ୍ଗେ ଆଜି ଚଣ୍ଡେଇ ପଦା ପାଲା ଦେଖିଯିବ । ସନ୍ଧ୍ୟା ବେଳସାରା ଲାଗି ବେଶଭୂଷା ହେଲା । ଏଇଲେ ବାହାରିଲାବେଳକୁ କହୁଚି, ଯିବନି ।

 

ସୁଲେଇ ଆଶ୍ଚର୍ଯ୍ୟ ହେଇଗଲା । ଯେ କେହି ହେବାର କଥା ।

କୁନ୍ତେଇ ସେମିତି ହସିବାରେ ଲାଗିଚି ।

ସୁଲେଇ କହିଲା, ଏମିତି ହସୁଚୁ କ’ଣ ମ ଭାଉଜ ?

କାହିଁକି ହସୁଚି, ‘ସେ କଥା ତୁ ବୁଝିପାରିବୁନି ।’

କୁନ୍ତେଇ ହଠାତ୍‌ ବ୍ୟସ୍ତ ହୋଇଉଠିଲା । କହିଲା, ‘ତମେମାନେ ଯା, ବହୁତ ଡେରି ହେଇଗଲାଣି । ଆଉ ଡେରିକଲେ କି ପାଲା ଦେଖିବ ।’

ସୁଲେଇ ଶେଷ ଚେଷ୍ଟା କଲା, ‘ତୁ ତାହାଲେ ଯିବୁନି ?’

‘ମୋ କଥା ତୋର ଭାବିବା ଦରକାର ନାଇଁ ।’

ତା’ପରେ ଏକପ୍ରକାର ଠେଲାପେଲା କରି କପିଳ ଆଉ ସୁଲେଇକି ଘରଭିତରୁ ପଦାକୁ କାଢ଼ି ଆଣିଲା । କହିଲା, ‘ଯାଆ ମ–ଡେରି ହେଇଯାଉଚି ପରା–’

ସନ୍ଧ୍ୟା ଗଡ଼ିଗଲାଣି ।

କନ କନିଆ ପବନ ବୋହୁଚି, ଯେତେ ଦୂର ଆଖିପାଉଚି, ଅନ୍ଧାର ଆଉ କୁହୁଡ଼ିର ଗୋଟାଏ ମୋଟା ପର୍ଦ୍ଦା ସବୁ କିଛି ଘୋଡ଼େଇ ପକେଇଚି ।

ଡଗର ରାସ୍ତାଟାକୁ କୁନ୍ତେଇ ଅନେକ ସମୟ ଚାହିଁ ରହିଲା ।

କପିଳ ଆଉ ସୁଲେଇ ଘାସ ପଡ଼ିଆ ଛାଡ଼ି ଟାଙ୍ଗି ଉପରକୁ ଉଠି ଗଲେଣି । ଝାପ୍‍ସା ଝାପ୍‍ସା ଦେଖାଯାଉଚି ।

 

ଏକ ଦୃଷ୍ଟିରେ ସେ ସେଆଡ଼େ ଚାହିଁ ରହିଚି । ଆଖି ଡୋଳା ଦୁଇଟା ତା’ର ଜଳିଉଠୁଚି । ଅନ୍ଧାର ଆଉ କୁହୁଡ଼ି ଭେଦି ତା’ର ଦୃଷ୍ଟି କପିଳ ଆଉ ସୁଲେଇ ପଛେ ପଛେ ଚାଲିଚି ।

 

ସେମାନେ ଟାଙ୍ଗିର ଅନେକ ଦୂରକୁ ଚାଲିଗଲେଣି । ବୋଧହୁଏ ରାସ୍ତା ଉପରକୁ ଉଠିଗଲେଣି । ବର୍ତ୍ତମାନ ଆଉ ଦେଖିହେଉନି । ଶୀତର ବହଳିଆ ଅନ୍ଧାରରେ ସେମାନେ ହଜିଗଲେଣି ।

 

ଧୀରେ ଧୀରେ କୁନ୍ତେଇ ପାଉଁଶ ଗଦା ପାଖକୁ ଆଗେଇ ଆସିଲା । ମୋଟା ଅମୃତଭଣ୍ଡା ଗଛଟାକୁ ଆଉଜି ଠିଆ ହେଲା । ଛାତିର କେଉଁ ଏକ ଗଭୀରତମ ପ୍ରଦେଶରୁ ଧକ୍‌କା ଖାଇ ଖାଇ ଗୋଟାଏ ଗଭୀର ଶ୍ଵାସ ବାହାରି ଆସିଲା ।

 

ଏତେବେଳଯାଏ ତା’ର ଆଖି ଦୁଇଟା ଜଳୁଥିଲା । ବର୍ତ୍ତମାନ ତା’ର ଦୃଷ୍ଟି ଶୂନ୍ୟ ଉଦାସ ।

 

କୁନ୍ତେଇର ମନେହେଲା, ଏଇ ସଙ୍ଗେ ସଙ୍ଗେ ସେ ଯେମିତି କ’ଣ ଗୋଟାଏ ହଜେଇ ଦେଇଚି । କ’ଣ ହଜେଇଚି ? ଠିକ୍‌ ଭାବେ ବୁଝିପାରିଲାନି । ଆଉ ଠିକ୍‌ ସେମିତି ନ ବୁଝିପାରିଲା ଭଳି ଗୋଟାଏ ଦୁଃଖ ତାକୁ ଘେରିଗଲା ।

 

ଅମୃତଭଣ୍ଡା ଗଛଟାକୁ ଆଉଜି କୁନ୍ତେଇ କେତେବେଳ ଯାଏ ଠିଆ ହେଇଚି, ଖିଆଲ ନାହିଁ ! ହଠାତ୍‌ କଙ୍କଡ଼ା ଭଳି ନଳିଆ ନଳିଆ ଆଙ୍ଗୁଠିଗୁଡ଼ାଏ ତା’ କାନ୍ଧ ଉପରେ ଲାଗିଲା ।

 

ଭୟରେ କୁନ୍ତେଇ ଚିତ୍କାର କରି ଉଠିଲା, ‘କିଏ ?’

 

‘ମୁଁ ଲୋ ବୋହୂ । ଡରନା ।’

 

କୁନ୍ତେଇ ମୁହଁ ବୁଲେଇ ଦେଖିଲା, ବାବନା ମାଆ ତା’ ପାଖେ ଠିଆ ହେଇଚି । ଟିକିଏ ଚୁପ୍‌ଚାପ୍ ।

 

ନଈ ଆଡ଼ୁ ହଠାତ୍‌ ହାବୁକାଏ ପବନ ଛୁଟି ଆସିଲା । ଅମୃତଭଣ୍ଡା ଗଛଟା ଜୋର୍‌ରେ ଦୋହଲିଗଲା । ଆକାଶରେ ବୋଧହୁଏ ଚନ୍ଦ୍ର ଉଠିଚି । ଠିକ୍‌ ଜାଣି ହେଉନି, ଅନେକ ଦୂର କିଆବଣ ଆଡ଼ୁ ଗୁଡ଼ାଏ ବିଲୁଆ ଏକ ସଙ୍ଗେ ରଡ଼ି ଛାଡ଼ିଲେ ।

 

ବାବନା ମାଆ କହିଲା, ‘କପିଳ ଆଉ ସୁଲେଇକୁ ପଠେଇ ଦେଲୁ ବୋଧହୁଏ ?’

 

କୁନ୍ତେଇ ଚମକି ପଡ଼ିଲା । ସୁଲେଇ ଯେତେବେଳେ ଚଣ୍ଡେଇ ପଦା ପାଲା ଦେଖିବାକୁ ଗଲା, ବାବନା ମାଆ ସେତେବେଳେ ଘରେ ନଥିଲା । ଗାଁ ଭିତର ଆଡ଼େ କୁଆଡ଼େ ଯାଇଥିଲା । ତେବେ ସେ ଜାଣିପାରିଚି ।

 

ବାବନା ମାଆ କହିଲା, ‘ଟାଙ୍ଗି ଉପର ଦେଇ ଆସୁଥିଲି । ଦେଖିଲି, ସୁଲେଇ ଆଉ କପିଳ ଯାଉଚନ୍ତି । ସାଙ୍ଗରେ ତୁ ନାହୁଁ । ସେମାନଙ୍କୁ ପଚାରିଲି କୁଆଡ଼େ ଯାଉଚ ? କହିଲେ, ପାଲା ଶୁଣି ଯାଉଚନ୍ତି । ତୁ କୋଉଠି ସେମାନଙ୍କୁ ପଠେଇ ଦେଲୁ ।’

 

ନୀରସ ଗଳାରେ କୁନ୍ତେଇ କହିଲା, ହଁ, ମୁଁ ସେମାନଙ୍କୁ ପଠେଇଚି ।’

 

‘ହଉ ଭଲ କରିଚୁ ।’

 

ଗୋଟାଏ ଅଜଣା ଖୁସିରେ ବୁଢ଼ୀ ଯେମିତି ଅଥୟ ହେଇ ଉଠୁଥିଲା । କହିଲା, ‘ଯାହାହେଉ, ଏତେ ଦିନେ ମୋର ଭାବନା ଗଲା ।’

 

ଭୁଟୁରୁ ଭୁଟୁରୁ ହେଇ କୁନ୍ତେଇ କ’ଣ କହିଲା, କିଛି ବୁଝି ହେଲାନି ।

 

ବାବନା ମାଆ ଡାକିଲା, ‘ବୋହୂ–ଏ ବୋହୂ’

 

‘କ’ଣ କହୁଚ ?’

 

‘ଯାହା ଦେଖିଲି ଆଖି ମୋର କୃତାର୍ଥ ହେଇଗଲା ।’

 

‘କ’ଣ ଦେଖିଲ ?’

 

କୁନ୍ତେଇର ସ୍ୱରରେ ଆଗ୍ରହ ।

 

‘ସେଇ ଦି’ଜଣଙ୍କୁ ମ । ସୁଲେଇ ଆଉ କପିଳ । ଆଗପଛ ହେଇ ଚାଲିଚନ୍ତି ।’

 

‘ହଁ ।’

 

ସଂକ୍ଷେପରେ ଜବାବ୍‌ ଦେଲା କୁନ୍ତେଇ । ସ୍ଵରଟା କେମିତି ନିସ୍ପୃହ ଶୁଣା ଯାଉଥିଲା ।

 

‘ବୁଝିଲୁ ବୋହୂ–’

 

ଟିକିଏ ରହି ବାବନା ମାଆ କ’ଣ ଯେମିତି ଭାବିଲା । ତା’ପରେ କହିଲା, ‘ଦୁହିଁଙ୍କୁ ଭାରି ସୁନ୍ଦର ମାନୁଚି ।’

 

କୁନ୍ତେଇ କିଛି କହିଲାନି ।

 

ଏଥର ବାବନା ମାଆ ଅନ୍ୟ କଥା ଉଠେଇଲା, ‘ଗୁଡ଼ାଏ ରାତି ହେଲାଣି ବୋହୂ ଚାଲ, ଏଥର ଖାଇପିଇ ଶୋଇ ପଡ଼ିବା ।

 

‘ତମେ ଯାଅ, ମୁଁ ଟିକିଏ ପରେ ଯାଉଚି ।’

 

ବୁଢ଼ୀ ଆଉ କୌଣସି କଥାବାର୍ତ୍ତା କଲାନି । ପାଉଁଶ ଗଦା ପାଖରୁ ଯାଇ ସିଧା ଘର ଭିତରେ ପଶିଲା ।

 

ପୁଣି ଅମୃତଭଣ୍ଡା ଗଛକୁ ଆଉଜି କୁନ୍ତେଇ ଠିଆ ହେଲା ଦୃଷ୍ଟିଟା ତା’ର ଆଗଭଳି ଉଦାସ ଆଉ ଶୂନ୍ୟ ହେଇଗଲା । ଆଗକୁ ପଛକୁ, ଯୁଆଡ଼େ ଯେତେ ଦୂର ନଜର ପାଉଚି, ଅନ୍ଧାର ଆଉ କୁହୁଡ଼ି ଏକାକାର ହେଇ ଶୀତ ରାତିଟାକୁ ଘେରି ଯାଇଚି ।

 

କୋଉଠି ଟିକିଏ ହେଲେ ଶବ୍ଦ ନାହିଁ, ଟିକିଏ ଆଲୁଅ ନାହିଁ । ଏମିତିକି ମଣିଷଟାଏବି କୁନ୍ତେଇ ଦେଖିପାରୁନି ।

 

ଶୀତର ଏ ରାତିଟା ଆଶ୍ଚର୍ଯ୍ୟ ଧରଣର ନିର୍ଜନ । ବଡ଼ ନିରୋଳା, ବଡ଼ ନିଶବ୍ଦ ।

 

ଏଇ ଶୀତୁଆ ରାତିଟାକୁ ଦେଖୁ ଦେଖୁ ନିଜର ନିସଙ୍ଗ ଜୀବନ କଥା କୁନ୍ତେଇର ମନେ ପଡ଼ିଲା ।

 

ଏତେଦିନଯାଏ ସେ ନିଜ ଆଡ଼େ ନଜର ଦେଇନି । ସଂସାର ଜଞ୍ଜାଳ ଭିତରେ କୌଣସି ଆଡ଼େ ଚାହିଁବାକୁ ତାକୁ ଫୁରୁସତ୍‌ ନଥିଲା । ପ୍ରାଣର ଅତଳରେ କ୍ଷୁଧା ଅଛି । ତୃଷ୍ଣା ଅଛି, ଏତେଦିନ ଯାଏ ସେସବୁ ଭାବିପାରିନି ।

 

ମନ ଆଡ଼େ ଏତେଦିନ ଯାଏ ସେ ମୁହଁ ବୁଲେଇ ନଥିଲା ।

 

କିନ୍ତୁ ଆଜି, ଟିକିଏ ଆଗରୁ ସୁଲେଇ ଯେତେବେଳେ କପିଳ ସଙ୍ଗେ ପାଲା ଦେଖିବାକୁ ଚାଲିଗଲା, କୁନ୍ତେଇ ବୁଝିଲା, ତା’ ମନଟା ବଡ଼ ବୁଭୁକ୍ଷୁ, ବଡ଼ ଶୋଷିଲା ।

 

ତା’ ମନର ଏ ଭୋକ–ଶୋଷ କିଏ ମାରିବ ।

 

କଥାଟା ଭାବିଲା ସତ, ହେଲେ ଠିକଣା ଜବାବ୍ କିଛି ପାଇଲାନି, ଏଇ ଶୀତରାତିଟା ଭଳି ତା’ ଜୀବନରେ ଆଲୁଅ ନାହିଁ, ତାପ ନାହିଁ, ସାଥି ନାହିଁ, କିଛି ନାହିଁ । ଏ ଅନ୍ଧାର ଆଉ କୁହୁଡ଼ି ଭଳି ତା’ ଚାରିପାଖେ କେବଳ ହତାଶା । ଅସରନ୍ତି, ଅନ୍ତହୀନ ଦୁଃଖ ।

 

ଅଥଚ କୁନ୍ତେଇ ଜୀବନରେବି ସାଥି ଥିଲା, ଆନନ୍ଦ ଥିଲା ।

 

ଅନେକଗୁଡ଼ାଏ ଦିନପରେ ବର୍ତ୍ତମାନ ବାବନା କଥା ତା’ର ମନେପଡ଼ିଲା, ମାଆ, ଭଉଣୀ ଭାରିଜାଙ୍କ ପେଟ ଖଣ୍ଡିଆ ରଖିବନି ବୋଲି ଆସାମ ରାଇଜରେ ପଶିଲା । ସେଠୁ ଗଲା ଯୁଦ୍ଧକୁ, ଆଜିଯାଏ ଫେରିଲାନି । କୋଉଦିନ ଫେରିବ କି ନାଇଁ, କୁନ୍ତେଇ ଜାଣେନି ।

 

ବାବନା କାହିଁକି ଫେରିବନି ?

 

ବାବନା ଫେରି ଆସିଲେ ତ ତା’ର ସବୁ ଦୁଃଖ କଟିଯିବ । ତା’ର ସବୁ ତୃଷ୍ଣା ମରିଯାନ୍ତା ! ଦୁଃଖ, ଅଭିମାନରେ ଫୁଲି ଫୁଲି କୁନ୍ତେଇ କଇଁ କଇଁ ହେଇ କାନ୍ଦି ଉଠିଲା । ପଛଆଡ଼ୁଆ କରି ଅମୃତଭଣ୍ଡା ଗଛଟାକୁ ଜାବୁଡ଼ି ଧରିବାର ଉଦ୍ୟମ କରିବି, ସେ ପାରୁନି ।

 

ଦନ୍ତାଗାୟକ ଦି’ଜଣ ।

 

ସ୍ୱର ଯେମିତି, ଯମକବି ସେମିତି । କେହି କାହାରିକି ଊଣା ନୁହେଁ । ବଛା ଗାୟକ ଦି’ଜଣ ଚଣ୍ଡେଇ ପଦା ବାଲା ଯୋଗାଡ଼ କରିଥିଲେ । ରାତି ଅଧଵେଳକୁ ପାଲା ଗାଉଣା ଶେଷ ହେଲା । ଆରମ୍ଭରୁ ଶେଷଯାଏ ଦେଖଣାହାରିଏ ଗୋଟାଏ ଜାଗା ମାଡ଼ିବସି ରହିଥିଲେ ।

 

ପାଲା ଭାଙ୍ଗିବାମାତ୍ରେ ସୁଲେଇ ଆଉ କପିଳ ବାହାରି ପଡ଼ିଲେ ।

 

ଶୀତଟା ଏଥର ପୂରାମାତ୍ରାରେ ପଡ଼ିଗଲାଣି ।

 

ଦକ୍ଷିଣପଟୁ ହୁ ହୁ ହେଇ ପବନ ହାଲପୋଉଚି । ଖାଲି ବରଫ ପାଣି ଆଞ୍ଜୁଳା ଆଞ୍ଜୁଳା କିଏ ଯେମିତି ଫୋପାଡ଼ିବାରେ ଲାଗିଚି । ଗୋଡ଼ ମୁହଁ ହାତ; ଯୋଉଠି ଲୁଗା ନାହିଁ, ସେ ସବୁ ଜାଗା ହେମାଳ ପବନରେ କାଠୁଆ କାଠୁଆ ମନେହେଉଚି ।

 

ଚଣ୍ଡେଇ ପଦାର ଯୋଉ ପଡ଼ିଆରେ ପାଲା ହେଉଥିଲା, ସେଠିକି ପାଏ ବାଟଛାଡ଼ି ସଡ଼କଟା । ସେଇ ସଡ଼କଟା ଅଙ୍କାବଙ୍କା ହେଇ ପାଟଳି ନଈକୂଳକୁ ଲମ୍ବି ଯାଇଚି ।

 

କପିଳ ଆଉ ସୁଲେଇ ରାସ୍ତା ଉପରକୁ ଉଠିଲେ ।

 

ଟିକିଏ ଆଗରୁ ପାଲା ସରିଚି । କିନ୍ତୁ ସ୍ନାୟୁଗୁଡ଼ାକ ଉପରେ ଏଯାଏବି ତାର ଜେର ଲାଗି ରହିଚି ।

 

ଚାଲୁ ଚାଲୁ କପିଳ କହିଲା, ‘ଦି’ଦଳଯାକ ପକ୍‌କା ଗାଇଲାବାଲା–,

 

ସୁଲେଇ ଗୋଟାଏ ଅସ୍ଵଷ୍ଟ ଶବ୍ଦ କଲା, ‘ହୁଁ–’

 

‘ଅନେକ ଦିନ ହେଲା ପାଲା ଶୁଣି ନଥିଲି ।

 

ଶୀତୁଆ ରାସ୍ତାଟା ଚେକା ବାନ୍ଧି ଯାଇଚି । ଆକାଶରେ ବୋଧହୁଏ ଚନ୍ଦ୍ର ଅଛି । କୁହୁଡ଼ି ଆଉ ଅନ୍ଧାର ଯୋଗୁଁ ଦେଖାଯାଉନି ।

 

ଆଗକୁ କପିଳ ଚାହିଁଲା । କିଛି ବୁଝିହେଉନି ।

 

ରାସ୍ତା କଡ଼କୁ ଲାଗି ଉଚା ବନ୍ଧଟା । ଅନ୍ଧାର ଭିତରେ ବନ୍ଧଟାର ସୀମାହୀନ ଦେହ ଗୋଟାଏ ଆଦିମ ପଶୁ ଭଳି ପଡ଼ି ରହିଚି । ରାସ୍ତାର ଗୋଟାଏ ପାଖରେ ବନ୍ଧ, ଆଉ ଗୋଟାଏ ପାଖେ ତଣ୍ଡି ଆଉ କିଆବୁଦା । ତାଣ୍ଡିଆର କିଆ ବୁଦାଗୁଡ଼ା ରାସ୍ତା କଡ଼େ କଡ଼େ ନଈ ଯାଏ ଲମ୍ବି ଯାଇଚି । ମଝିରେ କୋଉଠି କେମିତି ଗୋଟାଏ ଗୋଟାଏ ଡେଙ୍ଗା ତାଳ କି ଖଜୁରୀ ଗଛ ଠିଆ ହେଇଚି ।
 

ଚନ୍ଦ୍ର ଦେଖାଯାଉନି । କୁହୁଡ଼ି ଆଉ ଅନ୍ଧାରର ସ୍ତର ସେପଟେ କୋଉଠି ଯେମିତି ଅଦୃଶ୍ୟ ହେଇଯାଇଚି ।

 

ଚନ୍ଦ୍ର ଦେଖା ନଯାଉ, କିନ୍ତୁ ତା’ର ଯୋଉ ଆଲୁଅ ଅଛି । ସୁଲେଇ ପ୍ରଭୃତି ସେଇଟା ଜାଣିପାରୁଚନ୍ତି । ସେ ଆଲୁଅ ଏତେ ନିସ୍ତେଜ ଯେ, ଶୀତରାତିର କୌଣସି ଜିନିଷକୁ ସେଥିରେ ସ୍ପଷ୍ଟ ଦେଖିହେଉନି । ଅନ୍ଧାର ଆଉ କୁହୁଡ଼ି ଏକାକାର ହେଇ ସବୁକିଛିକୁ ରହସ୍ୟମୟ କରି ପକେଇଚି ।

 

ସୁଲେଇ ଆଉ କପିଳ ଚୁପ୍‌ଚାପ୍‌ ଚାଲିଚନ୍ତି ।

 

ହଠାତ୍‌ କପିଳ କହିଲା, ‘ଗୋଟାଏ କଥା ପଚାରିବି ?’

 

‘କି କଥା ?’

 

ମୁହଁ ଟେକି କପିଳ ଆଡ଼େ ସୁଲେଇ ଚାହିଁଲା ।

 

‘ତମ ଭାଉଜ ପାଲା ଶୁଣିବାକୁ ଆସିଲେନି କାହିଁକି ?’

 

ସୁଲେଇ ଚୁପ୍‌ ହେଇ ରହିଲା, କିଛି କହିଲାନି ।

 

‘କ’ଣ, କିଛି କହିଲନି ଯେ ?’

 

‘କ’ଣ କହିବି ?

 

‘ତମ ଭାଉଜ ଏତେ ବେଶଭୂଷା ହେଲେ । ଆଉ ବାହାରିଲାବେଳକୁ ମନା କରିଦେଲେ, ଆସିବେନି । କ’ଣ ହେଲା, କିଛି ବୁଝିପାରିଲିନି ।

 

‘ମାଇପି ମନ ।’

 

ସୁଲେଇ କହିଲା, ସେ ବଡ଼ ଅଡ଼ୁଆ ଜିନିଷ, ମାଇପି ଲୋକ ନିଜ ମନକଥା ନିଜେ ବୁଝିପାରନ୍ତିନି । ପରକଥା କେମିତି କହିବେ ।’

 

ତା’ପରେ ଟିକକ ଚୁପ୍‌ଚାପ ।

 

ତା’ପରେ ସୁଲେଇ ଆରମ୍ଭ କଲା, ‘ବେଶଭୂଷା ହେଇ ସେ କାହିଁକି ନ ଆସିଲା । ସେ କଥା ତାକୁଇ ପଚାରିଲେ କହିବ ।’

 

କଥାବାର୍ତ୍ତା ହେଉ ହେଉ ସେମାନେ ନଈ ପାଖେ ଆସି ପହଞ୍ଚିଗଲେ ।

 

ଆସିଲାବେଳେ ଗୋଟାଏ ଛୋଟ ଡଙ୍ଗାରେ ସେମାନେ ନଈ ପାର ହେଇ ଆସିଥିଲେ । ଡଙ୍ଗାଟାକୁ ତଣ୍ଡି ବଣ ଭିତରେ ଲୁଚେଇ ଦେଇ ପାଲା ଦେଖିବାକୁ ଯାଇଥିଲେ ।

 

କପିଳ କହିଲା, ‘ତମେ ଟିକିଏ ଠିଆ ହୁଅ । ମୁଁ ଡଙ୍ଗାଟା ନେଇ ଆସେ ।’

 

ଆଣ୍ଠୁଏ ପାଣିରେ ପଶି କପିଳ ତଣ୍ଡି ବଣ ଭିତରୁ ଡଙ୍ଗାଟା କାଢ଼ି ଆଣିଲା । ଡାକିଲା,–‘ଆସ–’

 

ସୁଲେଇ ଆସି ଡଙ୍ଗାରେ ବସିଲା ।

 

ଦକ୍ଷିଣା ହାଲପ ଟିକିଏ କମିଯାଇଚି । ଖୁବ୍‌ ଧୀରେ ଧୀରେ କାତ ପକେଇ କପିଳ ଡଙ୍ଗାଟା ଗୋସେଇଁ ଘାଟ ଆଡ଼େ ସଳଖିଚି ।

 

ଡଙ୍ଗାର ମଝିକି ବସିଚି ସୁଲେଇ ।

 

କାତ ମାରୁ ମାରୁ କପିଳ ସୁଲେଇ ଆଡ଼େ ଚାହିଁଲା । ମୁହଁ ଆଖି ନାକ ପାଟି କିଛି ଜାଣିହେଉନି । ଅନ୍ଧାର ଆଉ କୁହୁଡ଼ିରେ ଖୁବ୍‌ ଅସ୍ପଷ୍ଟ ଗୋଟାଏ ନାରୀ ଦେହର ଛାଞ୍ଚ ଛଡ଼ା କପିଳ ଆଉ କିଛି ବୁଝିପାରିଲାନି । ତଥାପି ସେ ଚାହିଁ ରହିଚି ।

 

ସୁଲେଇବି କ’ଣ ତା’ ଆଡ଼େ ଚାହିଁ ରହିଚି ? କପିଳ ନିଜ ମନକୁ ପଚାରିଲା । ସଠିକ ଜବାବ୍‌ ମିଳିଲାନି । ମନେ ହେଲା, ବୋଧହୁଏ ଚାହିଁଚି, ପୁଣି ମନେହେଉଚି ନା, ସେ ଚାହିଁନି ।

 

ଡଙ୍ଗାରେ ବସିବା ପରଠାରୁ କେହି ପଦେହେଲେ ପାଟି ଫିଟେଇନି । ମୁହଁ ବନ୍ଦକରି ଦୁହେଁ ଚୁପ୍‌ ଚାପ୍‌ ବସିଚନ୍ତି ।

 

କପିଳ ଭାବୁଚି, ସୁଲେଇ ଆଗେ କଥା କହିବ । ଖୁବ୍‌ ସମ୍ଭବ ସୁଲେଇବି ସେଇ କଥା ଭାବୁଚି । କପିଳ ଆଗେ କହିବ ।

 

ଭାବୁ ଭାବୁ କେତେବେଳେ ଡଙ୍ଗାଟା ମଝି ନଈକି ଆସିଗଲାଣି ।

 

ଅସହ୍ୟ ଥଣ୍ଡା । ଦେହର ମୋଟା ଚଦର ଖଣ୍ଡକ ସୁଲେଇ ଭଲ କରି ଦେହରେ ଗୁଡ଼େଇ ନେଲା । ନାକ ଓଠ ମୁହଁ ସବୁ ଯେମିତି କାଠ ହେଇଯାଉଚି । ଛାତିର କେଉଁ ଏକ ଗଭୀର ତମ ସ୍ଥାନରୁ ସିର୍‌ ସିର୍‌ ହେଇ ଗୋଟାଏ ଅଦ୍ଭୁତ କମ୍ପନ ଉଠି ଆସୁଚି । କାକରରେ ମୁହଁ ଆଖି, ମୁଣ୍ଡବାଳ, ଏପରିକି ଦେହର ଚଦରଟା ଓଦା ହେଇଯାଉଚି ।

 

ସୁଲେଇ ପ୍ରଥମ ଥର ପାଇଁ ମୁହଁ ଫିଟେଇଲା, ‘ଭାରି ଶୀତ ! ଏକାବେଳେ କାଲୁଆ ମାରି ଗଲାଣି । ଚଞ୍ଚଳ ଚଞ୍ଚଳ ଡଙ୍ଗା ନେଇ ଚାଲ ।

 

‘ହଁ ।’

 

କହି ଦେଇ କପିଳ ଲାଗ ଲାଗ କାତ ବସେଇବାରେ ଲାଗିଲା ।

 

ସୁଲେଇ ପୁଣି କହିଲା, ‘ଗୋଡ଼ ହାତରୁ ପ୍ରାଣ ଛାଡ଼ି ଗଲାଣି । ଘରକୁ ଯାଇ ଟିକିଏ ସେକା ସେକି ନ ହେଲେ ଚଳିବନି ।

 

ତା’ପରେ କିଛି ସମୟ ଚୁପ୍‌ ଚାପ୍ ।

 

ଏତେ ସମୟ ହେଲା କପିଳ ସୁଲେଇ ଆଡ଼େ ଚାହିଁଥିଲା । ଏଥର ନଈଟା ଆଡ଼େ ଚାହିଁଲା ।

 

ନଈଟା ବର୍ତ୍ତମାନ ଦୁର୍ବୋଧ୍ୟ । ପାଣିର ପ୍ରକୃତ ରଙ୍ଗ ଜାଣିହେଉନି । ଦି’ପାଖେ ଶର ଆଉ ବେଣା ବୁଦାଗୁଡ଼ା ସୀମାହୀନ କଳା ରେଖା ଭଳି କେତେ ଦୂର ଯେ ଲମ୍ବି ଯାଇଚି, ତା’ର କିଛି ଠିକଣା ନାହିଁ ।

 

ଖୁଁ ଖୁଁ ହେଇ କପିଳ ଟିକିଏ କାଶିଲା । ବୋଧହୁଏ ଗଳାଟାକୁ ସଫା କରିନେଲା । ତା’ପରେ ଡାକିଲା, ‘ସୁଲେଇ–’

 

ସୁଲେଇ ଖୁବ୍‌ ଧୀରେ କହିଲା, ‘କ’ଣ କହୁଚ ?’

 

‘ଗୋଟାଏ କଥା ଭାବୁଚି ।’

 

‘କ’ଣ ଭାବୁଚ ?’

 

ସୁଲେଇ ସ୍ଵରଟା କେମିତି ଦବିଗଲା ପରି ମନେ ହେଲା ।

 

‘ମୋର ଏଠିକି ଆସିବା କେତେଦିନ ହେଇଗଲା ?’

 

‘ବହୁତ ଦିନ ହେଲାଣି ।

 

ମନେ ମନେ ସୁଲେଇ ହିସାବ କଲା । ତା’ପରେ କହିଲା, ‘କାର୍ତ୍ତିକ ମାସରେ ଯୋଉ ଝାଡ଼ି ବରଷା ହେଇଥିଲା, ତା’ ଆରଦିନ ଆସିଥିଲ । ଏଇଟା ପୁଷ ମାସ । କାର୍ତ୍ତିକ ମଗୁଶୀର, ପୁଷ–ପାଖାପାଖି ତିନିମାସ ହେଇଗଲା ।’

 

‘ତିନିମାସ ।’

 

ହଠାତ୍‌ କପିଳ ଟିକିଏ ଅନ୍ୟମନସ୍କ ହେଇଗଲା । କାତ ଉପରୁ ହାତଟା ହୁଗୁଳା ମନେ ହେଲା । ଟିକିଏ ପରେ ପୁଣି ସେ କହିଲା, ‘ତମର ଏଠି ଗୁଡ଼ାଏ ଦିନ ରହିଗଲି ।’

 

‘କାହିଁକି, ଅଡ଼ୁଆ ଲାଗୁଚି ?’

 

‘ନା, ଏଥିରେ ଅଡ଼ୁଆ ଆଉ କ’ଣ ? ତେବେ–’

 

‘ତେବେ ଆଉ କ’ଣ ?’

 

କପିଳ ପାଖକୁ ସୁଲେଇ ଟିକିଏ ଘୁଞ୍ଚି ଆସିଲା ।

 

କପିଳ କହିଲା, ‘ମୋ ସ୍ୱଭାବ କଥାତ ଶୁଣିଥିବ । କୋଉଠି ମାସେ କି ପନ୍ଦର ଦିନ ସ୍ଥିରହେଇ ରହି ପାରେନି ।’

 

‘କାହିଁକି, ଏଠି ରହିବାକୁ ତୁମକୁ କ’ଣ ଭଲ ଲାଗୁନି ।’

 

‘କଥା ଦେଖ !’

 

ବ୍ୟସ୍ତ ହେଇ କପିଳ କହିଲା, ‘ମୁଁ କ’ଣ ସେ କଥା କହୁଚି ।’

 

‘ସବୁକଥା କ’ଣ ମୁହଁ ଫିଟେଇ କହିହୁଏ । ଆମେ କ’ଣ କିଛି ବୁଝିପାରୁନୁ ।’

 

କେମିତି ଥଙ୍ଗଥଙ୍ଗିଆ ଅଦ୍ଭୁତ ଗଳାରେ ସୁଲେଇ କହିଲା; ‘ଦିନ ରାତି ତମୁକୁ ଖଟୋଉଚୁ-। ସଂସାରର ସବୁ ଦାୟିତ୍ୱ ତମ ଉପରେ ଲଦି ଦେଇଚୁ ! ଆମ ଏଠିକି ଆସି ତମେ ବଡ଼ କଷ୍ଟ ପାଇଲ ! କଷ୍ଟ ପଡ଼ିଲେ କାହାକୁ ଭଲ ଲାଗିବ ଯେ ।’

 

‘କ’ଣ ଗୁଡ଼ାଏ ଏମିତି କହୁଚ ! କିଛି ବୁଝିପାରୁନି ।’

 

କପିଳ ଏକାବେଳେ ବିବ୍ରତ ହେଇ ପଡ଼ିଲା । କ୍ଷୁବ୍‌ଧ ହେଇ ସେ କହିଲା, ‘ତମ ସଂସାର ଦାୟିତ୍ୱକୁ ଯଦି ବୋଝବୋଲି ଭାବୁଥାଆନ୍ତି, ତାହାଲେ କୋଉଦିନୁ ପଳାନ୍ତିଣି ।’

 

ତା’ପରେ କିଛି ସମୟ ଚୁପ୍‌ଚାପ୍‌ କଟିଗଲା ।

 

ହଠାତ୍‌ ସୁଲେଇ କହି ଉଠିଲା, ‘ଜାଣ, ସମସ୍ତଙ୍କର ଇଚ୍ଛା, ତମେ ଏଇଠି ରୁହ ।’

 

‘ସମସ୍ତଙ୍କର ଇଚ୍ଛା !’

 

କପିଳର ସ୍ୱର ଧୀର, ଆବେଗରେ ଅସ୍ଥିର ।

 

‘ହଁ’, ସମସ୍ତଙ୍କର ଇଚ୍ଛା ।’

 

ସୁଲେଇ ସ୍ୱରଟା କେମିତି ଥରିଲା ମନେହେଉଥିଲା ।

 

କପିଳ କ’ଣ ଟିକିଏ ଭାବିଲା । ତା’ପରେ କହିଲା, ‘ସମସ୍ତଙ୍କର ଇଚ୍ଛା ଥାଇପାରେ, କିନ୍ତୁ ଜଣକର ନାହିଁ–’

 

‘ସତେନା କ’ଣ ?’

 

ସୁଲେଇର ସ୍ୱର ଶୁଣା ଯାଉଥିଲା ।

 

ହଠାତ୍‌ ଗୋଟାଏ ଖୁସ୍‌ ଖୁସିଆ ଶବ୍ଦ ଶୁଣାଗଲା । ସୁଲେଇ ହସୁଚିନା କ’ଣ ? କପିଳ ବୁଝିବା ପାଇଁ ଚେଷ୍ଟାକଲା ।

 

କିଛି ସମୟ କଟିଗଲାଣି ।

 

କପିଳ ଉନ୍ମୁଖହେଇ ବସିଚି । କିନ୍ତୁ କାଇଁ; ସୁଲେଇ ଆଉ କିଛି କହିଲାନି ।

 

ଥରେ ନଈ ଆଉଥରେ ସୁଲେଇକି ଚାହିଁଲା କପିଳ । ଶୀତ ରାତିର ଝାପ୍‌ସା ନଈ ଭଳି ସୁଲେଇବି ଅସ୍ପଷ୍ଟ ମନେ ହେଲା ।

 

ସକାଳୁ ଏମିତି ଗୋଟାଏ କଥା ଶୁଣିବ ବୋଲି କପିଳ ପ୍ରସ୍ତୁତ ନଥିଲା ।

 

କିଛି କଥା ନାଇଁ–ସୁସ୍ଥ ଲୋକଟା; ରାତିକ ଭିତରେ କଫ ଜାକି ପାହାନ୍ତା ପହରକୁ ଶେଷ-। ନିଜରତ କେହି ନଥିଲେ–ଅନେକ ଦିନ ସେ ନଖିପଡ଼ାର ଜଣେ ହୋଇଯାଇଥିଲା । ନଖିପଡ଼ାର ଲୋକେ ତା’ର ସାଇ-ଭାଇ କୁଟୁମ୍ୱ । ସେଇମାନେ ପହଲି ବୁଢ଼ାର ମଡ଼ାଟା ଉଠେଇ ନେଲେ ।

 

ସବୁଦିନ ପାଇଁ ପହଲି ବୁଢ଼ା ଚାହା ଖଟିରେ ତାଟି ଲାଗିଲା ।

 

ମଝିରେ ମଝିରେ ସମୟ ପାଇଲେ କପିଳଯାଇ ପହଲି ବୁଢ଼ା ଚାହା ଖଟିରେ ବସେ । କପିଳକୁ ଦେଖିଲାମାତ୍ରେ ଆଖି ମିଟିକା ମାରେ । ମୁହଁରେ ତା’ର ଦେଖାଦିଏ ଗୋଟାଏ ଅଦ୍ଭୁତ ହସ-। ଆଣ୍ଠୁ ଉପରେ ତାବଲା ଟିପଣା ବସୋଉ ବସୋଉ ଡାକେ, ‘ଆ-ଆ, ତୋରି କଥାତ ଭାବୁଥିଲି ।

 

‘ମୋ କଥା !’

 

ଦୋକାନ ତାଟି କଡ଼କୁ ପଟାର ଭାଡ଼ି । ତାରି ଉପରେ ବସୁ ବସୁ କପିଳ କହେ, ‘ମୋ କଥା କାହିଁକି ଭାବୁଥିଲ ?’

 

ଜବାବ୍‍ ନଦେଇ ଓଲଟା ପହଲି ବୁଢ଼ା ପଚାରିଥିଲା, ‘ତୁ କହୁନୁ, କାହିଁକି ମୁଁ ତୋ କଥା ଭାବୁଥିଲି ?’

 

‘ମୁଁ କେମିତି କହିବି ।’

 

ଆଶ୍ଚର୍ଯ୍ୟ ହେଇ କପିଳ ଚାହିଁ ରହିଲା ।

 

ଚୁଲିମୁଣ୍ଡ କୁଦଟା ଉପରେ ପହଲି ବୁଢ଼ା ବସିଥାଏ । ଅନେକ ସମୟରେ ଆଣ୍ଠୁ ଉପରେ ତାଳ ଦିଏ । କିରିକିରି ହେଇ ହସେ । କହିଥିଲା, ‘ଠିକ୍‌ ତୋ କଥା ଭାବୁନି । ଭାବୁଚି ତୋ କପାଳ କଥା । କି କପାଳିଆ ହେଇ ଜନମ ହେଇଥିଲୁ କେଜାଣି ।’

 

‘ମୁଁ ପୁଣି କପାଳିଆ । ଏକଥା ଆଜି ତମ ମୁହଁରୁ ନୂଆ ଶୁଣିଲି ।’

 

କହିଦେଇ କପିଳ ବଡ଼ ପାଟିରେ ହସି ଉଠିଥିଲା ।

 

ପହଲି ବୁଢ଼ା ଟିକିଏ ଆଗକୁ ଝୁଙ୍କି ପଡ଼ିଥିଲା । ତୁନି ତୁନି କହିଥିଲା, ‘କପାଳିଆ ଯଦି ନ ହେଇଥାଆନ୍ତୁ, ତା’ ହେଲେ, ଦି’ଦିଟା ଯୁବତୀ ମାଇକିନାଙ୍କ ଭିତରେ ପଶିଯାଆନ୍ତୁ କେମିତି ? ପକ୍‌କା ଓସ୍ତାଦ ଅଛୁ ଦେଖୁଚି ।’

 

କପିଳ ଲାଜେଇ ଯାଏ ।

 

ତା’ପରେ ସେମିତି ଫୁସ୍‌ ଫୁସ୍‌ ହେଇ ପହଲି ବୁଢ଼ା ପଚାରେ, ‘ଆଚ୍ଛା କପିଳ, କୋଉଟା ସାଙ୍ଗେ ମାତିଚୁ କହିଲୁ ? କହୁନୁ–’

 

‘କ’ଣ କହିବି ?’

 

‘କ’ଣ ଆଉ କହିବୁ ? ଯାହା ପଚାରୁଚି, ସେଇକଥା କହିବୁ ।’

 

‘ଯାଃ, ସଦାବେଳେ ତମର ସେଇ ଗୋଟାଏ କଥା, ଯେତେବେଳେ ଶୁଣ, ସେଇ ଝିଅ ପିଲାଙ୍କ କଥା–’

 

‘ଆରେ ଝିଅପିଲା ଛଡ଼ା ସଂସାରରେ ଆଉ କ’ଣ ଅଛି ଯେ କହିବି ? କିନ୍ତୁ ଦେଖ୍‌ ହାରାମୀ–‘

 

କାହା ଉପରେ ଖୁସିଥିଲେ ପହଲି ବୁଢ଼ା ହାରାମୀ ବୋଲି ଡାକେ ।

 

‘କ’ଣ କହୁଚ ?’

 

‘ଏତେ ଖୋଲା ହେଲେ ଚଳିବନି । ଖୁବ୍‌ ସାବଧାନ–’

 

‘ଅସାବଧାନ କ’ଣ ହେଲି ଯେ ?’

 

‘ଆରେ ହାରାମୀ, ସେ ଝିଅ ଯୋଡ଼ାକ ତତେ ଶୋଷି ଦେବେ–’

 

‘ଓଥତ୍‌, ତମେ ଯାହା ଭାବୁଚ ସେଗୁଡ଼ା ଭୁଲ ସେମାନଙ୍କ ସଙ୍ଗେ ମୋର ଅଲଗା ସମ୍ପର୍କ–’

 

‘ଅଲଗା ସମ୍ପର୍କ ! ଏଁ–’

 

ଖେଁ ଖେଁ ହେଇ ପହଲି ବୁଢ଼ା ଅନେକ ସମୟ ଯାଏ ହସିଥିଲା । କହିଥିଲା, ‘ମତେ ପୁଣି ତୁ ସମ୍ପର୍କ ବୁଝେଇବୁ ଟୋକା । ଯୁବତୀ ଝିଅଙ୍କ ସଙ୍ଗେ ଯୁଆନ ଟୋକାଙ୍କର ଯାହା ସମ୍ପର୍କ ସେଇଟା ମତେ ଭଲଭାବେ ଜଣା ଅଛି । ଆରେ ମୁଁ ହେଲି ସାତପେଣ୍ଠ ପାଣିଖିଆ । ମତେ ଆଉ ସମ୍ପର୍କ ଚଖେଇବୁ କ’ଣ ।’

 

କପିଳ କ’ଣ ଗୋଟାଏ ଭାବିବାକୁ ଯାଉଥିଲା । ତା’ର ଭାବନାରେ ବାଧା ଦେଇ ପହଲି ବୁଢ଼ା କହି ଉଠିଥିଲା, ‘ବେହୁସିଆର ହେଲେ ଏକାବେଳେ ଫାନ୍ଦରେ ଲାଖିଥିବୁ । ବାହାରିବାର ବାଟ ଆଉ ନଥିବ ।’

 

‘ଏକଥା କାହିଁକି କହୁଚ ?

 

‘ଆରେ, ମିଛରେ କ’ଣ କହୁଚି ! ବାବନା ଭାରିଯା ଆଉ ଭଉଣୀ, ଦି’ଟାଯାକ ଭଲଲୋକ ନୁହଁନ୍ତି ।’

 

‘ତମେ କେମିତି ଜାଣିଲ ?’

 

‘ବାବନା କୋଉ କାଳୁ ଘର ଛାଡ଼ି ଗଲାଣି । ଘରେ ପୁରୁଷ ବୋଲି କେହି ନାହିଁ । ତୁ ଆସିବା ଆଗରୁ ଏଯାଏ କେମିତି ସେମାନଙ୍କର ସଂସାର ଚଳୁଥିଲା, ସେକଥା ଜାଣିଚୁ ?’

 

‘ସେ କଥା କେମିତି ଜାଣିବି ?’

 

‘ପରେ କେତେବେଳେ ସେସବୁ କହିବି, ତେବେ ଏତିକି ମନେରଖିଥା, ସେମାନଙ୍କର ଚରିତ୍ର ମୋଟେ ଭଲ ନୁହେଁ ।

 

ଟିକିଏ ରହି ପହଲି ବୁଢ଼ା କହିଲା, ‘ସେଥିପାଇଁ କହୁଚି, ଖୁବ୍‌ ହୁସିଆର–’

 

ପାଟି ନ ଫିଟେଇ କପିଳ ଚୁପ୍‌ ରହି ଯାଇଥିଲା ।

 

ତା’ ପରଦିନର କଥା ।

 

ପହଲି ବୁଢ଼ା ସେଦିନ କପିଳକୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ସବୁଦିନ ପରି ସେଦିନ ସୁଲେଇ ପ୍ରଭୃତିଙ୍କ କଥା କହିଲାନି । ହଠାତ୍‌ କହିଲା, ‘ଶୁଣ କପିଳ, ତୋ ସାଙ୍ଗେ ମୋର ଗୋଟାଏ ଦରକାରୀ କଥା ଅଛି ।’

 

‘କି କଥା ?’

 

‘ଏଡ଼େ ବଡ଼ ଦୁନିଆରେ ମୋର ଆପଣାର ବୋଲି କେହି ନାଇଁ । ବୟସବି ଗୁଡ଼ାଏ ହେଇଗଲାଣି । ଆଉ ବେଶିଦିନ ବଞ୍ଚିଲା ପରି ଲାଗୁନି ।’

 

ଏକ ଦୃଷ୍ଟିରେ ପହଲି ବୁଢ଼ା କପିଳକୁ କିଛି ସମୟ ଚାହିଁ ରହିଲା । ତା’ପରେ କହିଲା, ‘ତୋରବି ତ କେହି ନାହାଁନ୍ତି । ମୋ ପାଖରେ ଆସି ରହୁନୁ । ଏ ବୁଢ଼ା ବୟସରେ ମତେ ଟିକିଏ ଦେଖାଶୁଣା କରିବୁ । ମଲାବେଳେ ଦୋକାନଟା ତତେ ଦେଇଯିବି ।’

 

ପହଲି ବୁଢ଼ା କଥା ଶୁଣି କପିଳ ବିସ୍ମସରେ ବିମୂଢ଼ ହେଇଗଲା ।

 

‘କିରେ, କିଛି କହିଲୁନି ଯେ ?’

 

କପିଳର ବିସ୍ମୟତା କଟି ନଥିଲା । ଖୁବ୍‌ ଧୀରେ ଧୀରେ ସେ କହିଲା, ‘କ’ଣ କହିବି ?’

 

‘ଏଇ ଯାହା ପଚାରିଲି, ମୋ ପାଖେ ଆସି ରହିବୁତ ?’

 

‘କେମିତି ରହିବି କହିଲୁ ?’

 

‘କାହିଁକି, ଅସୁବିଧା ଆଉ କ’ଣ ?’

 

‘ଆଜିଯାଏ ସେଠି ଚଳିଲିଣି । ସେମାନେ ମୋ ଜୀବନଟା ବଞ୍ଚେଇଚନ୍ତି । ସେମାନେ ନ ଛାଡ଼ିଲେ ତମ ପାଖେ ଆସି ରହିବି କେମିତି ?’

 

ନୀରସ ଗଳାରେ ପହଲି ବୁଢ଼ା କହିଲା, ‘ହଉ-ହଉ ଜଣାଗଲା ।

 

‘କ’ଣ ଜଣାଗଲା ?’

 

‘ସେମାନଙ୍କ କଥା ଉଠୋଉଚୁ, ଅସଲ ତୋର ମୋ ପାଖରେ ରହିବାର ଇଚ୍ଛା ନାହିଁ । କାହିଁକି ରହିବୁ ଯେ ? ଦି’ଦିଟା ମାଇକିନା ଛାଡ଼ି ଏଠି ମାଖରାଟାରେ କାହିଁକି ଆସି ରହିବୁ–ନୁହେଁ–’

 

କପିଳ କିଛି କହି ପାରିନଥିଲା ।

 

ବିଚରା ପହଲି ବୁଢ଼ା ଆଜି ଚାଲିଗଲା ।

 

ଗୋଟାଏ ବିଛଣାରେ କୁନ୍ତେଇ, ବାବନା ମାଆ ଆଉ ସୁଲେଇ ଶୋଇଚନ୍ତି ।

 

ଏପଟେ କାନ୍ଥ କଡ଼କୁ ବାବନା ମାଆ ଶୋଇଚି । ଏପାଖେ ଦ୍ୱାର ପାଖକୁ ଲାଗି ସୁଲେଇ ଶୋଇଚି । ମଝିରେ କୁନ୍ତେଇ ।

 

ରାତି ଅଧକୁ ଗଡ଼ି ଗଲାଣି ।

 

ବାବନା ମାଆ ନିଘୋଡ଼ ନିଦରେ ଶୋଇ ପଡ଼ିଚି । ଶୀତରେ ତା’ର ହାଡ଼ୁଆ ଦେହଟା ଚେକା ବାନ୍ଧି ଯାଇଚି ।

 

ସୁଲେଇ ଏଯାଏ ଶୋଇନି । ବିଛଣାରେ ପଡ଼ି ଏପଟ ସେପଟ ହେଉଚି ।

ପାଖ ବଖରାରେ କପିଳ, ତା’ ଆଖିକିବି ନିଦ ନାହିଁ, ଗୋଟାକ ପରେ ଗୋଟାଏ ବିଡ଼ି ଟାଣିବାରେ ଲାଗିଚି ।

 

କିଏ କ’ଣ କରୁଚି, ସବୁ କଥା କୁନ୍ତେଇ ଜାଣିପାରୁଚି । ତା’ ଆଖିକିବି ଆଜି ନିଦ ନାହିଁ । ଶୀତରାତି, ମୋଟା କନ୍ଥାତଳେ ଉଷୁମ ଉଠୁଚି–ଇଚ୍ଛା କଲେ ଏକା ନିଦକେ ରାତି ପାହି ଯାଆନ୍ତା । କିନ୍ତୁ କେଜାଣି କାହିଁକି , ନିଦଟା ଆଜି ପାଖରେ ପଶି ପାରୁନି ।

 

ଅନେକ ସମୟ ସୁଲେଇ ଏକଡ଼ ସେକଡ଼ ହେଲା । କିଛି ସମୟ ପରେ ଫୁସ୍‌ଫୁସ୍‌ ହେଇ ଡାକିଲା, ‘ଭାଉଜ, ଭାଉଜମ–’

 

କୁନ୍ତେଇ ଜବାବ୍‌ ଦେଲାନି ।

 

ପାଖକୁ ଲାଗି ଆସିଲା ସୁଲେଇ । କୁନ୍ତେଇ ମୁହଁ ଉପରକୁ ଝୁଙ୍କି ପଡ଼ି କହିଲା, ଶୋଇ ପଡ଼ିଲୁଣି କି ଏଇ–’

 

ଏଥର ବି କୁନ୍ତେଇ ଚୁପ୍‌ ରହିଲା ।

 

କିଛି ସମୟ ସୁଲେଇ ପୁଣି ବିଛଣାରେ ରହିଲା । ଅନ୍ଧାରରେ ଥରେ ମାଆ ଆଉଥରେ ଭାଉଜକୁ ଚାହିଁଲା । ରାତିଗୁଡ଼ାଏ ହୋଇଗଲାଣି, ଶୀତବି ପଡ଼ୁଚି । ବୋଧହୁଏ ନିଧୁମ ନିଦରେ ସେମାନେ ଶୋଇ ପଡ଼ିଚନ୍ତି । ନିଃସନ୍ଦେହ ହୋଇ ସୁଲେଇ ଉଠିପଡ଼ିଲା । ପାଦ ଚିପି ଚିପି କବାଟ ପାଖକୁ ଆସିଲା । ଖୁବ୍‌ ଧୀରେ କବାଟଟା ଫିଟେଇଲା ।

 

ବାବନା ମାଆ କଡ଼ ଲେଉଟଉ ଲେଉଟଉ ବିଳି ବିଳେଇ ଉଠିଲା ।

 

ସୁଲେଇ ଚମକି ପଡ଼ିଲା । ପଡ଼ିଯାଇ ଥାଆନ୍ତା, କବାଟଟା ଧରି ସମ୍ଭାଳି ଗଲା ।

 

ବାବନା ମାଆର ଲକ୍ଷଣ । ନିଦରେ ସେ ବିଳି ବିଳାଏ ।

 

କବାଟଟା ଧରି ସୁଲେଇ କାଠ ଭଳି ଠିଆ ହେଇଚି । ଛାତି ଭିତରଟା ତା’ର ଧଡ଼ପଡ଼ ହେଉଚି ।

 

ବାବନା ମାଆ ସେମିତି ବିଳି ବିଳୋଉଚି ।

 

କିଛି ସମୟ ପରେ ସୁଲେଇ ନିଜକୁ ସମ୍ଭାଳି ନେଲା । ଛାତିଟା ଟିକିଏ ଦମ୍ଭ ହେଲାଣି । ଧୀରେ ଧୀରେ କବାଟ ଆଉଜେଇ ସେ ବାହାରି ଆସିଲା ।

 

ସଙ୍ଗେ ସଙ୍ଗେ କୁନ୍ତେଇ ଉଠିପଡ଼ିଲା । କବାଟ ପାଖକୁ ଆସି ଜାଣିଲା, ସୁଲେଇ ପାଖ ବଖରାରେ ପଶିଚି ।

 

ସୁଲେଇ ଡାକିଲା, ‘ହଇଏ–ଶୁଣୁଚ–’

 

ଖୁବ୍‌ ଧୀର ଗଳାରେ କପିଳ କହିଲା, ‘ହଁ–’

 

‘ଶୋଇନ ?’

 

‘ନା ।’

 

ଟିକିଏ ଚୁପ୍‌ ଚାପ୍‌ ।

 

ହଠାତ୍‌ କପିଳ କହିଲା, ‘ସାହାସ ତ କମ୍‌ ନୁହେଁ ।’

 

‘କାହିଁକି ?’

 

‘ଏତେ ରାତିରେ ଉଠି ଆସିଚ । କେହି ଜାଣି ନାହାଁନ୍ତି ତ ?’

 

‘ନାଇଁ ।’

 

ଫୁସ୍‌ ଫୁସ୍ ହେଇ ସୁଲେଇ କହିଲା, ‘ମାଆ ଆଉ ଭାଉଜ ମୁର୍ଦ୍ଦାର ଭଳି ଶୋଇଚନ୍ତି । ଆସ–’

 

‘କୁଆଡ଼େ ଯିବା ?’

 

‘ବାହାରକୁ ।

 

‘ଏ ଶୀତ ରାତିରେ ବାହାରକୁ ଯିବା ।’

 

କପିଳ ସ୍ୱରଟା କରୁଣ ଶୁଣାଗଲା ।

 

‘ହଁ, ଆସ । ତମ ସାଙ୍ଗେ କଥାବାର୍ତ୍ତା ଅଛି ।

 

‘ହଉ ଚାଲ ।’

 

ପାଖ ବଖରାରୁ କପିଳ ଆଉ ସୁଲେଇ ବାହାରି ପଡ଼ିଲେ । ପାଦ ଶବ୍ଦରୁ ଜଣାଗଲା ସେମାନେ ଅଗଣା ପାର ହେଇ ପାଉଁଶ ଗଦା ଆଡ଼େ ଚାଲିଚନ୍ତି ।

 

କିଛି ସମୟ କୁନ୍ତେଇ ଅପେକ୍ଷା କଲା । ତା’ପରେ କବାଟ ଖୋଲି ସେ ବି ବାହାରି ଆସିଲା ।

 

ଘରୁ ବାରଣ୍ଡାକୁ । ବାରଣ୍ଡାରୁ କୁନ୍ତେଇ ଅଗଣାକୁ ଆସିଲା । ଏପଟ ସେପଟ ଚାରିଆଡ଼େ ନଜର ବୁଲେଇଲା । କିନ୍ତୁ କାଇଁ, ସୁଲେଇ କି କପିଳ କାହାରି ଦେଖା ମିଳିଲାନି ।

 

ଟିକିଏ ଆଗରୁ କୁନ୍ତେଇ ସେମାନଙ୍କର ପାଦଶବ୍ଦ ଶୁଣିଚି । ୟାରି ଭିତରେ ସେମାନେ କ’ଣ କୁଆଡ଼େ ଉଭେଇ ଗଲେ ।

 

ତାହାଲେ କ’ଣ ?

 

ହଠାତ୍‌ ମନ ଉପରେ ଗୋଟାଏ ଭାବନାର ଛାୟା ପଡ଼ିଲା । ତେବେ କ’ଣ ସମସ୍ତେ ଶୋଇଥିଲାବେଳେ କପିଳ ସୁଲେଇକି ନେଇ ପଳେଇଗଲା ।

 

କୁନ୍ତେଇ ଛାନିଆ ହେଇଗଲା । କ’ଣ କରିବ ବୋଲି, କିଛି ଠିକ୍‌ କରି ପାରିଲାନି । ଭାବିଲା, ବାବନା ମାଆକୁ ଡାକି ଉଠେଇବ । କ’ଣ ଭାବି ଡାକିଲାନି ।

 

ବିମୂଢ଼ କୁନ୍ତେଇ ଅଗଣାରେ ଠିଆହେଇ ରହିଲା ।

 

ମାଘମାସ ସରିସରି ଆସୁଚି । ଶୀତର ପ୍ରକୋପ ଅନେକଟା କମିଗଲାଣି । ଆଗଭଳି କୁହୁଡ଼ି ଆଜିକାଲି ସେତେ ଟାଣ ହେଉନି ।

 

ଫିକା କୁହୁଡ଼ି ଅନ୍ଧାର ସାଙ୍ଗେ ମିଶି ଚାରିଆଡ଼ ରହସ୍ୟମୟ କରି ପକାଇଚି । ହଠାତ୍‌ ଗୋଟାଏ ରାତିଚରା ପକ୍ଷୀ କୋଉଠି ଡେଣା ଝାଡ଼ିଲା । ସେ ଶବ୍ଦରେ କୁନ୍ତେଇ ବୁଲିପଡ଼ି ଚାହିଁଲା । ସଙ୍ଗେ ସଙ୍ଗେ ତା’ର ନଜର ପଡ଼ିଲା ।

 

ପାଉଁଶ ଗଦା ସେପଟକୁ ଘର କଡ଼କୁ ଲାଗି ବରକୋଳି ଗଛଟା । ପତ୍ରସନ୍ଧି ଦେଇ ଚେକା ଚେକା ଆଲୁଅ ପଡ଼ିଚି । ସେଇ ଛାଇରେ ଦୁଇଜଣ ଲଗାଲଗି ହେଇ ବସିଚନ୍ତି–କପିଳ ଆଉ ସୁଲେଇ ।

 

ହଠାତ୍‌ ଗୋଟାଏ ଅସହ୍ୟ କୌତୁହଳ କୁନ୍ତେଇକି ଘେରିଗଲା । ପାଦ ଚିପି ଚିପି ବିରାଡ଼ି ଭଳି ନିଶବ୍ଦରେ, ପାଉଁଶ ଗଦା ପାଖେ ଯାଇ ଠିଆହେଲା ।

 

ପାଉଁଶ ଗଦା ପାଖେ ଦି’ଟା ଅମୃତଭଣ୍ଡା ଗଛ । ବଡ଼ ଅମୃତଭଣ୍ଡା ଗଛଟାର ଆଡ଼ୁଆଳରେ କୁନ୍ତେଇ କାନେଇଚି ।

 

କପିଳ ଆଉ ସୁଲେଇ ଫୁସଫାସ ହେଉଚନ୍ତି । ଖୁଲୁଖୁଲୁ ହେଇ ହସି ଉଠୁଚନ୍ତି । ଶୀତ ରାତିରେ ନଖିପଡ଼ାଟା ଯେତେବେଳେ ନିଦରେ ଅଚେତ ହେଇ ପଡ଼ିଚି, ସେତେବେଳେ ବରକୋଳି ଗଛର ଛାପ ଛାପରା ଅନ୍ଧାରେ ଦି’ଟା ପ୍ରାଣୀ ମନର କାହାଣୀ ପେଡ଼ି ଫିଟେଇ ବସିଚନ୍ତି ।

 

କୁନ୍ତେଇ ଫୁସୁରୁ ଫାସର ଶୁଣି ପାରୁଥିଲା । ସେ ଫୁସୁରୁ ଫାସରର ଠିକ୍ ଅର୍ଥ କ’ଣ, ବୁଝିପାରୁ ନଥିଲା ।

 

ମନେ ମନେ ଭାବିଲା, ଯାହାହେଉ-ଭଲ ହେଇଚି । କପିଳ ଯଦି ସୁଲେଇକି ବାହାହୁଏ, ତାହାଲେ ତାଙ୍କରି ଲାଭ । ସଂସାରର ସବୁ ଦାୟିତ୍ୱ ପୂରାପୂରି ତା’ ଉପରେ ଲଦି ଦେଇ ହେବ । କିନ୍ତୁ ମନ ମାନିଲାନି । ପ୍ରାଣର ଅତଳ ଗଭୀରରୁ ଗୋଟାଏ ଅପାର ଦୁଃଖ ଉଙ୍କିମାରି ଉଠିଲା ।

 

ଭଲ ହେଲା । ସୁଲେଇର ବାହା ହେବା ବୟସ ହେଇଚି । ଆଜିହଉ କାଲିହଉ ବାହା କରିବାକୁ ପଡ଼ିବ ।

 

ଠାକୁରେ ଯେତେବେଳେ ଜୁଟେଇ ଦେଇଚନ୍ତି । କପିଳ ସାଙ୍ଗେ ସୁଲେଇର ବାହାଘର ହଉ । ଅନ୍ୟ କାହା ସାଙ୍ଗେ ହେଲେ ଏ ସଂସାରର କୌଣସି ଉପକାର ହେବନି । କପିଳ ସଙ୍ଗେ ହେଇଗଲେ ଦୁଃଖ ଚାଲିଯିବ ।

 

କୁନ୍ତେଇ ନିଜକୁ ଅନେକ ବୁଝେଇଲା । କିନ୍ତୁ ମନଟା ବଡ଼ ଅବୁଝା, ଅବୋଧ । କୌଣସି ପ୍ରକାର ସେଇଟା ବୁଝୁନି ।

 

ତା’ରି ଆଖି ଆଗରେ କପିଳ ଆଉ ସୁଲେଇ-ଭାବ ଲାଭରେ ଦୁହେଁ ଟଣାଟଣି ହେବେ–ଏଇଟା-କୁନ୍ତେଇ ମୋଟେ ସହି ପାରୁନି ।

 

ବରକୋଳିର ଛାଇରେ ଦୁହିଁଙ୍କୁ ଦେଖୁ ଦେଖୁ କୁନ୍ତେଇ ଭାବିଲା, କପିଳ ଚାଲିଯାଉ । ନଖିପଡ଼ା ଛାଡ଼ି କୁଆଡ଼େ ତା’ର ଖୁସି ଚାଲିଯାଉ ।

 

କପିଳ ଚାଲିଗଲେ ସେମାନଙ୍କ ସଂସାର ପ୍ରାୟ ଅଚଳ ହେଇଯିବ । ପୁଣି ସେଇ ଦିନଗୁଡ଼ା ମାଡ଼ି ଆସିବ, ସେଇ ଦରପେଟ ଖିଆ, ସାତସିଆଁ ଲୁଗା–ତଥାପି, ତଥାପି କପିଳ ଚାଲିଯାଉ । କୁନ୍ତେଇ ଟିକିଏ ଶାନ୍ତି ପାଇବ । ଆଖି ଆଗରେ ଏଗୁଡ଼ା ସେ ଆଉ ଦେଖିପାରୁନି ।

 

ଛାତି ଭିତରେ ଗୋଟାଏ ମୁନିଆଁ କଣ୍ଟା ଯେମିତି କୋଉଠି ଲୁଚି ରହିଚି । କପିଳ ଆଉ ସୁଲେଇକି ଘନିଷ୍ଠ ହେବାର ଦେଖିଲେ ସେଇଟା ଯେମିତି ଫୋଡ଼ି ହେଇଯାଉଚି ।

 

ବରକୋଳି ଗଛ ତଳକୁ ଏକଦୃଷ୍ଟିରେ ଚାହିଁରହି କୁନ୍ତେଇ ଭାବିଲା, ଆଜି ହଉ, କି କାଲି ହେଉ, ଯେମିତି ଭାବରେ ହେଉ, ସେ କପିଳକୁ ନଖିପଡ଼ାରୁ ତଡ଼ିବ ।

 

ହାଟ ପାଳିଛଡ଼ା ଅନ୍ୟଦିନେ କପିଳ ଆଜିକାଲି ଡଙ୍ଗା ବୁହାଏ ।

 

ଗୋସେଇଁ ଘାଟ କଡ଼କୁ ଯେଉଁ ବର ସିଅଟା ଲମ୍ୱି ଆସିଚି, ସେଇଥିରେ କପିଳ ଡଙ୍ଗାଟା ବାନ୍ଧିଦିଏ ।

 

ଆଜି ଆସିଲାମାତ୍ରେ ପୂଝାରୀ ଜୁଟିଗଲେ । ନଈ ସେପାଖ ପିତାମୁଣ୍ଡି ଯିବାକୁ ହେବ ।

 

କପିଳ ଡଙ୍ଗା ଛାଡ଼ିଦେଲା ।

 

ଫଗୁଣ ପସନ୍ତି ଖରାଟା ଚାଉଁ ଚାଉଁ ଲାଗିଲାଣି । ପାଟଳ ନଈଟା ଖରାରେ ଚିକ୍‌ ଚିକ୍‌ କରୁଚି । ବନ୍ଧ କଡ଼ର ରାସ୍ତାଟାରୁ ପଟୁଆ ଧୂଳିଗୁଡ଼ା ଉଠେଇ ପବନ ଧାଇଁବାରେ ଲାଗିଚି । ନଈକୂଳର ଶିଶୁ ଗଛଗୁଡ଼ା ଭୂତପରି ଠିଆ ହେଇଚନ୍ତି ।

 

ପିତାମୁଣ୍ଡିରେ କପିଳର ଡଙ୍ଗା ଲାଗିଲାବେଳକୁ ଦି’ପହର ହେଇଗଲାଣି । ଆକାଶ ଆଡ଼େ ଚାହିଁ ହଉନି । ସେ ଖରା ତେଜରେ ତାତିଲା କଂସା ଭଳି ଦେଖାଯାଉଚି ।

 

କପିଳକୁ ଭାରି ଭୋକ ହେଲାଣି । ବର୍ତ୍ତମାନ ଗୋସେଇଁ ଘାଟରେ ପହଞ୍ଚି ସୁଲେଇଙ୍କ ଘରେ ପହଞ୍ଚିଲାବେଳକୁ ଉପର ବେଳା ହେଇଯିବ ।

 

ଚଞ୍ଚଳ ଚଞ୍ଚଳ ପଝାରୀଙ୍କୁ ଓହ୍ଲାଇ ଦେଇ ତା’ର ପାଉଣା ବୁଝିନେଲା । ତା’ପରେ ଫେରିବି ବୋଲି କାତଟା ଉଠେଇଚି, ଠିକ୍‌ ସେତିକିବେଳେ କିଏ ଗୋଟାଏ ଡାକିଦେଲା ।

 

‘ହେ ନାଉରିଆ–’

 

ମନେ ମନେ ବିରକ୍ତ ହେଇ କପିଳ ଫେରି ଚାହିଁଲା ।

 

ନଈକୂଳରେ ଗୋଟାଏ ଲୋକ ଠିଆ ହେଇଚି । ଖଣ୍ଡେ ଖାକି ହାପ୍‌ ପ୍ୟାଣ୍ଟ୍‌ ପିନ୍ଧିଚି । ଦର ମଇଳା ଧଳା ସାର୍ଟ ଖଣ୍ଡେ ପ୍ୟାଣ୍ଟ ଭିତରେ ପୂରେଇ ପିନ୍ଧିଚି । ବୟସ ବତିସକି ପଇଁତ୍ରୀଶ ହେବ । ସିଝିଗଲା ଭଳି ଦେହ ।

 

ଲୋକଟା ସାଙ୍ଗରେ ଗୋଟାଏ ଟ୍ରଙ୍କ । ଗୋଟାଏ କାନଭିସ୍‌ ବଡ଼ବ୍ୟାଗ ଆଉ ଦି’ଟା ଗଣ୍ଠିଲା ରହିଚି ।

 

‘କ’ଣ କହୁଚ ?’

 

ମନର ବିରକ୍ତ ଭାବଟା କପିଳର ସ୍ୱରରେ ଫୁଟି ଉଠିଲା । ମନେ ମନେ ସେ ଠିକ୍ କରିସାରିଥାଏ । ଯେତେ ଟଙ୍କା ଦେଲେବି ସେ ଆଉ ପଝାରୀ ଉଠେଇବନି । ଭୋକରେ ଜଳି ଉଠିଲାଣି ।

 

ଲୋକଟା କହିଲା, ‘ମତେ ଟିକିଏ ପାରି କରେଇ ଦେବ ।’

 

କପିଳ ପରିଷ୍କାର ମନା କରିଦେଲା, ‘ନା ।’

 

‘ପଇସା ଦେବି, ପାରି କରିଦେବନି କାହିଁ ? ମାଗଣାତ ଯାଉନି ।’ ଲୋକଟା କହିବାକୁ ଲାଗିଲା । କେତେବେଳୁ ଆସି ଠିଆ ହେଇଚି । ଡଙ୍ଗା ଖଣ୍ଡେ ମିଳୁନି । ମତେ ପାରି କରେଇ ଦିଅ । ତମର ଯାହା ପାଉଣା ମୁଁ ଦେବି ।’

 

ଅନିଚ୍ଛା ସତ୍ୱେ କପିଳ ପଚାରିଲା, ‘କୁଆଡ଼େ ଯିବ ?’

 

‘ନଖିପଡ଼ା ।’

 

ମନେ ମନେ କପିଳ ଖୁସି ହେଇଗଲା । ଖାଲି ଡଙ୍ଗା ନେଇ ତାକୁ ଫେରିବାକୁ ହେଉଥିଲା । ଯାହାହେଉ, କିଛି ଲାଭ ହେଇଯିବ ।

 

ମନଭାବନାଟା ନ ଜଣେଇ କପିଳ କୁନ୍ଥେଇ ହେଇ କହିଲା, ‘ଦି’ ଟଙ୍କା ଭଡ଼ା ଲାଗିବ ।’

 

‘ହଉ ଦେବି ।’

 

‘ଜିନିଷପତ୍ର ନେଇଆସ ।’

 

‘ଜିନିଷପତ୍ର ଲଦାଲଦି କରି ଲୋକଟା ଡଙ୍ଗାରେ ଆସି ବସିଲା ।’ କପିଳ ଲମ୍ୱା ଲମ୍ୱା କାତ ପକେଇ ଡଙ୍ଗା ଛାଡ଼ି ଦେଲା ।

 

ଭାଗ୍ୟ ଭଲ ଉତ୍ତରା ପବନ ଦେଉଚି । ଗୋଟାଏ ସୋରଡ଼ା କାତ ବସେଇଲେ ଡଙ୍ଗାଟା ଆପେ ଖଣ୍ଡେ ବାଟ ଚାଲିଯାଉଚି ।

 

ଲୋକଟା ପଚାରିଲା, ‘ତମ ଘର କୋଉଠି, ନାଉରିଆ ଭାଇ ?

 

‘ମୋର ଘରଦ୍ୱାର ନାହିଁ, ନିସ୍ପୃହ ଗଳାରେ କପିଳ କହିଲା ।’

 

ଲୋକଟା କିଛି ସମୟ ଆଶ୍ଚର୍ଯ୍ୟ ହେଇ କପିଳକୁ ଚାହିଁ ରହିଲା । ତା’ପରେ କେମିତି ଗୋଟାଏ ଅବିଶ୍ୱାସର ହସ ହସି କହିଲା, ‘ଘରନାହିଁ–ଏଇଟା ଗୋଟାଏ କଥା ।’

 

ପେଟ ଭିତରେ ଭୋକଟା ରଡ଼ି ପକେଇଚି । କଥାବାର୍ତ୍ତା କରିବା ପାଇଁ କପିଳର ମୋଟେ ଇଚ୍ଛା ନ ଥାଏ । ତଥାପି ସେ କହିଲା, ‘ସତରେ ମୋର ଘରଦ୍ୱାର ନାହିଁ, କେତେ ମାସ ହେଲା ନଖିପଡ଼ାରେ ରହିଚି ।

 

ଆଗ୍ରହରେ ଲୋକଟାର ଆଖି ଦୁଇଟା ଜଳିଉଠିଲା । ପଚାରିଲା, କେତେମାସ ହେଲା ନଖିପଡ଼ାରେ ରହିଲଣି ?

 

‘ଚାରି ପାଞ୍ଚମାସ ହେବ–’

 

‘ଏଠିକାର ସମସ୍ତଙ୍କୁ ଚିହ୍ନିଚ ।’

 

କଥା ବୁଲେଇବା ପାଇଁ କପିଳ କହିଲା, ‘ନା, ଜଣେ ଦି’ଜଣଙ୍କ ଛଡ଼ା ଆଉ କାହାକୁ ଚିହ୍ନିନି ।

 

ଲୋକଟା ଚୁପ୍‌ ହେଇଗଲା ।

 

ୟା ଭିତରେ ଡଙ୍ଗାଟା ଆସି ଗୋସେଇଁ ଘାଟରେ ପହଞ୍ଚି ଯାଇଥିଲା ସୂର୍ଯ୍ୟଟା ଅନେକଗୁଡ଼ାଏ ପଶ୍ଚିମକୁ ଢଳି ପଡ଼ିଲାଣି । ଖରା ଆଉ ଆକାଶର ରଙ୍ଗ ବଦଳିବା ଆରମ୍ଭ ହେଇଯାଇଚି ।

 

ଲୋକଟାକୁ ଓହ୍ଲାଇ ଦେଇ, ବରସିଅରେ କପିଳ ଡଙ୍ଗାଟା ବାନ୍ଧିଦେଲା । ତା’ପରେ ଲମ୍ୱା ଲମ୍ୱା ଗୋଡ଼ କପେଇ ଘରମୁହାଁ ଧରିଲା ।

 

‘ଲୋକଟା କହିଲା, ଚାଲିଯାଉଚ କି ! ଗୋଟାଏ କଥା ଥିଲା–’

 

‘କି କଥା ?’

 

‘ଗୋଟାଏ ଲୋକ ବୁଝି ଦିଅନ୍ତ । ଜିନିଷପତ୍ରଗୁଡ଼ା ନେଇଯାଆନ୍ତା ।

 

‘ମତେ ଏଇଲେ ଲୋକ ବୁଝିବାକୁ ବେଳ ନାହିଁ ।’

 

କପିଳ ଆଉ ଠିଆ ହେଲାନି । ସିଧା ବାନ୍ଧ ଉପରକୁ ଉଠିଗଲା ।

 

ଖାଇପିଇ ସାରି ପୁଣି ଯେତେବେଳେ ଗୋସେଇଁ ଘାଟକୁ ଫେରିଲା, ସେତେବେଳେ ଦେଖିଲା, ଲୋକଟା ଗୋଟାଏ ଟୋକା ଯୋଗାଡ଼ କରି, ଜିନିଷପତ୍ର ସବୁ ତା’ ମୁଣ୍ଡରେ ଲଦି ପଛେ ପଛେ ଚାଲିଚି ।

 

ଭୋକ ଦାଉକୁ ଅବେଳ ଖିଆ । ଦେହଟା କେମିତି ଭିଡ଼ିମୋଡ଼ି ହେଇ ରିସିରିସି ଲାଗୁଚି-। ଗାମୁଛାଟା ପକେଇ କପିଳ ଡଙ୍ଗା ଉପରେ ଶୋଇ ପଡ଼ିଲା ।

 

ଏଓଳି ଆଉ କେହି ପଝାରୀ ଜୁଟିଲେନି । ଡଙ୍ଗା ଉପରେ ଶୋଇ ଶୋଇ କପିଳ ସନ୍ଧ୍ୟାବେଳକୁ ଫେରିଲା ।

 

କୁନ୍ତେଇ ସେତେବେଳକୁ ଡିବିରି ଜଳେଇ ଦେଇଚି । ସେଇ ଡିବିରି ଆଲୁଅରେ କପିଳ ଦେଖିଲା ସୁଲେଇ, ତା’ର ମାଆ ଆଉ କୁନ୍ତେଇ ଗୋଟାଏ ଲୋକକୁ ଘେରି ବସିଚନ୍ତି । ଲୋକଟା ଆଉ କେହି ନୁହେଁ, ଡଙ୍ଗାରେ ପିତାମୁଣ୍ଡିରୁ ସେ ଯେଉଁ ଲୋକଟାକୁ ଗୋସେଇଁ ଘାଟ ପାରି କରେଇ ଦେଇଥିଲା, ସେଇ ଲୋକଟା ।

 

କପିଳ ଉପରେ ଦୃଷ୍ଟି ପଡ଼ିବାମାତ୍ରେ କୁନ୍ତେଇ କହିଲା, ଏତେବେଳ ଯାଏ ତମର କଥା ପଡ଼ିଥିଲା ।’

 

ଲୋକଟା ଉଠିଆସି କପିଳକୁ କୁଣ୍ଢେଇ ପକେଇଲା । ତା’ପରେ ହାତ ଧରିନେଇ ବାରଣ୍ଡା ଉପରେ ବସେଇ ଦେଲା । ଲୋକଟାର ଏ ଧରଣର ବ୍ୟବହାରରେ କପିତ ନିର୍ବାକ ହେଇଯାଇଥିଲା । କେବଳ ବୋକାଙ୍କ ଭଳି ଲୋକଟାକୁ ଚାହିଁ ରହିଲା ।

 

ବାବନା ମାଆ କହିଲା, ‘ଚାହୁଁଚୁ କ’ଣ ବାପ, ସେ ପରା ମୋ ପୁଅ ବାବନା, କେତେ କାଳରେ ଘରକୁ ଫେରିଲା ।’

 

ବାବନା ଫେରି ଆସିଚି ।–କଥାଟା ଶୁଣି କପିଳ କାହିଁକି ଟିକିଏ ଦବିଗଲା ପରି ମନେ ହେଲା ।

 

‘ତମ ଉପକାର ଜୀବନରେ ସୁଝି ହେବନି ଭାଇ ।’ ବାବନା କହିଲା ।

 

କପିଳ ଟିକିଏ ହସିଲା । କହିଲା, ‘କ’ଣ ମୁଁ ଉପକାର କଲି !’

 

‘କ’ଣ ନ କରିଚ ଯେ ! ମୁଁ ସବୁ କଥା ଶୁଣିଚି । ଗୋଟାଏ ଯୁଗ ହେବ ମୁଁ ଘର ଛାଡ଼ି ଗଲିଣି । ଘରେ ତିନି ତିନିଟା ନିଆଶ୍ରି ମାଇପି ଲୋକ କମ୍‌ କଷ୍ଟରେ ଦିନ କଟେଇଚନ୍ତି । ଏ ନଖିପଡ଼ାରେ ତ କେତେ ଲୋକ ଥିଲେ । କାଇଁ, କେହିତ ଦିନେ ହେଲେ ଆସି ପଚାରି ଦେଇ ଯାଇନି, କେମିତି ତମେମାନେ ଚଳୁଚ ।’

 

ବାବନା ଟିକିଏ ଚୁପ୍‌ ହେଇଗଲା । କ’ଣ ଯେମିତି ଭାବିଲା । ତା’ପରେ ପୁଣି ଆରମ୍ଭ କଲା, ‘ତମେ ଆମର ବନ୍ଧୁ କି ବାନ୍ଧବ–କେହି ନୁହ, ତଥାପି ଆମ ସଂସାରର ଦାୟିତ୍ୱ କାନ୍ଧରେ ପକେଇଚ ।’

 

ଅସ୍ପଷ୍ଟ ଗଳାରେ କପିଳ କ’ଣ କହିଲା, ବୁଝିହେଲାନି ।

 

ବାବନା କହିଲା, ‘ବୁଝିଲ ନା ଭାଇ, ମନ । ମନ ହେଲା ବଡ଼ କଥା । ମନଟା ଯୋଉଠି ବଡ଼ ସେଠି ଆପଣା ପର ନାହିଁ । ସେମିତି ମନ ଖଣ୍ଡେ ପାଇଚ, ନହେଲେ ପରର ଘର ସଂସାର ଦାୟିତ୍ୱ ମୁଣ୍ଡେଇ ଥାଆନ୍ତ କେମିତି ?’

 

କଥାବାର୍ତ୍ତା ହେଉ ହେଉ ଅନେକ ସମୟ କଟିଗଲା ।

 

ହଠାତ୍‌ କୁନ୍ତେଇ ଡାକ ଛାଡ଼ିଲା, ‘କେତେ ରାତି ହେଲାଣି ଜଣାପଡ଼ୁଚିନା ? ଆସ, ଖା’ପିଅ କର ।

 

ଖାଇବା ପିଇବା ସାରି କପିଳ ଅଭ୍ୟାସ ଅନୁସାରେ ନିଜ ବଖରା ଆଡ଼େ ଚାଳିଯାଉଥିଲା-। ବାବନା ମାଆ ଡାକିଲା, ‘ବାପା-ଶୁଣ୍–’

 

କପିଳ ଥକ୍‌କା ହେଇ ଠିଆହେଲା ।

 

ବାବନା ମାଆ ଭାତ ଗୁଣ୍ଡାଏ ପାଟିରେ ପୂରେଇ ଥିଲା । ଢୋକି ଦେଇ କହିଲା, ‘ଗୋଟାଏ କଥା କହୁଥିଲି–’

 

‘କି କଥା ?’

 

‘ଏତେ ଦିନ ପରେ ଟୋକାଟା ଆସିଚି–’

 

କହିଦେଇ ବାବନା ମାଆ ତା’ର ପାକୁଆ ପାଟିରେ ଟିକିଏ ହସିଦେଲା । ତା’ପରେ ଆଉ ଗୁଣ୍ଡାଏ ଭାତ ପାଟିରେ ପୂରେଇ ପାକୁଳି କଲା ।

 

ବାବନା ମାଆ କ’ଣ କହୁଚି, କପିଳ ତା’ର ମର୍ମ ବୁଝିପାରୁ ନଥିଲା । ସେ ପ୍ରଶ୍ନବାଚକ ଦୃଷ୍ଟିରେ ବୁଢ଼ୀକୁ ଚାହିଁ ରହିଲା ।

 

ବାବନା ମାଆ କହିଲା, ‘କହୁଥିଲି କ’ଣ କି–ପୁଅ ଆଉ ବୋହୂ ଆଜି ବଖରାରେ ଶୋଇବେ । ତୁ ଯଦି–’

 

କହୁ କହୁ ବୁଢ଼ୀ ମଝିରେ ଚୁପ୍‌ ହେଇଗଲା ।

 

କପିଳ ଏଥର କଥାଟା ବୁଝିପାରିଲା । କହିଲା, ‘ଠିକ୍‌ ଅଛି । ମୁଁ ଅନ୍ୟ କୋଉଠି ଯାଇ ଶୋଇପଡ଼ିବି ।’

 

‘ରାଗିଲୁ କି ବାପା ?’

 

‘ନାଇଁମ, ରାଗିବାର କ’ଣ ଅଛି ।’

 

କପିଳ ସୁଲେଇଙ୍କ ଘରୁ ବାହାରି ପଡ଼ିଲା । ପାଖ ପଡ଼ିଆ ଛାଡ଼ି ଟାଙ୍ଗି ଉପରକୁ ଉଠିଲା-। ବର୍ତ୍ତମାନ କୋଉଠିକି ଯିବ, କୋଉଠି ଯାଇ ଶୋଇବ, ଭାବି ଠିକ୍‌ କରିପାରୁନଥିଲା ।

 

ଅବଶ୍ୟ ଶୋଇବା ପାଇଁ ଜାଗାର ଅଭାବ ନାହିଁ । ଆଜି ଅନେକ ଦିନପରେ ହଠାତ୍‌ ନଣ୍ଡାବାବାଙ୍କ କଥା ତା’ର ମନେପଡ଼ିଲା । ନଣ୍ଡାବାବା ତାକୁ କହିଥିଲେ, ଯେତେବେଳେ ଇଚ୍ଛାହେବ, ସେତେବେଳେ ତାଙ୍କ ପାଖକୁ ଚାଲିଯିବ ।

 

କପିଳ ଭାବିଲା, ନଣ୍ଡାବାବାଙ୍କ ପାଖକୁ ଚାଲିଯିବ । ମଠରେ ଆରାମରେ ଯାଇ ଶୋଇପଡ଼ିବ । କେଜାଣି କାହିଁକି ମନ ଡାକିଲାନି ।

 

ଏଣୁତେଣୁ ଭାବି, ଅନ୍ୟମନସ୍କ ଭାବରେ ଚାଲୁ ଚାଲୁ ସେ ପହଲି ବୁଢ଼ା ଦୋକାନ ପାଖରେ ପହଞ୍ଚିଗଲା ।

 

ସ୍ଥିରକଲା, ପହଲି ବୁଢ଼ା ଦୋକାନରେ ରାତି କଟେଇ ଦେବ । ତାଟି ଖଣ୍ଡକ ଖୋଲି ଦୋକାନ ଭିତରେ ପଶିଲା । ଗୁଡ଼ାଏ ଚେମେଣି ଫଡ଼ଫଡ଼ ହେଇ ଉଡ଼ିବାରେ ଲାଗିଲେ । ଗୋଟାଏ କୁକୁର ବାହାରି ପଳେଇଲା ।

 

କେଇଟା ଦିନ ପହଲି ବୁଢ଼ା ମରିବାର । ୟାରି ଭିତରେ ଦୋକାନଟା କୁକୁର ଚେମେଣିଙ୍କର ଖଟି ହେଇଗଲାଣି ।

 

ଅନ୍ଧାରରେ ଅଣ୍ଡାଳି ଅଣ୍ଡାଳି ପଟା ଭାଡ଼ିଟା ପାଖକୁ କପିଳ ଆସିଲା । ଏଇ ଭାଡ଼ିଟା ଉପରେ ପହଲି ବୁଢ଼ା ଶୁଏ ।

 

ଗୁଡ଼ାଏ ମଇଳା କନ୍ଥା ଆଉ ମୁଚୁଳା ଭାଡ଼ିଟା ଉପରେ ଗଦା ହେଇଚି । ତାରି ଉପରେ କପିଳ ଶୋଇପଡ଼ିଲା ।

 

କୁକୁର, ଚେମେଣି, ପହଲି ବୁଢ଼ା, ତା’ର ଦୋକାନ–ବର୍ତ୍ତମାନ କପିଳ କୌଣସି କଥା ଭାବୁନି । ଶୋଇ ଶୋଇ ସେ କେବଳ ଗୋଟାଏ କଥା ଭାବୁଥିଲା ।

 

ଅନେକ ଦିନପରେ ବାବନା ତା’ ଘରକୁ ଫେରିଆସିଚି । ହୁଏତ ନଖିପଡ଼ାରେ ତା’ର ଆଉ ଦରକାର ନାହିଁ ।

 

ସତରେ କ’ଣ ଦରକାର ନାହିଁ ? ନିଜର ମନକୁ କପିଳ ବାରମ୍ୱାର ପଚାରିଲା । କୌଣସି ଠିକଣା ଉତ୍ତର ପାଇଲାନି ।

 

ଆଗ ଭଳି ଦିନ ଗଡ଼ିଚାଲିଚି ।

 

ଦିନସାରା କପିଳ ଡଙ୍ଗା ବୁହାଏ । ପଝାରୀ ନେଇ ଏଠିକି ସେଠିକି ଯାଏ । ପଟି ପ୍ରଭୃତି ନେଇ ହାଟକୁ ଯାଏ । ଯାହା ପଇସା ରୋଜଗାର କରେ ସବୁ ଆଣି କୁନ୍ତେଇ ହାତରେ ଦିଏ ।

 

ଦିନଭିତରେ କପିଳ ମାତ୍ର ଦୁଇ ଥର ସୁଲେଇଙ୍କ ଘରକୁ ଆସେ । ଦି’ପହରେ ଆଉ ସନ୍ଧ୍ୟାବେଳେ । ମୁଠାଏ ଖାଇଦେଇ ଚାଲିଯାଏ । ରାତିରେ ପହଲି ବୁଢ଼ା ଦୋକାନଟା ତା’ର ଶୋଇବା ଘର ହୋଇଚି ।

 

ଆଜିକାଲି କପିଳ ପ୍ରତି କେମିତି ଟିକିଏ ଅବହେଳା ଆରମ୍ଭ ହେଇଚି । ଠିକ୍‌ ଅବହେଳା ବୋଲି କହିହେବନି । ଉଦାସୀନ କହିବାଟା ଠିକ୍‌ ହେବ ।

 

ସୁଲେଇକି ବାଦଦେଲେ ସମସ୍ତେ, ବିଶେଷକରି କୁନ୍ତେଇ ତା’ ସମ୍ୱନ୍ଧରେ ସବୁଠାରୁ ବେଶି ଉଦାସୀନ କେବଳ ଉଦାସୀନ ନୁହେଁ, ଅନ୍ୟ ପ୍ରକାର ଭାବ ।

 

ଆଗେ କପିଳ କାମଦାମ ସାରି ଫେରିଲେ କୁନ୍ତେଇ ପ୍ରଭୃତି ଖାଉଥିଲେ । ଯେତେବେଳେ ଯାଏ ସେ ନ ଫେରିଥାଏ, ସେତେବେଳେ ଯାଏ ଚାହିଁ ବସି ଥାଆନ୍ତି । ଆଜିକାଲି ଆଗରୁ ଖାଇ ଦେଉଚନ୍ତି । କପିଳ ପାଇଁ ତଳତଳିଆ ଶୁଖିଲା ଭାତ ମୁଠାଏ ଥୁଆ ହୋଇଥାଏ, ଯୋଉ ଭାତ ତରକାରୀ ରହିଥାଏ, ସେଥିରେ ତା’ର ପେଟ ପୂରିଲା କି ନାଇଁ, କୁନ୍ତେଇ କେବେ ପଚାରେନି ।

 

ବାବନା ଆସିବା ଆଗରୁ କୁନ୍ତେଇ ତା’ ସଙ୍ଗେ କେତେ କଥାବାର୍ତ୍ତା କରୁ ନଥିଲା । ଖୋଳିତାଡ଼ି ତା’ର ସବୁ ଅଭାବ ଅସୁବିଧା କଥା ବୁଝେ, ଆଜିକାଲି ପଦେଅଧେ କଥା କହିଲେ ଯଥେଷ୍ଟ ।

 

କୁନ୍ତେଇର ଉଦାସୀନତା କପିଳ ଅନୁଭବ କରିପାରିଥିଲା । ବାବନା ମାଆ ମଧ୍ୟ କମ୍‌ ଗପୁନଥିଲା । ମଝିରେ ମଝିରେ ସୁଲେଇ ପାଇଁ ଯେ ତା’ର ଖୁବ୍‌ ଚିନ୍ତା, ସେ କଥା ସେ କପିଳକୁ ଶୁଣାଏ । ବାରମ୍ୱାର କ’ଣ ଗୋଟାଏ କହିବ ବୋଲି ଚେଷ୍ଟାକରେ । କଥାଟା ଯେ କ’ଣ ହେଇପାରେ, କପିଳ ଅନୁମାନ କରିପାରୁଥିଲା । ବାବନା ଆସିବାପରେ ତା’ ମୁହଁବି ବନ୍ଦ ହୋଇଯାଇଚି ।

 

ସୁଲେଇର ମନୋଭାବ କପିଳ ଆଜିଯାଏ ବୁଝିପାରିନି । ଘରେ ତା’ ସଙ୍ଗେ ବିଶେଷ କଥାବାର୍ତ୍ତା ହୁଏନି । ମଝିରେ ମଝିରେ ଲୁଚି ଲୁଚି ସେ ଦେଖାକରେ । ସେତିକିବେଳେ ଅନେକ କଥା କହେ । ସେ କଥାତଳେ ପ୍ରକୃତ ଉଦ୍ଦେଶ୍ୟ କ’ଣ ଲୁଚିରହିଚି, କପିଳ ସେଇଟା ବୁଝିପାରେନି ।

 

ବାବନା ଆଗେ ଆଗେ ଦରକାରୀ ଅଦରକାରୀ ଅନେକ କଥା ଗପୁଥିଲା । ଆଜିକାଲି ଉପରଠାଉରିଆ କେତେବେଳେ କେମିତି ପଦେ କହିଦେଉଚି ।

 

କପିଳ ବୁଝିପାରିଥିଲା–ବାବନା, କୁନ୍ତେଇ, ବାବନା ମାଆ, ତିନି ଜଣଙ୍କ ମଧ୍ୟରୁ ତାକୁ ଚାହିଁବାକୁ ରାଜି ନୁହଁନ୍ତି । ଏ ସଂସାରରେ ତା’ର ହୁଏତ ଆଉ ଦରକାର ନାହିଁ; କିନ୍ତୁ ମୁହଁ ଫିଟେଇ କେହି ତାକୁ ଆଜିଯାଏ କିଛି କହିନାହାଁନ୍ତି । ଯେତେଦିନ ଯାଏ କେହି ତାକୁ କିଛି ନ କହିଚନ୍ତି, ସେତେଦିନ ଯାଏ ସେ ଯିବନି । ଅପେକ୍ଷା କରିବ । କୁନ୍ତେଇ ସଙ୍ଗେ ତା’ର ଜବାବ୍‌ ହେଇଚି, ଯେତେଦିନ ଯାଏ ସେମାନେ କପିଳକୁ ନ ଛାଡ଼ିବେ, ସେତେଦିନ ଯାଏ ସେ ଯାଇପାରିବନି ।

ଦି’ପହର ଗଡ଼ିବା ଉପରେ ।

ନଈ ସେପଟୁ ପଝାରୀ ଧରି କପିଳ ବର୍ତ୍ତମାନ ଆସି ପହଞ୍ଚିଲା । ବରସିଅରେ ଡଙ୍ଗାଟା ବାନ୍ଧିଦେଇ, ପଝାରୀଙ୍କଠାରୁ ପଇସାପତ୍ର ଧରି ଘରକୁ ଫେରିଲା ।

ଘରକୁ ଫେରି କପିଳ ଆଶ୍ଚର୍ଯ୍ୟ ହେଇଗଲା ।

ବାବନା ମାଆ, କୁନ୍ତେଇ ଆଉ ବାବନା ଅପେକ୍ଷାକରି ବସିଚନ୍ତି । ସୁଲେଇର ଦେଖାନାଇଁ । ସେ ବୋଧହୁଏ ଘରେ ନାହିଁ ।

କୁନ୍ତେଇ କହିଲା, ‘ତମକୁ ଚାହିଁ ବସିଚୁ । ଆଜି ସମସ୍ତେ ବସି ଖାଇବା ।’

ବାରଣ୍ଡା ଧାରକୁ କପିଳ ବସିପଡ଼ିଲା । ଟାଇଁ ଟାଇଁଆ ଖରାରେ ସେଗୁଡ଼ାଏ ପରିଶ୍ରମ କରି ଆସିଚି । ମୁହଁରୁ ସର ସର ଝାଳ ଗଡ଼ିପଡ଼ୁଚି । ଲାଲ ପଡ଼ିଯାଇଚି ମୁହଁଟା ।

କୁଞ୍ଚ କାନିଟାରେ ରଗଡ଼ି ରଗଡ଼ି କପିଳ ମୁହଁରୁ ଝାଳ ପୋଛିଲା ।

ଅନ୍ୟଦିନେ କୁନ୍ତେଇ ପ୍ରଭୃତି ଆଗରୁ ଖାଇଦେଇ ଥାଆନ୍ତି । ବାରଣ୍ଡା କଣକୁ ତା’ପାଇଁ ମୁଠାଏ ଭାତ ଡେକିଚି ଘୋଡ଼ାଇ ଥୁଆହେଇଥାଏ । ଆଜି ସମସ୍ତେ ତା’ର ଆସିବାଯାଏ ଅପେକ୍ଷାକରି ବସିଚନ୍ତି । ଘଟଣାଟା କ’ଣ, କପିଳ ଆଦୌ ବୁଝିପାରୁ ନଥିଲା ।

ଏକସଙ୍ଗେ ଚାରିଟା ଥାଳିରେ କୁନ୍ତେଇ ଭାତ ତରକାରୀ ବାଢ଼ି ଆଣିଲା । ସମସ୍ତଙ୍କୁ ଗୋଟାଏ ଗୋଟାଏ ଥାଳି ବଢ଼େଇଦେଲା । ନିଜେ ଗୋଟାଏ ଧରି ବସିଲା ।

 

ଖାଉ ଖାଉ କୁନ୍ତେଇ କହିଲା, ‘ତମକୁ ଗୋଟାଏ କଥା କହିବି ।’

 

କପିଳ ତଳକୁ ମୁହଁକରି ଖାଇବାରେ ଲାଗିଥିଲା । କୁନ୍ତେଇ କଥାଶୁଣି ମୁହଁ ଉଠେଇ ଚାହିଁ ପଚାରିଲା, ‘କି କଥା ?’

 

କୁନ୍ତେଇ କ’ଣ ଟିକିଏ ଭାବିଲା । ତା’ପରେ କହିଲା, ‘ଅନେକ ଦିନ ତମକୁ ଅଟକେଇ ଦେଲି । ତମର ସ୍ୱଭାବ ମତେଜଣା । କୋଉଠି ତମେ ସ୍ଥିରହେଇ ବେଶିଦିନ ରହିପାରନି ।

 

କପିଳ ଚୁପ୍‌ହେଇ ବସିରହିଲା ।

 

କୁନ୍ତେଇ ଟିକିଏ ହସିଲା । ପୁଣି ଆରମ୍ଭ କଲା, ‘ତମକୁ ବହୁତ କଷ୍ଟଦେଲି । ସଂସାର ବୋଝ ତମ ଉପରେ ଲଦି ଦେଇଥିଲି ।

 

ଅସ୍ପଷ୍ଟ ଗଳାରେ କପିଳ କ’ଣ କହିଲା, ବୁଝି ହେଲାନି ।

 

କୁନ୍ତେଇ କହିବାରେ ଲାଗିଲା, ‘ସୁଲେଇର ଭାଇତ ଫେରି ଆସିଲେଣି । ତାଙ୍କ ସଂସାର ବୋଝ ଏଥର ସେ ମୁଣ୍ଡାନ୍ତୁ । ତମକୁ ଆଉ କଷ୍ଟ ଦେବିନି ।’

 

କପିଳ ଏଥର ବାବନା ମାଆ ଆଉ ବାବନା ମୁହଁକୁ ଚାହିଁଲା । ସେମାନଙ୍କ ମୁହଁରୁ ଜଣାଗଲା, କୁନ୍ତେଇ କଥାକୁ ସେମାନେ ସମର୍ଥନ କରୁଚନ୍ତି ।

କୁନ୍ତେଇ ମୁହଁ ବନ୍ଦହେଇ ନଥାଏ, ‘ତମେ କୁଆଡ଼େ ଯିବାପାଇଁ ବୋଧହୁଏ ମନେମନେ ଠିକ୍‌ କରିଚ । ଆମ ଯୋଗୁଁ ଯାଇପାରୁନ । ଏଥର ତମର ଯୁଆଡ଼େ ଖୁସୀ ଯାଅ । ଆଉ ତୁମକୁ ରଖିବିନି ।’

କୁନ୍ତେଇଙ୍କର ସଂସାରରେ କପିଳର ଆଉ ଆବଶ୍ୟକ ନାହିଁ ।

ଦି’ପହରଠାରୁ ଡଙ୍ଗାଉପରେ ବସି କପିଳ ଏଇକଥା କେବଳ ଭାବୁଥିଲା । ଭାବୁ ଭାବୁ କେତେବେଳେ ରାତି ହେଇଯାଇଚି ତାକୁ ଜଣାନାହିଁ ।

ଡଙ୍ଗା ଉପରୁ ଓହ୍ଲାଇ ସେ ଟଳି ଟଳି ଆଗେଇଲା । ସୁଲେଇଙ୍କ ଘରକୁ ନୁହେଁ, ପହଲି ବୁଢ଼ା ଦୋକାନକୁ । ଆଜି ତା’ର ଉପବାସ ।

ସୁଲେଇଙ୍କ ଘରକୁ ଗଲେ ଅବଶ୍ୟ ଖାଇବାକୁ ମିଳିବ; କିନ୍ତୁ କୋଉ ମୁହଁରେ ସେ ଆଉ ସେଠିକି ଯିବ । ଆଜି ଦି’ପହରେ କୁନ୍ତେଇତ ସବୁ ସମ୍ପର୍କ ତୁଟେଇ ଦେଇଚି ।

ପହଲି ବୁଢ଼ାର ଭାଡ଼ିଉପରେ ଗଡ଼ୁ ଗଡ଼ୁ କେତେବେଳେ କପିଳକୁ ନିଦ ହେଇଯାଇଚି । ହଠାତ୍‌ କାହା ହାତର ଉଷ୍ମତାରେ ତା’ର ନିଦଟା ଚାଉଁକରି ଭାଙ୍ଗିଗଲା । ପଚାରିଲା, ‘କିଏ ?’

‘ମୁଁ !’

କପିଳ ଉଠି ବସିଲା । ଆଶ୍ଚର୍ଯ୍ୟ ହେଇ ପଚାରିଲା, ‘ତମେ ଏତେ ରାତିରେ, ସୁଲେଇ !

‘ହଁ, ଆଜି ରାତିରେ ଖାଇବାକୁ ଗଲନି କାହିଁକି ?’

‘ଗଲିନିତ ।’

‘କାହିଁକି, କ’ଣ ହେଇଚି ?’

କପିଳ ଚୁପ୍‌ହେଇ ରହିଲା ।

ଆଉ ଟିକିଏ ପାଖକୁ ଲାଗିଆସି ସୁଲେଇ କହିଲା’ ‘କହୁନ–’

‘କେମିତି ଆଉ ତମ ଘରକୁ ଯିବି ?’

‘କାହିଁକି ?’

‘ତମ ଭାଉଜ ମୋଠାରୁ ସବୁ ସମ୍ପର୍କ ତୁଟେଇ ଦେଇଚନ୍ତି ।

ଦି’ପହରେ ଯେତେବେଳେ ଖାଇବାକୁ ଯାଇଥିଲି, ତମ ଭାଉଜ କହିଲେ ମତେ ସେ ଆଉ ଅଟକେଇବାକୁ ଇଚ୍ଛା କରନ୍ତିନି । ମୋର ଯୁଆଡ଼େ ଇଚ୍ଛା ଏଥର ଯାଇପାରିବି ।

ଅସ୍ପଷ୍ଟ ଗଳାରେ ସୁଲେଇ କ’ଣ କହିଲା କିଛି ବୁଝିହେଲାନି ।

‘ତମ ସଂସାରରେ ମୋର ଆଉ ଦରକାର ନାଇଁ । ଯୋଉଠି ଦରକାର ନାଇଁ, ସେଠିକି କୋଉ ମୁହଁରେ ଯାଇଥାଆନ୍ତି ? ଭାବିଚି ଏଠୁ ଚାଲିଯିବି ।’

‘ନାଇଁ ।’

ସୁଲେଇର ଗଳାଟା ଥରି ଉଠିଲା, ‘ତମେ ଯାଇପାରିବନି ।’

କପିଳ ଟିକିଏ ସୁଲେଇ ଆଡ଼କୁ ଝୁଙ୍କିପଡ଼ି କହିଲା, ‘କାହିଁକି ?’

ଏତେଦିନ ହେଲା ମତେ ଦେଖୁଚ, ତମେ କ’ଣ ବୁଝିପାରିଲନି ?

ସୁଲେଇର ସ୍ୱରଟା ଆବେଗରେ ଗାଢ଼ ହେଇ ଉଠିଥିଲା । ସେ କହିବାରେ ଲାଗିଲା, ‘ଭାଉଜ ସିନା ତମଠୁ ସମ୍ପର୍କ ତୁଟେଇ ଦେଲା; କିନ୍ତୁ ମୁଁ ତ ତୁଟେଇ ଦେଇନି । କାହାର ଦରକାର ଥାଉକି ନଥାଉ, ମୋର ଦରକାର ଅଛି ।

କପିଳର ଗୋଟାଏ ହାତ ଧରିପକେଇ ସୁଲେଇ କହିଲା, ‘କୋଉଦିନ ତୁମକୁ କହିନି, ଆଜି କହୁଚି, ତମେ ଏଠୁ ଯାଅନି ।’

ସୁଲେଇ ହାତମୁଠା ଭିତରେ କପିଳ ହାତଟା ଝାଳେଇ ଉଠୁଥିଲା । ଛାତିଭିତରେ ଗୋଟାଏ ଅସହ୍ୟ କମ୍ପନ ଆରମ୍ଭ ହେଉଚି । ସେ କମ୍ପନକୁ କପିଳ କୌଣସି ପ୍ରକାର ଆୟତ୍ତ କରିପାରୁନି ।

ଅନେକ ସମୟ ଚୁପ୍‌ଚାପ୍‌ ଦୁହେଁ ବସି ରହିଲେ ।

କିଛି ସମୟ ପରେ କପିଳ ଗୋଟାଏ ଦୀର୍ଘ ନିଃଶ୍ୱାସ ପକେଇଲା । ତା’ପରେ ଉଠି ଠିଆହୋଇ ପଡ଼ିଲା । କହିଲା, ‘ନା–ମତେ ବର୍ତ୍ତମାନ ଯିବାକୁ ହେବ–’

କହୁ କହୁ କପିଳ ପହଲି ବୁଢ଼ା ଦୋକାନ ଛାଡ଼ି ବାହାରି ପଡ଼ିଲା । ଲମ୍ୱା ଲମ୍ୱା ପାହୁଣ୍ଡ ପକେଇ ଗୋସେଇଁ ଘାଟ ଆଡ଼େ ଆଗେଇବାରେ ଲାଗିଲା । ସୁଲେଇବି ପଛେ ପଛେ ଚାଲିଚି ।

ଗୋସେଇଁ ଘାଟରେ ପହଞ୍ଚିବାମାତ୍ରେ ସୁଲେଇ ପୁଣି ଥରେ କହିଲା, ‘ତମେ ଯାଅନି, ମୋ ମୁହଁକୁ ଚାହିଁ ରହିଯାଅ ।’

ସୁଲେଇର ସ୍ୱର ରୁଦ୍ଧହୋଇ ଆସୁଥିଲା, ଆଖିରୁ ଗଡ଼ିପଡ଼ିଲା କେଇଟୋପାର ଲୁହ । ଡଙ୍ଗାର ଦଉଡ଼ିଟା ଫିଟୋଉ ଫିଟୋଉ ସୁଲେଇ ମୁହଁକୁ କପିଳ ଚାହିଁଲା । ତା’ପରେ କାତଟା ଧରି ବସିପଡ଼ିଲା ଡଙ୍ଗାରେ ।

ପାଟଳିର ଛାତି ଚିରିଚିରି ଡଙ୍ଗାଟା ଆଗେଇ ଚାଲିଚି । ସୁଲେଇ ଆଖିରୁ ଧାର ଧାର ଲୁହ ଗଡ଼ିପଡ଼ୁଥିଲା ଗୋସେଇଁ ଘାଟ ପାହାଚ ଉପରେ । ଲଥକରି ସେ ବସି ପଡ଼ିଲା । ସେଦିନ ଏଇଠି ଉଠେଇ ଆଣି କପିଳକୁ ସେମାନେ ବସେଇ ଥିଲେ । ମୁଣ୍ଡଟା ପାହାଚ ଉପରେ ଲଦି ସୁଲେଇ କଇଁ କଇଁ ହୋଇ ଉଠିଲା । ମନେ ହେଉଥିଲା, କପିଳକୁ ଛାଡ଼ି ଗୋସେଇଁ ଘାଟର ବିଦାୟ ବଂଶୀ ଯେମିତି ରାହାଧରିଚି ।

ଲୁହଭରା ଝାପ୍‍ସା ଆଖିରେ ସୁଲେଇ ଶେଷଥର ପାଇଁ ଚାହିଁଲା; କିନ୍ତୁ କପିଳର ଡଙ୍ଗାଟା ପାଟଳି ନଈ ଭିତରେ କେତେବେଳୁ ହଜିଯାଇଥିଲା । ବର୍ତ୍ତମାନ ଗୋସେଇଁ ଘାଟର ଅନେକ ଦୂରରେ ତା’ର ଡଙ୍ଗା–ସୁଲେଇ ଆଶାର ସୀମା ଟପିସାରିଚି ।

ଛାତି ଥରେଇ ଅମାନିଆ କୋହଟା ଥରକୁଥର ଉଠି ଆସୁଥିଲା । ସୁଲେଇ ପୁଣି ଗୋସେଇଁ ଘାଟ ପାହାଚରେ ମୁହଁ ଲଦିଦେଲା ।

ନଈ ଭିତରୁ ଗୋଟାଏ ମଣିଷ ନୁହେଁ ଗୋଟାଏ ଦୁର୍ନାମକୁ ସେମାନେ ଉଠେଇ ଆଣିଥିଲେ । ଡିବି ଆଲୁଅରେ ସେଇ କପିଳନାମଧାରୀ ଦୁର୍ନାମଟାକୁ ଦେଖୁ ଦେଖୁ ପ୍ରାଣ ଭିତରଟା ଯେମିତି କେମିତି ହୋଇଉଠିଲା । ହୃଦୟର ଗଭୀରତମ ସ୍ଥଳରେ କ’ଣ ଗୋଟାଏ ଯେମିତି ରହିଚି । ଅସ୍ଥିର ଆବେଗରେ ସେଇଟା ଯେମିତି ଝଙ୍କାର ତୋଳି ଉଠୁଛି । ସୁଲେଇ ବୁଝିପାରୁନି । କେବଳ ମନେହେଉଚି ଗୋଡ଼ହାତ ସର୍ବାଙ୍ଗ କାହିଁକି କେଜାଣି ଥରି ଉଠୁଚି ।

କୁନ୍ତେଇ ସେତେବେଳକୁ ଡିବିରି ଜଳେଇଦେଇଚି । ସେଇ ଡିବିରି ଆଲୁଅରେ କପିଳ ଦେଖିଲା, ସୁଲେଇ, ତା’ର ମାଆ ଆଉ କୁନ୍ତେଇ ଗୋଟାଏ ଲୋକକୁ ଘେରି ବସିଚନ୍ତି । ଲୋକଟା ଆଉ କେହିନୁହେଁ ।

Image